ମାନ୍ୟବର କାଂଶୀରାମ ସାହେବଙ୍କ ସାମାଜିକ ଓ ରାଜନୈତିକ ଦର୍ଶନ
“ରାଜନୀତି ସତ୍ତା ହେଉଛି ମୂଖ୍ୟ ଚାବିକାଠି, ଯାହା ସମସ୍ତ ସମାଧାନରଦ୍ୱାର ଖୋଲି ଦେଇପାରେ ।” ଏକ ନିର୍ଦ୍ଧିଷ୍ଟ ବୈଜ୍ଞାନିକ ପଦ୍ଧତିକ୍ରମେ ମାନ୍ୟବର କାଂଶୀରାମ ସାହେବ BAMCEF, BRC, DS4 ସଂଗଠନ ନିର୍ମାଣ କରି ମାନ୍ୟବର କାଂଶୀରାମ ସାହେବ ସମଗ୍ର ଦେଶବ୍ୟାପୀ ବହୁଜନ ସମାଜକୁ, ଶିକ୍ଷିତ, ଆନ୍ଦୋଳିତ ଏବଂ ସଂଗଠିତ କଲେ । ପରିଣାମ ସ୍ୱରୂପ ବହୁଜନ ସମାଜରେ ଏକ ନୂତନ ରାଜନୀତିକ ଚେତନା ଓ ଆମ୍ବେଦକରବାଦୀ ଶାସକବର୍ଗ ହେବା ପାଇଁ ବହୁଜନ ଶକ୍ତିର ସଞ୍ଚାର ହେଲା ।
ମାନ୍ୟବର କାଂଶୀରାମ ସାହେବ ଏକାଧାରରେ ଜଣେ ଦୂରଦୃଷ୍ଟିସମ୍ପନ୍ନ ଆମ୍ବେଦକରବାଦୀ, ସଂଗଠକ, ନୀତିବାନ ରାଷ୍ଟ୍ରନୀତିଜ୍ଞ, ଆଚରଣଶୀଳ ବୋଧିସତ୍ତ୍ୱ, ଉଚ୍ଚକୋଟୀର ଲେଖକ ଓ ସଂପାଦକ ଥିଲେ । ଆଧୁନିକ ସାମ୍ବିଧାନିକ ଭାରତରେ ଦଳିତ ଓ ଶୋଷିତ ବର୍ଗର ଉପଯୁକ୍ତ କ୍ରାନ୍ତିକାରୀ ପ୍ରତିନିଧିତ୍ୱ କରିବାରେ ସେ ନିଜର ସର୍ବସ୍ୱ ବଳିଦାନ ଦେଇଥିଲେ । ଦଳିତ, ଆଦିବାସୀ ପଛୁଆ ବର୍ଗ ତଥା ଧାର୍ମିକ ସଂଖ୍ୟାଲଘୁ ସଂପ୍ରଦାୟର ସାମାଜିକ ସୁରକ୍ଷା, ଆର୍ଥିକ ବିକାଶ ଓ ରାଜନୈତିକ ଅଧିକାରକୁ ସାମ୍ବିଧାନିକ ଉପାୟରେ ଲାଗୁକରିବା ପାଇଁ ସେ ସଡକରୁ ସଂସଦ ଯାଏ ଆନ୍ଦୋଳନ କରିଥିଲେ । ଆଧୁନିକ ଭାରତର ମୁକ୍ତି ଦାତା, ସମ୍ବିଧାନର ଜନକ ବିଶ୍ୱରତ୍ନ ବାବାସାହେବ ଡକ୍ଟର ବି. ଆର୍. ଆମ୍ବେଦକରଙ୍କ ଜୀବନୀ ଓ ଦର୍ଶନରେ ଅନୁପ୍ରାଣିତ ହୋଇ କାଂଶୀରାମ ଭାରତୀୟ ଜାତିବାଦୀ ଓ ପୁଞ୍ଜିବାଦୀ ରାଜନୀତିକୁ ସଂପୂର୍ଣ୍ଣ ପରିବର୍ତ୍ତନ କରି ଆତ୍ୟାଚାରିତ, ନିଷ୍ପେଷିତ ଶୋଷିତ ୬୭୪୩ ଜାତିରେ ବିଭକ୍ତ ବହୁଜନ ସମାଜକୁ ସଂଗଠିତ କରିଥିଲେ । ତତ୍ସଙ୍ଗେ ବହୁଜନ ଶାସନ ପ୍ରତିଷ୍ଠା ନିମନ୍ତେ ଏକ ନୂତନ ବୈଜ୍ଞାନିକ ପ୍ରାରୂପ ତିଆରି କରି ସମଗ୍ର ବିଶ୍ୱ ରାଜନୈତିକ ଦରବାରରେ ଚିର ନମସ୍ୟ ହୋଇ ରହିଗଲେ । ତାଙ୍କ କ୍ରାନ୍ତିକାରୀ ବ୍ୟକ୍ତିତ୍ୱ, ମାନବତାବାଦୀ ଚିନ୍ତାଧାରା, ମୈତ୍ରୀପୂର୍ଣ୍ଣ ଆଚରଣ, ଅଗ୍ନିବର୍ଷୀ ଭାଷଣ ଓ ସରଳ ଦୁର୍ନୀତିବିହୀନ ଜୀବନଯାପନ ପ୍ରକୃତରେ ଭାରତୀୟ ରାଜନୀତିକୁ ଏକ ନୂତନ ପରିଭାଷା ଦେଇଅଛି । ବ୍ୟକ୍ତିଗତ ସମ୍ପତ୍ତି ଓ ଲୋଭଳାଳସାର ରୀଜନୀତିରୁ ଉର୍ଦ୍ଧ୍ୱରେ ରହି ମାନ୍ୟବର କାଂଶୀରାମ ମୂଖ୍ୟସ୍ରୋତରେ ଥିବା ରାଜନୀତିକ ଦଳ କଂଗ୍ରେସ, କମ୍ୟୁନିଷ୍ଟ, ବି.ଜେ.ପି. ଓ ଆନ୍ୟାନ୍ୟ ସମାଜବାଦୀମାନଙ୍କୁ ଏକ ଆଦର୍ଶ ମାନବତାବାଦୀ ଜନନାୟକର ଚରିତ୍ର ଓ ବ୍ୟକ୍ତିତ୍ୱର ଉପଯୁକ୍ତ ଉଦାହରଣ ଦେଇ ଯାଇଛନ୍ତି ।
୧୯୩୪ ମସିହା ମାର୍ଚ୍ଚ ୧୫ ତାରିଖ ଦିନ ପଞ୍ଜାବ ରାଜ୍ୟର ରୁପର ଜିଲ୍ଲାରେ ଅବସ୍ଥିତ ଖୱାସପୁର ଗ୍ରାମରେ କାଂଶୀରାମ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ବିଶନ୍ ବେଦୀ ଓ ବାପାଙ୍କ ନାମ ହରି ସିଂ ଥିଲା । ପାଞ୍ଚ ଏକର ଜମି ଥିବା ଏକ ନିମ୍ନ ମଧ୍ୟବିତ୍ତ ଅନୁସୂଚିତ ଜାତି-ଚମାର-ଶିଖ ପରିବାରର ସେ ଥିଲେ ଜ୍ୟେଷ୍ଠ ପୁତ୍ର । ତାଙ୍କର ଦୁଇ ସାନ ଭାଇ ଓ ଚାରୋଟି ଭଉଣୀ ଥିଲେ । କାଂଶୀରାମଙ୍କ ଜେଜେବାପା ତେଳୁରାମ୍ ଓ ମାମୁଁ ସେନାବାହିନୀରେ ଚାକିରି କରି ଦେଶସେବା ପାଇଁ ସୁନାମ ଅର୍ଜନ କରିଥିଲେ । ସେ ପିଲାଦିନରୁ ଉଚ୍ଚ ପ୍ରତିଭା ସମ୍ପନ୍ନ ମେଧାବୀ ଛାତ୍ର ଥିଲେ । ପାଖ ଗାଁ ମାଲିକପୁରଠାରେ ସେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଲେ । ସେହି ସମୟରେ ତାଙ୍କୁ ମେଧାବୀ ଛାତ୍ରବୃତ୍ତି ଚାରିଟଙ୍କା ମିଳୁଥିଲା । ରୂପାର୍ ସ୍ଥିତ ଡିଏଭିହାଇସ୍କୁଲରୁ ସେ ଦଶମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ । ସେ ସ୍କୁଲରୁ ଫେରିବା ପରେ ନିଜ ମାଆଙ୍କୁ ପନିପରିବା ବିକ୍ରି କରିବାରେ ସାହାଯ୍ୟ କରୁଥିଲେ । ହାଇସ୍କୁଲ ସମୟରେ ତାଙ୍କୁ ଛାତ୍ରବୃତ୍ତି ୮ ଟଙ୍କା ମିଳୁଥିଲା । କାଂଶୀରାମ ନିଜପରିବାରର ଏକମାତ୍ର ସ୍ନାତକ ଥିଲେ । ସେ ପ୍ରଶାସନିକ ଅଧିକାରୀ ହେବେ ବୋଲି ତାଙ୍କ ମା-ବାପାଙ୍କର ଆଶାଥିଲା । ଦେଖିବାକୁ ସୁନ୍ଦର ଡେଙ୍ଗା, ବଳିଷ୍ଠ ଶରୀର ଓ ମୈତ୍ରୀପୂର୍ଣ୍ଣ ନିର୍ଭୀକ ଆଚରଣ ଯୋଗୁଁ ସମସ୍ତଙ୍କର ସେ ପ୍ରିୟଭାଜନ ହୋଇପାରୁଥିଲେ । ତାଙ୍କୁ ଏକଦା ପଞ୍ଜାବୀ ସିନେମାରେ ମୂଖ୍ୟ ନାୟକ ଭୂମିକା କରିବାକୁ ସୁଯୋଗ ମିଳିଥିଲା କିନ୍ତୁ ସେ ମନା କରିଦେଇଥିଲେ । ୧୯୫୬ ମସିହାରେ ରୁପର ବିଜ୍ଞାନ ମହାବିଦ୍ୟାଳୟରୁ କାଂଶୀରାମ ବି.ଏସ୍.ସି. ପାଶ୍ କଲେ । ପିଲାଦିନରୁ କୁସ୍ତି କରିବା ଓ ବୈଜ୍ଞାନିକ ପରୀକ୍ଷଣ କରିବା କାର୍ଯ୍ୟରେ ତାଙ୍କର ବିଶେଷ ରୁଚି ଥିଲା । ବାବାସାହେବ ଆମ୍ବେଦକରଙ୍କ ପରି ଦୁଃଖକଷ୍ଟ ପୂର୍ଣ୍ଣ ଜାତି ଉତ୍ପୀଡନର କଟୁ ଅନୁଭବ ବାଲ୍ୟ ଜୀବନରେ ମାନ୍ୟବର କାଂଶୀରାମଙ୍କୁ ମିଳି ନଥିଲା । ଯାହାର କାରଣ ଦର୍ଶାଇବାକୁ ଯାଇ ସେ ମହାନ୍ ରାଜନୀତିକ ବିଜ୍ଞାନ ବିଶାରଦ Christopher Jefferletକୁ ଏକ ସାକ୍ଷାତକାରରେ କହିଥିଲେ ଯେ, “ମୁଁ ଏକ ଦଳିତ ଶିଖ୍ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ବ୍ରାହ୍ମଣବାଦୀ ସାମାଜିକ ବ୍ୟବସ୍ଥାରେ ଥିବା ହିନ୍ଦୁଧର୍ମାବଲମ୍ବୀ ଦଳିତମାନଙ୍କ ପରି ଉତ୍କଟ ଜାତି ଉତ୍ପୀଡନର ଶିକାର ହୋଇନାହିଁ । କାରଣ ଶିଖ୍ ଧର୍ମଗୁରୁଙ୍କ ଶିକ୍ଷା ବିଶେଷତଃ ସମାନତାବାଦୀ ଓ ବିକାଶୋନ୍ମୁଖୀ ଯାହା ଜାତିବାଦୀ ହିନ୍ଦୁଧର୍ମର ମନୁବାଦୀ କୂଟନୀତିର ସଂମ୍ପୂର୍ଣ୍ଣ ବିପରୀତ ।” ୧୯୫୨ ମସିହାରେ କାଂଶୀରାମଙ୍କୁ କେନ୍ଦ୍ର ସରକାରଙ୍କ ଡିଆରଡିଓ ବା ରକ୍ଷା ବିଭାଗରେ ବିଜ୍ଞାନଗାର ସହାୟକ ପଦବୀରେ ନିଯୁକ୍ତି ମିଳିଲା । ଡିଆରଡିଓ ପରିଚାଳିତ ପୁନା ନିକଟସ୍ଥ କିର୍କେ ଯୁଦ୍ଧ ସାମଗ୍ରୀ ପ୍ରସ୍ତୁତି କାରଖାନାରେ ସେ କନିଷ୍ଠ ବୈଜ୍ଞାନିକ ଭାବେ ଦୀର୍ଘ ୧୨ ବର୍ଷ କାର୍ଯ୍ୟରତ ଥିଲେ । ୧୯୬୪ ମସିହାରେ ଏକ ବିଶିଷ୍ଟ ଜାତିବାଦୀ ଘଟଣା ତାଙ୍କ କମ୍ପାନୀରେ ଘଟିଲା ଯାହା ମାନ୍ୟବର କାଂଶୀରାମଙ୍କୁ କଠୋର ଘୃଣ୍ୟ ଜାତିବାଦୀ ବ୍ୟବସ୍ଥାର ଅମାନବୀୟ ଭେଦଭାବ ସହିତ ସମ୍ମୁଖ ପରିଚୟ ଓ ହୃଦୟଙ୍ଗମ କରାଇଲା । ଯାହାର ପରିଣାମସ୍ୱରୂପ କେନ୍ଦ୍ର ସରକାରର ଉଚ୍ଚଶ୍ରେଣୀୟ ବୃତ୍ତଧାରୀ ଏକ ବୈଜ୍ଞାନିକ ଯୁବକ ଭବିଷ୍ୟତରେ ଆମ୍ବେଦକରବାଦୀ ବହୁଜନ ସଂଗଠକ, ସାମାଜିକ ଆନ୍ଦୋଳନକର୍ତ୍ତା ଓ ମହାନ୍ କ୍ରାନ୍ତିକାରୀ ରାଷ୍ଟ୍ରନୀତିଜ୍ଞ ମାନ୍ୟବର କାଂଶୀରାମ ସାହେବଙ୍କୁ ଜନ୍ମ ଦେବ ବୋଲି ସେଦିନ କାହାରିକୁ ମଧ୍ୟ ପୂର୍ବାଭାଷ ହୋଇ ନ ଥିଲା । ପୁନା ସ୍ଥିତ ସେହି ଇଆରଡ଼ିଏଲ କାରଖାନାରେ ମାନ୍ୟବର କାଂଶୀରାମଙ୍କୁ କେହି ମଧ୍ୟ ଦଳିତ କିମ୍ବା ଅନୁସୂଚିତ ଜାତି କହି କୌଣସି ଭେଦଭାବ କରୁନଥିଲେ । ୧୯୬୪ ମସିହାରେ ସେହି ବର୍ଷ ଋଜଊଖ ର ମ୍ୟାନେଜମେଣ୍ଟ ବାବାସାହେବ ଆମ୍ବେଦକର ଜୟନ୍ତୀ ଓ ବୁଦ୍ଧ ପୂର୍ଣ୍ଣିମା ଛୁଟିଦିବସକୁ ରଦ୍ଦ କରି ତିଲକ୍ ଜୟନ୍ତୀ ଦିବସକୁ ଛୁଟି ଘୋଷଣା କଲା । ସେହି ଘଟଣାକୁ ବିରୋଧ କରି ଏକ ଚତୁର୍ଥ ଶ୍ରେଣୀ କର୍ମୀ ଦିନାଭାନ । ସମସ୍ତ ଆମ୍ବେଦକର ବାଦୀ ଓ ବୁଦ୍ଧିଷ୍ଟ କର୍ମଚାରୀଙ୍କୁ ନେଇ ବିରୋଧ ପ୍ରଦର୍ଶନ କଲେ । ସେହି କାର୍ଯ୍ୟରେ ତାଙ୍କ ମୁଖ୍ୟ ସହଯୋଗୀ ଥିଲେ ଅନ୍ୟ ଜଣେ କର୍ମଚାରୀ ଡି.କେ. ଖାପାର୍ଡେ । ସେମାନଙ୍କ ଦାବୀକୁ ଅମାନ୍ୟକରି ମ୍ୟାନେଜମେଣ୍ଟ ଦିନାଭାନାଙ୍କୁ ଚାକିରୀରୁ ନିଳମ୍ବିତ କରିଦେଲା । ଉକ୍ତ ଘଟଣା ବିଷୟରେ କାଂଶୀରାମ୍ ସମ୍ପୂର୍ଣ୍ଣ ଅବଗତ ହେଲାପରେ ନିଜସ୍ୱ ସମୟ ଓ ପଇସା ଖର୍ଚ୍ଚ କରି ଦିନାଭାନା ସପକ୍ଷରେ ନ୍ୟାୟାଳୟରେ ମୋକଦ୍ଦମା ଲଢ଼ିଲେ । ସେ ନିଜେ ଏହି ମ୍ୟାନେଜମେଣ୍ଟର ଜାତିବାଦୀ ପଦକ୍ଷେପ ବିରୋଧରେ ରକ୍ଷାମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ । ପରିଣାମସ୍ୱରୂପ ଦିନାଭାନାଙ୍କୁ ସେହି କେଶ୍ରେ ବିଜୟ ମିଳିଲା । ବାଧ୍ୟ ହୋଇ ମ୍ୟାନେଜମେଣ୍ଟ ଆମ୍ବେଦକର ଜୟନ୍ତୀ ଓ ବୁଦ୍ଧ ପୂର୍ଣ୍ଣିମାକୁ ପୂର୍ବବତ୍ ଛୁଟି ଦିବସ ରୂପେ ଘୋଷଣା କଲା । ସେହି ଘଟଣା ଘଟିତ ହେବାପରେ ସମଗ୍ର ଋଜଊଖ ସଂସ୍ଥାରେ ମାନ୍ୟବର କାଂଶୀରାମ ସମସ୍ତଙ୍କ ମୂଖ୍ୟ ଆକର୍ଷଣ ପାଲଟିଗଲେ । ଡି.କେ ଖାପାର୍ଡେ କାଂଶୀରାମଙ୍କୁ ଆମ୍ବେଦକରଙ୍କ ଲିଖିତ Annhilation of Castes ବହିଟିଏ ସାଧୁବାଦ ଜଣାଇ ଆମ୍ବେଦକର ଜୟନ୍ତୀ ଅବସରରେ ଉପହାର ଦେଲେ । ସେହି ବହିଟିକୁ ତନ୍ନ ତନ୍ନ କରି ଅଧ୍ୟୟନ କଲାପରେ କାଂଶୀରାମଙ୍କ ସମ୍ପୂର୍ଣ୍ଣ ମାନସିକ ପରିବର୍ତ୍ତନ ହୋଇଗଲା ।
ବାମସେଫ୍
ଦୀର୍ଘ ଛଅ ବର୍ଷ ମହାରାଷ୍ଟ୍ରରେ ଆରପିଆଇ ଓ ଅନ୍ୟାନ୍ୟ ସାମାଜିକ, ରାଜନୈତିକ ସଂଗଠନରେ ସକ୍ରିୟ କାର୍ଯ୍ୟକର୍ତ୍ତା ହୋଇ ବହୁ କଟୁ ଅନୁଭବ ସାଉଁଟିଲା ପରେ ମାନ୍ୟବର କାଂଶୀରାମ ବାମ୍ସେଫ୍ ନାମକ ଏକ ନୂତନ ସଂଗଠନ ନିର୍ମାଣ କରିବା ପାଇଁ ଯୋଜନା କଲେ । ସ୍ୱାର୍ଥ ଲୋଭୀ ଭ୍ରମିତ ନେତୃତ୍ୱରେ ପରିଚାଳିତ ବହୁ ଖଣ୍ଡରେ ବିଭାଜିତ ଆରପିଆଇକୁ ଏକତ୍ରିତ କରିବା ଅସମ୍ଭବ ବୋଲି ସେ ହୃଦୟଙ୍ଗମ କଲେ । ତେଣୁ ଆମ୍ବେଦକରବାଦକୁ ବହୁଜନ ସମାଜର ଶିକ୍ଷିତ ବର୍ଗଙ୍କୁ କିପରି ସାମାଜିକ ସଚେତନତା ମାଧ୍ୟମରେ ପ୍ରଶିକ୍ଷଣ ଦେଇ ଏକତ୍ରିତ କରାଯାଇପାରିବ, ସେଥିପାଇଁ ସେ ଏକ ଉପାୟ କୌଶଳପୂର୍ଣ୍ଣ ଓ ବିଧିବଦ୍ଧ ଯୋଜନା କଲେ । ଦିଲ୍ଲୀର ପଞ୍ଚକୁଆ ହଲ ନିକଟସ୍ଥ ଏକ ଗୃହରେ ୧୯୭୩ ମସିହାରେ ଶହେରୁ ଉର୍ଦ୍ଧ ଚାକିରିଆବନ୍ଧୁଙ୍କୁ ଏକତ୍ରିତ କରି ସେ ବାମ୍ସେଫ୍ର ସଂଗଠନ ନିର୍ମାଣମୂଳକ ଘୋଷଣା କଲେ । ଆସନ୍ତା ପାଞ୍ଚ ବର୍ଷରେ ଦୁଇ ଲକ୍ଷ SC, ST, OBC, Minority ବହୁଜନ ବର୍ଗର ଚାକିରିଆ ବନ୍ଧୁମାନଙ୍କୁ ଆମ୍ବେଦକବାଦ ବିଚାରଧାରା ଯୋଡିଲାପରେ ବାମ୍ସେଫ୍ର ପ୍ରକୃତ ଢ଼ାଞ୍ଚାଗତ ରୂପରେଖ ନିର୍ମାଣ ହେବବୋଲି ସେ ସମସ୍ତଙ୍କୁ ସୁସ୍ପଷ୍ଟ ସମ୍ବୋଧନ କଲେ । ବାମ୍ସେଫ୍ ସଂଗଠନକୁ ଢ଼ାଞ୍ଚାଗତ ରୂପରେଖ ଦେବା ପାଇଁ କାଂଶୀରାମ ସମଗ୍ର ଭାରତର ପ୍ରତିଟି ରାଜ୍ୟର କୋଣ ଅନୁକୋଣକୁ ଯାତ୍ରାକରି କ୍ୟାଡ୍ର ମିଟିଙ୍ଗ୍ ଆୟୋଜିତ କଲେ ।
ବାମ୍ସେଫ୍ ବ୍ୟାନର ତଳେ ଏକତ୍ରିତ ହୋଇ ହଜାର ହଜାର ବହୁଜନ ଚାକିରିଆ ବନ୍ଧୁ ମାନ୍ୟବର କାଂଶୀରାମ ସାହେବଙ୍କୁ ଜୀବନ୍ତ ଆମ୍ବେଦକର ବୋଲି ସମ୍ବୋଧନ କରିବାକୁ ଲାଗିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ବାମ୍ସେଫ୍ ସଂଗଠନ ନିର୍ମାଣ କାର୍ଯ୍ୟରେ ମହାରାଷ୍ଟ୍ରର ଶହଶହ ଚାକିରିଆ ଆମ୍ବେଦକରବାଦୀ ବନ୍ଧୁମାନେ ତାଙ୍କୁ ସାହାଯ୍ୟ ସହଯୋଗ କଲେ । ତନ୍ମଧ୍ୟରୁ ଡି.କେ. ଖାପାର୍ଡେ, ଦିନାଭାନା ପରି ଅତି ବିଶ୍ୱସ୍ତ ସହଯୋଗୀଙ୍କୁ ପାଇ କାଂଶୀରାମ ବାମ୍ସେଫ୍ ନିର୍ମାଣ କାର୍ଯ୍ୟରେ ସଫଳ ହେଲେ । ବାବାସାହେବ ଆମ୍ବେଦକରଙ୍କ ଲିଖିତ ବିଭିନ୍ନ ଗ୍ରନ୍ଥ ଓ ସାହିତ୍ୟ ଗୁଡିକୁ ପଢି କାଂଶୀରାମ ଗଭୀର ଚିନ୍ତନମନନ କଲେ । ତାଙ୍କୁ ଲାଗିଲା ସମଗ୍ର ଭାରତ ଦେଶର ବହୁଜନ, ଶୋଷିତ, ଅବହେଳିତ ସମାଜର ସମସ୍ତ ସମସ୍ୟାର ସମାଧାନ ଆମ୍ବେଦକରବାଦ ମାଧ୍ୟମରେ ସମ୍ଭବ ହୋଇପାରିବ । ଆମ୍ବେଦକରଙ୍କ ଲିଖିତ ମାନବତାବାଦୀ ସମ୍ବିଧାନକୁ ସଠିକ୍ ରୂପେ ଲାଗୁ କରିବା ପାଇଁ ବହୁଜନ ସମାଜକୁ ସଚେତନ କରିବା ନିତାନ୍ତ ଜରୁରୀ ବୋଲି ସେ ଅନୁଭବ କଲେ । “What Congress And Gandhi Have Done With The Untouchable” ବହିକୁ ପଢ଼ି ସେ ହୃଦୟଙ୍ଗମ କଲେ ଯେ କଂଗ୍ରସ ଦଳ ବହୁଜନ ସମାଜରେ ଚାମ୍ଚା, ଦଲାଲ ସୃଷ୍ଟିକରି ଆମ୍ବେଦକରବାଦକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ କରିଦେଇଅଛି । ଯାହାର ପରିଣାମ ସ୍ୱରୂପ ବହୁଜନ ସମାଜ ଜାତି ନିର୍ଯ୍ୟାତନା, ଦାରିଦ୍ର୍ୟ, ବହୁବିଧ ସାମାଜିକ ଉତ୍ପୀଡନର ପ୍ରତିଦିନ ଶିକାର ହେଉଅଛି । ଏହି ପରି ଅନୁଭବ କଲାପରେ କାଂଶୀରାମ ୧୯୭୧ ମସିହାରେ ଚାକିରିରୁ ଇସ୍ତଫା ଦେଲେ ଓ ୨୪ ପୃଷ୍ଠାର ଏକ ଚିଠି ନିଜ ମାଆଙ୍କୁ ଲେଖି ପଠାଇଲେ । ଏହା ପୂର୍ବରୁ ଏକ ସମ୍ମାନସ୍ପଦ ବିଶିଷ୍ଟ ବିଧାୟକ ଙ୍କ ଝିଅକୁ ବାହାହେବା ପ୍ରସ୍ତାବକୁ ଅମାନ୍ୟ କରି କାଂଶୀରାମ ତାଙ୍କ ପିତାଙ୍କ ଠାରୁ କଟୁ ମନ୍ତବ୍ୟ ଶୁଣି ସାରିଥିଲେ । ସେ ୨୪ ପୃଷ୍ଠାର ସେହି ଲମ୍ବା ଚିଠିରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଲେଖିଥିଲେ ତାହା ହେଲା, ମୁଁ କେବେ ବାହାହେବି ନାହିଁ, ବ୍ୟକ୍ତିଗତ ସମ୍ପତ୍ତି ରଖିବି ନାହିଁ ଓ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିବି ନାହିଁ । ଉପରୋକ୍ତ କଠୋର ନିଷ୍ପତ୍ତି ନେଇ, ମାନ୍ୟବର କାଂଶୀରାମ ମହାରାଷ୍ଟ୍ରରେ କାର୍ଯ୍ୟରତ ବିଭିନ୍ନ ସାମାଜିକ ଓ ରାଜନୈତିକ ସଂଗଠନଗୁଡିକରେ ସକ୍ରିୟ କାର୍ଯ୍ୟକର୍ତ୍ତା ହୋଇ ଗୌତମବୁଦ୍ଧ ଓ ଡକ୍ଟର ଆମ୍ବେଦକରଙ୍କ ବିଚାରଧାରାକୁ ସେ ବ୍ୟକ୍ତିଗତ ଜୀବନରେ ଆଚରଣାତ୍ମକ ଅଧ୍ୟୟନ କଲେ ।
ଆନୁଷ୍ଠାନିକ ଭାବରେ ୧୯୭୮ ମସିହା ଡିସେମ୍ବର ୬ ତାରିଖ – ବାବାସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ଦିନ ଦିଲ୍ଲୀର ବୋଟ କ୍ଲବ ଲନ୍ ରେ ବାମ୍ସେଫ୍ର ଘୋଷଣା କରାଗଲା । ସେହି ଗୁରୁତ୍ୱପୂର୍ଣ୍ଣ ସଭାରେ ସମଗ୍ର ଭାରତ ବର୍ଷର ପ୍ରତି ରାଜ୍ୟରୁ ୨୦୦୦ରୁ ଅଧିକ ପ୍ରତିନିଧି ଉପସ୍ଥିତ ଥିଲେ । ସମସ୍ତେ ଅତି ଉତ୍ସାହିତ ହୋଇ ଦୃଢ଼ ସଂକଳ୍ପବଦ୍ଧ ଚିତ୍ତରେ ବାବାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ । ବାମ୍ସେଫ୍ ର ମୂଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ସ୍ଥାପନ କରାଗଲା । ବାବାସାହେବଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ କାର୍ଯ୍ୟରେ ସଫଳ ରୂପାୟନ କରିବା ନିମନ୍ତେ ଶୋଷିତ ବହୁଜନ ସମାଜରୁ ଯୋଗ୍ୟ କାର୍ଯ୍ୟକର୍ତ୍ତା ଓ ସଫଳ ନେତୃତ୍ୱ ନିର୍ମାଣ କରିବା ସଂଗଠନର ମୌଳିକ ଦାୟିତ୍ୱ ଥିଲା । ମାନ୍ୟବର କାଂଶୀରାମ କହୁଥିଲେ ଆମ୍ବେଦକରବାଦକୁ ସାମ୍ବିଧାନିକ ରାଜନୈତିକ ସ୍ତରରେ ସଫଳ ରୂପାୟନ କରିବାକୁ ହେଲେ ସର୍ବ ପ୍ରଥମେ ଅଣ ରାଜନୈତିକ ତଥା ସାମାଜିକ ଆନ୍ଦୋଳନକୁ ମଜ୍ବୁତ୍ କରିବାକୁ ପଡ଼ିବ । ତାଙ୍କର ଦୃଢ଼ ବିଶ୍ୱାସ ଥିଲା ଯେ ଆମ୍ବେଦକରଙ୍କ କଠିନ ସଂଘର୍ଷ ଓ ବଳିଦାନର ପରିମାଣସ୍ୱରୂପ ଆରକ୍ଷଣ ପ୍ରାବଧାନ ଯୋଗୁଁ ଲାଭାନ୍ୱିତ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ସଂପ୍ରଦାୟର ଚାକିରିଆ ବନ୍ଧୁଙ୍କ ପାଖରେ ବହୁମୂଲ୍ୟ ସମୟ, ପ୍ରତିଭା ଓ ସଂସାଧାନ ଅଛି, ଯାହାକୁ ସମାଜର ଶିକ୍ଷାଗତ ବିକାଶ ଓ ସାମାଜିକ ସଚେତନତା କାର୍ଯ୍ୟରେ ବିନିଯୋଗ କଲେ ଅତିଶୀଘ୍ର ବହୁଜନ ସମାଜ ସମଗ୍ର ଦେଶରେ ଶାସକବର୍ଗ ହୋଇପାରିବେ ।
BAMCEF, BRC, DS4
ଆମ୍ବେଦକରବାଦକୁ ପୁର୍ନଜୀବିତ କରି ଭାରତରେ ବହୁଜନଶାସନ ପ୍ରତିଷ୍ଠା କରିବା ମାନ୍ୟବର କାଂଶୀରାମଙ୍କ ବୃହତ୍ ଲକ୍ଷ୍ୟ ଥିଲା । ସେ ବାମ୍ସେଫ୍ର ପ୍ରତ୍ୟେକ ସଦସ୍ୟଙ୍କୁ ବୁଝାଇ କହୁଥିଲେ, “ବାମସେଫ୍ ସଂଗଠନ ଚାକିରିଆମାନଙ୍କର, ଚାକିରିଆମାନଙ୍କଦ୍ୱାରା ଗଠିତ କିନ୍ତୁ ଚାକିରିଆମାନଙ୍କ ପାଇଁ ନୁହେଁ, ବାମ୍ସେଫ୍ ହେଉଛି ଆମ୍ବେଦକରବାଦର ସଫଳ ରୂପାୟନ ପାଇଁ ସାମାଜିକ ଅନୁଦାନ, ପ୍ରତିଦାନ ଦେଉଥିବା – ଅଣ ରାଜନୈତିକ ସଂଗଠନ ।” ବହୁଜନ ସମାଜର ସରକାରୀ ଚାକିରୀ କରୁଥିବା ବୃତ୍ତିଧାରୀ ବନ୍ଧୁମାନଙ୍କ ସୁରକ୍ଷା ନିମନ୍ତେ କାଂଶୀରାମ ବାମ୍ସେଫ୍ ସଂଗଠନକୁ ଅଣ ପଞ୍ଜିକୃତ, ଅଣ ଧାର୍ମିକ, ଅଣ ଆନ୍ଦୋଳନକାରୀ ସଂଗଠନର ରୂପରେଖ ଦେଇଥିଲେ । ନିଜ ବନ୍ଧୁତ୍ୱ ପୂର୍ଣ୍ଣ ସାମାଜିକ ବ୍ୟବହାର ଓ ସାହସିକ ସଂଗଠନାତ୍ମକ ଚିନ୍ତନଶୈଳୀ ଯୋଗୁଁ ସେ ସମଗ୍ର ଦେଶର ପ୍ରତିଟି ଜିଲ୍ଲାରୁ ବାମ୍ସେଫ୍ ସଦସ୍ୟ ନିର୍ମାଣ କରିପାରିଥିଲେ । ମାତ୍ର ଚାରିବର୍ଷ କାର୍ଯ୍ୟ କାଳରେ ବାମ୍ସେଫ୍ରେ ଲକ୍ଷ୍ୟ ଲକ୍ଷ୍ୟ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଶ୍ରେଣୀର ସରକାରୀ କର୍ମଚାରୀ ସକ୍ରିୟ ସଦସ୍ୟତା ଗ୍ରହଣ କଲେ । ୧୯୭୮, ୧୯୭୯, ୧୯୮୦ ଓ ୧୯୮୧ ପ୍ରଥମ ଚାରୋଟି ଜାତୀୟ ସ୍ତରରେ ଆୟୋଜିତ ବାମ୍ସେଫ୍ ବୈଠକରେ କାଂଶୀରାମ ସାହେବ ତାଙ୍କ ଘନିଷ୍ଠ ବନ୍ଧୁ ଜଣେ ମାହାର, ଜଣେ ଆଦିବାସୀ, ଜଣେ ମାଳି ଓ ଜଣେ ମୁସ୍ଲିମ୍ ବନ୍ଧୁକୁ ଅଧ୍ୟକ୍ଷତା କରିବା ପାଇଁ ଦାୟିତ୍ୱ ଦେଇଥିଲେ । ସେ ସମଗ୍ର ଭାରତର ପ୍ରତିଟି ଜିଲ୍ଲାରେ ଶହଶହ କ୍ୟାଡର ଟ୍ରେନିଙ୍ଗ ଦେଇ ଯେଉଁ ସାମାଜିକ ସଚେତନତା ସୃଷ୍ଟିକଲେ, ତାହାର ପରିଣାମ ସ୍ୱରୂପ ବାମ୍ସେଫ୍ର ଚାରୋଟିଯାକ ରାଷ୍ଟ୍ରୀୟ ଅଧିବେସନରେ ୩୦୦ ଜିଲ୍ଲାରୁ ଦଶ ହଜାରରୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗଦାନ ଦେଇଥିଲେ । ସ୍ୱାସ୍ଥ୍ୟ, ଆଇନ ଓ ସାହିତ୍ୟ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବାମ୍ସେଫ୍ ବହୁଜନ ସମାଜର ସାଧାରଣ ଗରିବ ଶୋଷିତ ଜନତାଙ୍କ ମନପ୍ରାଣରେ ଆମ୍ବେଦକରଙ୍କ ବିଚାରଧାରାକୁ ପହଞ୍ଚାଇବା ପାଇଁ ବହୁ ଉଦ୍ୟମ କଲା । ପରିଣାମସ୍ୱରୂପ ଅନେକ ଶିକ୍ଷିତ ଯୁବକଯୁବତୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ଗୀତବାଦ୍ୟ, ଜାଗୃତିଯଥା ଓ ଜନସଂସଦ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବାର ସୁଯୋଗ ପାଇପାରିଲେ । ମାନ୍ୟବରଙ୍କ ନେତୃତ୍ୱରେ ବହୁଜନ ଯୁବ, ମହିଳା, ଶ୍ରମିକ, ଛାତ୍ରମାନଙ୍କର ଅନେକ ସକ୍ରିୟ ଶାଖା ବାମ୍ସେଫ୍ର ସହାୟତାରେ ଗଢ଼ିଉଠିଲା ।
ବୌଦ୍ଧ ଅନୁସଂନ୍ଧାନ କେନ୍ଦ୍ର
ବିଶ୍ୱରତ୍ନ ବାବାସାହେବ ଆମ୍ବେଦକରଙ୍କ ପ୍ରସିଦ୍ଧ ଧମ୍ମକ୍ରାନ୍ତି ଓ ବୋଧିସତ୍ତ୍ୱ ଆଚରଣରୁ ବହୁମାତ୍ରାରେ ପ୍ରଭାବିତ ହୋଇ ମାନ୍ୟବର କାଂଶୀରାମ ୧୪ ଅକ୍ଟୋବର ୧୯୮୧ ମସିହାରେ ଏକ ବୌଦ୍ଧ ଅନୁସନ୍ଧାନ କେନ୍ଦ୍ର ପୁନା ଠାରେ ସ୍ଥାପନ କଲେ । ସେ ଆମ୍ବେଦକରଙ୍କ ଲିଖିତ ସାହିତ୍ୟକୁ ଗଭୀର ଅଧ୍ୟୟନ କରି ସେ ଜାଣିପାରି ଥିଲେ ଯେ ଭାରତର ପ୍ରକୃତ ସାହିତ୍ୟ ହେଉଛି ବ୍ରାହ୍ମଣବାଦ ଓ ବୁଦ୍ଧବାଦର ଏକ ସାଂସ୍କୃତିକ ସଂଘର୍ଷ । ତତ୍କାଳୀନ ପରିସ୍ଥିତିରେ ବୌଦ୍ଧଧମ୍ମରେ ଦୀକ୍ଷିତ ହୋଇଥିବା ନବବୌଦ୍ଧମାନେ ବିଭିନ୍ନ ଶାଖାରେ ବିଭକ୍ତ ହୋଇ ସମଗ୍ର ମହାରାଷ୍ଟ୍ରରେ କାର୍ଯ୍ୟରତ ଥିଲେ । ସେମାନଙ୍କ ମଧ୍ୟରୁ କୌଣସି ସଂସ୍ଥା ଭାରତୀୟ ସଂସଦୀୟ ଗଣତନ୍ତ୍ରରେ ଧମ୍ମ ଶାସନ ପ୍ରତିଷ୍ଠା କରିବା ପାଇଁ କିଞ୍ଚିତ୍ ପ୍ରୟାସ୍ କରୁନଥିଲେ । ବାବାସାହେବ ଯେଉଁ ମହାନ ଧମ୍ମକ୍ରାନ୍ତି ବିଶ୍ୱଦରବାରରେ ପ୍ରତିଷ୍ଠା କରିଥିଲେ, ସେହି ନବୟାନ ବୌଦ୍ଧ ଆନ୍ଦୋଳନରେ ସ୍ପଷ୍ଟ ରାଜନୈତିକ ଦର୍ଶନ ଥିଲା – ପ୍ରବୃଦ୍ଧ ଭାରତ ପ୍ରତିଷ୍ଠା କରିବା, ସମ୍ରାଟ ଅଶୋକଙ୍କ ଧମ୍ମ ଶାସନକୁ ପୁନଃ ପ୍ରତିଷ୍ଠା କରିବା । ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ଦୂରଦୃଷ୍ଟି ରଖି ଈଜଉ ର ସ୍ଥାପନା କରିଥିଲେ ମାନ୍ୟବର କାଂଶୀରାମ । ବହୁଜନ ମେଳା ମାଧ୍ୟମରେ ତଥାଗତ ଗୌତମ ବୁଦ୍ଧଙ୍କ ଠାରୁ ଆରମ୍ଭ କରି କବୀର, ରବିଦାସ, ନାରାୟଣ ଗୁରୁ, ଭୀମଭୋଇ, ପେରିୟାର, ସାବିତ୍ରୀବାଇ ଫୁଲେ, ଫାତିମାଙ୍କ ପରି ବହୁଜନ କ୍ରାନ୍ତିକାରୀ ବ୍ୟକ୍ତିତ୍ୱଙ୍କ ଜୀବନ ସଂଘର୍ଷକୁ ଗୀତ, ବାଦ୍ୟ, ନାଟକ, କାହାଣୀ ମାଧ୍ୟମରେ ସାଧାରଣ ଜନତାଙ୍କୁ ଅବଗତ କରାଇ ମାନସିକ ପରିବର୍ତ୍ତନ ଆଣିବା ସମ୍ଭବପର ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା । ସେ ମହାରାଷ୍ଟ୍ରର ନବବୌଦ୍ଧମାନଙ୍କୁ ଗୌରବପୂର୍ଣ୍ଣ ବୌଦ୍ଧ ସାଂସ୍କୃତିକ ଐତିହ୍ୟ ଓ ସମ୍ରାଟ ଅଶୋକଙ୍କ ପରି ଜନପ୍ରାଣୀ ମଙ୍ଗଳ ସୁଶାସନର ପୁନଃପ୍ରତିଷ୍ଠା ପାଇଁ ବୌଦ୍ଧ ଅନୁସଂଧାନ କେନ୍ଦ୍ରବିଆରସି ମାଧ୍ୟମରେ ଗହନ ଅଧ୍ୟୟନ, ଅନୁସନ୍ଧାନ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ।
ବୌଦ୍ଧ ଅନୁସନ୍ଧାନ କେନ୍ଦ୍ରର ଉଦ୍ଦେଶ୍ୟ ଓ କାର୍ଯ୍ୟଶୈଳୀକୁ ସୁସ୍ପଷ୍ଟ ବୁଝାଇ କାଂଶୀରାମ କହିଥିଲେ, ନବୟାନ ବୌଦ୍ଧ ଆନ୍ଦୋଳନ ତିନୋଟି ମୁଖ୍ୟ ବିନ୍ଦୁ ଉପରେ ନିର୍ଭର କରେ । ଯଥା (୧) ଆବଶ୍ୟକତା, (୨) ଦୃଢ଼ ସଂକଳ୍ପ, (୩) କ୍ଷମତା ମାନ୍ୟବର କାଂଶୀରାମ ସାହେବଙ୍କ ମତରେ ନବୟାନ ବୌଦ୍ଧ ଆନ୍ଦୋଳନକୁ ଉପଯୁକ୍ତ ଦିଗ୍ଦର୍ଶନ ଦେବାର ଆବଶ୍ୟକତା ରହିଅଛି । ସେଥିପାଇଁ ବିଭିନ୍ନ କାର୍ଯ୍ୟରତ ବୌଦ୍ଧ ସଂସ୍ଥାଗୁଡିକ ଈଜଉ ବ୍ୟାନର ତଳେ ଏକତ୍ରିତ ହୋଇ ବିଗତ ୩୫ ବର୍ଷରେ ବୌଦ୍ଧ ଆନ୍ଦୋଳନର ପ୍ରଗତି, ସଫଳତା ଓ ବିଫଳତା ସମ୍ପର୍କରେ ମହା ସଙ୍ଗାୟନ କରିବା ଉଚିତ୍ । ସେହି ମହାସଙ୍ଗାୟନରେ ବୈଜ୍ଞାନିକ ଚର୍ଚ୍ଚା, ଆତ୍ମମନ୍ଥନ ଓ ପ୍ରୟୋଗାତ୍ମକ ଧମ୍ମଯାତ୍ରାଗୁଡିକର ରୂପରେଖ ପ୍ରସ୍ତୁତ କରାଯିବା ନିତାନ୍ତ ଆବଶ୍ୟକ ବୋଲି ସେ ପ୍ରସ୍ତାବ ଦେଲେ । ବିଶ୍ୱର ବିଭିନ୍ନ ବୌଦ୍ଧ ରାଷ୍ଟ୍ରରୁ ଜ୍ଞାନୀଗୁଣି ବୌଦ୍ଧବିଦ୍ୱାନମାନଙ୍କୁ ଆମନ୍ତ୍ରଣ କରି ଗୋଟିଏ ବର୍ଷ ପର୍ଯ୍ୟନ୍ତ ଧମ୍ମ ପ୍ରଶିକ୍ଷଣ କାର୍ଯ୍ୟଶାଳା ଆରମ୍ଭ କରିବା ପାଇଁ ପୁନାରେ ସ୍ଥିର କରାଗଲା । ସେହ କାର୍ଯ୍ୟଶାଳାର ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟପାଇଁ ଦୃଢ଼ ସଂକଳ୍ପବଦ୍ଧ ଆମ୍ବେଦକରବାଦୀ ବୁଦ୍ଧିଷ୍ଟ କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ମୁଖକୁ ଆସିବା ପାଇଁ ଆହ୍ୱାନ କରାଗଲା । ଶେଷରେ ମାନ୍ୟବର କହିଲେ କ୍ଷମତାଲୋଭୀ ନହୋଇ କ୍ଷମତା ସମ୍ପନ୍ନ ବୌଦ୍ଧ ସଂଗଠକ ଓ ବୌଦ୍ଧ ବିଦ୍ୱାନ ସୃଷ୍ଟି କରିବାଦ୍ୱାରା ବାବାସାହେବଙ୍କ ପ୍ରବୃଦ୍ଧ ଭାରତ ନିର୍ମାଣ କାର୍ଯ୍ୟ ନିଶ୍ଚୟ ପୂରଣ ହେବ ବୋଲି ସେ ସମସ୍ତ ନବବୌଦ୍ଧ ସମାଜକୁ ଆହ୍ୱାନ କଲେ । ଈଜଉ ସଂଗଠନକୁ ଆର୍ଥିକ ଓ ସାମାଜିକ ସ୍ତରରେ ସୁଦୃଢ଼ କରିବା ପାଇଁ ସମସ୍ତ ଦଳିତ ଆମ୍ବେଦକରବାଦୀ ବୁଦ୍ଧିଷ୍ଟମାନଙ୍କୁ ଗୁରୁ ଦାୟିତ୍ୱ ଦିଆଗଲା । ଇଂରାଜୀ ଓ ହିନ୍ଦି ଭାଷାରେ ଏକ ଦ୍ୱୀଭାଷୀ ମାସିକ ବୌଦ୍ଧ ପତ୍ରିକା ପ୍ରକାଶନ କରି ସମଗ୍ର ଦେଶରେ ପ୍ରଚାର ପ୍ରସାର କରିବା ପାଇଁ ଯୋଜନା କରାଗଲା । କାଂଶୀରାମଙ୍କ ବୈଜ୍ଞାନିକ ଦୃଷ୍ଟିକୋଣ ଓ ଧର୍ମନିରପେକ୍ଷ ହେତୁବାଦୀ ଉପାୟକୌଶଳକୁ ଧୈର୍ଯ୍ୟ ସହକାରେ ଶୁଣିଲା ପରେ ମାହାର-ଦଳିତ-ଶୁଦ୍ର ଓ ବହୁଜନ ସମାଜରୁ ଉପସ୍ଥିତ ସଦସ୍ୟମାନେ ମାନ୍ୟବରଙ୍କୁ ସାଧୁବାଦ ଜଣାଇଲେ । ସେ ନିଜକୁ ଈଜଉ ସଂଗଠନର ନେତା କିମ୍ବା ସର୍ବେସର୍ବା ବୋଲି ଘୋଷଣା କରିନଥିଲେ । ମୈତ୍ରୀପୂର୍ଣ୍ଣ ଆଚରଣମାଧ୍ୟମରେ ନିଜକୁ ଏକ ସାଧାରଣ ବୌଦ୍ଧ ସଂଗଠନରୂପେ ନିଜ ପରିଚୟ ପ୍ରଦାନ କଲେ । ଦୀର୍ଘ ଏକ ବର୍ଷ କାଳ ସମଗ୍ର ମହାରାଷ୍ଟ୍ରରେ ଭ୍ରମଣ କରି ଶହ ଶହ ନବବୌଦ୍ଧ କର୍ମୀ ଓ ସଂଗଠକମାନଙ୍କୁ ସେ ସାକ୍ଷାତକରି ବିଭିନ୍ନ ବିଷୟରେ ଚର୍ଚ୍ଚା କଲେ । ତତ୍କାଳୀନ ପ୍ରସିଦ୍ଧ ବୌଦ୍ଧ ସଂଗଠନ ଯେପରିକି ଭାରତୀୟ ବୌଦ୍ଧ ମହାସଭା, ବିପାସନା ସଂଘ, ତ୍ରିରତ୍ନ ବୌଦ୍ଧ ମହାସଂଘ, ମହାବୋଧି ସୋସାଇଟି ଇତ୍ୟାଦି ପ୍ରମୁଖ ସଂଗଠନର ମୁଖ୍ୟ ପରିଚାଳକମାନଙ୍କୁ ଏକତ୍ରିତ କରି ଈଜଉ କୁ ବିଶ୍ୱ ପ୍ରସିଦ୍ଧ ନାଳନ୍ଦା ବିଶ୍ୱବିଦ୍ୟାଳୟ ସଦୃଶ ପୁନଃ ପ୍ରତିଷ୍ଠା କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା । ସେହି ବୌଦ୍ଧ ଅନୁସନ୍ଧାନ କେନ୍ଦ୍ରକୁ ସଫଳ ରୂପାୟନ କରିବାପାଇଁ ତ୍ୟାଗୀ, ନିଃସ୍ୱାର୍ଥପର ବଳିଦାନୀ ବୋଧିସତ୍ତ୍ୱ ବ୍ୟକ୍ତିତ୍ୱ ମାନଙ୍କର ବହୁ ଅନ୍ୱେଷଣ କରି ମାନ୍ୟବର କାଂଶୀରାମ ସଫଳ ହୋଇପାରିଲେ ନାହିଁ । ଅର୍ଥ, ବସ୍ତୁଗତ ସୁଖ ସୁବିଧା ଓ କ୍ଷମତା ଲୋଭୀ ମହାରାଷ୍ଟ୍ରର ନବବୌଦ୍ଧ ନେତୃ ବୃନ୍ଦ ଈଜଉ ମଡେଲକୁ କାର୍ଯ୍ୟକାରୀ କରିବାରେ ଆବଶ୍ୟକ ଅନୁଯାୟୀ ସାହାଯ୍ୟ ସହଯୋଗ କଲେନାହିଁ । ତଥାପି ମାନ୍ୟବର କାଂଶୀରାମଙ୍କ ବୋଧିସତ୍ତ୍ୱ ପ୍ରତିଭା ଓ ଆମ୍ବେଦକରବାଦୀ ବ୍ୟକ୍ତିତ୍ୱ ନିରାଶା ହୋଇ ନ ଥିଲେ । ଜଗ୍ଜୀବନ୍ ରାମ୍, ରାମ ବିଲାସ ପାଶୱାନ ଓ କର୍ପୁରୀ ଠାକୁରଙ୍କ ପରି ସଂଗ୍ରାମୀ ବହୁଜନ ନେତୃତ୍ୱ ମାନଙ୍କୁ ବାମ୍ସେଫ୍ ମଞ୍ଚରେ ଏକତ୍ରିତ କରି ବୌଦ୍ଧଧମ୍ମର ମାନବତାବାଦୀ ସୁସନ୍ଦେଶ ସେ ଶୁଣାଇପାରିଥିଲେ । ମହାରାଷ୍ଟ୍ର ଛାଡି ଉତ୍ତର ପ୍ରଦେଶ ପରି ମନୁବାଦ ଓ ବ୍ରାହ୍ମଣବାଦର ଦୁର୍ଗରେ ସେ ବହୁଜନ ମେଳା ଆୟୋଜନ କରିବାରେ ସଫଳ ହୋଇପାରିଥିଲେ । ବହୁଜନ ମହିଳା ନେତୃତ୍ୱ ଓ ନାରୀ ସଶକ୍ତିକରଣ କାର୍ଯ୍ୟରେ ସେ ସଫଳ ହୋଇ ସୁଶ୍ରୀ ଭଉଣୀ ମାୟାବତୀଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ସେ ଗୌତମବୁଦ୍ଧ ବିଶ୍ୱବିଦ୍ୟାଳୟ ଗ୍ରେଟର୍ ନୋଏଡା, ୟୁପିରେ ସ୍ଥାପନ କରି ଇତିହାସ ସୃଷ୍ଟି କଲେ ।
ଡି.ଏସ୍.ଫୋର୍ (ଦଳିତ ଶୋଷିତ ସମାଜ ସଂଘର୍ଷ ସମିତି)
ଡି.ଏସ୍.ଫୋର୍ ବା ଦଳିତ ଶୋଷିତ ସମାଜ ସଂଘର୍ଷ ସମିତି ନାମକ ଏକ ସାମାଜିକ ଓ ରାଜନୈତକ ଆନ୍ଦୋଳନାତ୍ମକ ସଂଗଠନ ୧୯୮୧ ମସିହା ଡିସେମ୍ବର ୬ ତାରିଖ ବାବାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ଦିନ କାଂଶୀରାମ ସାହେବ ସ୍ଥାପନ କଲେ । ଏକ ସଂଗଠନର ସାଧାରଣତଃ ମୂଖ୍ୟ ଉଦ୍ଦେଶ୍ୟ ଥିଲା ସମାଜର କୁପ୍ରଥା ଓ ସରକାରଙ୍କ ଅନ୍ୟାୟ ଜାତିବାଦୀ ଯୋଜନାଗୁଡିକ ବିରଦ୍ଧରେ ସାମାଜିକ ଆନ୍ଦୋଳନ କରିବା । ଏହି ସଂଗଠନର ଭବିଷ୍ୟତ କାର୍ଯ୍ୟକଳାପ ସମ୍ବନ୍ଧରେ ମାନ୍ୟବର କାଂଶୀରାମ ସାହେବ ତାଙ୍କ ସଂପାଦିତ ‘ଦି ଅପ୍ରେସଡ୍ ଇଣ୍ଡିଆନ’ ପତ୍ରିକାର ଏଡିଟୋରିଆଲ୍ ପୃଷ୍ଠାରେ ସେ ସ୍ପଷ୍ଟ ଲେଖିଥିଲେ, “ହାତୀ ସମ ବିଶାଳ ଆକୃତିର ବହୁଜନ ସମାଜରୁ ଦୃଢ଼ କର୍ତ୍ତବ୍ୟନିଷ୍ଠ ସାହସୀ ସାମାଜିକ ସକ୍ରିୟ କର୍ମକର୍ତ୍ତା ଖୋଜି ବାହାର କରିବା ଓ ସେମାନଙ୍କୁ ଉପଯୁକ୍ତ ଆମ୍ବେଦକରବାଦୀ ବିଚାରଧାରାରେ ପ୍ରଶିକ୍ଷଣ ଦେବା” ଯାହା ଫଳରେ ମାତ୍ର ୧୫ ପ୍ରତିଶତ ସଂଖ୍ୟାଲଘୁ ବିଦେଶୀ ଆର୍ଯ୍ୟ ବ୍ରାହ୍ମଣ ଗୋଷ୍ଠୀଙ୍କୁ କ୍ଷମତାରୁ ବିଚ୍ୟୁତ କରି ୮୫ ପ୍ରତିଶତ ବହୁଜନ ସମାଜର ନ୍ୟାୟିକ ଶାସନ ପ୍ରତିଷ୍ଠା କରିହେବ । ୧୯୮୨ ମସିହା ଜାନୁୟାରୀ ମାସରେ ବମ୍ବେ ସ୍ଥିତ ଜାହାଙ୍ଗିର ହଲ୍ରେ ଊଝ୪ ସଂଗଠନର ପ୍ରଥମ ପ୍ରାନ୍ତୀୟ ଅଧିବେଶନ ଆୟୋଜିତ ହୋଇଥିଲା । ଦ୍ୱିତୀୟ ଅଧିବେଶନ ଔରଙ୍ଗାବାଦର ମିଳିନ୍ଦ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଓ ତୃତୀୟ ଅଧିବେଶନ ନାଗପୁରରେ ଆୟୋଜିତ ହେଲା । ସେହି ପ୍ରଥମ ତିନୋଟି ଅଧିବେଶନରେ ବହୁସଂଖ୍ୟାରେ ଯୁବକ, ମହିଳା ଓ ଶିକ୍ଷିତ ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ମାତ୍ର ତିନିମାସ ମଧ୍ୟରେ ସମଗ୍ର ଦେଶରେ କାଂଶୀରାମ ସାହେବଙ୍କ ନେତୃତ୍ୱରେ ୧୧ଟି ପ୍ରାନ୍ତୀୟ ଅଧିବେଶନ ଆୟୋଜିତ ହେଲା । ଉକ୍ତ ସମ୍ମେଳନର ଅଧିବେଶନଗୁଡିକରେ ବହୁଜନ ମହିଳା ଓ ଯୁବଶକ୍ତିକୁ ଶିକ୍ଷିତ ହୋଇ ଆନ୍ଦୋଳନକର୍ତ୍ତା ହେବାପାଇଁ ମାୟାବତୀ ଆହ୍ୱାନ ଦେଇଥିଲେ । ସାମାଜିକ ଆନ୍ଦୋଳନ ସହିତ ସୀମିତ ରାଜନୀତିକ ସଂଘର୍ଷରେ ସହଭାଗୀ ହେବା ପାଇଁ ଏହି ସଂଗଠନ ପ୍ରଚେଷ୍ଟା କଲା । ୧୯୮୨ ମସିହା ୨୫ ଡିସେମ୍ବର ତାରିଖ ଦିନ ସଂଗଠନର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ‘ଜନତା ସଂସଦ’ କାର୍ଯ୍ୟକ୍ରମ ଆୟୋଜନ କଲେ । ମାନ୍ୟବର କାଂଶୀରାମଙ୍କର ତାହା ଥିଲା ଏକ ଉଚ୍ଚକୋଟୀର ଗଣତାନ୍ତ୍ରିକ ପରୀକ୍ଷଣ ଯାହା ମାଧ୍ୟମରେ ସାଧାରଣ ଗରିବ, ନିଷ୍ପେଷିତ ଜନତାଙ୍କ ମୌଳିକ ସମସ୍ୟା ଓ ସମାଧାନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଗଲା । ଦିଲ୍ଲୀର ବୋଟ୍ କ୍ଲବ ପ୍ରାଙ୍ଗଣରେ ଆୟୋଜିତ ସେହି ‘ଜନତା ସଂସଦ’ କାର୍ଯ୍ୟକ୍ରମ ସମଗ୍ର ଭାରତୀୟ ସଂସଦୀୟ ବ୍ୟବସ୍ଥାକୁ ଏକ ଖୋଲା ଚେତାବନୀ ଥିଲା । ଶହଶହ ସଂଖ୍ୟାରେ ସାଧାରଣ ଜନତା ଏହି ସଂଗଠନଦ୍ୱାରା ଆୟୋଜିତ ‘ଜନତା ସଂସଦ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଲାଗିଲେ । ସମଗ୍ର ଦେଶରେ ଏକ ଅପୂର୍ବ ରାଜୀତିକ ଚହଳ ସୃଷ୍ଟି କରିବାରେ କାଂଶୀରାମ ସଫଳ ହେଲେ । ଦିଲ୍ଲୀରେ ଲୋକଙ୍କଦ୍ୱାରା ନିର୍ବାଚିତ ହୋଇ ସଂସଦରେ ବସିଥିବା ସାଂସଦ ଓ ମନ୍ତ୍ରୀମାନଙ୍କୁ ତାଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରାଇବାରେ ଏହି ସଂଗଠନର କାର୍ଯ୍ୟକଳାପ ଏକ ଯୁଗାନ୍ତକାରୀ ପଦକ୍ଷେପ ପ୍ରମାଣିତ ହେଲା । ପୁନାଚୁକ୍ତି ଧିକ୍କାର ଦିବସ ଦୀର୍ଘ ଏକମାସ ଧରି ସମଗ୍ର ଦେଶରେ କାଂଶୀରାମଙ୍କ ଦ୍ୱାରା ଆୟୋଜିତ କରାଗଲା ।
ଦଳିତ ଶୋଷିତ ସମାଜ ସଂଘର୍ଷ ସମିତିଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ୨୪ ସେପ୍ଟେମ୍ବରରୁ ୨୪ ଅକ୍ଟୋବର ୧୯୮୨ ପର୍ଯ୍ୟନ୍ତ ଜାରି ରହିଲା । ଏହି ସଂଗଠନଦ୍ୱାରା ଆୟୋଜିତ ଏହି ପ୍ରଥମ ସାମାଜିକ ଆନ୍ଦୋଳନାତ୍ମକ କାର୍ଯ୍ୟ ତତ୍କାଳୀନ କଂଗ୍ରେସ ସରକାରକୁ ସିଧାସଳଖ ଚେତାବନୀ ଥିଲା । ବାବାସାହେବଙ୍କୁ ମାନସିକ ଓ ସାମାଜିକ ସ୍ତରରେ ଚାପପକାଇ ଗାନ୍ଧୀ ଓ କଂଗ୍ରେସଦଳଦ୍ୱାରା କରାଯାଇଥିବା ଜାତିବାଦୀ ଚକ୍ରାନ୍ତ ବିଷୟରେ ସମଗ୍ର ବହୁଜନ ସମାଜ ଅବଗତ ହୋଇପାରିଲେ । ସେହି ସମୟରେ ମାନ୍ୟବର କାଂଶୀରାମ ସାହେବ ‘ଚାମ୍ଚା ଯୁଗ’ ବହି ଲେଖି ଆରକ୍ଷିତ ସିଟ୍ରେ ନିବାଚନ ଜିତି ମନୁବାଦୀ ଦଳଗୁଡିକରେ ଚାମ୍ଚାଗିରି କରୁଥିବା ଝଉ, ଝଞ ନେତାଙ୍କୁ ଲୋକହସା କରିଦେଇଥିଲେ । ସଂଗଠନ ମାଧ୍ୟମରେ ସର୍ବ ଭାରତୀୟ ସ୍ତରରେ ୫ଟି ସାଇକେଲ ରାଲି ଆୟୋଜନ କରି ମାନ୍ୟବର କାଂଶୀରାମ ବିଶ୍ୱ ରାଜନିତୀରେ ଏଖ ଅପୂର୍ବ ରେକର୍ଡ ସ୍ଥାପନ କଲେ । ଉକ୍ତ ସାଇକେଲ ରାଲି ୬ ଡିସେମ୍ବର ୧୯୮୨ ରୁ ଆରମ୍ଭ ହୋଇ ୧୫ ମାର୍ଚ୍ଚ ୧୯୮୩ ରେ ଦିଲ୍ଲୀସ୍ଥିତ ବୋଟ୍ କ୍ଲବ ପ୍ରାଙ୍ଗଣରେ ଉଦ୍ଯାପିତ ହେଲା । ଦକ୍ଷିଣରେ ଡିସେମ୍ବର ଦିନ କନ୍ୟାକୁମାରୀଠାରୁ, ଉତ୍ତରରେ ୧୮ ଡିସେମ୍ବର କାର୍ଗିଲଠାରୁ, ଉତ୍ତର ପୂର୍ବରେ ୧୯ ଜାନୁୟାରୀ କୋହିମାଠାରୁ, ପୂର୍ବରେ ୨୦ ଜାନୁୟାରୀ ପୁରୀଠାରୁ ଓ ପଶ୍ଚିମରେ ୨୨ ଫେବୃୟାରୀ ପୋରବନ୍ଦରଠାରୁ ସର୍ବ ଭାରତୀୟ ସ୍ତରରେ ସାଇକେଲ ରାଲି ଆରମ୍ଭ ହେଲା । ଦୀର୍ଘ ୧୦୦ ଦିନ ଧରି ଆୟୋଜିତ ହୋଇଥିବା ଐତିହାସିକ ସାଇକେଲ ରାଲି ସଂଗଠନର ଲକ୍ଷ ଲକ୍ଷ ସଦସ୍ୟ ଅଂଶଗ୍ରହଣ କରିଥିଲେ ।
ସମଗ୍ର ଦେଶର ୫୦୦୦୦ କିଲୋମିଟର ଦୂରତା ଅତିକ୍ରମକରି, ୭୦୦୦ ମିଟିଙ୍ଗରେ ୧୦ କୋଟି ବହୁଜନ ସମାଜର ଗରିବ, ନିଷ୍ପେଷିତ ଜନତାଙ୍କ ସହ ଅନ୍ତରଙ୍ଗ ଭାତୃତ୍ୱପୂର୍ଣ୍ଣ ସମ୍ବନ୍ଧ ସ୍ଥାପନ କରିବାରେ ଊଝ୪ ସଫଳ ହେଲା । ସଂପୂର୍ଣ୍ଣ ର୍ୟାଲିରେ ଦେଢ଼କୋଟି ଟଙ୍କା ଖର୍ଚ୍ଚ ହେବାର ରିପୋର୍ଟ ଦିଆଗଲା । ମାନ୍ୟବର କାଂଶୀରାମ ସାହେବଙ୍କ ଜନ୍ମ ଦିବସ ମାର୍ଚ୍ଚ ୧୫ ତାରିଖ ଦିନ ସମଗ୍ର ଭାରତ ବର୍ଷରୁ ତିନି ଲକ୍ଷ କର୍ମୀ ସାଇକେଲ ଯାତ୍ରାକରି ଦିଲ୍ଲୀର ବୋଟ୍ କ୍ଲବ ପ୍ରାଙ୍ଗଣରେ ଉପସ୍ଥିତ ହେଲେ । କଂଗ୍ରେସର ତତ୍କାଳୀନ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ଆଖିରୁ ସେଦିନ ନିଦ ହଜିଯାଇଥିଲା । ସେଦିନ ରାଜଧାନୀର ରାଜରାସ୍ତା ବହୁଜନ ସମାଜର ସଂଗଠିତ ଶକ୍ତିକୁ ଦେଖି ବାବାସାହେବଙ୍କ ବିଚାରଧାରା ଓ ଦୂରଦୃଷ୍ଟିକୁ ହୃଦୟଙ୍ଗମ କରିପାରିଥିଲା । କେବଳ ଦୁଇଚକିଆ ସାଇକେଲକୁ ସାଧନ ସଂଗଠନର କର୍ମୀମାନେ ମାନ୍ୟବର କାଂଶୀରାମଙ୍କ ନେତୃତ୍ୱରେ ଅନେକ ପଥପ୍ରାନ୍ତ ନାଟକ, ନୃତ୍ୟଗୀତ, କାନ୍ଥଲେଖା, ଚିତ୍ରଣ, ପ୍ରଦର୍ଶନ, ସାମାଜିକ ସଚେତନତା, ବିକ୍ଷୋଭ ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମାତ୍ର ପାଞ୍ଚବର୍ଷରେ ବହୁଜନ ସମାଜକୁ ସଂଗଠିତ କରିବାରେ ବହୁମାତ୍ରାରେ ସଫଳ ହେଲେ ।
ବିଏସପି
“ରାଜନୀତି ସତ୍ତା ହେଉଛି ମୂଖ୍ୟ ଚାବିକାଠି, ଯାହା ସମସ୍ତ ସମାଧାନରଦ୍ୱାର ଖୋଲି ଦେଇପାରେ ।” ଏକ ନିର୍ଦ୍ଧିଷ୍ଟ ବୈଜ୍ଞାନିକ ପଦ୍ଧତିକ୍ରମେ ମାନ୍ୟବର କାଂଶୀରାମ ସାହେବ BAMCEF, BRC, DS4 ସଂଗଠନ ନିର୍ମାଣ କରି ସମଗ୍ର ଦେଶବ୍ୟାପୀ ବହୁଜନ ସମାଜକୁ, ଶିକ୍ଷିତ, ଆନ୍ଦୋଳିତ ଏବଂ ସଂଗଠିତ କଲେ । DS4 ମାଧ୍ୟମରେ ଆନ୍ଦୋଳନାତ୍ମକ ରାଲି ବୈଠକ ଓ ସୀମିତ ବନ୍ଧନରେ ପ୍ରୟୋଗାତ୍ମକ ରାଜନୀତିକ ପରୀକ୍ଷଣ କରିବାରେ ସେ ସଫଳ ହେଲେ । ୧୯୮୨ ଓ ୮୩ ମସିହାରେ ଏହି ସଂଗଠନର ସକ୍ରିୟ ପ୍ରଚାରପ୍ରସାର ମାଧ୍ୟମରେ ସର୍ବ ପ୍ରଥମେ ସେ ନିଜେ ଆଧୁନିକ ଛତିଶ୍ଗଡ ରାଜ୍ୟର ଜାଜାଙ୍ଗୀର, ଚାମ୍ପା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଲଢ଼ିଲେ, ତତ୍ସଙ୍ଗେ ସଙ୍ଗେ ସର୍ବ ଭାରତରେ ମଧ୍ୟ କିଛି ସକ୍ରିୟ ବହୁଜନ କାର୍ଯ୍ୟକର୍ତ୍ତା ନିର୍ବାଚନ ମଇଦାନରେ ସ୍ୱାଧୀନପ୍ରାର୍ଥୀ ରୂପେ ଓହ୍ଲାଇଲେ । ଏହି ସକ୍ରିୟ କାର୍ଯ୍ୟକର୍ତ୍ତାମାନେ ଭାରତୀୟ ରାଜନୀତିରେ ଉଚ୍ଚବର୍ଗ ଓ ଜାତିର ସମ୍ପୂର୍ଣ୍ଣ ବର୍ଚସ୍ୱ ତଥା ସେମାନଙ୍କ ଆର୍ଥିକ ଶୋଷଣ ମୂଳକ ପୁଞ୍ଜିବାଦୀ ରୀତିନୀତିଗୁଡିକୁ ସର୍ବସମ୍ମୁଖରେ ଉଜାଗର କଲେ । କିପରି ସମସ୍ତ ମନୁବାଦୀ ପୁଞ୍ଜିବାଦୀ କଂଗ୍ରେସ, ଜନତାଦଳ, କମ୍ୟୁନିଷ୍ଟ ଦଳଗୁଡିକ ବହୁଜନସମାଜର ୮୫% ଭୋଟକୁ ଛଳକପଟ କରି ହାତେଇ ନେଉଛନ୍ତି ଏବଂ ଶାସକବର୍ଗ ସାଜି ବହୁଜନ ସମାଜକୁ ଗରିବ, ନିଷ୍ପେଷିତ, ଅଶିକ୍ଷିତ ରଖି ବିଳାସବ୍ୟସନରେ ଜୀବନଯାପନ କରୁଛନ୍ତି, ସେହି ବିଷୟରେ ଏହି ସଂଗଠନ ଦ୍ୱାରା ମୁକ୍ତ ପ୍ରଚାର କରାଗଲା । ଏପରିକି ଦୈନନ୍ଦିନ ଘଟୁଥିବା ଜାତି ଉତ୍ପୀଡନ ଓ ନାରୀ ନିର୍ଯ୍ୟାତନା ପାଇଁ କିପରି ହିନ୍ଦଧର୍ମର ଦେବଦେବୀ, ପର୍ବପର୍ବାଣି ଦାୟୀ, ତାହା ମଧ୍ୟ ସେମାନେ ଲୋକଲୋଚନକୁ ଆଣିବାକୁ ଚେଷ୍ଟାକଲେ । ପରିଣାମ ସ୍ୱରୂପ ବହୁଜନ ସମାଜରେ ଏକ ନୂତନ ରାଜନୀତିକ ଚେତନା ଓ ଆମ୍ବେଦକରବାଦୀ ଶାସକବର୍ଗ ହେବା ପାଇଁ ବହୁଜନ ଶକ୍ତିର ସଞ୍ଚାର ହେଲା ।
୧୪ ଏପ୍ରିଲ ୧୯୮୪ ମସିହାରେ ମାନ୍ୟବର କାଂଶୀରାମ ସାହେବଙ୍କ ନେତୃତ୍ୱରେ ବହୁଜନ ସମାଜ ପାର୍ଟିର ସ୍ଥାପନ କରାଗଲା । ଯାହାର ସ୍ପଷ୍ଟ ଉଦ୍ଦେଶ୍ୟ ଥିଲା ସାମାଜିକ ପରିବର୍ତ୍ତନ ଓ ଆର୍ଥିକ ମୁକ୍ତି ପାଇଁ ସକ୍ରିୟ ବହୁଜନ ହିତାୟର ରାଜନୀତିକ ସଂଘର୍ଷ । ମାନ୍ୟବର କାଂଶୀରାମ କହୁଥିଲେ, “ଆତ୍ମସମ୍ମାନର ସହ ବଞ୍ଚିବା ଓ ଭୋଟ୍ର ମୂଲ୍ୟକୁ ବୁଝି ଆମ୍ବେଦକରବାଦୀ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିବା ଜଣେ ଦେଶଭକ୍ତ ଭାରତୀୟ ନାଗରିକର ପ୍ରକୃତ ପରିଚୟ ।” ସେଥିପାଇଁ ସେ ‘ବହୁଜନ ସଂଗଠକ’ ପତ୍ରିକାର ସଂପାଦକୀୟ ପୃଷ୍ଠାରେ ଲେଖିଥିଲେ, “୮୫% ବହୁଜନ ସମାଜ ଗରିବ ଓ କ୍ଷୁଧାତୁର ହୋଇ ସର୍ବଦା ବିକ୍ରିହେବା ପାଇଁ ପ୍ରସ୍ତୁତ ରୁହେ, ଯେଉଁ ସମାଜ ବିକ୍ରି ହେବାପାଇଁ ସର୍ବଦା ପ୍ରସ୍ତୁତ, ସେହି ସମାଜ କେବେହେଲେ ସମ୍ମାନସ୍ପଦ ସ୍ୱାଧୀନ ଜୀବନଯାପନ କରିପାରିବେ ନାହିଁ, ଏପରିକି ପ୍ରତିଦିନ ଜାତି, ବର୍ଣ୍ଣ, ଲିଙ୍ଗ ଓ ପୁଞ୍ଜି ଆଧାରରେ ଶୋଷକ ଶ୍ରେଣୀଠାରୁ ନିର୍ଯ୍ୟାତିତ ଓ ଅତ୍ୟାଚାରିତ ହେଲେ ମଧ୍ୟ ସେମାନଙ୍କୁ ଲଜ୍ୟାବୋଧ ହୁଏ ନାହିଁ, ସେମାନେ କେବଳ ଅସହାୟ ଦୁର୍ବଳ ହୋଇ ଭାଗ୍ୟ ଓ ଭଗବାନଙ୍କୁ ନିନ୍ଦାକରି କାନ୍ଦିକାନ୍ଦି ଆଖିଲୁହ ପିଇ ଦୁଃଖରେ ଜୀବନ କାଟି ଚାଲିଛନ୍ତି ।”
ବିଏସପିର ସର୍ବଭାରତୀୟ ପ୍ରଥମ ଜାତୀୟ ସମ୍ମିଳନୀ ଦିଲ୍ଲୀରେ ୨୨ ରୁ ୨୪ ଜୁନ ୧୯୮୪ ମସିହାରେ ଅନୁଷ୍ଠିତ ହେଲା । ସମ୍ମିଳନୀର ମୁଖ୍ୟ ବିଷୟ ଥିଲା, ଆମ୍ବେଦକରଙ୍କ ମହତ୍ ବାଣୀ – “ରାଜନୀତି ସତ୍ତା ହେଉଛି ମୂଖ୍ୟ ଚାବିକାଠି, ଯାହା ବହୁଜନସମାଜର ସମସ୍ତ ସମସ୍ୟାକୁ ସମାଧାନ କରିବାର ଦ୍ୱାର ଖୋଲିଦେଇ ପାରିବ ।“ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ସଂପ୍ରଦାୟର ନ୍ୟାର୍ଯ୍ୟଦାବୀ ଓ ଅଧିକାର ଗୁଡିକୁ ସାମ୍ବିଧାନିକ ଉପାୟରେ ନିଶ୍ଚିତ ପୂର୍ଣ୍ଣମାତ୍ରାରେ ଲାଗୁକରିବା ପାଇଁ ସକ୍ରିୟ ନେତୃତ୍ୱ ନେବାପାଇଁ ମାନ୍ୟବର କାଂଶୀରାମ ଦୀର୍ଘ ତିନିଦିନ ଧରି ପ୍ରଶିକ୍ଷଣ ଦେଲେ । ଉକ୍ତ ଜାତୀୟ ସମ୍ମିଳନୀରେ ସମସ୍ତ ରାଜ୍ୟରୁ ବହୁଜନ ପ୍ରତିନିଧିମାନେ ଯୋଗଦେଇ ‘ଜାତି ଜୋଡୋ ସମାଜ ଜୋଡୋ’ ମୁକ୍ତିବାଦୀ ରାଜନୀତିର ମୂଳଦୁଆ ସ୍ଥାପନ କଲେ । ଦିଲ୍ଲୀର କରୋଲ୍ ବାଗ୍ ନିକଟସ୍ଥ ରାଇଗରପୁରା ଅଞ୍ଚଳରେ ବହୁଜନ ସମାଜ ପାର୍ଟିର କାର୍ଯ୍ୟାଳୟ ପ୍ରତିଷ୍ଠା କରାଗଲା । ସର୍ବଭାରତୀୟ ବହୁଜନ ସମାଜର କାର୍ଯ୍ୟକର୍ତ୍ତା ବୃନ୍ଦ ମିଳିତ ସ୍ୱରରେ ‘ଜୟ ଭୀମ, ଜୟ ଭାରତ୍’ ସ୍ଲୋଗାନ ଦେଇ ବହୁଜନ କ୍ରାନ୍ତିର ବୀଜ ରୋପଣ କଲେ । ବି.ଏସ୍.ପି.କୁ ତଥାଗତବୁଦ୍ଧ ଓ ବାବାସାହେବଙ୍କ ଅତି ପ୍ରିୟ ନିଳ ଝଣ୍ଡା ଓ ସଂକେତ ‘ହାତୀ’ ନିର୍ବାଚନ ଦଳୀୟ ଚିହ୍ନ ମିଳିଲା । ବିଶାଳ ବହୁଜନ ସମାଜର ଏକତ୍ରିତ ସଂଗଠିତ ଶକ୍ତିର ପରିଚୟ ଶାନ୍ତି, ନ୍ୟାୟ ଓ ବୁଦ୍ଧତ୍ୱର ପ୍ରତୀକ ବୋଲି ‘ହାତୀ’କୁ ବାବାସାହବ ଆମ୍ବେଦକର ନିଜ ରାଜନୈତିକ ଦଳର ସଂକେତ ବାଛିଥିଲେ । ଯାହା ଆରପିଆଇ ହରାଇଦେଇଥିଲା । ମାନ୍ୟବର ନିର୍ବାଚନ କମିଶନ ସହ ଯୁକ୍ତିତର୍କ କରି ପୁନର୍ବାର ସେହି ସଙ୍କେତକୁ ସାମ୍ବିଧାନିକ ଉପାୟରେ ଅକ୍ତିଆର କଲେ । ମାନ୍ୟବର କାଂଶୀରାମଙ୍କ ମତରେ, ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟା ଲଘୁ ହାତୀର ଚାରୋଟି ଗୋଡ ସଦୃଶ । ହାତୀଟି ହେଉଛି ବହୁଜନ ସମାଜର ସଂଗଠିତ ସକ୍ରିୟ ରାଜନୀତିକ ସଂକେତ ।
BAMCEF, BRC, DS4
ପ୍ରଥମ ଥର ପାଇଁ ବିଏସପି ୧୯୮୪ ମସିହାରେ ସଂସଦୀୟ ନିର୍ବାଚନୀ ପ୍ରତିଦ୍ୱନ୍ଦିତାରେ ଅଂଶଗ୍ରହଣ କଲା । ନିଦ୍ଦଷ୍ଟ ଢ଼ାଞ୍ଚା ଓ ମୌଳିକ ସଂସାଧନ ନଥାଇ ମଧ୍ୟ ଦଶ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟ୍ ପାଇ ସର୍ବଭାରତରେ ବହୁଜନସମାଜକୁ ଏକ ନୂତନ ନିଜସ୍ୱ ରାଜନୈତିକ ମଞ୍ଚ ଦେବାରେ ସଫଳ ହେଲା । କାଂଶୀରାମ ସାହେବ ନିଜେ ଅଣସଂରକ୍ଷିତ ଗ.ଚ. ସିଟ୍ରେ ଜାଜାଙ୍ଗିର, ଗମ୍ପାରୁ ନିର୍ବାଚନ ଲଢ଼ି ୯% ଭୋଟ ପାଇଥିଲେ । ଏହାପରେ ୧୯୮୯ ମସିହାରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭି. ପି. ସିଂହ ଙ୍କ ବିରୁଦ୍ଧରେ ଉପସଂସଦୀୟ ନିର୍ବାଚନ ଲଢ଼ି ସର୍ବଭାରତୀୟ ସ୍ତରରେ ରାଜନୀତିକ ଆକର୍ଷଣର ମଧ୍ୟବିନ୍ଦୁ ହୋଇପାରିଥିଲେ । ସେହି ନିର୍ବାଚନରେ ଦୁଇ ଲକ୍ଷ ଭୋଟ ପାଇ ଭି. ପି. ସିଂହ ନିର୍ବାଚନ ଜିତି ଦେଶର ପ୍ରଧାନମନ୍ତ୍ରୀ ହେଲେ । ମାତ୍ର ତାଙ୍କ ବିରୁଦ୍ଧରେ ୭୧୦୦୦ ଭୋଟ୍ ପାଇ ମାନ୍ୟବର କାଂଶୀରାମ ବହୁଜନ ସମାଜ ପାର୍ଟିକୁ ସର୍ବଭାରତୀୟ ସ୍ତରରେ ସୁଦୃଢ଼ କରିବାକୁ ସକ୍ଷମ ହେଲେ । ସର୍ବ ପ୍ରଥମେ କଂଗ୍ରେସ ପରି ଜାତିବାଦୀ, ପୁଞ୍ଜିବାଦୀ ରାଜନୈତିକ ଦଳକୁ ଦୁର୍ବଳ କରି ବହୁଜନ ସମାଜକୁ ସୁଦୃଢ଼ କରିବା ମାନ୍ୟବରଙ୍କ ବିଶେଷ ରାଜନୈତିକ ରଣକୌଶଳ ଥିଲା । ତୃତୀୟ ଥରପାଇଁ କାଂଶୀରାମ ପୂର୍ବ ଦିଲ୍ଲୀ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଲଢିଲେ । ସେ ନିର୍ବାଚନ ହାରିଗଲେ ସତ କିନ୍ତୁ ସେ ଦୃଢ଼ସ୍ୱରରେ ବହୁଜନ ସମାଜକୁ ଆହ୍ୱାନ ଜଣାଇ କହିଥିଲେ, “ନିର୍ବାଚନରେ ଲଢ଼େଇ କରିବା ଓ ଶାସନରେ ଅଧିଷ୍ଠିତ ଦଳ ଓ ନେତାମନ୍ତ୍ରୀମାନଙ୍କୁ ଦେଶର ନିଷ୍ପେଷିତ ଅବହେଳିତ ଜନତାଙ୍କ ନ୍ୟାର୍ଯ୍ୟଦାବୀ ଜଣାଇବା ଓ ବୈଚାରିକ ବିରୋଧରେ ପ୍ରଦର୍ଶନ କରିବାଦ୍ୱାରା ହିଁ ବହୁଜନ ସମାଜର ଗଣତାନ୍ତ୍ରିକ ପ୍ରଶିକ୍ଷଣ ସମ୍ଭବପର ହେବ, ଯାହା ମାଧ୍ୟମରେ ବିଏସପି ଦିନେ ନା ଦିନେ କ୍ଷମତାକୁ ଆସିବ ଓ ବହୁଜନ ସମାଜ ଶାସକବର୍ଗ ହୋଇ ବାବାସାହେବଙ୍କ ସ୍ୱପ୍ନ ପୂର୍ଣ୍ଣ ହୋଇପାରିବ ।” ୧୯୯୧ ମସିହାରେ ହୋଇଥିବା ଦଶମ ଲୋକସଭା ନିର୍ବାଚନରେ ଈଝଚ ସମଗ୍ର ଭାରତରେ ୧୬ଟି ରାଜ୍ୟରେ ୨୨୯ ଟି ସ୍ଥାନରେ ନିର୍ବାଚନ ଲଢିଲା ଓ ୨ ଟି ସିଟ୍ରେ ବିଜୟୀ ହେଲା । ସେହିବର୍ଷ ଉତ୍ତର ପ୍ରଦେଶର ଇଟାୱା ଉପ-ସଂସଦୀୟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ମାନ୍ୟବର କାଂଶୀରାମ ବହୁ ବ୍ୟବଧାନରେ ବିଜୟ ଲାଭ କଲେ । ମହାନ୍ କ୍ରାନ୍ତିକାରୀ, ଆନ୍ଦୋଳନକର୍ତ୍ତା, ବୋଧିସତ୍ତ୍ୱ ରାଷ୍ଟ୍ରନୀତିଜ୍ଞ ମାନ୍ୟବର କାଂଶୀରାମକୁ ସଂସଦ ମଧ୍ୟରେ ଦେଖି ସେଦିନ ସମସ୍ତ ବାମପନ୍ଥୀ, ଦକ୍ଷିଣପନ୍ଥୀ ଓ ସମାଜବାଦୀ ନେତୃ ବୃନ୍ଦ ଭାରତୀୟ ରାଜନୀତିରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେଲା ବୋଲି ସ୍ୱୀକାର କଲେ । ୧୯୯୬ ମସିହାରେ ଆୟୋଜିତ ଏଗାର ତମ ସଂସଦୀୟ ଲୋକସଭା ନିର୍ବାଚନରେ ମାନ୍ୟବର କାଂଶୀରାମ ପଞ୍ଜାବର ହୋସିଆରପୁର ନିବାଚନ କ୍ଷେତ୍ରରୁ ପ୍ରତଦନ୍ଦତା କରି ପୁଣିଥରେ ବିଜୟୀ ହେଲେ । ତତ୍କାଳୀନ ଭାରତୀୟ ରାଜନୀତିର ସର୍ବଶ୍ରେଷ୍ଠ ବହୁଜନ ନେତା ମାନ୍ୟବର କାଂଶୀରାମ ହୋଇପାରିଥିଲେ । ଯେତେବେଳେ ୧୯୯୯ ମସିହାରେ ଅଟଲ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏନ୍.ଡି.ଏ. ସରକାର କେନ୍ଦ୍ରରେ ଗଠିତ ହେଲା, ସେତେବେଳେ ସ୍ୱୟଂ ପ୍ରଧାନମନ୍ତ୍ରୀ ବାଜପେୟୀ ମାନ୍ୟବର କାଂଶୀରାମ ସାହେବଙ୍କୁ ଭାରତର ରାଷ୍ଟ୍ରପତି ହେବାପାଇଁ ଅନୁରୋଧ କରିଥିଲେ । ମାତ୍ର ମାନ୍ୟବର ସେହି ସର୍ବୋଚ୍ଚ ପଦବୀକୁ ପ୍ରତ୍ୟାଖ୍ୟାନ କରି ସମଗ୍ର ଭାରତରେ ବହୁଜନ ଶାସନ ପ୍ରତିଷ୍ଠା ପାଇଁ ତଥା ଉତ୍ତର ପ୍ରଦେଶ ବ୍ୟତୀତ ମଧ୍ୟ ପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଓ ଓଡିଶାରେ ଈଝଚ ଦଳର ସରକାର ଗଠନ ପାଇଁ ଦିନରାତି ପରିଶ୍ରମ କରିବା ଶ୍ରେୟଷ୍କର ମନେକଲେ । ସେ ବଜପେୟୀଙ୍କୁ ମୁକ୍ତ କଣ୍ଠରେ ଉତ୍ତର ଦେଇ କହିଲେ, “ମୁଁ ଏହି ଦେଶର ସବୁଠାରୁ ଉତ୍କୃଷ୍ଟ ଜନମଙ୍ଗଳକାରୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଅଛି ।” ସେହି ସମୟରେ ସମଗ୍ର ଦେଶରେ ଦୁଇଟି ସ୍ଲୋଗାନ ବହୁଚର୍ଚ୍ଚିତ ଥିଲା – ତାହା ହେଉଛି – “୮୫ କେ ଉପର୍ ୧୫ କା ରାଜ୍ ନେହିଁ ଚଲେଗା” ଓ “ ସାରା ଦେଶ୍ ମେ ଏକ୍ ହି ନାମ – କାଂଶୀରାମ କାଂଶୀରାମ” ।
ମାତ୍ର ଦୁଃଖର କଥା, ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ତାଙ୍କ ଶରୀର ରୋଗାଗ୍ରସ୍ତ ହୋଇ ପଡ଼ିଲା । ହୃଦରୋଗ ଓ ମଧୁମେହ ରୋଗରେ ପୀଡିତ ହୋଇ ସେ ଚିକିତ୍ସାଳୟରେ ଭର୍ତ୍ତି ମଧ୍ୟ ହେଲେ ।କାଂଶୀରାମଙ୍କ ଉନ୍ନତ ନିର୍ବାଚନୀ କୌଶଳ, ସଂଗ୍ରାମୀ ଆନ୍ଦୋଳନକାରୀ ରାଜନୈତିକ କାର୍ଯ୍ୟଶୈଳୀ ଓ ସୁସ୍ପଷ୍ଟ ବୈଜ୍ଞାନିକ ପ୍ରଶିକ୍ଷଣଦ୍ୱାରା ସମଗ୍ର ଭାରତରେ ହଜାର ହଜାର ବହୁଜନ ନେତୃତ୍ୱ ଗଢ଼ିଉଠିଲା । ଶହ ଶହ ବିଧାୟକ, ମନ୍ତ୍ରୀ ଓ ପରିଷଦ ବହୁଜନ ସମାଜ ପାର୍ଟିରୁ ନିର୍ବାଚନ ଜିତି ନିଜସ୍ୱ ଖ୍ୟାତି ଅର୍ଜନ କଲେ । ମାନ୍ୟବର କାଂଶୀରାମ ସାହେବଙ୍କ ତତ୍ତ୍ୱାବଧାନରେ ବହୁ ସଂଗ୍ରାମୀ ବହୁଜନ ନେତା ଯେପରିକି ଫୁଲସିଂ ବରେୟା, ଦାଉରାମ ରତ୍ନାକର, ଆର୍.କେ. ଚୌଧୁରୀ, ନସିମୁଦ୍ଦିନ ସିଦ୍ଦିକି ଓ ସୁଶ୍ରୀ ମାୟାବତୀଙ୍କ ପରି ଅମୂଲ୍ୟ ଶକ୍ତିଶାଳୀ ନେତୃତ୍ୱ ବହୁଜନ ସମାଜକୁ ମିଳିପାରିଲା । ମାନ୍ୟବରଙ୍କ ସଂଗ୍ରାମୀ ତତ୍ତ୍ୱାବଧାନରେ ଭାରତର ସବୁଠାରୁ ବଡ ରାଜ୍ୟ ଉତ୍ତର ପ୍ରଦେଶରେ ନିର୍ବାଚନ ଜିତି ମାୟାବତୀ ତିନିଥର ମୁଖ୍ୟମନ୍ତ୍ରୀ ହୋଇପାରିଲେ । ୧୯୯୬ ମସିହା ଏକାଦଶ ଲୋକସଭା ନିର୍ବାଚନରେ ୪%ରୁ ଅଧିକ ଭୋଟ ପାଇ ଈଝଚ ସର୍ବ ଭାରତରେ ଜାତୀୟ ଦଳର ମାନ୍ୟତା ପାଇ ପାରିଥିଲେ । ତତ୍କାଳୀନ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବି.ଜେ.ପି. ଓ କମ୍ୟୁନିଷ୍ଟ ଦଳ କାଂଶୀରାମ ସାହେବଙ୍କୁ ଶୋଷିତ ନିଷ୍ପେଷିତ ଅବହେଳିତ ୮୫% ବହୁଜନ ସମାଜର ପ୍ରକୃତ ଅସଲି ନେତା ବୋଲି ସ୍ୱୀକାର କରିବାକୁ ବାଧ୍ୟ ହେଲେ । ଭାରତୀୟ ଚତୁବର୍ଣ୍ଣ ଜାତିବାଦୀ ସମାଜ ବ୍ୟବସ୍ଥାର ସର୍ବନିମ୍ନରେ ଥିବା ଦଳିତ ନାରୀ ସମାଜ ଦୁଇପ୍ରକାର ଦାସତ୍ୱର ଯନ୍ତ୍ରଣା ଭୋଗ କରୁଅଛି ବୋଲି ବାବାସାହେବ ଆମ୍ବେଦକର ଗଭୀର ଅନୁସନ୍ଧାନ କରି ମତବ୍ୟକ୍ତ କରିଛନ୍ତି । ସେହି ଦ୍ୱୀୟ ଦାସତ୍ୱ ଭୋଗୁଥିବା ଦଳିତ ନାରୀ ମହିଳା ସମାଜରୁ ଶକ୍ତିଶାଳୀ ନେତୃତ୍ୱ ବିକଶିତ କରି ମାନ୍ୟବର କାଂଶୀରାମ ବିଶ୍ୱ ଦରବାରରେ ଅତୁଳନୀୟ କୀର୍ତ୍ତି ସ୍ଥାପନ କଲେ । ମାୟାବତୀଙ୍କ ସଂଗ୍ରାମୀ, କ୍ରାନ୍ତିକାରୀ ବ୍ୟକ୍ତିତ୍ୱ ଓ ବହୁଜନ ପ୍ରିୟ ଲୋକ ସଂପର୍କ ମାଧ୍ୟମରେ ୨%ରୁ ଆରମ୍ଭ କରି ବିଗତ ତିରିଶ ବର୍ଷରେ ବିଏସପି ୩୦%ରୁ ଅଧିକ ଭୋଟ ପାଇ ଉତ୍ତର ପ୍ରଦେଶର ଏକ ମୂଖ୍ୟ ରାଜନୈତିକ ଦଳ ହେବାର ଗୌରବ ଅର୍ଜନ କରିପାରିଅଛି । ୨୦୦୧ ମସିହାରେ ମାନ୍ୟବର କାଂଶୀରାମ ଭଉଣୀ ମାୟାବତୀଙ୍କୁ ଦଳର ମୁଖ୍ୟ ଓ ନିଜ ରାଜନୀତିକ ଉତ୍ତରାଧିକାରୀ ଘୋଷଣା କରିଥିଲେ । ମସ୍ତିକ ଅଚେତନ ଜନିତ ରୋଗରେ ପୀଡିତ ହୋଇ ସେ ୯ ଅକ୍ଟୋବର ୨୦୦୬ ମସିହାରେ ମହାପରିନିର୍ବାଣକୁ ପ୍ରାପ୍ତ ହେଲେ । ତାଙ୍କ ପାଇଁ ବହୁଜନ ରାଜନୀତି ଥିଲା ସାମାଜିକ ପରିବର୍ତ୍ତନ ଓ ଆର୍ଥିକ ମୁକ୍ତିପାଇଁ ସର୍ବଶ୍ରେଷ୍ଠ ମାଧ୍ୟମ, ଯାହାକୁ ଆନୁସରଣ କରି ଏକ ଜାତିବିହୀନ ସମତା, ସ୍ୱତନ୍ତ୍ରତା ବନ୍ଧୁତା ଓ ନ୍ୟାୟପୂର୍ଣ୍ଣ ପ୍ରବୁଦ୍ଧ ଗଣତନ୍ତ୍ର ପ୍ରତିଷ୍ଠା କରିହେବ ବୋଲି ସେ ଦୃଢ ବିଶ୍ୱାସ ରଖିଲେ।
(Dhiman Joydeep is a Buddhist Scholar and Social Activist. He can be reached at joydeepboudh@gmail.com)
Leave a Reply