Skip to main content

indigenousvoice.in

ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ଓ ପ୍ରବାସୀ ଶ୍ରମିକ

ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ଓ ପ୍ରବାସୀ ଶ୍ରମିକ

ଓଡିଶା ଅର୍ଥନୀତିକ କ୍ଷେତ୍ରରେ ଅନେକ ପ୍ରଗତି କରିଛି । ଜାତୀୟ ହାରକୁ ବି ପାର କରିଦେଇଛି । ଗତ କିଛି ବର୍ଷ ଲଗାତର ଜାତୀୟ କୃଷି କର୍ମଣ ପୁରସ୍କାରମଧ୍ୟ ମିଳିଛି ମାତ୍ର ଶ୍ରମିକ ଚାଲାଣରେ ମଧ୍ୟ ପ୍ରଥମ ସ୍ଥାନ ଗ୍ରହଣ କରିଛି । ଆଶାତୀତ କର୍ମ ନିଯୁକ୍ତିର ଅଭାବରେ ଯୁବ ଗୋଷ୍ଠୀ ନିଜ ଭିଟାମାଟି ଛାଡି ଦାଦନ ଯିବା ପାଇଁ ବାଧ୍ୟ ହେଉଛନ୍ତି ଯାଉଛନ୍ତି ।

Sarbeswar Padhan
3rd February 2025

ଏକବିଂଶ ଶତାବ୍ଦୀରେ ପ୍ରବାସନ ବା ଦେଶାନ୍ତର ଏକ ଗୁରୁତ୍ୱପୂର୍ଣ ବିଷୟ । ବହୁ ସଂଖ୍ୟାରେ ଗ୍ରାମାଞ୍ଚଳରୁ ସହରକୁ ଲୋକେ ମୁହେଁଇବାରେ ଲାଗିଛନ୍ତି । ଦାରିଦ୍ର୍ୟତା, ଅପେକ୍ଷାକୃତ କମ ମଜୁରୀ, ସ୍ଥାନୀୟ ନିଯୁକ୍ତିର ଅଭାବ, ଚାଷ ପ୍ରକ୍ରିୟାରେ ହେଉଥିବା ବ୍ୟାଘାତ ଓ ବିଭିନ୍ନ ପ୍ରକୃତିକ ଦୈବୀଦୁର୍ବିପାକ ଯଥା ସୁନାମୀ, ମରୁଡ଼ି, ବନ୍ୟା, ବ୍ୟାତ୍ୟା ଓ ଭୂମିକମ୍ପ ହେତୁ ବହୁ ଲୋକ ନିଜ ବାସସ୍ଥାନ ପରିତ୍ୟାଗ କରି ଅନ୍ୟତ୍ର ପଳାୟନ କରୁଛନ୍ତି । ଏଥିସହିତ ଅନେକ ଲୋକ ବିଭିନ୍ନ ସ୍ଥାନୀୟ ଅଞ୍ଚଳରେ ଘଟୁଥିବା ରାଜନୈତିକ ଦଙ୍ଗା, ଜଳବାୟୁ ପରିବର୍ତନ ଓ ଛୋଟବଡ ବିକାଶମୂଳକ ଯୋଜନା ଫଳରେ ନିଜ ବାସସ୍ଥାନ ହରାଇ ଅନ୍ୟତ୍ର ବିସ୍ଥାପିତ ହେବାକୁ ବାଧ୍ୟ ହେଉଛନ୍ତି । ସେ ଯାହା ବି ହେଉନା କାହିଁକି, ପ୍ରବାସନ ଜୀବନ ଧାରଣରେ ପରିବର୍ତନ ଆଣିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ । ଅର୍ଥନୈତିକ ବିକାଶ ହେତୁ ସହରାଞ୍ଚଳରେ ବର୍ଦ୍ଧିତ ଶିଳ୍ପ ଓ ସେବା କ୍ଷେତ୍ରର ସଂପ୍ରସାରଣ ଫଳରେ ସହରାଞ୍ଚଳ ମାନଙ୍କରେ ନିଯୁକ୍ତି ପାଇବାର ଆଶା, ପ୍ରବାସନ ପ୍ରକ୍ରିୟାକୁ ଖୋରାକ ଯୋଗାଏ । ପରିବହନ ବ୍ୟବସ୍ଥାର ସଂପ୍ରସାରଣ, ତଥ୍ୟ ଓ ଯୋଗାଯୋଗ ଜ୍ଞାନକୌଶଳର ପ୍ରୟୋଗଦ୍ଵାରା ସୋସିଆଲ ନେଟୱର୍କ ର ବ୍ୟାପକ ବ୍ୟବହାର ହେତୁ ସାଂପ୍ରତିକ ପ୍ରବାସୀ ଶ୍ରମିକ ଚଳଣିକୁ ତ୍ୱରାନ୍ୱିତ କରୁଛି । ବହୁ ସଂଖ୍ୟାରେ ଲୋକମାନେ ଗାଁରୁ ସହରକୁ ଓ ସହରରୁ ନଗରୀକୁ ଓ ଗୋଟିଏ ଦେଶରୁ ଅନ୍ୟଦେଶକୁ ଜୀବନ-ଜୀବିକା ସକାଶେ ଅନ୍ୟତ୍ର ପଳାୟନ  କରିବାରେ ଲାଗିଛନ୍ତି । କରୋନା ବୈଶ୍ଵିକ ମହାମାରୀ ବିରୁଦ୍ଧରେ ଲଗାତର ତାଲାବନ୍ଦି ଦେଶର ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ବିରାଟ ସଙ୍କଟ ସୃଷ୍ଟି କରିଛି । ପ୍ରବାସୀ ଶ୍ରମିକଙ୍କ ଜୀବନ ଜୀବିକା ସାଂପ୍ରତିକ ସାମାଜିକ ଓ ରାଜନୈତିକ ଅସ୍ଥିରତା କାରଣରୁ ପ୍ରବାସୀ ଶ୍ରମିକ ସବୁଠୁ ଅଧିକ କ୍ଷତି ସହିଛନ୍ତି । ଜୀବନ ଜୀବିକା ବନ୍ଦ ପଡିଛି । ତାଙ୍କ ପ୍ରତି ହେଉଥିବା ଅମାନବିକ ଚିରସ୍ଥାୟୀ ଦୁର୍ବବ୍ୟବହାର ଅଦୃଶ୍ୟତାକୁ କେବଳ ଉଜାଗର କରିପାରିଛି ଏହି ମହାମାରୀ, ଅନ୍ୟଥା ଏହି ଗୋଷ୍ଠୀ ସବୁବେଳେ ତାଡନା ଯାତନାର ଶିକାର ଚିରନ୍ତନ । ମହାମାରୀଦ୍ଵାରା ପ୍ରବାସୀ ଶ୍ରମିକଙ୍କ ଜୀବନର ଯେଭଳି ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳୁଛି ତାହା ଆମ ସଭ୍ୟ ସମାଜର ଆଇନା କୁ ଦାଣ୍ଡରେ ଉପସ୍ଥାପନ କରୁଛି ।

ଓଡିଶା ରାଜ୍ୟ ଓ ତାର ଅର୍ଥନୀତି

ଓଡିଶା ରାଜ୍ୟ ପ୍ରାକୃତିକ ସମ୍ପଦରେ ଭରପୁର । ଏହାର ଅର୍ଥନୈତିକ, ସାଂସ୍କୃତିକ ବିବିଧତା ବିଭିନ୍ନ ଭୌଗଳିକ ଭୂଖଣ୍ଡରେ ବହୁଦିନରୁ ରହିଆସିଛି । ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟର ମୋଟ ଜନସଂଖ୍ୟାର ଅନୁସୂଚିତ ଜନଜାତି (୨୨.୮୫ ପ୍ରତିଶତ), ଅନୁସୂଚିତ ଜାତି (୧୭.୧୩ ପ୍ରତିଶତ) । ଓଡିଶାର ପ୍ରାୟ ୪୪.୭ ପ୍ରତିଶତ ଅଞ୍ଚଳ ନିର୍ଦ୍ଧାରିତ କ୍ଷେତ୍ର ଭାବରେ ସୂଚିତ କରାଯାଇଛି । ଭାରତର ୬୩୫ ସର୍ବମୋଟ ଆଦିବାସୀ ସମ୍ପ୍ରଦାୟ ମଧ୍ୟରୁ ୬୨ ପ୍ରକାର ଆଦିବାସୀ ଓଡିଶା ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳେ । ସେମାନଙ୍କ ମଧ୍ୟରୁ୧୩ଟି ହେଉଛି ବିଶେଷ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀ । ଜାତୀୟ ନମୁନା ସର୍ବେକ୍ଷଣ କର୍ଯ୍ୟାଳୟ ୨୦୧୨-୧୩ ଅନୁଯାୟୀ ରାଜ୍ୟରେ ଅନ୍ୟାନ୍ୟ ପଛୁଆ ଶ୍ରେଣୀ (୩୬.୭ ପ୍ରତିଶତ ) ଥିବା ବେଳେ ପାଖାପାଖି ୨୦ ପ୍ରତିଶତ ଅନ୍ନ୍ୟ ଉଚ୍ଚ  ଜାତିର ମୋଟ ଜନସଂଖ୍ୟା ଅଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଅନ୍ୟ ପଛୁଆ ବର୍ଗ (ଓବିସି) ହେଉଛି ଏକ ସାମୂହିକ ଶବ୍ଦ ଯାହାକି ଭାରତ ସରକାରଙ୍କ ଦ୍ୱାରା ଜାତିଗତ ଶ୍ରେଣୀଭୁକ୍ତ ହେବା ପାଇଁ ବ୍ୟବହୃତ ହୁଏ ଯାହା ଶିକ୍ଷାଗତ କିମ୍ବା ସାମାଜିକ ଦୃଷ୍ଟିରୁ ଅନଗ୍ରସର ବୋଲି ବିବେଚନା କରାଯାଇଛି |

୧୯୭୦ ଓ ୧୯୮୦ ଦଶକରେ ଓଡିଶାର ଅର୍ଥନୀତି ମୁଣ୍ଡପିଛା ଆୟ ଜାତୀୟ ହାରଠାରୁ ବହୁତ କମ୍ ଥିଲା । ଆମେ ଭାରତୀୟ ରାଜ୍ୟ ମଧ୍ୟରେ ସର୍ବୋତ୍ତମ ବିଷୟରେ କହୁ ନାହୁଁ ବରଂ ଜାତୀୟ ହାରକୁ ତୁଳନା କରାଯାଇଛି । କିନ୍ତୁ ୨୦୦୦ ପରଠାରୁ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଜାତୀୟ ହାରାହାରି ବୃଦ୍ଧି ସହ ତାଳ ଦେଇ ଆଗକୁ ବଢି ଚାଲିଛି । ୨୦୦୦ ଠାରୁ ୨୦୧୦ ମସିହାରେ, ଓଡିଶାର ହାରାହାରି ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ ଥିଲା । ସେହି ସମୟଠାରୁ ଉଚ୍ଚ ଅଭିବୃଦ୍ଧି ପଥ ପାଇଁ ଓଡିଶା ଆତ୍ମବିଶ୍ୱାସ ହାସଲ କରିପାରିଛି । ସମ୍ପ୍ରତି ଏହା ଜାତୀୟ ହାରକୁ ଅତିକ୍ରମ କରିଛି । ୨୦୧୨-୧୩ ଠାରୁ ୨୦୧୯-୨୦ ବର୍ଷ ଲଗାତର ସାତ ବର୍ଷ ପର୍ଯ୍ୟନ୍ତ ରାଜ୍ୟର ଅଭିବୃଦ୍ଧି ହାର (୭.୩ ପ୍ରତିଶତ) ସର୍ବ ଭାରତୀୟ ସ୍ତର (୬.୮ ପ୍ରତିଶତ) ତୁଳନାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କେବଳ ୨୦୧୪-୧୫ ବର୍ଷ ବ୍ୟତୀତ । ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ମୁଣ୍ଡପିଛା ଆୟରେ ଓଡିଶା (ଭାରତୀୟ ମୁଦ୍ରା ୧୦୪୫୬୬ ଟଙ୍କା) ୧୮ ତମ ସ୍ଥାନରେ ରହିଛି । ବର୍ତ୍ତମାନ ସମୟରେ, କୃଷି ଅଭିବୃଦ୍ଧିରେ ଉନ୍ନତ ପ୍ରଦର୍ଶନ ହେତୁ ଓଡିଶା ଜାତୀୟ ହାରାହାରି ବୃଦ୍ଧି ଅତିକ୍ରମ କରିବାରେ ସଫଳ ହୋଇଛି । ଓଡ଼ିଶା ଆଜି ବି ଏକ କୃଷି ଅର୍ଥନୀତି ରୂପେ ଜଣାଶୁଣା । ଜାତୀୟ ସର୍ବେକ୍ଷଣ ନମୁନା କାର୍ଯ୍ୟାଳୟ୨୦୧୭-୧୮ ଅନୁସାରେ କୃଷି ରାଜ୍ୟର ମୋଟ ଘରୋଇ ଉତ୍ପାଦର ୨୬ ପ୍ରତିଶତରୁ ଅଧିକ ଯୋଗଦାନ କରୁଥିବା ବେଳେ ଏବଂ ମୋଟ ନିଯୁକ୍ତିର ୪୮ ପ୍ରତିଶତରୁ ଅଧିକ କୃଷିକ୍ଷେତ୍ର ହିଁ ଯୋଗାଇଥାଏ । ଶିଳ୍ପ ସ୍ଥିତି ଊଣା ଅଧିକ ସ୍ଥିର ଅଟେ । କର୍ପୋରେଟ୍ ଇଣ୍ଡଷ୍ଟ୍ରି ସ୍ଥାନୀୟ ଯୁବକମାନଙ୍କୁ ପର୍ଯ୍ୟାପ୍ତ ସଂଖ୍ୟକ ଚାକିରି ସୃଷ୍ଟି କରିବାରେ ଅସମର୍ଥ । ସେବା କ୍ଷେତ୍ର ଉଦୀୟମାନ ହେଉଛି ଏବଂ ମୋଟ ଉତ୍ପାଦନ ଓ  ନିଯୁକ୍ତିରେ ଏହାର ଅଂଶ ବୃଦ୍ଧି ହେଉଥିଲେ ହେଁ ତାହା କେବଳ ବଡ ବଡ ସହରରେ ସୀମିତ । ସେହିପରି ଆଞ୍ଚଳିକ ଅସମାନତା ଓ ବୈଷମ୍ୟବାଦର ଶିକାର ଅନେକ ଉପାନ୍ତ ଅଞ୍ଚଳ ହେଉଥିବା କଥା ଘଡେଇ କମିଶନ ସରକାରୀ ସ୍ତରରେ ସ୍ଵୀକାର କରିଛନ୍ତି ।

ଗ୍ରାମାଞ୍ଚଳରେ କୃଷି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି । ରାଜ୍ୟରେ ଚାଷ ଜମିର ଆକାର ବଣ୍ଟନ ସୂଚାଇ ଦେଉଛି ଯେ ୨୦୧୫-୧୬ ମଧ୍ୟରେ ପ୍ରାୟ ୭୫ ପ୍ରତିଶତ ନାମମାତ୍ର ଓ କ୍ଷୁଦ୍ରଚାଷୀ  ଯାହାଙ୍କ ଜମିର ପରିମାଣ ଏକ ହେକ୍ଟରରୁ କମ୍ (୨.୪୭ ଏକର) । ଅନ୍ୟ ପଟେ, ମଧ୍ୟମ ଏବଂ ବୃହତ ଚାଷୀ ପରିବାରଗୁଡିକର ଜମିର ପରିମାଣ ହ୍ରାସ ନହୋଇ ସ୍ୱଳ୍ପ ଲୋକଙ୍କ ପାଖରେ ଅଧିକ ପରିମାଣର ଜମି ରହିଯାଉଛି । ଭାରତବର୍ଷରେ କିଛି ଅଧ୍ୟୟନ ମଧ୍ୟ ଅଛି ଯାହାକି ଜମିହାର ଏବଂ ପ୍ରବାସନ ମଧ୍ୟରେ ଏକ ସକରାତ୍ମକ ସମ୍ପର୍କ ଦେଖାଏ (ଯାଦବ ଇତ୍ୟାଦି, ୧୯୯୬; ମମଗେନ୍, ୨୦୦୩; ମାହାପାତ୍ର (୧୯୯୮) । ଉପରୋକ୍ତ ସାରଣୀ-୧ ପ୍ରତିଫଳିତ କରେ ଯେ ୨୦୦୭-୦୮ ମସିହାରେ ରାଜ୍ୟର ବୃହତ ଆକାରର ଜମି ଧାରଣ ଏବଂ ବାହ୍ୟ ପ୍ରବାସନ ମଧ୍ୟରେ ସିଧାସଳଖ ସମ୍ପର୍କ ରହିଛି । ତାହାର ଅର୍ଥ ହେଲା ଯାହା ପାଖରେ ବେଶି ଜମି ଅଛି ସେମାନେ ଅନ୍ୟ ରାଜ୍ୟକୁ ପଳାୟନ ବେଶି କରୁଛନ୍ତି  । ଯଦିଓ ବେଶୀ ପରିମାଣ ରେ ଜମି ଥିବା ଲୋକଙ୍କ ମଧ୍ୟରେ ବାହ୍ୟ ପ୍ରବାସନ ହାର ଅଧିକ, ସମୁଦାୟ ବାହ୍ୟ ପ୍ରବାସୀମାନଙ୍କ ମଧ୍ୟରେ ସେମାନଙ୍କ ଅନୁପାତ ବହୁତ କମ୍ ଅଟେ।

୨୦୧୨-୧୩ ମସିହାରେ ଜାତୀୟ ନମୁନା ସର୍ବେକ୍ଷଣ ଅନୁଯାୟୀ, ଓଡିଶାରେ ୭.୮ ନିୟୁତ ପରିବାର ଗ୍ରାମାଞ୍ଚଳରେ ବାସ କରନ୍ତି, ସେଥିମଧ୍ୟରୁ ୪.୪ ନିୟୁତ ହେଉଛନ୍ତି କୃଷକପରିବାର । ସମୁଦାୟ କୃଷି ପରିବାର ମଧ୍ୟରୁ ୫୭.୭ ପ୍ରତିଶତ ପରିବାର ଋଣଗ୍ରସ୍ତ । ଚାଷୀ ପରିବାରର ହାରାହାରି ଆୟ ହେଉଛି ୪,୯୭୬ ଟଙ୍କା, ଯାହା ରାଜ୍ୟମାନଙ୍କ ମଧ୍ୟରେ ସର୍ବନିମ୍ନ ଅଟେ । ଏହି ବର୍ଷ ରବି ଫସଲରେ ଧାନର ଅଭାବି ବିକ୍ରି ଓ ଅନିୟମିତତା ହେତୁ ହଜାର ହଜାର ଚାଷୀ ତହସିଲ କର୍ଜ୍ୟାଳୟ ଓ ରାସ୍ତାରେ  ବିରୋଧ ପ୍ରଦର୍ଶନ କରିଚାଲିଛନ୍ତି । ଏହି ସବୁ ତଥ୍ୟରୁ ଅନୁମେୟ ଯେ ଓଡିଶାର ଚାଷୀ ଅନେକ ଜଟିଳ ସମସ୍ୟାରେ ଜର୍ଜରିତ । ଅର୍ଥନୈତିକ ଓ ସାମାଜିକ ଚାପ ଷକ ପରିବାରଙ୍କୁ ଗ୍ରାସ କରିସାରିଲାଣି । ଯାହା ଫଳରେ ବଡ ଚାଷୀ ପରିବାରରୁ ମଧ୍ୟ ଅନ୍ୟ ରାଜ୍ୟକୁ ପଳାୟନ କରୁଛନ୍ତି ।

ପ୍ରବାସନ: ପରିଭାଷା ଓ ମାପ

ପ୍ରବାସନକୁ ଅନେକ ନାଁ ରେ ନାମିତ କରାଯାଉଛି । କିଏ ଦେଶାନ୍ତରଣ ତ କିଏ ପଳାୟନ ତ ପୁଣି ପ୍ରବାସୀ ବା ଦାଦନ ଶ୍ରମିକ କହୁଛନ୍ତି । ଏହାର ଅଭିଧାନିକ ଅର୍ଥ ବାସ ନିମନ୍ତେ ଅନ୍ୟତ୍ର ଗମନ କରିବା ଆଜିକାଲି ସଭ୍ୟ ସମାଜ ଅତିଥି ଶ୍ରମିକ କହୁଛନ୍ତି । ଆମ ଦେଶରେ ପ୍ରବାସୀ ଶ୍ରମିକଙ୍କ ସଜ୍ଞାକୁ ସରକାରୀ ସ୍ତରରେ ଦୁଇ ପ୍ରକାରେ ନିରୂପଣ କରିବାର ବ୍ୟବସ୍ତା ଅଛି । ପ୍ରଥମତଃ ଯଦି ଜଣେ ବ୍ୟକ୍ତି ନିଜ ଜନ୍ମସ୍ଥାନଠୁ ଅନ୍ୟତ୍ର ବସବାସ କରୁଥାଏ । ଦ୍ଵିତୀୟରେ,  ଯଦି ଜଣେ ବ୍ୟକ୍ତି ନିଜର ସ୍ଵାଭାବିକ ବାସସ୍ଥାନଠୁ ଅଲଗା ରହୁଥାଏ । ଏଠାରେ ଅନ୍ୟତ୍ର ବା ଅଲଗା ଜାଗା ଭୋଗଳିକ ଦୃଷ୍ଟିକୋଣରୁ କୌଣସି ଏକ ଗାଁ, ସହର ଓ ରାଜ୍ୟର ସୀମାକୁ ହିଁ ବୁଝାଏ । ଉଦାହରଣ ସ୍ୱରୂପ, ପ୍ରଥମରୁ ଭୁବନେଶ୍ୱରରେ ରହୁଥିଲେ ବର୍ତମାନ କିଛିଦିନ ହେଲା କୋରାପୁଟକୁ ନିଜ କର୍ମ ସଂସ୍ଥାନ ପାଇଁ ଆସିଛନ୍ତି, ସେହି କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତିକୁ ଆମେ ପ୍ରବାସୀ କହିବା । ଭାରତ ସରକାର ଅଧିନସ୍ଥ ରେଜିଷ୍ଟ୍ରାର ଜେନରେଲ ଓ ସେନସସ୍ କମିଶନର ୧୮୭୨ ମସିହାରୁ ଭାରତୀୟ ଜନଗଣନା ଏକ ଅଂଶ ବିଶେଷ ଭାବେ ପ୍ରଥମ ଥର ପାଇଁ ପ୍ରବାସନର ତଥ୍ୟ ସଂଗ୍ରହ କରିଥିଲେ । ପରବର୍ତୀ ସମୟରେ ଅନବରତ ଭାବେ ପ୍ରତି ଦଶନ୍ଧିରେ ଏହି ପ୍ରକ୍ରିୟା ଚାଲିଛି । ବିଭିନ୍ନ କାରଣରୁ ଯଥା ବ୍ୟବସାୟ,କର୍ମ, ନିଯୁକ୍ତି, ଶିକ୍ଷା ଗ୍ରହଣ, ବିବାହ, ଜନ୍ମହେବା ପରେ ଗମନ, ସପରିବାର ଗମନ ଓ ଅନ୍ୟାନ୍ୟ କାରଣ ସକାଶେ ପ୍ରବାସନରେ ଯିବା । ୨୦୧୧ ଭାରତୀୟ ଜନଗଣନା ଅନୁସାରେ ୪୫ କୋଟି ଭାରତୀୟ ବିଭିନ୍ନ କାରଣରୁ ଆମ ଦେଶ ମଧ୍ୟରେ ପ୍ରବାସନରେ ବାସକରୁଥିବା ବେଳେ ଗତ ୨୦୦୧ ମସିହାରେ ତାଙ୍କ ସଂଖ୍ୟା ୩୧ କୋଟି ଥିଲେ । ତନ୍ମଧ୍ୟରୁ ୫.୪ କୋଟି ବାହାର ରାଜ୍ୟକୁ ପ୍ରବାସନରେ ଯାଉଥିବା ବେଳେ ୩୯.୫ କୋଟି ନିଜ ରାଜ୍ୟ ସୀମାରେ ବସବାସ କରୁଛନ୍ତି । ନିଜ ରାଜ୍ୟ ସୀମା ଭିତରେ ମୁଖ୍ୟତଃ ବାହାହେବା ପାଇଁ ପ୍ରବାସନରେ ଥିବା ବେଳେ ବାହାର ରାଜ୍ୟକୁ କର୍ମ ନିଯୁକ୍ତି ସକାଶେ ପ୍ରବାସରେ ରହୁଛନ୍ତି । ସରକାରୀ ସଜ୍ଞା ଅନୁସାରେ ଋତୁକାଳୀନ ପ୍ରବାସୀ ଶ୍ରମିକ; ଯେଉଁମାନେ ଜୀବନ ଜୀବିକା ସକାଶେ ଗୋଟିଏ ସ୍ତାନରେ ୩୦ ଦିନରୁ ଅଧିକ ମାତ୍ର ଛ ମାସରୁ କମ ସମୟର ହି ନିଜ ଭିଟାମାଟିକୁ ପ୍ରତ୍ୟାବର୍ତନ କରିଥାନ୍ତି । ଏମାନଙ୍କ ମଧ୍ୟରୁ ବହୁ ସଂଖ୍ୟକ ଶ୍ରମିକ ସ୍ୱଳ୍ପ ଅବଧି ଯାହା ଏକ ମାସରୁ କମ ସମୟ ଯେଉଁମାନେ କି ପ୍ରବାସୀ ଶ୍ରମିକ ଗଣନାରୁ ବଞ୍ଚିତ। ଏମାନଙ୍କ ସଠିକ୍ ହିସାବ ଆଜି କାହା ପାଖରେ ନାହିଁ । ଏହି ପରିପ୍ରେକ୍ଷୀରେ ପ୍ରଖ୍ୟାତ ଶ୍ରମ ଅର୍ଥଶାସ୍ତ୍ରୀ ତଥା ଜେଏନୟୁର ପ୍ରାକ୍ତନ ପ୍ରଫେସର ରବି ଶ୍ରୀବାସ୍ତବଙ୍କ ମତରେ ଦେଶରେ ଏମାନଙ୍କ ସଂଖ୍ୟା ପାଞ୍ଚ କୋଟିରୁ ଉର୍ଦ୍ଧ୍ୱ । ସେମାନଙ୍କ ଚାଳିଶ ପ୍ରତିଶତ ଶ୍ରମିକ କୃଷି ବାହାରେ ଅସଙ୍ଗଠିତ କ୍ଷେତ୍ରରେ ନିୟୋଜିତ ଅଛନ୍ତି ଯାହାଙ୍କ ଅନୁପସ୍ଥିତିରେ ଦେଶର ଅର୍ଥନୀତି ଗତିଶୀଳ ହୋଇପାରିବ ନାହିଁ ।

ଏସବିଆଇ ଇକୋୱ୍ରାପ୍ ରିପୋର୍ଟ ୨୦୨୦ ଅନୁଯାୟୀ ସମୁଦାୟ ପ୍ରବାସୀ ଶ୍ରମିକଙ୍କ ୯୦ ପ୍ରତିଶତ କେବଳ ଉତ୍ତରପ୍ରଦେଶ, ବିହାର, ଝାରଖଣ୍ଡ, ଓଡିଶା ଓ ପଶ୍ଚିମବଙ୍ଗ ରାଜ୍ୟର; ଏବଂ ଅନୁମାନ କରାଯାଉଛି ଯେ ପ୍ରାୟ ୫୮ ଲକ୍ଷ ପ୍ରବାସୀ ନିଜ ନିଜ ରାଜ୍ୟକୁ ଫେରିଛନ୍ତି । କହିବାର ତାତ୍ପର୍ଯ୍ୟ ଅଧିକନ୍ତୁ ପ୍ରବାସୀ ଶ୍ରମିକମାନେ ଏହି ସବୁ ଗରିବ ରାଜ୍ୟରୁ ଧନୀ ରାଜ୍ୟମାନଙ୍କର ନଗରୀ ଓ ସହରଗୁଡ଼ିକୁ ଜୀବନ ଜୀବିକା ସକାଶେ ପଳାୟନ କରିଥାନ୍ତି । ୧୯୯୧ ମସିହାରେ ଜାତୀୟ ଗ୍ରାମୀଣ ଶ୍ରମ ଆୟୋଗ ଯୁକ୍ତି ବାଢିଥିଲେ ଯେ ଦେଶର ପ୍ରବାସନ ପାଇଁ  ରାଜ୍ୟ ମଧ୍ୟରେ ଥିବା ଆଞ୍ଚଳିକ ବୈଷମ୍ୟ ବିକାଶ ହେଉଛିଏହାର ପ୍ରମୁଖ କାରଣ । ବିଶେଷ କରି ନୂତନ ଅର୍ଥନୀତିକ ସୁଧାର ପରେ ପରେ ଏକ ଚରମ ଆଞ୍ଚଳିକ ଅସମାନତାକୁ ଆହୁରି ଉଜାଗର କରୁଛି ବୋଲି ଅନେକ ବିଶେଷଜ୍ଞ ମତ ପ୍ରକାଶ କରନ୍ତି ।

ଓଡିଶାର ପ୍ରବାସୀ ଶ୍ରମିକ: କିଛି କଥା କିଛି ବ୍ୟଥା

୨୦୧୧ ଜନଗଣନା ଅନୁସାରେ ଓଡିଶାରୁ ୮ ଲକ୍ଷ ୫୫ ହଜାରରୁ ଅଧିକ ସଂଖ୍ୟକ ଲୋକ ବାହାର ରାଜ୍ୟକୁ ପ୍ରବାସନରେ ଯାଇଛନ୍ତି । ଖଣିଜ ସମ୍ପଦର ପ୍ରାଚୁର୍ଯ୍ୟକୁ ନେଇ ଗର୍ବ କରୁଥିବା ଓଡିଶା ରାଜ୍ୟ ଏବେ ବାହାର ରାଜ୍ୟକୁ ଶ୍ରମିକ ଚାଲାଣର ପେଣ୍ଠସ୍ଥଳୀ ପାଲଟିଛି । ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ରାଜ୍ୟକୁ ଆସିଥିବା ଅନେକ ବହୁଦେଶୀୟ କମ୍ପାନୀର ଯାନ୍ତ୍ରିକ ଉପକରଣର ଅତ୍ୟଧିକ ପ୍ରଚଳନଦ୍ଵାରା ସ୍ଥାନୀୟ ଜନତା ଜୀବନ ଜୀବିକା ହରାଇ ଏବେ ରାଜ୍ୟ ବାହାରକୁ  ଦାଦନ ଖଟିବାକୁ  ଯାଉଛନ୍ତି । ଓଡିଶାର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅଭାବନୀୟ ନିଯୁକ୍ତି ପରିଲିକ୍ଷିତ । ବର୍ଦ୍ଧିତ ଶ୍ରମିକମାନକୁ ଗ୍ରାମାଞ୍ଚଳରେ କୃଷିକ୍ଷେତ୍ର ଆଶାତୀତ ପରିମାଣରେ ଶ୍ରମିକ ନିଯୁକ୍ତି ଦେବାରେ ବିଫଳ ହୋଇଛି ବୋଲି । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି କର୍ମ ଆଇନ ସତ୍ତ୍ୱେ ଓଡିଶାରୁ ଦାଦନ ଚାଲାଣକୁ ରୋକିବାରେ ଅସମର୍ଥ । ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରମିକ, ସ୍ତ୍ରୀ, ପୁରୁଷ ଓ ଛୋଟ ଛୋଟ ଶିଶୁ ସପରିବାର ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି । ସବୁଠାରୁ ଦୁଃଖର ବିଷୟ ଏହା ଯେ ଶିଶୁମାନଙ୍କ ମଧ୍ୟରେ ଯାହାଙ୍କ ବୟସ ଚଉଦ ବର୍ଷରୁ କମ, ସେମାନେ ଅତି ଅସହନୀୟ ପରିବେଶରେ କାମ କରିବାକୁ ବାଧ୍ୟ ହେଉଛନ୍ତି ଓ ସର୍ବନିମ୍ନ ସାର୍ବଜନୀନ ମୌଳିକ ଶିକ୍ଷା ଅଧିକାରରୁ ବଞ୍ଚିତ ରହୁଛନ୍ତି ।

କାରୋନା ପ୍ରଥମ ଲହର ସମୟରେ ନିଜ ଭିଟାମାଟିକୁ ଫେରିବା ପାଇଁ ବ୍ୟାକୁଳ ହୋଇଛନ୍ତି ଏହି ଗୋଷ୍ଠୀ । ଓଡିଶା ସରକାରଙ୍କ ସୂଚନା ଓ ଜନସମ୍ପର୍କ ମନ୍ତ୍ରାଳୟ ୨୪ ଏପ୍ରିଲ,୨୦୨୦ ରେ ପ୍ରକାଶିତ ପ୍ରେସ୍ ବିଜ୍ଞପ୍ତିରେ ସରକାର ଆଶା କରିଥିଲେ ଯେ ଲକଡାଉନ୍ ପରେ ମାତ୍ର ୫ ଲକ୍ଷ ପ୍ରବାସୀ ଅନ୍ୟ ରାଜ୍ୟରୁ ଓଡିଶାକୁ ଫେରିବେ । ଉପଲବ୍ଧ ସରକାରୀ ସୂଚନା ଉପରେ ଆଧାର କରି ଏକ ରକ୍ଷଣଶୀଳ ଆକଳନରେ ଅନୁମାନ କରାଯାଏ ଯେ ବାଲାଙ୍ଗୀରର କେବଳ ପାଖାପାଖି ଏକ ଲକ୍ଷ ଲୋକ ଫେରିବା ପାଇଁ ପଞ୍ଜୀକୃତ ହୋଇଥିଲେ । ପ୍ରତ୍ୟାବର୍ତନ ପାଇଁ ଆଶାବାଦୀ ଥିବା କିଛି ଲୋକ ନିହାତି ଅନ୍ୟ କାର୍ଯ୍ୟରେ ବାହାର ରାଜ୍ୟକୁ ଯାଇଥିବେ ଯଥା ଛାତ୍ର, ଭ୍ରମଣ, ସ୍ୱାସ୍ଥ୍ୟ ଓ ଅନ୍ୟ କାରଣ ହୋଇପାରେ ମାତ୍ର ଦାଦନ ଶ୍ରମିକଙ୍କ ସଂଖ୍ୟା ନବେ ପ୍ରତିଶତରୁ ଉର୍ଦ୍ଧ୍ୱ ବୋଲି ଅନୁମାନ କରାଯାଇପାରେ । ସରକାରୀ ଅଧିକାରୀଙ୍କ ସହ ବ୍ୟକ୍ତିଗତ ନିଜସ୍ୱ ବ୍ୟବସ୍ଥା ମାଧ୍ୟମରେ ଏକ ବୃହତ ସଂଖ୍ୟା ରାଜ୍ୟରେ ପହଞ୍ଚେ । ଆଶ୍ଚର୍ଯ୍ୟର କଥା, ତିରିଶ ଜଣ ଶ୍ରମିକ ଚେନ୍ନାଇରୁ ଡଙ୍ଗା ମାଧ୍ୟମରେ ଗଞ୍ଜାମ ଉପକୂଳରେ ପହଞ୍ଚିବା ପାଇଁ ସବୁଠାରୁ ବିପଜ୍ଜନକ ସମୁଦ୍ର ମାର୍ଗ ବାଛିନେଇଥିଲେ । ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଭଳି ଅନ୍ୟ ରାଜ୍ୟଗୁଡ଼ିକରୁ  ହଜାର ହଜାର ଲୋକ ସାଇକେଲ ଯୋଗେ ନିଜ ଭିଟାମାଟିକୁ ପ୍ରତ୍ୟାବର୍ତନ କରିଥିଲେ । ପ୍ରବାସୀଙ୍କର ପ୍ରକୃତ ସଂଖ୍ୟା ଆମେ ଜାଣିନାହୁଁ । ଏତେ ସଂଖ୍ୟକ ଲୋକେ ଓଡିଶା ରାଜ୍ୟରୁ ଅନ୍ୟ ରାଜ୍ୟକୁ ପ୍ରବାସନରେ ଯାଉଥିବା ଲୋକ କେଉଁ କେଉଁ ବୈଶିଷ୍ଟତା ରହିଛି । ସେ ଲୋକମାନେ କିଏ ଓ କେଉଁ ସବୁ ଅଞ୍ଚଳରୁ ଯାଉଛନ୍ତି ? ଏହିସବୁ ମୌଳିକ ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣନ୍ଦ୍ରଭୂତ ।

ଆମ ରାଜ୍ୟର ପଶ୍ଚିମାଞ୍ଚଳରୁ ଅନ୍ୟ ରାଜ୍ୟକୁ ଇଟାଗଢିବା ପାଇଁ, ନିର୍ମାଣ କ୍ଷେତ୍ର, ଚାଷ କରିବା, ଲୁଣ ମାରିବା ପରି ପାଇଁ କର୍ମ କରିବାକୁ  ଯାଉଥିବା ଲକ୍ଷ ଲକ୍ଷ ଶ୍ରମିକ ବିଭିନ୍ନ ରାଜ୍ୟକୁ ପ୍ରବାସନରେ ଯାଉଛନ୍ତି । ସାମାଜିକ ଓ ଅର୍ଥନୀତିର ସବୁଠୁ ତଳଶ୍ରେଣୀର ମୁଖ୍ୟତଃ ଆଦିବାସୀ,ଦଳିତ ଓ ଗରିବ ଶ୍ରେଣୀର ଏହି ପ୍ରବାସୀ ଶ୍ରମିକ ଜୀବିକା ଆଶାରେ ବିଭିନ୍ନ ସ୍ଥାନକୁ ଆପଣେଇ ନିଅନ୍ତି । ରାଜ୍ୟର ଜନଜାତି ବହୁଳ ଅଞ୍ଚଳ ଯଥା ଅବିଭାଜିତ ଜିଲ୍ଲା କଳାହାଣ୍ଡି-ବଲାଙ୍ଗିର-କୋରାପୁଟ ଜିଲ୍ଲାରୁ ବହୁ ମାତ୍ରାରେ ପଳାୟନ କରୁଥିବାର କରୁଣ ଛବି ଦେଖିବାକୁ ମିଳେ  । କ୍ଷେତ୍ରୟ ଅଧ୍ୟୟନ ଉପରେ ଆଧାରିତ ପ୍ରମାଣ ଯେ ଏହି ଅଞ୍ଚଳରୁ ବହୁ ମାତ୍ରାରେ ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ଶ୍ରେଣୀର ଲୋକେ ପ୍ରବାସନରେ ଯାଇଥାନ୍ତି ଇଟା ଗଢିବା, ରିକ୍ସା ଟାଣିବା, ତଥା ନିର୍ମାଣ ଶ୍ରମିକ ରୂପେ ଭାରତର ପ୍ରାୟ ସମସ୍ତ ନଗରୀକୁ । କଳାହାଣ୍ଡି, କୋରାପୁଟ, ରାୟଗଡା, ଓ ନବରଙ୍ଗପୁର ଜିଲ୍ଲାକୁ କାରୋନାର ପ୍ରଥମ ଲହର ବେଳେ ଫେରିଥିବା ଶ୍ରମିକ ଓଡିଶାକୁ ପ୍ରତ୍ୟାବର୍ତନ ପରେ କେମିତି ଜୀବନ ଜୀବିକା ଓ ଆବଶ୍ୟକୀୟ ପନ୍ଥା ଅବଲମ୍ବନ କରିଥିଲେ ସେ ବିଷୟରେ ଅଜିମ ପ୍ରେମଜି ଓ ହନ୍ସ ଟ୍ରଷ୍ଟ ମିଳିତ ଭାବରେ ଏକ ଅନୁସନ୍ଧାନ କରିଥିଲେ । ଉଲ୍ଲେଖନୀୟ ଯେ, ସେମାନ କେବଳ ସରକାରୀ ସହାୟତା କହିଲେ ରାସନ ବ୍ୟତୀତ ଅନ୍ୟ କୌଣସି ସୁବିଧା ପାଇନାହାନ୍ତି । ସରକାର ଘୋଷିତ ଅର୍ଥ ରାଶି କୌଣସି ଶ୍ରମିକ ପାଇନଥିବା ବେଳେ ସେଭଳି କିଛି ସ୍ଥାନୀୟ ନିଯୁକ୍ତିର ଆଶା ନପାଇ ପୁଣି କର୍ମସ୍ଥଳୀକୁ ପ୍ରବାସନ ଯିବା ନିଶ୍ଚିତ କରିଥିଲେ। ନୂଆପଡ଼ା ଜିଲ୍ଲାର ଶ୍ରମିକମାନଙ୍କ ଅବସ୍ଥାକୁ ନେଇ ଗବେଷଣାରେ ଦେଖାଯାଇଛି କୃଷିର ଖରାପ ପ୍ରଦର୍ଶନ ଓ କୃଷି ବାହାରେ ଅଣ-କୃଷି ରୋଜଗାର ବୃତ୍ତିରେ କମ୍ ଦକ୍ଷତା କାରଣରୁ ଦାରିଦ୍ର୍ୟର କଷାଘାତରେ ବହୁ ଚାଷୀ ଦାଦନ ଯାଇଛନ୍ତି  । ବାହାର ରାଜ୍ୟର କର୍ମସ୍ଥଳୀରେ ସର୍ବଦା ରୋଜଗାର ପାଇଁ ଭୀଷଣ ପ୍ରତିଯୋଗିତା ଓ ଘୋର ଅନିଶ୍ଚିତତା ଥାଏ । ଉଭୟ ନିଜ ଭିଟାମାଟି ଓ କର୍ମସ୍ଥଳୀରେ ଭୀଷଣ ପ୍ରକ୍ଷପାତିତାର ଶିକାର ହେଉଛନ୍ତି । ପ୍ରାୟତଃ ସମସ୍ତେ ନିଜନିଜର ନାଗରିକତା ଓ ରାଜନୀତିକ ଅଧିକାରରୁ ବଞ୍ଚିତ ରହୁଛନ୍ତି । କର୍ମସ୍ଥଳୀଠୁ ଅର୍ଜିତ ଟଙ୍କା ଭିଟାମାଟିକୁ ପ୍ରେରିତ କରି ପରିବାର ଲୋକଙ୍କ ଭରଣପୋଷଣ ପ୍ରତ୍ୟକ୍ଷ ଭାବେ ସହଯୋଗର ହାତ ବଢାଇଥାନ୍ତି ଓ ଏହାର ଏକ ବଡ଼ ଅଂଶ ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ ଦିଗରେ ଖର୍ଚ କରି ରାଜ୍ୟ ସମୃଦ୍ଧିରେ ପ୍ରତ୍ୟକ୍ଷ ଯୋଗଦାନ କରିଥାନ୍ତି । ଅନ୍ୟ ପକ୍ଷରେ କର୍ମସ୍ଥଳୀର ସମୃଦ୍ଧିରେ ସର୍ବଦା ଯୋଗଦାନ କରିବା ସତ୍ତ୍ୱେ ମଧ୍ୟ ସେହି ସ୍ଥାନର ସହଜରେ କୌଣସି ସରକାରୀ ସହଯୋଗ ପାଇନଥାନ୍ତି । ଅନ୍ୟପକ୍ଷରେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ କର୍ମ କରୁଥିବା ଦାଦନ ଶ୍ରମିକଙ୍କ ପାଖରେ କୌଣସି ଶ୍ରମ ବା ଲିଖିତ ଚୁକ୍ତି ନାହିଁ । ସାମାଜିକ ସୁରକ୍ଷାରୁ ବଞ୍ଚିତ ଥିବାବେଳେ ଅନେକ ସମୟରେ ସେମାନେ ମଧ୍ୟସ୍ଥି ମାଧ୍ୟମରେ ନିଯୁକ୍ତି ପାଇଥାନ୍ତି ।

ଓଡିଶା ଅର୍ଥନୀତିକ କ୍ଷେତ୍ରରେ ଅନେକ ପ୍ରଗତି କରିଛି । ଜାତୀୟ ହାରକୁ ବି ପାର କରିଦେଇଛି । ଗତ କିଛି ବର୍ଷ ଲଗାତର ଜାତୀୟ କୃଷି କର୍ମଣ ପୁରସ୍କାରମଧ୍ୟ ମିଳିଛି ମାତ୍ର ଶ୍ରମିକ ଚାଲାଣରେ ମଧ୍ୟ ପ୍ରଥମ ସ୍ଥାନ ଗ୍ରହଣ କରିଛି । ଆଶାତୀତ କର୍ମ ନିଯୁକ୍ତିର ଅଭାବରେ ଯୁବ ଗୋଷ୍ଠୀ ଗୁଜୁରାଟ ଓ ତାମିଲନାଡୁ ଯାଉଛନ୍ତି । ଉପଯୁକ୍ତ ଶିକ୍ଷା ଅଭାବରୁ ସୁନ୍ଦରଗଡର ଆଦିବାସୀ ଯୁବତୀ ଦିଲ୍ଲୀ ଯାଉଛି ପେଟପାଟଣା ପାଇଁ । ବଲାଙ୍ଗିର ଚିନିକଳ, ସୋନପୁର ସୁତାକଳ ବନ୍ଦ ପଡିବା ପରେ ଯୁବକ ଯାଉଛନ୍ତି ତାମିଲନାଡୁର ତିରପୁର ଲୁଗାକଳ । ସ୍ଥାନୀୟ କୁଟୀର ଶିଳ୍ପ ଓ ଉଦ୍ୟୋଗ ସବୁ ବନ୍ଦ ଥିବା ଫଳରେ ବେରୋଜଗାର ବଢିବାରେ ଚାଲିଛି । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି କର୍ମ ସତ୍ତ୍ୱେ  ମଧ୍ୟ  କର୍ମ ନିଯୁକ୍ତିର ସୁଯୋଗ ଦେଖା ଯାଉନାହିଁ । ସରକାରଙ୍କ ରୋଜଗାର ସୃଷ୍ଟି କରିପାରୁଥିବା ଅନେକ ଐତିହାସିକ ଯୋଜନା ଦାବୀକୁ ଏତେ ସଂଖ୍ୟାରେ ପ୍ରବାସୀ ଶ୍ରମିକମାନଙ୍କର ପଳାୟନକୁ ଖଣ୍ଡନ କରୁଛି । ଏଭଳି ସମୟରେ କାରୋନା ମହାମାରୀ ସଂକ୍ରମଣର ଭୟରେ ସରକାରଙ୍କ ପର୍ଯ୍ୟାୟ କ୍ରମରେ ତାଲାବନ୍ଦ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ଭିଟାମାଟିକୁ ଫେରିବା ପାଇଁ ତତ୍ପର ହେବା ସ୍ଵାଭାବିକ । କାରଣ ପାଖରେ ନା ଅଛି ରୋଜଗାର ନା ସଞ୍ଚିତ ଆୟ, ନା ଅଛି ବିକଳ୍ପ ପନ୍ଥା; ଖାଲି ଅନିଶ୍ଚିତତା । କାରୋନା ଭୂତାଣୁ ଆସିଥିଲା ଦେଶର ତଥାକଥିତ ଧନିକ ଶ୍ରେଣୀରୁ ଓ ଭୋଗିଲେ ଗରିବ ଖଟିଖିଆ ଶ୍ରମିକ ଗୋଷ୍ଠୀ । ଏହି ମହାମାରୀ ଲକ୍ଷ ଲକ୍ଷ ପ୍ରବାସୀଙ୍କ ଦୁଖ,କଷଣ, ସେମାନଙ୍କ ପରିମାଣ, ଦୁର୍ବଳତା ଓ ଅର୍ଥନୀତିରେ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିଛି । ଏହାମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ପଦକ୍ଷେପ ହାତକୁ ନିଆଯାଇଛି । ବର୍ତ୍ତମାନ ଉତ୍ସାହଜନକ ଯେ କେନ୍ଦ୍ର ସରକାର ଶ୍ରମ ମନ୍ତ୍ରାଳୟର ଅନୁରୋଧ କ୍ରମେ ନୀତି ଆୟୋଗ ଅଣସଙ୍ଗଠିତ କ୍ଷେତ୍ର କର୍ମଚାରୀଙ୍କ ସମେତ ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ନୀତି ପ୍ରସ୍ତୁତ କରିଛନ୍ତି ।  ଏହି ନୀତି ପ୍ରସ୍ତାବ ପ୍ରବାସୀ ଶ୍ରମିକମାନଙ୍କର ସଂଖ୍ୟା ଓ ଭୂମିକା, ସେମାନଙ୍କର ସମସ୍ୟା, ଦୁର୍ବଳତା, ସହିତ ଏହି ସମସ୍ୟାର ସମାଧାନରେ ବିଭିନ୍ନ ହିତାଧିକାରୀଙ୍କ ଭୂମିକା ଆଉ ଦାୟିତ୍ଵ ଗୁରୁତ୍ୱପୂର୍ଣ୍ଣ । ଓଡିଶା ପାଇଁ ଏକ ଅପୂର୍ବ ସୁଯୋଗ । ସମସ୍ତ ପ୍ରବାସୀ ଲୋକଙ୍କ ଏକ ତଥ୍ୟ ସଂଗ୍ରହ କରି ଅନୁଷ୍ଠାନିକ ରୂପେ ସେମାନଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦେବା ନିତାନ୍ତ ଜରୁରୀ । ଅନ୍ୟ ରାଜ୍ୟ ସହ ଉତ୍ତମ ବୁଝାମଣା କରି ଶ୍ରମ ଅଧିକାର ଦୃଷ୍ଟିକୋଣ ନୀତିର ଏକ ମାର୍ଗଦର୍ଶକ ହେବା ଆବଶ୍ୟକ ।, ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ବିଶେଷକରି ଅନୁସୂଚୀ ୮.୮ ଉଚ୍ଛେଦରେ ଶ୍ରମିକଙ୍କ ମୌଳିକ ଅଧିକାର, ବିଶେଷକରି ପ୍ରବାସୀମାନଙ୍କ ପାଇଁ ଏକ ନିରାପଦ ପରିବେଶ ଯୋଗାଇବା ପାଇଁ ରାଜ୍ୟ ସରକାର ପ୍ରୟାସ କରିବା ବିଧେୟ ।

(Sarbeswar Padhan teaches Economics in Delhi University. Ha can be reached at sarbeswarpadhan0@gmail.com)

Indigenous Voice

Comments

Leave a Reply

Your email address will not be published. Required fields are marked *