କୃଷି, କୃଷି ଆଇନ, ଓ କୃଷକ ଆନ୍ଦୋଳନ
କୃଷି ବିଲର ପ୍ରତ୍ୟାହାରକୁ ବିଜୟ ଭାବୁଥିବା କୃଷକ ଆନ୍ଦୋଳନ କୃଷି ଉପରେ ନିର୍ଭରଶୀଳ ଏକ ବଡ ସମୁଦାୟ ଯଥା ଭୂମିହୀନ କୃଷି ଶ୍ରମିକମାନଙ୍କ ସମସ୍ୟାକୁ ନେଇ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଆସିଛି । ଏଠି କହିରଖିବାକୁ ଚାହେଁ ଭାରତୀୟ କୃଷି କ୍ଷେତ୍ରରେ ଥିବା ସମସ୍ତ ଭୂମିହୀନ କୃଷିଶ୍ରମିକ ଦଳିତ ବର୍ଗରୁ ଆସିଥାନ୍ତି ଯେଉଁମାନଙ୍କ ପାଖରେ ବଜାରରେ ବିକ୍ରି କରିବା ପାଇଁ ଉତ୍ପାଦିତ ଦ୍ରବ୍ୟ ନାହିଁ । ପ୍ରଶ୍ନ ଉଠେ କାହିଁକି ଏହି ଭୂମିହୀନ ଶ୍ରମିକମାନଙ୍କ ସମସ୍ୟା ଏ ପର୍ଯ୍ୟନ୍ତ କୃଷକ ଆନ୍ଦୋଳନର ଦୃଷ୍ଟି ଆକର୍ଷଣ କରିପାରିନାହିଁ ।
ଜୀବନ ବଞ୍ଚିବାପାଇଁ ଜୀବିକାର ଉତ୍ସକୁ ଅଧ୍ୟୟନ କରିବା ସର୍ବଦା ଏକ ଗୁରୁତ୍ୱପୂର୍ଣ ବିଷୟ ଅଟେ । ଜୀବିକାର ଉତ୍ସକୁ ମୁଖ୍ୟତଃ ତିନୋଟି ରୂପରେ ବିଭାଜନ କରାଯାଇପାରେ । ସେଗୁଡିକ ହେଲା – କୃଷି, ଶିଳ୍ପ, ଓ ସେବା । ଅର୍ଥାତ ମଣିଷ ବଞ୍ଚିବା ପାଇଁ କେବେ ଚାଷ ଉପରେ ତ କେତେବେଳେ ଶିଳ୍ପ ଉପରେ ତ ଆଉ କେତେବେଳେ ସେବା କ୍ଷେତ୍ରରେ ନିର୍ଭରଶୀଳ ହୋଇଥାଏ । ଉପରୋକ୍ତ ତିନୋଟି ଜୀବିକାର ଉତ୍ସଗୁଡିକରୁ କୃଷି ହେଉଛି ସର୍ବପୁରାତନ ଏବଂ ସର୍ବବୃହତ ଉତ୍ସ । କୃଷି ଉପରେ ସର୍ବାଧିକ ଲୋକ ଜୀବିକା ପାଇଁ ନିର୍ଭରଶୀଳ ହେବା ସହିତ, ମଣିଷ ବଞ୍ଚିରହିବା ପାଇଁ ଆବଶ୍ୟକ ମୌଳିକ ଖାଦ୍ୟ ଉପାଦାନକୁ ଉତ୍ପାଦନ କରିବାରେ କୃଷି ଏକ ସର୍ବକାଳୀନ ଉତ୍ସ ହୋଇରହିବ କହିଲେ କିଛି ଭୁଲ ହେବନାହିଁ । ଅମ୍ଳଜାନ ବିନା ଯେମିତି ଜୀବନ ଅସମ୍ଭବ, ସେମିତି ଖାଦ୍ୟ ଅର୍ଥାତ କୃଷି ବିନା ମଣିଷ ବଞ୍ଚିବା ଅସମ୍ଭବ । ସର୍ବପ୍ରଥମେ ମଣିଷ ଖାଦ୍ୟ ନିଜେ ଉତ୍ପାଦନ କରିବା ଜାଣିନଥିଲା । ପ୍ରକୃତି ଉତ୍ପାଦିତ କଞ୍ଚା ଫଳମୂଳ ଓ ପଶୁପକ୍ଷୀ ଶିକାର କରି ଖାଇବା ମଣିଷ ବଂଚିବାର ମୂଳ ଆଧାର ଥିଲା । ଏକ ନିର୍ଦ୍ଦିଷ୍ଟ ସ୍ଥାନର ପ୍ରକୃତି ଉତ୍ପାଦିତ ଖାଦ୍ୟ ସରିଲେ ସେ ଆଉ ଏକ ସ୍ଥାନକୁ ଖାଦ୍ୟ ଅନ୍ୱେଷଣରେ ସ୍ଥାନାନ୍ତର ହେବାକୁ ବାଧ୍ୟ ହେଉଥିଲା ଯାହାଫଳରେ ମଣିଷ ଏକ ଯାଯାବର ଜୀବନଯାପନ କରୁଥିଲା । କିନ୍ତୁ ସମୟକ୍ରମେ ମଣିଷ କୃଷି ଓ ପଶୁପାଳନର କୌଶଳ ଉଦ୍ଭାବନ କଲା । ଏହାଦ୍ୱାରା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରହି ନିଜ ପାଇଁ ଖାଦ୍ୟ ଉତ୍ପାଦନ କରିବା ଆରମ୍ଭ କଲା ଏବଂ ଖାଦ୍ୟର ଅନ୍ୱେଷଣରେ ସ୍ଥାନାନ୍ତର ହେବାକୁ ପଡିଲା ନାହିଁ । ଅତଏବ, କୃଷିର ଉଦ୍ଭାବନ ହିଁ ସ୍ଥାୟୀ ଜୀବନଯାପନର ମୂଳଦୁଆ ସ୍ଥାପନ କଲା । ସମୟକ୍ରମେ ମଣିଷ ଜୀବନକୁ ସରଳ, ସୁନ୍ଦର, ଓ ଗୁଣାତ୍ମକ କରିବା ନିମନ୍ତେ ଶ୍ରମର ବିଭାଜନ ହୋଇ ଅନ୍ୟାନ୍ୟ ସହାୟକ ବୃତ୍ତିର ସୃଷ୍ଟି ହୋଇଛି ।
ଭାରତ ମୁଖ୍ୟତଃ ଏକ କୃଷି ପ୍ରଧାନ ଦେଶ । ଭାରତର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସଂଖ୍ୟାର ମୋଟାମୋଟି ଶତକଡା ୭୦ ଭାଗ ଲୋକ କୃଷି ଉପରେ ଉଭୟ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ନିର୍ଭରଶୀଳ ଅଟନ୍ତି । ଦେଶ ସ୍ୱାଧୀନ ହେବାର ୭୪ ବର୍ଷ ହୋଇଯାଇଥିଲେ ସୁଦ୍ଧା ସମୁଦାୟ ଜନସଂଖ୍ୟାର ପ୍ରାୟ ୬୦ ଶତକଡାରୁ ଅଧିକ ଭାରତୀୟ କୃଷିକୁ ନିଜର ପ୍ରାଥମିକ ବୃତ୍ତି ହିସାବରେ ନେଇଥାନ୍ତି । ଆଜି ମଧ୍ୟ ସମୁଦାୟ ଘରୋଇ ଉତ୍ପାଦର ଶତକଡା ୧୭ ଭାଗ କେବଳ କୃଷି କ୍ଷେତ୍ରରୁ ଆସିଥାଏ । ଶିଳ୍ପ ଓ ସେବା କ୍ଷେତ୍ରର ବିକାଶ ପାଇଁ ଆବଶ୍ୟକ କଞ୍ଚାମାଲ ଯୋଗାଇବା ସହିତ ଉଭୟ କ୍ଷେତ୍ରରେ ଉତ୍ପାଦନ ହେଉଥିବା ଉତ୍ପାଦର ଉପଭୋକ୍ତା ତିଆରି କରିବାରେ କୃଷି କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣକରେ । ବ୍ୟାଙ୍କମାନଙ୍କରେ ଜମାହେଉଥିବା ଜମାରାଶିର ଏକ ବଡ ଭାଗ କୃଷି ଉପରେ ନିର୍ଭର ଥିବା ଲୋକମାନଙ୍କ ପାଖରୁ ଆସିଥାଏ । ଏହି ଜମାରାଶି ମୁଖ୍ୟତଃ ଶିଳ୍ପ ଏବଂ ସେବା କ୍ଷେତ୍ରର ବିକାଶ ପାଇଁ ଆବଶ୍ୟକ ପୁଞ୍ଜି ନିବେଶ ହିସାବରେ ବିନିଯୋଗ ହୋଇଥାଏ । ଅର୍ଥାତ କୃଷି କେବଳ ଶତକଡା ୬୦ ଭାଗ ଲୋକଙ୍କ ପାଇଁ ଜୀବିକାର ଉତ୍ସ ନୁହେଁ; ଶିଳ୍ପ ଓ ସେବା କ୍ଷେତ୍ରର ବିକାଶ କୃଷିର ବିକାଶ ଉପରେ ନିର୍ଭର କରିଥାଏ । ତେଣୁ କୃଷିକୁ ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଭାବେ ବିବେଚନା କରାଯାଏ ।
କୃଷିର ଉପରୋକ୍ତ ପ୍ରାଧାନ୍ୟ ଥିଲେ ସୁଦ୍ଧା ଏହାକୁ ଆବଶ୍ୟକ ଗୁରୁତ୍ୱ ଦିଆଯାଉନାହିଁ ଯାହାଫଳରେ ବର୍ତ୍ତମାନ କୃଷି କ୍ଷେତ୍ର ଅନେକ ସମସ୍ୟା ଦେଇ ଗତିକରୁଛି । ସର୍ବାଧିକ ଲୋକ କୃଷି ଉପରେ ନିର୍ଭର ଥିଲେ ବି, ଏହାକୁ ଦେଶର ବିକାଶ ପାଇଁ ପ୍ରଥମ ସ୍ଥାନରେ ରଖାଯାଇନାହିଁ । କୃଷି ଉପରେ ନିର୍ଭରଶୀଳ ସମୁଦାୟ ଜନସଂଖ୍ୟା ମଧ୍ୟରୁ ଶତକଡା ୮୫.୦୧ ଭାଗ କୃଷକ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଆଜିର ସମୟରେ ମଧ୍ୟ ସମୁଦାୟ ଚାଷ ଜମି (୧୯୧ ମିଲିୟନ ହେକ୍ଟର) ର ଶତକଡା ପ୍ରାୟ ୬୦ ଭାଗ (୧୧୫ ମିଲିୟନ ହେକ୍ଟର ) ଚାଷ ଜମି ଅଣଜଳସେଚିତ ଓ ବର୍ଷାଜଳ ଉପରେ ନିର୍ଭରଶୀଳ । ଶିକ୍ଷା, କୃଷି ସମ୍ବନ୍ଧୀୟ ପ୍ରଶିକ୍ଷଣ ଓ ଆର୍ଥିକ ସହାୟତାର ଅଭାବ ଯୋଗୁଁ ଆଜି ମଧ୍ୟ କୃଷକ ଆଧୁନିକ କୃଷି ପଦ୍ଧତିକୁ ଆପଣେଇ ପାରିନାହିଁ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯୁଗରେ ମଧ୍ୟ କୃଷକ ପାରମ୍ପରିକ କୃଷି ପଦ୍ଧତି ଉପରେ ନିର୍ଭରଶୀଳ । କୃଷି ଉତ୍ପାଦନରେ ଯେତିକି ଖର୍ଚ୍ଚ ହେଉଛି, ଉତ୍ପାଦର ସେତିକି ମୂଲ୍ୟ ମିଳିପାରୁନାହିଁ । ଅନେକ ସମୟରେ ଉତ୍ପାଦିତ ଦ୍ରବ୍ୟକୁ ଉତ୍ପାଦନ ଖର୍ଚ୍ଚଠାରୁ କମ ଦାମରେ ବିକିବାରେ କୃଷକ ବାଧ୍ୟ ହେଉଛି । କୃଷି କାମ ଲାଭଦାୟକ ହେଇନଥିବାରୁ ଅନେକ କୃଷକ କୃଷି କାମ ଛାଡିବା ଏବଂ ରାଜ୍ୟବାହାରେ କାମ କରିବା ପାଇଁ ବାଧ୍ୟ ହେଉଛନ୍ତି । ସର୍ବାଧିକ କୃଷକ ଚାଷ ପାଇଁ ବର୍ଷାଜଳ ଉପରେ ନିର୍ଭର ହେଉଥିବା ଯୋଗୁଁ ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଥାଏ ଫଳରେ ଅନେକ କ୍ଷତି ସହ୍ୟ କରିବାକୁ ପଡିଥାଏ । ପୁନଶ୍ଚ ବଜାର ଅର୍ଥନୀତି ଦ୍ୱାରା ତିଆରି ହେଉଥିବା ସଙ୍କଟ ଯୋଗୁଁ ମଧ୍ୟ କୃଷକ ବିଭିନ୍ନ ପ୍ରକାରର ଶୋଷଣର ଶିକାର ହୋଇଥାଏ । ଉଭୟ ପ୍ରାକୃତିକ ବିପର୍ଯ୍ୟୟ ଓ ବଜାର ଅର୍ଥନୀତିଗତ ସଙ୍କଟରୁ ରକ୍ଷାପାଇବା ପାଇଁ ଆବଶ୍ୟକ ରାଷ୍ଟ୍ରର ସହଯୋଗର ଅଭାବ ଯୋଗୁଁ କୃଷକ ଅନେକ ସମୟରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCTRB)ଅନୁଯାୟୀ ପ୍ରତିବର୍ଷ ୧୦,୦୦୦ କୃଷକ ଓ କୃଷି ଉପରେ ନିର୍ଭର ଥିବା ସଦସ୍ୟ ଆତ୍ମହତ୍ୟା କରୁଛନ୍ତି ।
ଉପରେ ଦର୍ଶାଯାଇଥିବା କୃଷିର ରାଷ୍ଟ୍ରୀୟ ମହତ୍ୱ ଓ କୃଷି କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାଗୁଡିକ ଯୋଗୁଁ, ଭାରତରେ କୃଷି କ୍ଷେତ୍ରର ଅଧ୍ୟୟନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣକରେ । କୃଷିକ୍ଷେତ୍ରର ଅଧ୍ୟୟନରେ କଣ ଉତ୍ପାଦନ କରିବା, କେମିତି ଉତ୍ପାଦନ କରିବା, ଉତ୍ପାଦନ କରିବା ପାଇଁ ଆବଶ୍ୟକ କଞ୍ଚାମାଲର ପରିମାଣ, ଉତ୍ପାଦିତ କୃଷିଜାତ ଦ୍ରବ୍ୟର ବିକ୍ରୟ ଓ ବଜାର, ଚାଷଜମିର ଆକାର, ଚାଷଜମିର ବଣ୍ଟନ, କୃଷିକ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ଏବଂ ବିକାଶ ପାଇଁ ସରକାରଙ୍କ ଆଇନ ଇତ୍ୟାଦି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଅଛି । କୃଷି ଉପରେ ଆଧାରିତ ବିଭିନ୍ନ ବିଷୟ ମାନଙ୍କ ମଧ୍ୟରୁ, କୃଷି କ୍ଷେତ୍ରର ବିକାଶ ପାଇଁ କୃଷି ଆଇନ ଓ ମୁଖ୍ୟତଃ ନିକଟ ଅତୀତରେ ତିଆରି କରାଯାଇଥିବା କୃଷି ଆଇନ, ୨୦୨୦; କୃଷି ଆଇନ, ୨୦୨୦ ବିରୁଦ୍ଧରେ ଦେଶବ୍ୟାପୀ କୃଷକ ଅନ୍ଧୋଳନ; ଏବଂ ତଦଜନିତ ପରବର୍ତ୍ତୀ ଘଟଣାବଳୀର ବିଶ୍ଳେଷଣ ହେଉଛି ଏହି ଲେଖାର ମୁଖ୍ୟ ଉଦ୍ଦେଶ୍ୟ ।
କୃଷି ଆଇନ: ଏକ ରାଜନୀତିକ -ଆର୍ଥନୀତିକ ବିଶ୍ଳେଷଣ
କୃଷିକ୍ଷେତ୍ର ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ହେଲେ ସୁଦ୍ଧା, ସ୍ୱାଧୀନତା ପରବର୍ତ୍ତୀ ଭାରତୀୟ ଅର୍ଥନୀତିର ବିକାଶ ପାଇଁ ତିଆରି ହୋଇଥିବା ଆଇନ ପ୍ରଣୟନରେ କୃଷିକୁ ଆବଶ୍ୟକ ପ୍ରାଧାନ୍ୟ ଦିଆଯାଇନାହିଁ । ଭାରତର ସମୁଦାୟ ଘରୋଇ ଉତ୍ପାଦନରେ କୃଷିକ୍ଷେତ୍ରର ସର୍ବାଧିକ ଅବଦାନ ରହିଥିଲେ ସୁଦ୍ଧା, ବିକାଶଶୀଳ ରାଷ୍ଟ୍ରଗୁଡିକର ବିକାଶ ପ୍ରକ୍ରିୟାକୁ ଅନ୍ଧ ଭାବରେ ଅନୁସରଣ କରି ସରକାରୀ ଯୋଜନାରେ କୃଷିକ୍ଷେତ୍ରକୁ ସମ୍ପୂର୍ଣ ଅବହେଳାକରି ଶିଳ୍ପ ଓ ଶିଳ୍ପାୟନକୁ ବିକାଶର ଏକ ମାତ୍ର ମାଧ୍ୟମ ଭାବେ ବିବେଚନା କରାଗଲା । କୃଷିକ୍ଷେତ୍ରର ସମୃଦ୍ଧି ଓ ଆଧୁନିକୀକରଣ ପରିବର୍ତ୍ତେ ବ୍ରିଟିଶ ଶାସନ ଭଳି କୃଷିକ୍ଷେତ୍ର ଜମିଦାରମାନଙ୍କ ଏକଚାଟିଆ ଅଧିକାରହେଇ ରହିଲା । ଚାଷ ଜମି ମୁଖ୍ୟତଃ ମୁଷ୍ଟିମେୟ ଜମିଦାରମାନଙ୍କ କବଳରେ ରହିବା ଯୋଗୁଁ ପ୍ରକୃତ ଚାଷୀ ଶୋଷଣର ଶିକାର ହେଲା ଫଳରେ କୃଷିର ଉତ୍ପାଦନ କମିବାକୁ ଲାଗିଲା । କୃଷି ଉତ୍ପାଦନ ବୃଦ୍ଧିକରିବା; ଗରିବୀ ସମସ୍ୟାର ସମାଧାନ ଦିଗରେ; ଏବଂ ପ୍ରକୃତ ଚାଷୀ ଓ ଭୂମିହୀନମାନଙ୍କୁ ଚାଷଜମିର ମାଲିକାନା ପ୍ରଦାନ ଉଦ୍ଧେଷ୍ୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜମି ସଂଶୋଧନ ଆଇନ ପ୍ରଣୟନ କଲେ । କିନ୍ତୁ ଜମିଦାରମାନଙ୍କ ଭିତିରିଆ ସଲାସୁତୁରା ଯୋଗୁଁ ଜମି ସଂଶୋଧନ ଆଇନ ବାସ୍ତବରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ ଫଳରେ ଚାଷୀ ଓ ଭୂମିହୀନ କୃଷି ଶ୍ରମିକ ଅନେକ ପ୍ରକାରର ଶୋଷଣର ଶିକାର ହେଲେ । ରାଷ୍ଟ୍ରର କୌଣସି ଆଖିଦୃଶିଆ ସହଯୋଗ ଅଭାବରୁ କୃଷିକ୍ଷେତ୍ରରେ ନିର୍ଭରଶୀଳ ଶତକଡା ୭୦ ଭାଗ ଲୋକ ଗରିବରୁ ଆହୁରି ଗରିବ ହେବାକୁ ଲାଗିଲେ । ପୁନଶ୍ଚ ୧୯୯୧ ମସିହାରେ ଜଗତୀକରଣ ଓ ଘରୋଇକରଣର ନୀତିର ପ୍ରଣୟନ ଏବଂ ୧୯୯୫ ମସିହାରେ WTO (World Trade Organization)ର ସ୍ଥାପନ, ଭାରତୀୟ କୃଷିକୁ କର୍ପୋରେଟ ଓ ବଡ ବଡ ବ୍ୟବସାୟୀମାନଙ୍କ ହାତକୁ ଠେଲିଦେଲା ଯାହାଫଳରେ କୃଷି ଓ କୃଷକମାନଙ୍କ ସମସ୍ୟା ବହୁଗୁଣିତ ହେବାରେ ଲାଗିଲା । କିନ୍ତୁ ଭାରତୀୟ କୃଷି ଓ କୃଷକର ବହୁଗୁଣିତ ସମସ୍ୟାର ସମାଧାନ ଦିଗରେ, କେନ୍ଦ୍ର ସରକାର ୨୦୦୪ ମସିହାରେ ପ୍ରଫେସର ଏମ୍. ଏସ୍. ସ୍ୱାମୀନାଥନଙ୍କ ଅଧ୍ୟକ୍ଷତାରେ National Commission on Farmers ଗଠନ କଲେ । ସ୍ୱାମୀନାଥନଙ୍କ ରିପୋର୍ଟ ଅନୁଯାଇ ଭାରତୀୟ କୃଷି ଓ କୃଷକର ସାମୁହିକ ବିକାଶ ଦିଗରେ କୃଷି ଆଇନ ଅତିକମରେ ନିମ୍ନଲିଖିତ ଦିଗ ପ୍ରତି ଧ୍ୟାନଦେବା ଆବଶ୍ୟକ – ସେଗୁଡିକ ହେଲା – ୧୯୬୦ ଦଶକରେ ତିଆରି ହୋଇଥିବା ଜମି ସଂଶୋଧନ ଆଇନକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା; ବର୍ଷାଜଳ ଉପରେ ନିର୍ଭରଶୀଳ ସମସ୍ତ ଚାଷ ଜମିକୁ ପର୍ଯ୍ୟାପ୍ତ ପରିମାଣର ଜଳସେଚନର ସୁବିଧା; କୃଷିର ଉତ୍ପାଦନ ବୃଦ୍ଧି ପାଇଁ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ; ବ୍ୟାଙ୍କରୁ କୃଷି ଋଣ ଠିକ ସମୟରେ ଓ ଉଚିତ ମୂଲ୍ୟରେ କୃଷକଙ୍କୁ ଯୋଗେଇଦେବା; କୃଷକଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ କରିବା; ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ଉଭୟ କୃଷକ ଓ କୃଷିକୁ ସୁରକ୍ଷା ପ୍ରଦାନ କରିବା ଇତ୍ୟାଦି । ଦୁଃଖର ବିଷୟ ଏହା ଯେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟସରକାର ଗୁଡିକ ଏହି ରିପୋର୍ଟକୁ କାର୍ଯ୍ୟକାରୀ କରିବାରେ କୌଣସି ପ୍ରକାରର ରାଜନୀତିକ ଇଚ୍ଛାଶକ୍ତି ପ୍ରଦର୍ଶନ କରିନାହାନ୍ତି ।
ଭାରତୀୟ ସଂସଦୀୟ ବ୍ୟବସ୍ଥାରେ କୃଷି ଏକ ରାଜ୍ୟ ସରକାରଙ୍କ ବିଷୟ ହେଲେ ସୁଦ୍ଧା ସ୍ୱାମୀନାଥନ କମିଶନ ରିପୋର୍ଟ କୁ ସମ୍ପୂର୍ଣ୍ଣ ଅବମାନନା କରି କୃଷି ଓ କୃଷକର ସାମୁହିକ ବିକାଶ ଦାବିକରି କେନ୍ଦ୍ର ସରକାର ନିକଟ ଅତୀତରେ ତିନୋଟି କୃଷି ଆଇନ ପ୍ରଣୟନ କଲେ । ପ୍ରଥମ କୃଷି ଆଇନ ହେଲା Essential Commodities Bill, 2020 ୨୦୨୦ ବା ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୨୦୨୦ । ଏହି ଆଇନ ଅନୁଯାଇ ଅତ୍ୟାବଶ୍ୟକ ସାମଗ୍ରୀ ଯଥା –ଖାଦ୍ୟପଦାର୍ଥ, ଔଷଧ, ପେଟ୍ରୋଲ -ଡିଜେଲ ପରି ଦ୍ରବ୍ୟ ସରକାରଙ୍କ ନିୟନ୍ତ୍ରଣ ମୁକ୍ତ ରହିବ । ଏହାର ଚାହିଦା ଓ ଯୋଗାଣ ଉପରେ ସରକାର କୌଣସି ପ୍ରକାର ନିୟନ୍ତ୍ରଣ ରଖିବେ ନାହିଁ । ସରକାର କେବଳ ଯୁଦ୍ଧ ଓ ଦୁର୍ବିପାକ ସମୟରେ ହିଁ ଏହାର ମହଜୁଦକୁ ନିୟନ୍ତ୍ରଣ କରିପାରିବେ । ଦ୍ଵିତୀୟ କୃଷି ଆଇନ ହେଲା Farmers’ Product Trade and Commerce (Promotion and Facilitation) Bill, 2020 ବା କୃଷି ଉତ୍ପାଦ ଓ ବାଣିଜ୍ୟ ବ୍ୟବସାୟ ଆଇନ, ୨୦୨୦ । ଏହି ନିୟମ ଅନୁଯାଇ କୃଷକ ନିଜ ଉତ୍ପାଦିତ ଦ୍ରବ୍ୟର ବଜାର ନିଜେ ନିୟନ୍ତ୍ରଣ କରିବ । ସେ ଚାହିଁଲେ ନିଜ ଦ୍ରବ୍ୟକୁ Agricultural Produce & Livestock Market Committee (APMC) ବାହାରେ ଦେଶର ଯେକୌଣସି ସ୍ଥାନରେ ବିକ୍ରି କରିପାରିବ । ଏଥିରେ କୌଣସି ଦେୟ ଆଦାୟ କରାଯାଇପାରିବ ନାହିଁ । ତୃତୀୟ କୃଷି ଆଇନ ହେଲା Farmers (Empowerment and Protection) Agreement on Price Assurance and Farm Services Bill, 2020 ୨୦୨୦ ବା କୃଷକ ସୁରକ୍ଷା ଓ ସଶକ୍ତିକରଣ ଆଇନ, ୨୦୨୦ । ଏହି ଆଇନ ଅନୁଯାଇ କୃଷକ ଓ ବ୍ୟବସାୟୀ ବା କମ୍ପାନୀ ମଧ୍ୟରେ କୃଷି ପାଇଁ ଚୁକ୍ତି, ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ସମ୍ବନ୍ଧିତତ ଚୁକ୍ତି, ସମୟକୁ ନେଇ ହେଉଥିବା ଚୁକ୍ତି ବା ବୁଝାମଣାକୁ ଆଇନର ପରିଧିରେ ରଖାଯାଇଛି । ଚୁକ୍ତିର କୌଣସି ଖିଲାପ ହେଲେ ଆଇନର ସାହାଯ୍ୟ ନେଇ ଉପଯୁକ୍ତ ସ୍ତରରେ ଆବେଦନ କରାଯାଇପାରିବ ବୋଲି ଉଲ୍ଲେଖ ରହିଛି ।
ଉପରୋକ୍ତ ତିନୋଟି କୃଷି ଆଇନ କେବଳ ଦଶ ଦିନ ଭିତରେ ସଂସଦର ଲୋକସଭାରେ ୧୭ ସେପ୍ଟେମ୍ବର, ୨୦୨୦, ରାଜ୍ୟସଭାରେ ୨୦ ସେପ୍ଟେମ୍ବର, ୨୦୨୦ରେ ପାରିତ ହେଲାପରେ ୨୭ ସେପ୍ଟେମ୍ବର, ୨୦୨୦ ରେ ରାଷ୍ଟ୍ରପତିଙ୍କ ଅନୁମତି ପ୍ରାପ୍ତ କଲା । କୃଷି ଆଇନ ପଛରେ କେନ୍ଦ୍ର ସରକାରଙ୍କ ଯୁକ୍ତି ଥିଲା ଯେ କୃଷିର ଆଧୁନିକୀକରଣ, ଉତ୍ପାଦିତ ଦ୍ରବ୍ୟର ମୁକ୍ତ ବଜାର ସ୍ଥାପନ, ଓ କୃଷିକୁ ପ୍ରତିଯୋଗିତାମୂଳକ କରିବା ହିଁ କୃଷି କ୍ଷେତ୍ରରେ ଥିବା ସମସ୍ୟାର ସ୍ଥାୟୀ ସମାଧାନ ଆଣିପାରିବ । କିନ୍ତୁ ଉଭୟ ବୁଦ୍ଧିଜୀବୀ ଓ କୃଷକ ସଂଗଠନଗୁଡିକ କୃଷି ଆଇନ ଉପରେ ନାନା ପ୍ରକାରର ଆଶଙ୍କା ପ୍ରକାଶ କଲେ । କୃଷି ଆଇନ ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଥିବା ବିଭିନ୍ନ ମହଲରୁ ଉଚ୍ଚସ୍ୱରରେ ଶୁଣିବାକୁ ମିଳିଲା । କୃଷକ ସଂଗଠନମାନଙ୍କ ଧାରଣା ହେଲା ଯେ କେନ୍ଦ୍ର ସରକାର କୃଷି ଓ କୃଷକର ବିକାଶ ପରିବର୍ତ୍ତେ, କୃଷିକୁ ପୁଞ୍ଜିପତି ଓ ଘରୋଇ ବ୍ୟବସାୟୀଙ୍କ ହାତକୁ ଟେକି ଦେବାକୁ ଚାହୁଁଛନ୍ତି । ବାସ୍ତବରେ ଦେଖିବାକୁ ଗଲେ କୃଷକ ଓ କୃଷକ ସଂଗଠନମାନଙ୍କ ଆଶଙ୍କା କେବଳ ଭିତ୍ତିହୀନ ଆଶଙ୍କା ମାତ୍ର ନୁହେଁ । ଏହା ପ୍ରକୃତ ତର୍କ ଓ ତଥ୍ୟ ଉପରେ ଆଧାରିତ ଆଶଙ୍କା । ତିନୋଟି କୃଷି ଆଇନ ମଧ୍ୟରୁ ପ୍ରଥମ କୃଷି ଆଇନ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୨୦୨୦ ଅନୁଯାୟୀ ଅତ୍ୟାବଶ୍ୟକ ସାମଗ୍ରୀର ମହଜୁଦ ଉପରେ ସରକାରୀ କଟକଣା ରହିବ ନାହିଁ । ଏହି ନିୟମ ଯୋଗୁଁ ଉଭୟ କୃଷକ ଓ ସାଧାରଣ ଖାଉଟି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ । ନିୟମଟି କାର୍ଯ୍ୟକାରୀ ହେଲେ ବଡ ବଡ ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀଗୁଡିକର ଗଛିତପରିମାଣ ବଢାଇବେ ଓ ବଜାରରେ କୃତ୍ରିମ ଅଭାବ ଦେଖେଇବେ । ବଜାରରେ ଚାହିଦା ବୃଦ୍ଧି ହେବ ଯାହାଫଳରେ ବ୍ୟବସାୟୀମାନେ ଦ୍ରବ୍ୟଗୁଡିକୁ ଚଢା ଦରରେ ବିକ୍ରି କରିବେ ଓ ସାଧାରଣ ଖାଉଟି କିମ୍ବା ଉପଭୋକ୍ତା ଚଢା ଦରରେ କିଣିବାକୁ ବାଧ୍ୟ ହେବେ । ପୁନଶ୍ଚ ଦ୍ରବ୍ୟଗୁଡିକ ଚଢା ଦରରେ ବିକ୍ରି ହେଲେ ଉତ୍ପାଦନ କରୁଥିବା କୃଷକର କୌଣସି ଲାଭ ହେବନାହିଁ କାରଣ ଦ୍ରବ୍ୟର ମୂଲ୍ୟ ବ୍ୟବସାୟୀମାନଙ୍କଦ୍ୱାରା କୃତ୍ରିମ ଉପାୟରେ ବଢାଯାଇଛି କେବଳ ତାଙ୍କର ସ୍ୱାର୍ଥ ପାଇଁ । ଏହା ବ୍ୟତୀତ କୃଷକମାନେ ଖାଉଟି ହେଇକି ଯେତେବେଳେ ବଜାରରୁ ଦ୍ରବ୍ୟ କିଣିବାକୁ ଯିବେ, ସେହି ଚଢା ଦରରେ କିଣିବାକୁ ବାଧ୍ୟ ହେବେ । ପ୍ରଥମ କୃଷି ଆଇନଦ୍ୱାରା କୃଷକ ମଧ୍ୟ ଉତ୍ପାଦିତ ଦ୍ରବ୍ୟକୁ ଠିକ ସମୟରେ ଗଛିତ କରି ଉପଯୁକ୍ତ ସମୟରେ ଉଚିତ ମୂଲ୍ୟରେ ବିକ୍ରି କରିପାରିବେ ବୋଲି କେନ୍ଦ୍ର ସରକାର ଦାବି କରୁଛନ୍ତି । କିନ୍ତୁ, ସର୍ବାଧିକ କୃଷକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହେଇଥିବା ଯୋଗୁଁ ବିଭିନ୍ନ ପ୍ରକାରର ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ସର୍ବାଧିକ କୃଷକଙ୍କ ପାଇଁ ଗୋଦାମ ଘର ତିଆରି କରିବା ସମ୍ଭବପର ନୁହେଁ । ଉତ୍ପାଦିତ ଦ୍ରବ୍ୟକୁ ଉପଯୁକ୍ତ ସମୟ ପର୍ଯ୍ୟନ୍ତ ଗଛିତ କରି ରଖିପାରିବାରେ ଅକ୍ଷମତା ଯୋଗୁଁ କୃଷକମାନେ ସର୍ବଶେଷରେ ଅତି କମ ଦରରେ ବିକ୍ରି କରିବାକୁ ବାଧ୍ୟ ହେବେ । ଅତଏବ ଏହି କୃଷି ଆଇନଟି ସାଧାରଣ ଖାଉଟି ସହିତ କୃଷକ ମାନଙ୍କ ପାଇଁ ମଧ୍ୟ ଶୋଷଣ ର କାରଣ ହୋଇକି ରହିବ । ଦ୍ଵିତୀୟ କୃଷି ଆଇନ ବା କୃଷି ଉତ୍ପାଦ ଓ ବାଣିଜ୍ୟ ବ୍ୟବସାୟ ଆଇନ, ୨୦୨୦ ଅନୁଯାୟୀ କୃଷକ ଚାହିଁଲେ ନିଜର ଉତ୍ପାଦିତ ଦ୍ରବ୍ୟକୁ APMC ବାହାରେ ଦେଶର ଯେକୌଣସି ସ୍ଥାନରେ ବିକ୍ରି କରିପାରିବ । ଆମେ ଜାଣିଛେ APMC ହେଉଛି କୃଷିଜାତ ଦ୍ରବ୍ୟର ସରକାରୀ ଅନୁମୋଦିତ ଏକ ପ୍ରକାରର ମଣ୍ଡି ଯେଉଁଠାରେ କୃଷକମାନେ ଉତ୍ପାଦିତ ଦ୍ରବ୍ୟକୁ MSP (Minimum Support Prices) ବା ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି କରିପାରିବେ । ସର୍ବମୋଟ ୨୨ ଟି କୃଷିଜାତ ଦ୍ରବ୍ୟ ଉପରେ MSP ପ୍ରଦତ୍ତ ହେବାର ନିୟମ ଅଛି । ଯଦିଓ MSPଦ୍ୱାରା ମିଳୁଥିବା ମୂଲ୍ୟ କୃଷକମାନଙ୍କ ପାଇଁ ଆଶାନୁରୂପ ଲାଭଦାୟକ ହେଇପାରିନାହିଁ, କୃଷିକ୍ଷେତ୍ରରେ ଥିବା ପ୍ରାକୃତିକ ଅନିଶ୍ଚିତତାରୁ କୃଷକକୁ ବଞ୍ଚେଇବା ସହିତ ମହାଜନ ଓ ବ୍ୟବସାହୀଙ୍କ କବଳରୁ ରକ୍ଷାକରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଅଛି । କିନ୍ତୁ ଏହି ନିୟମ ଅନୁସାରେ କୃଷକକୁ ଉତ୍ପାଦିତ ଦ୍ରବ୍ୟକୁ APMC ବାହାରେ ବିକ୍ରି କରିବାକୁ ପ୍ରୋତ୍ସାହିତ କରିବା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ହେଲା ପରୋକ୍ଷ ଭାବରେ APMC – MSPକୁ ପର୍ଯ୍ୟାୟକ୍ରମେ ସମାପ୍ତ କରିବା ଓ ଦ୍ରବ୍ୟର କିଣାବିକା ମୁକ୍ତ ବଜାର ମାଧ୍ୟମରେ ବଡ ବ୍ୟବସାୟୀଙ୍କ ହାତମୁଠାକୁ ଠେଲିଦେବା । ଏହାଦ୍ୱାରା ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ସରକାର ନିର୍ଧାରଣ କରିବା ପରିବର୍ତ୍ତେ ବଡବଡ ବ୍ୟବସାୟୀମାନଙ୍କ ସହମତିରେ ନିର୍ଧାରିତ ହେବ । ବଡ ବଡ ବ୍ୟବସାୟୀମାନଙ୍କ ଭିତିରି ବୁଝାମଣା ଯୋଗୁଁ କୃଷକମାନେ ଉତ୍ପାଦନରେ ହୋଇଥିବା ଖର୍ଚ୍ଚଠାରୁ ମଧ୍ୟ କମ ଦାମରେ ବିକ୍ରି କରିବାପାଇଁ ବାଧ୍ୟ ହେବେ । ଯାହାଫଳରେ କୃଷକ କ୍ଷତି ସହିନପାରି ନିଜର ଅଳ୍ପ ଜମିକୁ ବନ୍ଧା ପକାଇବା ସହିତ ଭିଟାମାଟି ଛାଡି ଅନ୍ୟତ୍ର କାମର ଅନ୍ୱେଷଣରେ ଦାଦନ ଯିବାକୁ ବାଧ୍ୟ ହେବ ।
ତୃତୀୟ କୃଷି ଆଇନ ଯଥା କୃଷକ ସୁରକ୍ଷା ଓ ସଶକ୍ତିକରଣ ଆଇନ, ୨୦୨୦ ଅନୁଯାୟୀ କୃଷକ ଓ ବ୍ୟବସାୟୀ (କମ୍ପାନୀ) ମଧ୍ୟରେ କୃଷି ପାଇଁ ଚୁକ୍ତି, ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ସମ୍ବନ୍ଧିତ ଚୁକ୍ତି, ସମୟକୁ ନେଇ ହେଉଥିବା ଚୁକ୍ତି ବା ବୁଝାମଣାକୁ ଆଇନର ପରିଧିରେ ରଖାଯାଇଛି । ଚୁକ୍ତିର କୌଣସି ଖିଲାପ ହେଲେ ଆଇନର ସାହାଯ୍ୟ ନେଇ ଉପଯୁକ୍ତ ସ୍ତରରେ ଆବେଦନ କରାଯାଇପାରିବ ବୋଲି ଉଲ୍ଲେଖ ରହିଛି । ଏହି ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ମତ ହେଲା କୃଷିକାମ ଆରମ୍ଭ ହେବା ପୂର୍ବରୁ କୃଷକମାନେ ବ୍ୟବସାୟୀମାନଙ୍କ ସହିତ ଚୁକ୍ତି କରିପାରିବେ ଯାହାଫଳରେ ଉତ୍ପାଦନ ସରିଲା ପରେ ଚୁକ୍ତି ଅନୁଯାୟୀ ପୂର୍ବରୁ ନିର୍ଧାରିତ ମୂଲ୍ୟରେ ଉତ୍ପାଦିତ ଦ୍ରବ୍ୟକୁ ବିକ୍ରିକରି ବେଶ ଲାଭ ଅର୍ଜନ କରିପାରିବେ । କିନ୍ତୁ ଭାରତୀୟ ନ୍ୟାୟପାଳିକା ଓ ନ୍ୟାୟ ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଆମେ ଅନୁମାନ କରିପାରିବା ଯେ ଚୁକ୍ତିର କୌଣସି ପ୍ରକାର ଖିଲାପ ଯୋଗୁଁ ତିଆରି ହେଉଥିବା ବିବାଦର ସମାଧାନ ପାଇଁ ଆବେଦନ ହେଲେ କମ୍ପାନୀ କିମ୍ବା ବଡ ବଡ ବ୍ୟବସାୟୀ ପ୍ରଭାବ ପକାଇ ରାୟକୁ ନିଜ ସପକ୍ଷରେ ନେଇଯିବାର ଯଥେଷ୍ଟ ସମ୍ଭାବନା ରହିଅଛି । ପୁନଶ୍ଚ ଅଧିକାଂଶ କୃଷକ ଦରିଦ୍ର ଓ ନିରକ୍ଷର ହୋଇଥିବା ଯୋଗୁଁ ଭାରତୀୟ ନ୍ୟାୟ ପ୍ରକ୍ରିୟାରୁ ନ୍ୟାୟ ପାଇବାର ତିଳେମାତ୍ର ସମ୍ଭାବନା ନାହିଁ କହିଲେ କିଛି ଭୁଲ ହେବନାହିଁ । ଏବଂ, ସର୍ବଶେଷରେ ବିଭିନ୍ନ ପ୍ରକାରର ହଇରାଣ ହରକତ ହେଲାପରେ ନିଜର ଜମିକୁ ହରାଇବାର ମଧ୍ୟ ସମ୍ଭାବନା ରହିଅଛି । ଏହି ନିୟମର ସବୁଠୁ ବଡ ନକାରାତ୍ମକ ଦିଗଟିହେଲା ଚୁକ୍ତିଗତ କୃଷି ଉତ୍ପାଦନରେ ଖାଦ୍ୟ ପଦାର୍ଥର ଉତ୍ପାଦନ ବଦଳରେ ଲାଭଦାୟକ ଦ୍ରବ୍ୟର ଉତ୍ପାଦନକୁ ପ୍ରଧ୍ୟାନ୍ୟ ଦିଆଯିବ । ଅର୍ଥାତ ଲାଭ ଆଦାୟ କରିବା ପାଇଁ ଆର୍ଥିକ ଦୃଷ୍ଟିରୁ ଧନୀ ଓ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଥିବା ଉପଭୋକ୍ତାର ଚାହିଦା ଅନୁଯାୟୀ କୃଷିଜାତ ଦ୍ରବ୍ୟର ଉତ୍ପାଦନ ନିମନ୍ତେ କୃଷି ଜମିକୁ ଅଧିକରୁ ଅଧିକ ବ୍ୟବହାର କରାଯିବ । ଫଳରେ ଖାଦ୍ୟ ପଦାର୍ଥର ଉତ୍ପାଦନ କମିବା ସହିତ ଏହାର ଯୋଗାଣ କମିବ ଏବଂ ସର୍ବଶେଷରେ ଖାଦ୍ୟ ପଦାର୍ଥର ଦରଦାମ ବଢିବ । ଦରଦାମ ବଢିବା ଯୋଗୁଁ ସାଧାରଣ ଖାଉଟି କିମ୍ବା ଉପଭୋକ୍ତା ଖାଦ୍ୟପଦାର୍ଥରେ ଅଧିକ ଖର୍ଚ୍ଚ କରିବାକୁ ପଡିବା ଯୋଗୁଁ ମଣିଷର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଆବଶ୍ୟକ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ଯଥା ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଇତ୍ୟାଦିରୁ ବଂଚିତ ହେବ ଫଳରେ ନିମ୍ନମାନର ଜୀବନ ଯାପନ କରିବା ପାଇଁ ବାଧ୍ୟ ହେବ ।
କୃଷକ ଆନ୍ଦୋଳନ: ଦଶା ଓ ଦିଶା
ଉପରୋକ୍ତ ଆଶଙ୍କାକୁ କେନ୍ଦ୍ରକରି କୃଷି ଆଇନ (୨୦୨୦) ବିରୁଦ୍ଧରେ ଦେଶର ବିଭିନ୍ନ ଜାଗାରେ କୃଷକ ଆନ୍ଦୋଳନ ଆରମ୍ଭ ହେଲା । ସମୟକ୍ରମେ ସର୍ବଭାରତୀୟ ସ୍ତରରେ କୃଷକ ଆନ୍ଦୋଳନ ତୀବ୍ରରୁ ତୀବ୍ରତର ହେବାକୁ ଲାଗିଲା । ଭୀଷଣ ଶୀତକୁ ଖାତିର ନକରି ରାଜଧାନୀ ଦିଲ୍ଲୀକୁ କୃଷକ ସଂଗଠନଗୁଡିକ ଘେରାଉ କଲେ । କୃଷି ଆଇନର ପ୍ରତ୍ୟାହାର ବିନା ଆନ୍ଦୋଳନ ବନ୍ଦ କରିବେ ନାହିଁ ବୋଲି ଦେଶର ସମସ୍ତ କୃଷକ ସଂଗଠନ ଏକ ସ୍ୱରରେ ଘୋଷଣା କଲେ । ଦୀର୍ଘ ୧୨-୧୩ ମାସର ଅନବରତ ଆନ୍ଦୋଳନ ପରେ, ତିନୋଟି କୃଷି ବିଲର ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ୧୯.୧୧.୨୦୨୧ ତାରିଖରେ ଘୋଷଣା କଲେ । ଏହି ଘୋଷଣାକୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ କେନ୍ଦ୍ର କ୍ୟାବିନେଟ ତା ୨୪.୧୧.୨୦୨୧ ରିଖରେ ଅନୁମତି ପ୍ରଦାନ କଲା । କେନ୍ଦ୍ର ସରକାରଙ୍କ ଏହି ଘୋଷଣା କୃଷକ ଆନ୍ଦୋଳନ ପାଇଁ ବିଜୟ ଓ କେନ୍ଦ୍ର ସରକାରଙ୍କ ପରାଜୟ କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ଦେଶବ୍ୟାପୀ କୃଷକ ସଂଗଠନଗୁଡିକ ଏହି ବିଜୟକୁ ଅତି ଉଲ୍ଲାସର ସହିତ ପାଳନ କଲେ ।
କୃଷି ବିଲର ପ୍ରତ୍ୟାହାରକୁ ବିଜୟ ଭାବୁଥିବା କୃଷକ ଆନ୍ଦୋଳନ କୃଷି ଉପରେ ନିର୍ଭରଶୀଳ ଏକ ବଡ ସମୁଦାୟ ଯଥା ଭୂମିହୀନ କୃଷି ଶ୍ରମିକମାନଙ୍କ ସମସ୍ୟାକୁ ନେଇ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଆସିଛି । ଏଠି କହିରଖିବାକୁ ଚାହେଁ ଭାରତୀୟ କୃଷି କ୍ଷେତ୍ରରେ ଥିବା ସମସ୍ତ ଭୂମିହୀନ କୃଷିଶ୍ରମିକ ଦଳିତ ବର୍ଗରୁ ଆସିଥାନ୍ତି ଯେଉଁମାନଙ୍କ ପାଖରେ ବଜାରରେ ବିକ୍ରି କରିବା ପାଇଁ ଉତ୍ପାଦିତ ଦ୍ରବ୍ୟ ନାହିଁ । ପ୍ରଶ୍ନ ଉଠେ କାହିଁକି ଏହି ଭୂମିହୀନ ଶ୍ରମିକମାନଙ୍କ ସମସ୍ୟା ଏ ପର୍ଯ୍ୟନ୍ତ କୃଷକ ଆନ୍ଦୋଳନର ଦୃଷ୍ଟି ଆକର୍ଷଣ କରିପାରିନାହିଁ । କୃଷକ ଆନ୍ଦୋଳନ କାହିଁକି ସେହିମାନଙ୍କ ସମସ୍ୟାକୁ ଅଣଦେଖା କରିଆସିଛି ଯେଉଁମାନଙ୍କ ଶ୍ରମକୁ ବ୍ୟବହାର କରି କୃଷକ ଫସଲ ଉତ୍ପାଦିତ କରି ବଜାରରେ ହେଉ କିମ୍ବା APMC ମଣ୍ଡିରେ ବିକ୍ରିକରି ଆୟ କରିଥାଏ । ବିରୋଧାଭାସର ବିଷୟ ଏହା ଯେ ଭାରତରେ କୃଷକ, ଭୂମିହୀନ ଶ୍ରମିକର ଶ୍ରେଣୀ ଶତ୍ରୁ ( Class Enemy) ହେଲେ ସୁଦ୍ଧା କୃଷକ ଆନ୍ଦୋଳନକୁ ଭୂମିହୀନ ଶ୍ରମିକ ସନ୍ଦେହ କରିବା ପରିବେର୍ତ୍ତେ ସର୍ବଦା ସହଯୋଗ କରିଆସିଛି । କିନ୍ତୁ ଦୁଃଖର ବିଷୟ ଏହା ଯେ କୃଷକ ଆନ୍ଦୋଳନକୁ ବୌଦ୍ଧିକ କଞ୍ଚାମାଲ ଓ ସହଯୋଗ କରୁଥିବା ବୁଦ୍ଧିଜୀବୀ ବର୍ଗ ମଧ୍ୟ ଭୂମିହୀନ ଶ୍ରମିକମାନଙ୍କ ସମସ୍ୟାକୁ ନେଇ କୌଣସି ପ୍ରକାର ରାଜନୀତିକ ଚିନ୍ତା କିମ୍ବା ଆଗ୍ରହ ପ୍ରକାଶ କରିନାହାନ୍ତି । ଏହା ପରିବର୍ତ୍ତେ, ବୃହତ କୃଷକ-ଶ୍ରମିକ ଏକତା ନାଁରେ ଭୂମିହୀନ ଶ୍ରମିକମାନଙ୍କୁ ନୈତିକ ଚାପ ପକାଇ କୃଷକ ଆନ୍ଦୋଳନକୁ ସହଯୋଗ କରିବା ପାଇଁ ଅବାନ୍ତର ଯୁକ୍ତି ଦେଇଚାଲିଛନ୍ତି । ଏହି ପରିପ୍ରେକ୍ଷୀରେ କୃଷକ ଆନ୍ଦୋଳନକୁ କିଛି ରାଜନୀତିକ ଓ ନୈତିକ ପ୍ରଶ୍ନ:
୧. କୃଷିବିଲର ପ୍ରତ୍ୟାହାରକୁ ନେଇ ବିଜୟର ଉତ୍ସବ ପାଳନ କରୁଥିବା ଉଭୟ କୃଷକ ଆନ୍ଦୋଳନ ଓ ବୁଦ୍ଧିଜୀବୀ ବର୍ଗ, ଭୂମିହୀନ ଶ୍ରମିକଙ୍କୁ ଜମି ବଣ୍ଟନ କରିବା ପାଇଁ ଆନ୍ଦୋଳନ ହେଲେ ସହଯୋଗର ହାତ ବଢେଇବେ କି ?
୨. ଉତ୍ପାଦିତ ଦ୍ରବ୍ୟର ନିମ୍ନତମ ସହାୟକ ମୂଲ୍ୟର ସୁରକ୍ଷା ନିମନ୍ତେ ଦାବିକରୁଥିବା କୃଷକ ଆନ୍ଦୋଳନ, ଭୂମିହୀନ ଶ୍ରମିକମାନଙ୍କ ପାଇଁ ନିମ୍ନତମ ପାରିଶ୍ରମିକ ଦାବି ଵିରୁଦ୍ଧରେ ହେଉଥିବା ଦମନ ଓ ହିଂସାକୁ ନେଇ ଆନ୍ଦୋଳନରେ ସହଯୋଗ କରିବେ ବା କରିଛନ୍ତି କି ?
୩. ଦୀର୍ଘ ସମୟର ଆନ୍ଦୋଳନ ପରେ ପାଇଥିବା ବିଜୟକୁ ନେଇ କୃଷକ ଆନ୍ଦୋଳନ ବୁଝିପାରିଛି କି ଯେ କୃଷକର ଅଧିକାର ଓ ଭୂମିହୀନ ଶ୍ରମିକର ଅଧିକାର ମଧ୍ୟରେ କୌଣସି ପାର୍ଥକ୍ୟ କରିବା କଥା ନୁହଁ ?
୪. ଶ୍ରମିକ-କୃଷକ ଏକତା ନାଁରେ କଣ ବାସ୍ତବରେ କୃଷକ ଭୂମିହୀନ ଶ୍ରମିକକୁ ନିଜର ଭାଇ କିମ୍ବା ଦୁଃଖ ସୁଖର ସାଥି ଭାବେ ବିବେଚନା କରନ୍ତି ?
୫. କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ବୁଦ୍ଧିଜୀବୀ ବର୍ଗ ଭୂମିହୀନ ଶ୍ରମିକମାନଙ୍କୁ କୃଷକମାନଙ୍କ ଭଳି ମଣିଷ ଭାବନ୍ତି ନା ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ଚତୁର୍ବର୍ଣ୍ଣ ବ୍ୟବସ୍ଥାର ହରିଜନ ଭାବନ୍ତି ଯେଉଁମାନେ ଉଚ୍ଚବର୍ଣ୍ଣର ଜମିରେ ବିନା ପାରିଶ୍ରମିକରେ କାମ କରିବାକୁ ଧାର୍ମିକ କର୍ତ୍ତବ୍ୟ ଭାବରେ ବିବେଚନା କରନ୍ତି ?
ଉପରୋକ୍ତ ରାଜନୀତିକ ଓ ନୈତିକ ପ୍ରଶ୍ନର ଉତ୍ତର ଅନ୍ୱେଷଣ କଲେ ଜଣାପଡେ ଭାରତୀୟ କୃଷକ ଆନ୍ଦୋଳନ କେବେ ସମଗ୍ର କୃଷିକ୍ଷେତ୍ର ପାଇଁ ଆନ୍ଦୋଳନ ହେଇପାରିନାହିଁ । ବରଂ, ଏହା କେବଳ କୃଷକମାନଙ୍କ ପାଇଁ ଏକ ଆନ୍ଦୋଳନ ହୋଇରହିଯାଇଛି । ଯଦି କୃଷକ ଆନ୍ଦୋଳନ ସମଗ୍ର କୃଷିକ୍ଷେତ୍ର ପାଇଁ ହୋଇଥାନ୍ତା ତାହେଲେ କୃଷକମାନଙ୍କ ସମସ୍ୟା ସହିତ ଭୂମିହୀନ କୃଷିଶ୍ରମିକମାନଙ୍କ ସମସ୍ୟା ମଧ୍ୟ ଆନ୍ଦୋଳନରେ ସମାନ ସ୍ଥାନ ଗ୍ରହଣ କରିପାରିଥାନ୍ତା । ଉତ୍ପାଦିତ ଦ୍ରବ୍ୟର ନିମ୍ନତମ ସହାୟକ ମୂଲ୍ୟର ସୁରକ୍ଷାର ଦାବି ସହିତ ଭୂମିହୀନ କୃଷିଶ୍ରମିକମାନଙ୍କ ପାଇଁ ନିମ୍ନତମ ପାରିଶ୍ରମିକ ମଧ୍ୟ ଆନ୍ଦୋଳନର ବିଷୟବସ୍ତୁ ହୋଇପାରିଥାନ୍ତା । ବଜାର ଓ ବ୍ୟବସାୟୀମାନଙ୍କଦ୍ୱାରା ଭାରତୀୟ କୃଷକର ଶୋଷଣ କେବଳ ନୁହେଁ, ଭୂମିହୀନ ଶ୍ରମିକମାନଙ୍କ ଉପରେ ଭାରତୀୟ କୃଷକମାନଙ୍କଦ୍ୱାରା ଶୋଷଣ, ଦମନ, ହିଂସା ଇତ୍ୟାଦି ମଧ୍ୟ ଆନ୍ଦୋଳନର ବିଷୟବସ୍ତୁ ହୋଇପାରିଥାନ୍ତା ।
କୃଷକ ଆନ୍ଦୋଳନରେ ପରିଲିଖିତ ଉପରୋକ୍ତ ରାଜନୀତିକ ଓ ନୈତିକ ସମସ୍ୟାକୁ ଅନୁଧ୍ୟାନ କଲାବେଳେ, କୃଷି ଓ କୃଷକଙ୍କ ସମସ୍ୟାକୁ ନେଇ ମହାନ ସମାଜବାଦୀ ଚିନ୍ତକ କିଶନ ପଟ୍ଟନାୟକଙ୍କ ବିଶ୍ଳେଷଣ ଓ ମତାମତ ଅନେକ ମାତ୍ରାରେ ପ୍ରାସଙ୍ଗିକତା ମନେହୁଏ । କିଶନ ପଟ୍ଟନାୟକ ଓଡ଼ିଶାରେ କୃଷକ ଆନ୍ଦୋଳନର ଭିତ୍ତିଭୂମି ସ୍ଥାପନ କରିଥିଲେ । ବିଭିନ୍ନ ଜନବାଦୀ ଆନ୍ଦୋଳନ ପ୍ରତି ଥିବା ତାଙ୍କ ଅବଦାନ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇରହିବ । ସେ କହୁଥିଲେ ଭାରତୀୟ କୃଷକ ଆନ୍ଦୋଳନ ଏ ପର୍ଯ୍ୟନ୍ତ ଗଣତାନ୍ତ୍ରିକ ରୂପ ନେଇପାରିନାହିଁ । ସେ କହୁଥିଲେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ କୃଷକମାନେ ସବୁଠାରୁ ବଡ ଗୋଷ୍ଠୀ ହେଲେ ସୁଦ୍ଧା ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ କୃଷି ସମସ୍ୟାକୁ କୃଷକ ଆନ୍ଦୋଳନ ଏକ ରାଜନୀତିକ ସମସ୍ୟା ରୂପେ ଉପସ୍ଥାପନା କରିବାରେ ବିଫଳ ହୋଇଛନ୍ତି । ସେ କହିଛନ୍ତି ସଂଖ୍ୟା ଗରିଷ୍ଠତା ଥିବା ଗୋଷ୍ଠୀ ରାଜନୀତିକ ବ୍ୟବସ୍ଥାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା କିମ୍ଭା କ୍ଷମତା ହାସଲ କରିବାକୁ ହେଲେ ଦୁଇଟି ସର୍ତ୍ତ ପୂରଣ କରିବାକୁ ହେବ । ପ୍ରଥମ ସର୍ତ୍ତ ହେଲା –”ରାଜନୀତିକ ଦୃଷ୍ଟିରୁ ସମ୍ପୃକ୍ତ ଗୋଷ୍ଠୀ ଭିତରେ ଏକ ଅସ୍ମିତାବୋଧ ସୃଷ୍ଟି ହେବା ଦରକାର” ଏବଂ ଦ୍ଵିତୀୟ ସର୍ତ୍ତ ହେଉଛି, “ସମ୍ପୃକ୍ତ ଗୋଷ୍ଠୀ ନିଜସ୍ୱ ସ୍ୱାର୍ଥକୁ ଠିକ ଭାବରେ ବୁଝି ତାକୁ ଏକ ରାଜନୀତିକ ବିଚାର ରୂପରେ ପ୍ରସ୍ତୁତ କରିବା ଦରକାର” । ତେଣୁ ସେ କହୁଥିଲେ କୃଷି ଓ କୃଷକର ସମଗ୍ର ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ହେଲେ କୃଷକକୈନ୍ଦ୍ରିକ ଏକ ରାଜନୀତିକ ବିକଳ୍ପର ଆବଶ୍ୟକତା ଅଛି ଏବଂ କୃଷକମାନଙ୍କୁ ବ୍ୟବସ୍ତା ପରିବର୍ତ୍ତନର ରାଜନୀତି ନିମନ୍ତେ ପ୍ରସ୍ତୁତ କରିବାକୁ ହେବ । କିନ୍ତୁ କିଶନ ପଟ୍ଟନାୟକ ଆଶଙ୍କା ପ୍ରକାଶକରି କହିଥିଲେ ଯେ ଏ ଦିଗରେ ଭୂମିହୀନ କୃଷି ଶ୍ରମିକ ଓ କୃଷକ ଭିତରେ ଥିବା ଜାତିଗତ ବିଦ୍ୱେଷ ଓ ଆର୍ଥିକ ଅସମାନତା ପ୍ରତିବନ୍ଧକ ସୃଷ୍ଟି କରିପାରେ । ସେ କହୁଥିଲେ ଏହି ଅନ୍ତର୍ବିରୋଧର ନିରାକରଣ ନିମନ୍ତେ ଉଭୟ ଭୂମିହୀନ କୃଷି ଶ୍ରମିକ ଓ କୃଷକ ଭିତରେ ଶୋଷଣକାରୀ ବ୍ୟବସ୍ଥା ବିରୋଧୀ ଚେତନା ସୃଷ୍ଟି କରିବାକୁ ହେବ । କିନ୍ତୁ ଦୁଃଖର ବିଷୟ ଆଜି ମଧ୍ୟ କୃଷକ ଆନ୍ଦୋଳନ କିଶନ ପଟ୍ଟନାୟକଙ୍କ ଭାରତୀୟ କୃଷି ପ୍ରତି ଥିବା ଦର୍ଶନ ଓ ମତାମତକୁ ଆନ୍ଦୋଳନର ଭାଷା କରିପାରିନାହିଁ ।
ଆମ୍ୱେଦକର ଏବଂ ଭାରତୀୟ କୃଷି
ସାମ୍ପ୍ରତିକ ସମୟରେ ପରିଲିଖିତ କୃଷି ସମସ୍ୟାକୁ ଅନୁଧ୍ୟାନ କଲେ, Journal of the Indian Economic Society (JIES) ରେ ପ୍ରକାଶିତ ଆମ୍ବେଦକରଙ୍କ ଲେଖା ‘Small Holding in India and their Remedies’ ଏବଂ ‘State and Minorities’ ଉପରେ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁବି । ଯଥାକ୍ରମେ ୧୯୧୮ ଏବଂ ୧୯୪୭ ରେ ପ୍ରକାଶିତ ଏହି ଲେଖାଗୁଡିକରେ ଭାରତୀୟ କୃଷିକ୍ଷେତ୍ରରେ ଥିବା ଢାଞ୍ଚାଗତ ସମସ୍ୟାର ବିଶ୍ଳେଷଣ ସହିତ ତାର ସମ୍ଭାବ୍ୟ ସମାଧାନ ଦିଗରେ ଆମ୍ବେଦକରଙ୍କ ମତ ଆଜି ମଧ୍ୟ ପ୍ରାସଙ୍ଗିକତା ମନେହୁଏ । ଅର୍ଥନୀତି ବିଷୟରେ ପ୍ରଶିକ୍ଷିତ ପାଇଥିବା ସର୍ବପ୍ରଥମ ଭାରତୀୟ ଅର୍ଥନୀତିଜ୍ଞ ହୋଇଥିଲେ ସୁଦ୍ଧା, ଭାରତୀୟ ଅର୍ଥନୀତିକୁ ନେଇ ଥିବା ଆମ୍ବେଦକରଙ୍କ ଅବଦାନକୁ କ୍ଵଚିତ ଧ୍ୟାନ ଦିଆଯାଇଛି ।
ଭାରତୀୟ କୃଷିକୁ ନେଇ ଥିବା ଆମ୍ବେଦକରଙ୍କ ମତାମତକୁ ମୁଖ୍ୟତଃ ତିନୋଟି ବିନ୍ଦୁ ଉପରେ ବୁଝାଯାଇପାରେ । ପ୍ରଥମ ମତ ହେଲା, ଜୀବନ ବଞ୍ଚିବାର ସମସ୍ତ ଉତ୍ସଗୁଡିକ ମଧ୍ୟରୁ ଯେହେତୁ କୃଷି ହେଉଛି ସର୍ବବୃହତ ଓ ସର୍ବପୂରାତନ ଉତ୍ସ, କୃଷିକ୍ଷେତ୍ରର ବିକାଶ ରାଷ୍ଟ୍ରର ସର୍ବପ୍ରଥମ ପ୍ରାଧ୍ୟାନ୍ୟ ରହିବା ଆବଶ୍ୟକ । ଏହି ପରିପ୍ରେକ୍ଷୀରେ କୃଷିକ୍ଷେତ୍ରର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବାରେ ଯୋର ଦେଇଛନ୍ତି । ତାଙ୍କ ମତରେ କୃଷିର ଉତ୍ପାଦନ କ୍ଷମତା ଚାଷ ଜମିର ଆକାର ଉପରେ କେବଳ ନିର୍ଭର କରେ ନାହିଁ । ଚାଷଜମିର ଆକାର ସହିତ ଆବଶ୍ୟକ ପରିମାଣର କଞ୍ଚାମାଲ ଯଥା – ସଠିକ ପରିମାଣର ଶ୍ରମିକ, ଅର୍ଥ, ଯନ୍ତ୍ରପାତି ଇତ୍ୟାଦିର ବ୍ୟବହାର ହିଁ ଚାଷ ଜମିର ଉତ୍ପାଦନ କ୍ଷମତାକୁ ନିର୍ଧାରିତ କରିଥାଏ । ତେଣୁ ସେ କହିଲେ ଚାଷ ଜମିର ଆକାର ସହିତ ଉଚିତ ପରିମାଣର କଞ୍ଚାମାଲର ସମାନୁପାତିକ ମିଶ୍ରଣ ହିଁ ଭାରତୀୟ କୃଷି କ୍ଷେତ୍ରର ଉତ୍ପାଦନକୁ ବୃଦ୍ଧି କରିପାରିବ । ପୁନଶ୍ଚ ସେ କହିଛନ୍ତି ଭାରତୀୟ କୃଷକ ଯେହେତୁ ଆର୍ଥନୀତିକ ଦୃଷ୍ଟିରୁ ଦୁର୍ବଳ, କୃଷକକୁ ଆବଶ୍ୟକ ପରିମାଣର କଞ୍ଚାମାଲ ସରକାର ଯୋଗାଇ ଦେବା ଆବଶ୍ୟକ ।
ଆମ୍ବେଦକରଙ୍କ ଦ୍ଵିତୀୟ ମତ ହେଲା କୃଷିର ଉତ୍ପାଦନକୁ ବୃଦ୍ଧି କରିବା ସହିତ ଚାଷ ଜମି ଉପରେ ଥିବା ଅତ୍ୟଧିକ ଜନସଂଖ୍ୟାର ଚାପକୁ କମେଇବାକୁ ପଡିବ । ଚାଷଜମି ଉପରେ ଚାପକୁ କମେଇବାକୁ ସେ କହିଲେ କୃଷିକ୍ଷେତ୍ରରେ ନିର୍ଭରଥିବା ଆବଶ୍ୟକତାଠାରୁ ଅଧିକ ଜନସଂଖ୍ୟାକୁ ଶିଳ୍ପ କ୍ଷେତ୍ରକୁ ସ୍ଥାନାନ୍ତର କରିବାକୁ ପଡିବ । ତେଣୁ ଶିଳ୍ପାୟନ ବିନା କୃଷିକ୍ଷେତ୍ରରେ ଥିବା ସମସ୍ୟାର ସମାଧାନ କରାଯାଇପାରିବ ନାହିଁ ବୋଲି ସେ ମତପ୍ରକାଶ କରିଛନ୍ତି । ୧୯୭୦ ଦଶକରେ ଚୀନ ଦେଶ ଆପଣେଇଥିବା ପ୍ରକ୍ରିୟା ହିଁ ଚୀନରେ ଥିବା କୃଷି ସମସ୍ୟା ଯଥା ଉତ୍ପାଦନର ସମସ୍ୟା, ଅତ୍ୟଧିକ ନିର୍ଭରଶୀଳତାକୁ ହ୍ରାସ କରିବା ଦିଗରେ ଅନେକ ମାତ୍ରାରେ ସାହାଯ୍ୟ କରିଛି । କିନ୍ତୁ ଏଠି ଆମ୍ବେଦକର ଚେତାବନୀ ଦେଇ କହିଛନ୍ତି ଯେ କୃଷି ସମସ୍ୟାର ସମାଧାନ ଓ ଦେଶର ସମସ୍ତ ବର୍ଗର ଉନ୍ନତି ପାଇଁ ଶିଳ୍ପାୟନ ପ୍ରକ୍ରିୟା ମୁଖ୍ୟତଃ ରାଷ୍ଟ୍ରଦ୍ୱାରା ପରିଚାଳିତ ହେବ ଆବଶ୍ୟକ । ସେ ପୁନଶ୍ଚ କହିଲେ ଯଦି ଶିଳ୍ପାୟନ ପ୍ରକ୍ରିୟା ଘରୋଇ କମ୍ପାନୀ କିମ୍ବା ବଜାର ଅର୍ଥନୀତି ଉପରେ ଛାଡିଦିଆଯାଏ, ତାହେଲେ କୃଷି ଓ କୃଷକଙ୍କ ସମସ୍ୟାର ସମାଧାନ ହୋଇପାରିବ ନାହିଁ ଏବଂ ଦେଶରେ ଥିବା ଆର୍ଥନୀତିକ ଅସମାନତା ବଢିବାରେ ଲାଗିବ ।
ଆମ୍ବେଦକରଙ୍କ ତୃତୀୟ ମତ ହେଲା କୃଷିର ମାଲିକାନା ଓ ପରିଚାଳନା ସମ୍ପୂର୍ଣ୍ଣ ରାଷ୍ଟ୍ରର ଦାୟିତ୍ୱ ହେବା କଥା । ଦେଶରେ ଥିବା ଚାଷଜମି କେବଳ ମୁଷ୍ଟିମେୟ ଉଚ୍ଚବର୍ଗ ପାଖରେ କେନ୍ଦ୍ରୀଭୂତ ହୋଇରହିଥିବା ଯୋଗୁଁ ବୋଧହୁଏ ଆମ୍ବେଦକର କୃଷିର ଜାତୀୟକରଣ ହେବା କଥା ବୋଲି ମତପ୍ରକାଶ କରିଛନ୍ତି । ଯଦି କୃଷିକ୍ଷେତ୍ରର ଜାତୀୟକରଣ ହେବ, କୃଷିସମ୍ପତି ଉପରେ ବ୍ୟକ୍ତିଗତ ମାଲିକାନାର ଅନ୍ତ ହେବ; ଭୂମିହୀନ ଶ୍ରମିକ ଓ ଜମିଦାର ମଧ୍ୟରେ ପାର୍ଥକ୍ୟ ରହିବ ନାହିଁ; ଓ ଶ୍ରମିକ ଉପରେ ଶୋଷଣର ସମାପ୍ତ ହେବ ବୋଲି ସେ ଆଶାପ୍ରକଟ କରିଛନ୍ତି । କିନ୍ତୁ ଆମ୍ବେଦକର ଚେତାବନୀ ଦେଇ କହିଛନ୍ତି କୃଷିର ଜାତୀୟକରଣ କେବଳ ଆଉ କେବଳ କୃଷି ଓ କୃଷକର ସ୍ୱାର୍ଥକୁ କେନ୍ଦ୍ରକରି ହେବାକଥା ଏବଂ ଭାରତୀୟ କୃଷି ଘରୋଇ କମ୍ପାନୀ କିମ୍ବା ବ୍ୟବସାୟୀମାନଙ୍କ ହସ୍ତକ୍ଷେପ ମୁକ୍ତ ରହିବ । ସାମ୍ପ୍ରତିକ ସମୟରେ ରାଷ୍ଟ୍ରର ଚରିତ୍ରକୁ ଅନୁଧ୍ୟାନ କଲେ ଆମ୍ବେଦକରଙ୍କ ଚେତାବନୀ ଅନେକ ପ୍ରାସଙ୍ଗିକତା ମନେହୁଏ ଯେପରି ଭାବରେ ରାଷ୍ଟ୍ର ଜାତୀୟ ସମ୍ପତ୍ତିକୁ ଘରୋଇ କମ୍ପାନୀ ଓ ବଡ ବଡ ବ୍ୟବସାୟୀମାନଙ୍କ ହାତକୁ ଟେକିଦେଉଛନ୍ତି; ଯାହାଫଳରେ ଭାରତୀୟ କୃଷି ଓ କୃଷକକୁ ଅନେକ ସମସ୍ୟା ଓ ଶୋଷଣର ଶିକାର ହେବାକୁ ପଡୁଅଛି । ପୁନଶ୍ଚ ତାଙ୍କ ମତ ଥିଲା ଭାରତରେ ଚାଷକାମ ସାମୁହିକ କୃଷି ପଦ୍ଧତିରେ (Collective Farming) ହେବା ଆବଶ୍ୟକ ଯାହାଦ୍ୱାରା କୃଷିରୁ ଉତ୍ପନ୍ନ ହେଉଥିବା ଉତ୍ପାଦ ଓ ପରବର୍ତ୍ତୀ ସମୟରେ ଅର୍ଜିତ ଆୟ କେବଳ ଜଣେ ବ୍ୟକ୍ତି ପାଖକୁ ନଯାଇ ସାମୁହିକ କୃଷି ପ୍ରକ୍ରିୟାରେ ନିୟୋଜିତ ଥିବା ସମସ୍ତ ସଦସ୍ୟଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟନ କରାଯିବ । ଏହାଦ୍ୱାରା କୃଷକ ଅଧିକରୁ ଅଧିକ ଉତ୍ପାଦନ କରିବା ପାଇଁ ଉତ୍ସାହିତ ହେବେ । କୃଷି ଉପରେ ନିର୍ଭର ସମସ୍ତ ବର୍ଗଙ୍କ ଉନ୍ନତି ହେବା ସହିତ ଦେଶର ସାମୁହିକ ବିକାଶ ଦିଗରେ କୃଷି ପ୍ରକୃତ ମେରୁଦଣ୍ଡ ହେଇ ଛିଡା ହୋଇରହିବ ।
(Bibekananda Suna is an academic based in Odisha. He can be reached at bibek.jnucsrd@gmail.com)
Leave a Reply