ବୌଦ୍ଧିକ ବୈଷମ୍ୟର ଶିକାର: ଡମ ଭାଷା
ଗୋଟିଏ ଭାଷାକୁ ଜନ୍ମ ଦେଇ, ସାମାଜିକ ଚଳଣିରେ ତାକୁ ପ୍ରତିଷ୍ଠା କରିବା ସେଇ ସମାଜ ପାଇଁ କେତେବଡ଼ କାଠିକର ପାଠ ହୋଇଥିବ ତାହା ଆଜିର ଲୋକେ କହିବା ବା ଅନୁଭବ କରିବା କଷ୍ଟକର ବ୍ୟାପାର ଅଟେ । ଆମର ସାମାନ୍ୟ ଅବହେଳା ଯୋଗୁଁ ଏତେ ଶହ ବର୍ଷର ପ୍ରାଚୀନ ଭାଷା-ସଂପତ୍ତି, ସଂପ୍ରତି ଅନେକ ପ୍ରକାର ଭାଷା ସଂରକ୍ଷଣର ବ୍ୟବସ୍ଥା ମହଜୁଦ ଥିବା ସତ୍ତ୍ୱେ ଆଖି ଆଗରେ ମରିଯାଉଥିବାର କଥା କେବଳ ମାତ୍ର ବୈଷମ୍ୟକୁ ସୂଚନା ଦିଏ ନାହିଁ ବରଂ ଆମର ଭିତରେ ଥିବା ବୌଦ୍ଧିକ ଚେତନାର ଅପାରଗତାକୁ ମଧ୍ୟ ଧିକ୍କାର କରେ ।
ଭାରତ ବର୍ଷରେ କେତେ ଯେ ଭାଷା ପ୍ରଚଳିତ ହେଉଛି, ବୋଧହୁଏ ତାର କଳନା ନାହିଁ । ଅବଶ୍ୟ ଗଣନା କରି କୁହାଯାଇଛି ଯେ ୧୨୧ଟି ଭାଷା ଅଛି ଏବଂ ଏଇ ଭାଷାଗୁଡ଼ିକୁ ଦୁଇଟି ଭାଗରେ ମୂଲ୍ୟାୟନ କରାଯାଇଛି । ସେଥିମଧ୍ୟରୁ ଭାରତୀୟ ସମ୍ବିଧାନର ଅଷ୍ଟମ ପରିଛେଦରେ କେବଳ ୨୨ଟି ମାତ୍ର ଭାଷାକୁ ମାନ୍ୟତା ଦିଆ ଯାଇଥିବାବେଳେ ବାକି ୯୯ଟିରୁ ଉର୍ଧ ଭାଷାକୁ “ଅନ୍ୟାନ୍ୟ ଭାଷା” ଭାବରେ ଗଣନା କରାଯାଉଛି । ଏଇ “ଅନ୍ୟାନ୍ୟ ଭାଷା” ଭାବରେ ପରିଗଣିତ ହେଉଥିବା ଭାଷା ମଧ୍ୟରୁ ଅଧିକାଂଶ ଭାଷା ୧୦,୦୦୦ରୁ କମ୍ ଲୋକ ସଂଖ୍ୟାର ମାତୃଭାଷା ବା ଏଇ ଗୋଷ୍ଠୀର ଭାଷାକୁ ଭାଷାତତ୍ତ୍ୱ ଦୃଷ୍ଟିରୁ ଅଧ୍ୟୟନ କରାଯାଇ ନାହିଁ ବା ତତଜନିତ ତଥ୍ୟମାନ ସଂଗ୍ରହ କରାଯାଇ ପାରିନାହିଁ ।
ଅନ୍ୟ ଏକ ସୂଚନା ଅନୁଯାୟୀ ସମ୍ବିଧାନର ଅଷ୍ଟମ ପରିଛେଦରେ ଆହୁରି କିଛି ଯୋଗ୍ୟ ବିବେଚିତ ଭାଷାଗୁଡ଼ିକର ତାଲିକା ବିଧିବଦ୍ଧ ଭାବରେ ରାଜ୍ୟ ସରକାରମାନଙ୍କ ଦ୍ୱାରା ଦାଖଲ ହୋଇଥିଲେ ମଧ୍ୟ ଏ ଯାବତ ସ୍ୱୀକୃତି ପାଇବା ଅପେକ୍ଷାରେ ଅଛନ୍ତି । ସେଇ ଭାଷାଗୁଡ଼ିକ ହେଲେ ଭିଲି, ଗୋଣ୍ଡି, ଖଣ୍ଡେସି, କୁରୁଖ, ଟୁଲୁ, ଖାସି, ମୁଣ୍ଡାରି, ହୋ, ଏବଂ କୋଶଲି ।
ଓଡ଼ିଶାରେ କେବଳ ୬୨ଗୋଷ୍ଠୀର ବିଭିନ୍ନ ଜନଜାତିର ଲୋକେ ବସବାସ କରିଆସୁଛନ୍ତି ଏବଂ ଏଇମାନଙ୍କ ମଧ୍ୟରୁ ୨୧ଟି ଆଦିବାସୀ ଗୋଷ୍ଠୀ ସେମାନଙ୍କ ଭାଷା ବ୍ୟବହାର କରିଥାନ୍ତି । ଏଇ ୨୧ଟି ଭାଷା ମଧ୍ୟରୁ ୭ଟି ଆଦିବାସୀ ଭାଷାର ଲିପି ଅଛି । ଭାରତ ସରକାରଙ୍କ ଦ୍ୱାରା ସୂଚୀତ ଯେଉଁ ୯୯ଟି “ଅନ୍ୟାନ୍ୟ ଭାଷା” ଅଛି, ସେଇ ତାଲିକାରେ ଓଡ଼ିଶାର ଭୂମିଜ, ଗାଦବା, ହୋ, ଜତାପୁ, ଜୁଆଙ୍ଗ, ଖଡ଼ିଆ, କିଷାନ, କୋୟା, କୁଇ, କୁରୁଖ, ମୁଣ୍ଡା, ମୁଣ୍ଡାରି, ପରଜା ଆଦି ଭାଷା ଅନ୍ତର୍ଭୁକ୍ତ ହୋଇଛି ।
ଅନୁସୁଚୀତ ଜନଜାତି ପରି ଓଡ଼ିଶାରେ ଅନୁସୁଚୀତ ଜାତିଗୁଡ଼ିକର ସଂଖ୍ୟା ନୂତନ ତାଲିକା ଅନୁସାରେ ୯୧ ଅଟେ । ଏଇ ୯୧ଟି ଜାତି ମଧ୍ୟରୁ ଡମ, ଗଣା, ଓ ପାଣ ଅନ୍ୟତମ । ଏ ଲେଖା ପ୍ରସ୍ତୁତ କରିବାର ଉଦ୍ଦେଶ୍ୟ ଉପରୋକ୍ତ ତିନିଟି ଜାତି ବ୍ୟବହାର କରୁଥିବା ଭାଷା ସମ୍ପର୍କରେ କିଛି ସୂଚନା ପ୍ରଦାନ କରିବା ।
ଏଠାରେ ସୂଚୀତ କରାଯାଏ ଯେ ସାମାଜିକ, ସାଂସ୍କୁତିକ, ତଥା ଭାଷାଗତ ଦୃଷ୍ଟିରୁ ଡମ, ଗଣା, ଓ ପାଣ ଜାତିମାନଙ୍କ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ । ଏମାନେ ବିଭିନ୍ନ ସ୍ଥାନରେ ଅବସ୍ଥାନ, ଉଚ୍ଚ ବର୍ଣ୍ଣଦ୍ୱାରା ତାଙ୍କୁ ଲଦି ଦିଆଯାଇଥିବା କାମର ଶୈଳୀ ତଥା ଆଞ୍ଚଳିକତାକୁ ନେଇ ଏମାନେ ଭିନ୍ନ ଭିନ୍ନ ନାମରେ ପରିଚିତ ହେଲେ ବି ସବୁ ଦୃଷ୍ଟିରୁ ଅର୍ଥାତ ପିତୃପୁରୁଷ, ଦେ ଦେବତା, ପୂଜାପାର୍ବଣ ଓ ବିଶେଷ କରି ଭାଷା ବ୍ୟବହାର ଦୃଷ୍ଟିରୁ ମଧ୍ୟ ଏମାନେ ସମାନ ଅଟନ୍ତି, କିଛି ପାର୍ଥକ୍ୟ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ ।
ଡମ ସଂପ୍ରଦାୟର ଲୋକେ ସାରା ଭାରତରେ ତଥା ଭାରତ ବାହାରେ ବି ଦେଖା ଯାଆନ୍ତି । ଠିକ ସେମିତି ଓଡ଼ିଶା ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଡମ, ଗଣା, ଓ ପାଣ ଜାତିର ଲୋକେ ଆଦିମ କାଳରୁ ଅଛନ୍ତି । ହେଲେ ଡମ ଭାଷା କହୁଥିବା ଡମ, ଗଣା, ଓ ପାଣ ଜାତିଙ୍କ ମଧ୍ୟରୁ ଅଧିକାଂଶ ଲୋକେ କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଫୁଲବାଣୀ, ବଲାଙ୍ଗିର, ଗଜପତି, ମାଲକାନଗିରି, ଗଞ୍ଜାମ, ଆଦି ଜିଲ୍ଲାଗୁଡ଼ିକରେ ଦେଖା ଯାଇଥାନ୍ତି ।
ଡମ ଭାଷା କହୁଥିବା ଜନ ସଂଖ୍ୟାର ଏକ ଅନୁସାରୀ ତାଲିକା ନିମ୍ନରେ ଦିଆଗଲା:

ଉପରୋକ୍ତ ପରିସଂଖ୍ୟାନରୁ ଜଣାପଡ଼ୁଛିଯେ, ସବୁଠାରୁ ଅଧିକ ଡମ ସଂପ୍ରଦାୟର ଲୋକେ ରହୁଥିବା ଜିଲ୍ଲା ହେଉଛି କଳାହାଣ୍ଡି ଯେଉଁଠି ସମଗ୍ର ଜିଲ୍ଲାର ଜନସଂଖ୍ୟାର ୧୫.୧୭% ହେଉଛନ୍ତି ଡମ । ତା’ ତଳକୁ ରହିଛି ନବରଂଗପୁର (୧୪.୫୬%), କଂଧମାଳ (୧୨.୪୩%) ଏବଂ ବଲାଂଗିର (୧୨.୩୧%) ।
ବ୍ୟକ୍ତିଗତ ସୂଚନା ସଂଗ୍ରହକୁ ଆଧାରକରି ଦୃଢ଼ୋକ୍ତି ଦିଆଯାଇପାରେ ଯେ କୋରାପୁଟ (୯.୮୬%), ରାୟଗଡ଼ା (୧୧.୧୩%), ନବରଂଗପୁର (୧୪.୫୬%), ମାଲକାନଗିରି (୪.୩୮%), କଂଧମାଳ (୧୨.୪୩%) ଏବଂ କଳାହାଣ୍ଡି (୧୫.୧୭%) ଜିଲ୍ଲାର ଡମ, ଗଣା, ପାଣ ଜନସଂଖ୍ୟା ମଧ୍ୟରୁ ପ୍ରାୟ ସମସ୍ତ ଲୋକ ଡମ ଭାଷାର ବ୍ୟବହାର ଜାଣିଛନ୍ତି । ଏଇ ଜିଲ୍ଲା ମାନଙ୍କର ଅଧିକାଂଶ ଡମ, ଗଣା, ପାଣ ନିଜ ନିଜ ଘରେ ଡମ ଭାଷାରେ କଥା ହେଇଥାନ୍ତି ।
ସେହିପରି ବ୍ୟକ୍ତିଗତ ସୂଚନା ସଂଗ୍ରହରୁ ଏହା ମଧ୍ୟ ଜଣାପଡ଼େ ଯେ, ନୂଆପଡ଼ା ଜିଲ୍ଲାର ନୂଆପଡ଼ା ବ୍ଲକରେ ଏ ଭାଷାର ବ୍ୟବହାର ଖୁବ୍ କମ୍ ଥିବାବେଳେ, ବଲାଂଗୀର ଜିଲ୍ଲାର ଟିଟିଲାଗଡ଼ ସବଡ଼ିଭିଜନ ଅନ୍ତର୍ଗତ ସମସ୍ତ ବ୍ଲକକୁ ଛାଡ଼ିଦେଲେ ଡମ ଭାଷାର ବ୍ୟବହାର ଜିଲ୍ଲାର ଅନ୍ୟ ଅଂଚଳରେ ହେଉଥିବାର ସୂଚନା ନାହିଁ । ପୁଣି ନୟାଗଡ଼, ଯାଜପୁର, ଭଦ୍ରକ, ଅନୁଗୁଳ, କେଉଁଝର, ଢେଂକାନାଳ ଆଦି ଜିଲ୍ଲାଗୁଡ଼ିକରେ ଡମ, ଗଣା, ପାଣ ଜନସଂଖ୍ୟା ବହୁଳ ପରିମାଣରେ ଥିବା ସତ୍ତ୍ୱେ ସେମାନେ ଡମ ଭାଷା ପରି ଏକ ଭାଷା ବ୍ୟବହାର ହୁଏ, ତାହା ସେମାନଙ୍କୁ ଜଣା ନାହିଁ । ତେବେ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର କେତୋଟି ଗାଁରେ ଏଭଳି ଭାଷା ବ୍ୟବହାର ହେଉଥିବାର ସୂଚନା ରହିଛି ।
ସେ ଯାହିବି ହେଉନା କାହିଁକି, ଡମ ଭାଷା ଯେ ଓଡ଼ିଶାରେ ଅଛି ଓ ପ୍ରାୟତଃ ହାରାହାରି ୧୧ ଲକ୍ଷ ଡମ, ଗଣା, ପାଣ ଜନସଂଖ୍ୟାର ମୁହଁରେ ଏହି ଭାଷା ଏଯାଏଁ ଜୀବିତ ଅଛି, ଏଇ ତଥ୍ୟକୁ ଅସ୍ୱୀକାର କରାଯାଇ ନପାରେ । ପରିତାପର ବିଷୟ ଯେ ଆଜି ପର୍ଯ୍ୟନ୍ତ କୌଣସି ଜଣେ ବି ଓଡ଼ିଆ ଭାଷାର ବିଦ୍ୱାନ ଏଇ ଭାଷା ସମ୍ପର୍କରେ ସାମାନ୍ୟତମ ସୂଚନା ଦେଇଥିବା ଆମର ଗୋଚରକୁ ଆସିନାହିଁ । ଡମ, ଗଣା, ପାଣମାନେ ଅସ୍ପୃଶ୍ୟ ଭାବରେ ସମାଜରେ ପରିଗଣିତ ହୋଇଥାନ୍ତି । ଯେଉଁମାନେ ତଥାକଥିତ ନୀଚ ଜାତି, ଅସ୍ପୃଶ୍ୟ, ଅଛୁଆଁ ଭାବରେ ସମାଜରେ ଉଚ୍ଚବର୍ଗର ଲୋକଙ୍କଦ୍ୱାରା ପରିଗଣିତ ହୋଇଥାନ୍ତି, ସେମାନଙ୍କର କଳା, ସାହିତ୍ୟ, ଭାଷା ବି ଅସ୍ପୃଶ୍ୟ, ଅଛୁଆଁ ହୋଇଯାଏ । ଡମ ଭାଷାକୁ ଅଣଦେଖା କରିବା ବୋଧହୁଏ ଏହାର ଏକ ନମୁନା । ଅନ୍ୟ ଅର୍ଥରେ ବିଚାର କଲେ, ଯୁଗଯୁଗରୁ ତାଡ଼ନା ଖାଇ ତଥାକଥିତ ନୀଚ ଜାତିର ଲୋକଙ୍କ ମଧ୍ୟରେ ହୀନମନ୍ୟ ଭାବ ପୂରି ରହିଥାଏ । ସେଇ ହୀନମନ୍ୟ ଭାବକୁ ଆଧାର କରି ଜନଗଣନା ସମୟରେ ଆପଣାର ମାତୃ ଭାଷାକୁ କହିବାକୁ କୁଣ୍ଠା କରିଛି କି ? ଫଳରେ ସରକାରୀ ନଥିର କୌଣସି ସ୍ଥାନରେ ଡମ ଭାଷାର ଚିହ୍ନବର୍ଣ୍ଣ ବି ଦେଖିବାକୁ ମିଳେ ନାହିଁ ।
ସ୍ୱଭାବତଃ ଉଚ୍ଚବର୍ଗର ଗବେଷକଗଣ ଜନଜାତିଗୁଡ଼ିକ ଉପରେ ନିଜର ଗବେଷଣାକୁ କେନ୍ଦ୍ରୀଭୁତକରି ପୃଥୁଳ ସଂଦର୍ଭମାନ ଉପସ୍ଥାପନ କରିଥାନ୍ତି । ସଂଭବତଃ ତଥାକଥିତ ନୀଚଜାତି, ଅସ୍ପୃଶ୍ୟ, ଅଛୁଆଁମାନଙ୍କ ଭାଷା ବାବଦରେ ଲେଖିଦେଲେ କାଳେ କଲମ ଅଛୁଆଁ ହୋଇଯିବାର ଭୟ ଅଛି । ତାହା ହୋଇ ନଥିଲେ ବଲାଂଗୀର ଓ କଳାହାଣ୍ଡିରେ ଯଥାକ୍ରମେ ୧.୧୮% ଓ ୦.୮୫% ହିନ୍ଦୀ ଭାଷା, ନବରଂଗପୁରରେ ବ୍ୟବହାର ହେଉଥିବା ୧.୯୦% ହାଲବୀ, ୧.୪୦% କୁଭି ତଥା ୦.୬୧% ତେଲୁଗୁ ଭାଷା, ଗଂଜାମ ଜିଲ୍ଲାରେ ବ୍ୟବହୃତ ହେଉଥିବା ୦.୪୨% ସଉରା, ୦.୪୪% କୁଇ ଭାଷାକୁ ସେଇ ଜିଲ୍ଲାଗୁଡ଼ିକରେ ଲୋକେ ବ୍ୟବହାର କରୁଥିବାର ଲିଖିତ ପ୍ରମାଣ ପ୍ରାୟତଃ ସମସ୍ତ ସରକାରୀ, ବେସରକାରୀ ନଥିପତ୍ର ମାନଙ୍କରେ ଲିପିବଦ୍ଧ ହୋଇ ରହିଥିବା ସ୍ଥଳେ ହାରାହାରି ୧୦ଟି ଜିଲ୍ଲ।ର ୮% ଡମ,ଗଣା, ପାଣ ଜାତିର ଜନସମୂହ, ଡମ ଭାଷା ବ୍ୟବହାର କରୁଥିବାର କୌଣସି ସ୍ଥାନରେ ଉଲ୍ଲେଖ ନକରିବାକୁ ଭାଷାବିତମାନଙ୍କର ବୌଦ୍ଧିକ ବୈଷମ୍ୟ କହିଲେ ସଂଭବତଃ ଦୋଷାବହ ହେବ ନାହିଁ ।
ଭାରାତକୁ ଏକ ଜନବହୁଳ ଦେଶ ଭାବରେ ଯେମିତି ଜାଣନ୍ତି, ସେଇମିତି ବିଶ୍ୱରେ ଆମ ଦେଶ ଜାତିବହୁଳ ରାଷ୍ଟ୍ର ଭାବରେ ମଧ୍ୟ ପରିଗଣିତ ହୋଇଥାଏ । ଏ ଦେଶରେ ହାରାହାରି ଛ’ହଜାରରୁ ଅଧିକ ବିଭିନ୍ନ ଜାତିର ଲୋକେ ବସବାସ କରି ଆସୁଛନ୍ତି । ଏହି ଜାତି ସଂଖ୍ୟାର ମାତ୍ରା ଦିନକୁ ଦିନ ବଢ଼ୁଛି ସିନା ହେଲେ ଜମାରୁ କମୁ ନାହିଁ ।
ଆମକୁ ଭଲଲାଗେ କହିବାକୁ “ଅନେକତାରେ ଏକତା”; କିନ୍ତୁ ବାସ୍ତବ ଜୀବନରେ ତାହା ଯଦି ହେଉଥାନ୍ତା ତେବେ ଜାତି, ସଂପ୍ରଦାୟ ଇତ୍ୟାଦିକୁ ନେଇ ପ୍ରତି ମୂହୁର୍ତରେ ଦଂଗା, ସଂଘର୍ଷ ହେଉ ନଥାନ୍ତା । ଭାରତର ସମ୍ବିଧାନ ଜଣେ ମଣିଷକୁ ଗୋଟିଏ ଧର୍ମରୁ ଅନ୍ୟ ଏକ ଧର୍ମ ପରିବର୍ତନ କରିବା ପାଇଁ ବ୍ୟବସ୍ଥା ରଖିଛି କିନ୍ତୁ ଗୋଟିଏ ଜାତିରୁ ଅନ୍ୟ ଏକ ଜାତିକୁ ପରିବର୍ତନ କରିବା ପାଇଁ ବ୍ୟବସ୍ଥା ନାହିଁ । ସେଇଥି ପାଇଁ ଗାଁ ଗାଁରେ ଏପରିକି ମଲାପରେ ମଧ୍ୟ ଜାତିବାଦ ରହି ଥାଏ ବୋଲି ଉଚ୍ଚ ବର୍ଗ ଓ ନୀଚ ବର୍ଗ ପାଇଁ ଅଲଗା ଅଲଗା ଶ୍ମଶାନର ବ୍ୟବସ୍ଥା ରହିଥାଏ ।
ଆମେ ଯଦି “ଏକତା ରେ ଅନେକତା” ସବୁ କ’ଣ କ’ଣ ରହିଛି ସେଇ ଦୃଷ୍ଟିରୁ ନିରୀକ୍ଷଣ କରିବା ତେବେ ବିଭିନ୍ନ ଜାତି, ସଂପ୍ରଦାୟର ଭିନ୍ନ ଭିନ୍ନ ସଂସ୍କୃତି, ଭାଷା, ଦେ’ଦେବତା, ପୂଜାପାଠ, ଇତ୍ୟାଦି ସବୁ ଜଳଜଳ ନଜରକୁ ଆସିବ । ଉପରୋକ୍ତ ଛ’ ହଜାରରୁ ଅଧିକ ବିଭିନ୍ନ ଜାତିର ଲୋକେ ବ୍ୟବହାର କରୁଥିବା ଭାଷାର କଥାକୁ ଯଦି ଆମେ ଆଖି ପକେଇବା ତେବେ ଜାଣିବାକୁ ମିଳିବ ଯେ ଉଚ୍ଚ ଜାତିର ଲୋକଙ୍କ ମଧ୍ୟରେ ଭାଷାଗତ ବିବିଧତା ସେତିକିଟା ଦେଖିବାକୁ ମିଳିବ ନାହିଁ ଯେତେଟା ଆମେ ଜାତି ଓ ଜନଜାତି ଗୋଷ୍ଠୀଙ୍କ ମଧ୍ୟରେ ଦେଖିବାକୁ ପାଇଥାଉଁ ।
ଭାରତୀୟ ଭାଷାଗୁଡ଼ିକ ମଧ୍ୟରେ ତାମିଲ ଭାଷାର ପ୍ରାଚୀନତା ରହିଛି ଯାହାକି ଖ୍ରୀଷ୍ଟ ଜନ୍ମର ୩୦୦ ବର୍ଷ ପୂର୍ବରୁ ପ୍ରଚଳିତ ହୋଇ ଆସୁଛି । ଓଡ଼ିଆ ଭାଷାର ପ୍ରାଚୀନତା କଥା କହିଲା ବେଳେ ‘ଚର୍ଯା ଗୀତିକା’କୁ ଆଧାର ଓ ଉଦ୍ଧାର କରାଯାଇ ଥାଏ । ‘ଚର୍ଯା ଗୀତିକା’ ସବୁ ହେଉଛି ବୌଦ୍ଧ ସିଦ୍ଧାଚାର୍ଯ୍ୟମାନଙ୍କ ଦୋହା, ଓ ଏଇ ‘ଚର୍ଯ୍ୟା ଗୀତିକା’ର ସମୟ ସୀମା ୭୦୦ ରୁ ୧୨୦୦ ଖ୍ରୀଷ୍ଟାବ୍ଦ ବୋଲି ପ୍ରମାଣିତ ହୋଇ ସାରିଛି । ଚର୍ଯ୍ୟାପଦର ମୁଖ୍ୟ ସିଦ୍ଧାଚାର୍ଯ୍ୟାମାନଙ୍କ ମଧ୍ୟରେ ଡୋମ୍ବୀ ପାଦ, ଭୁଶୁକୁ ପାଦ, ତନ୍ତୀ ପାଦ, ଶବରୀ ପାଦ, ଦାରିକ ପାଦ, ହାଡି ପାଦ ଇତ୍ୟାଦି ଅନ୍ୟତମ ଅଟନ୍ତି । ଏ ସମସ୍ତ ସିଦ୍ଧାଚାର୍ଯ୍ୟ ମାନଙ୍କ ମଧ୍ୟରୁ ଅନେକେ ତଥାକଥିତ ନୀଚ ଶ୍ରେଣୀରେ ଜନ୍ମ ହୋଇଥିବାର ଲିଖିତ ପ୍ରମାଣ ରହିଛି । ଭୁଶୁକୁ ପାଦଙ୍କ ଡୋମ୍ବୀକୁ ନେଇ ରଚିତ ଦୋହାରେ ବର୍ତମାନ ପ୍ରଚଳିତ ଡମ ଭାଷାର ଅନେକ ଶବ୍ଦର ସାମଞ୍ଜସ୍ୟ ରହିଥିବାର ମିଳେ, ଭାଷାବିତମାନଙ୍କ ଦ୍ୱାରା ପ୍ରମାଣିତ ହୋଇସାରିଛି । ଅତଏବ, ଡମ ଭାଷାର ଉତ୍ପତ୍ତି ସେଇ କାଳ ବା ତା’ ଆଗରୁ ହୋଇ ଥିବାର କଥା ଲେଖିଲେ ଅପ୍ରାସଂଗିକ ହେବ ନାହିଁ । ଅନ୍ୟ ଅର୍ଥରେ ଡମ ଭାଷାର ପ୍ରାଚୀନତାକୁ ଜାଣିବା ପାଇଁ ଆମକୁ ଆଉ କେତେ ତଥ୍ୟର ଆବଶ୍ୟକତା ରହିଛି ?
ଡମ ଭାଷାର ମୌକତାକୁ ନେଇ ସତ୍ୟନାରାୟଣ ରାଜଗୁରୁ ତାଙ୍କର ଓଡ଼ିଶାର ଇତିହାସ ପୁସ୍ତକରେ ଲେଖନ୍ତି ଯେ, “ଶବର, ହାଡ଼ି, ଡମ୍ବ , ପାଣ, ଚାଚିଡ଼ି, ରେଲୀ, ବାଉରୀ, କଣ୍ଡରା ପ୍ରଭୃତି ଜାତିର ଲୋକେ ଯେଉଁ ଧରଣର ପ୍ରାକୃତ ଭାଷା ଓ ଉଚ୍ଚାରଣ ଶୈଳୀ ରକ୍ଷାକରି କହନ୍ତି ତାହା ଅନୁଶୀଳନ କଲେ ଜଣାଯିବ ଯେ ସଭ୍ୟ-ଶିକ୍ଷିତ ଲୋକେ ତଥା ବିଦେଶାଗତ ବିଭିନ୍ନ ଭାଷାଭାଷୀ ଲୋକେ ତାଙ୍କ ସଂପର୍କରେ ଆସି ନଥିବାରୁ ସେମାନଙ୍କ ବ୍ୟବହୃତ ଭାଷା ଅଦ୍ୟାବଧି ବହୁ ପରିମାଣରେ ଅପରିବର୍ତିତ ହୋଇ ରହିଛି” ।
ଭାଷାର ସଂରକ୍ଷଣ ପ୍ରସଂଗରେ ବିଚାର କଲେ ଡମ, ଗଣା, ପାଣମାନଙ୍କର ଅସ୍ପୃଶ୍ୟପଣ ତାଙ୍କ ଭାଷା ବ୍ୟବହାର ରେ ସହାୟକ ହୋଇଛି କାରଣ ସଭ୍ୟ-ଶିକ୍ଷିତ ଲୋକେ ଅସ୍ପୃଶ୍ୟ ଜନିତ ଘୃଣା ହେତୁ ତାଙ୍କ ପାଖ ମାଡ଼ି ନାହାନ୍ତି । ଫଳରେ ଭାଷାକୁ ସଭ୍ୟ-ଶିକ୍ଷିତ ତଥା ଅନ୍ୟମାନଙ୍କଠାରୁ ଡମ, ଗଣା, ପାଣମାନେ, ଅସଚେତନ ଭାବେ ଦୂରେଇ ରହିବା ଯୋଗୁଁ ଏ ଭାଷା, ହୁଏତ ଏ ଯାଏଁ ଅପରିବର୍ତ୍ତିତ ହୋଇ ରହିପାରିଛି ।
ଏହି ଭାଷା ଅବହେଳାର ଅନ୍ୟ ଏକ ବିଡମ୍ବନା ଯେ କାଳକ୍ରମେ ସେଇ ସଭ୍ୟ-ଶିକ୍ଷିତ ଲୋକଙ୍କଦ୍ୱାରା ସାହିତ୍ୟ, ସଂସ୍କୃତି, ଭାଷାର ମାନକ ନିରୂପଣ, ସଂରକ୍ଷଣ ଓ ମୂଲ୍ୟାୟନର ଭାର ରହିଲା ଫଳତଃ ଏ ଭାଷା ଅସ୍ପୃଶ୍ୟ ଓ ଅନାଦର ହେଇ ଏଯାବତ ରହିଗଲା ।
ହୁଏତ ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, ବରଗଡ଼, ସୋନପୁର, ନୟାଗଡ଼ ଆଦି ଅଂଚଳର ଡମ, ଗଣା, ପାଣ ଲୋକେ ସଭ୍ୟ-ଶିକ୍ଷିତ ଲୋକଙ୍କ ସଂସ୍ପର୍ଶରେ ଆଗତୁରା ଆସିବା ଫଳରେ ତାଙ୍କ ପାଟିରୁ ଏ ଭାଷା ଯେ ଉଭେଇ ଯାଇ ନଥିବ ଏହାର ପ୍ରମାଣ ଯୋଗାଡ଼ିବା ବର୍ତ୍ତମାନ ସମୟରେ ବହୁ କଷ୍ଟ ।
ରାଜଗୁରୁ ଆହୁରି ମଧ୍ୟ କହିଛନ୍ତି ଯେ, ମହାଯାନ ବୌଦ୍ଧାଚାର୍ଯ୍ୟମାନେ ପରସ୍ପର ବିରୋଧୀ ମତ ଗ୍ରହଣ କରିବାରୁ କେତୋଟି ଶାଖା ସେଥି ମଧ୍ୟରୁ ଜାତ ହୋଇ ଥିଲା । ବିଭିନ୍ନ ନୀତି-ସମର୍ଥକ ଓ ଧର୍ମପ୍ରାଣ-ସିଦ୍ଧାଚାର୍ଯମାନେ ତାଙ୍କ ପ୍ରଚାର କାର୍ଯ୍ୟ ଡମ୍ବ, ହାଡ଼ି, ପାଣ, ପତର-ଶଉରା ପ୍ରଭୃତି ନିମ୍ନ ଶ୍ରେଣୀର ଜାତି ମଧ୍ୟରେ ସୀମିତ କରି ଉଡଡୀୟାନ ଅଂଚଳରେ ସେମାନଙ୍କୁ ଦୀକ୍ଷା ଦେବାରେ ବ୍ରତୀ ରହିଲେ । ଏ ଉଡଡୀୟାନ ଅଂଚଳର ନିମ୍ନ ଶ୍ରେଣୀୟ ହାଡି ଓ ପାଣ ମାନଙ୍କ ମଧ୍ୟରେ ବ୍ୟବହୃତ ବହୁ ଓଡ଼ିଆ ଶବ୍ଦ ‘ଚର୍ଯା ଗୀତିକା’ରେ ଦେଖିବାକୁ ମିଳେ ।
ଉପରୋକ୍ତ ସମ୍ୟକ ତଥ୍ୟରୁ ଡମ ଭାଷାର ପ୍ରାଚୀନତା, ସ୍ୱତନ୍ତ୍ରତା, ତଥା ପ୍ରବାହମାନତା ବିଷୟରେ କିଛି କଥା ଆମକୁ ଜାଣିବାକୁ ମିଳିଥାଏ ।
ଗୋଟିଏ ଭାଷାର ଉତ୍ପତ୍ତି ପାଇଁ ହଜାର ହଜାର ବର୍ଷ ଲାଗିଥିବ । ଭାଷାକୁ ଜନ୍ମ ଦେଇ, ସାମାଜିକ ଚଳଣିରେ ତାକୁ ପ୍ରତିଷ୍ଠା କରିବା ସେଇ ସମାଜ ପାଇଁ କେତେବଡ଼ କାଠିକର ପାଠ ହୋଇଥିବ ତାହା ଆଜିର ଲୋକେ କହିବା ବା ଅନୁଭବ କରିବା କଷ୍ଟକର ବ୍ୟାପାର ଅଟେ । ଆମର ସାମାନ୍ୟ ଅବହେଳା ଯୋଗୁଁ ଏତେ ଶହ ବର୍ଷର ପ୍ରାଚୀନ ଭାଷା-ସଂପତ୍ତି, ସଂପ୍ରତି ଅନେକ ପ୍ରକାର ଭାଷା ସଂରକ୍ଷଣର ବ୍ୟବସ୍ଥା ମହଜୁଦ ଥିବା ସତ୍ତ୍ୱେ ଆଖି ଆଗରେ ମରିଯାଉଥିବାର କଥା କେବଳ ମାତ୍ର ବୈଷମ୍ୟକୁ ସୂଚନା ଦିଏ ନାହିଁ ବରଂ ଆମର ଭିତରେ ଥିବା ବୌଦ୍ଧିକ ଚେତନାର ଅପାରଗତାକୁ ମଧ୍ୟ ଧିକ୍କାର କରେ ।
ଓଡ଼ିଶାରେ ବର୍ତ୍ତମାନ ପାଖାପାଖି ୧୦୦୦ଟି ମହାବିଦ୍ୟାଳୟ ଓ ୩୦ଟି ବିଶ୍ୱବିଦ୍ୟାଳୟ ରହିଥିବା ସ୍ଥଳେ ପୂର୍ବାଂଚଳ ଭାଷା ଗବେଷଣା କେନ୍ଦ୍ର ମଧ୍ୟ ରହିଛି । ସଂଭବତଃ ୟା’ ଭିତରେ ଭୁଂଜିଆ, ପହରିଆ, କନ୍ଧ, ମିର୍ଧା, ଇତ୍ୟାଦି ଅନେକ ଜନଜାତି ବ୍ୟବହାର କରୁଥିବା ଭାଷା ତାଙ୍କ ସମାଜରୁ ଉଭେଇ ଗଲାଣି । କାରଣ ଭାଷା ସଂରକ୍ଷଣ ଓ ସଚେତନତା କାର୍ଯ୍ୟକ୍ରର୍ମକୁ ସରକାରୀ, ବେସରକାରୀ, ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରରେ ବିଧିବଦ୍ଧ ଭାବେ ତୃଣମୂଳ ସ୍ତରକୁ ନିଆଯାଇପାରି ନାହିଁ । ଯଦି କିଛି ହେଉଥିବ ତେବେ କେବଳ ସେମିନାର, ଆଲୋଚନା ଭିତରେ ନିର୍ଦ୍ଦିଷ୍ଟ କେତେକ ଅନୁଷ୍ଠାନରେ ସୀମିତ ହୋଇ ରହିଯାଉଛି । ସଚେତନତା ଅଭାବରୁ ହୀନମନ୍ୟ ଭାବ ପ୍ରଦର୍ଶନ କରି, ନିଜ ଭାଷାକୁ ଭରସା କରିପାରିଲେ ନାହିଁ ଓ ତଥାକଥିତ ମୁଖ୍ୟସ୍ରୋତର ଭାଷା ଯଥା ଓଡ଼ିଆ, ହିନ୍ଦୀ, ଇଂରାଜୀ, ଇତ୍ୟାଦି ଶିଖିବା ଫଳରେ ଆପଣା ସମାଜର ମୌଳିକ ଭାଷାକୁ ଭୁଲିବାକୁ ଲାଗିଲେ, ଅନେକେ ଭୁଲି ବି ଗଲେ । କାରଣ ସଭ୍ୟ-ଶିକ୍ଷିତ ଲୋକେ ଏଇ ଜାତି ଓ ଜନଜାତିର ଲୋକଙ୍କୁ ଓଡ଼ିଆ, ହିନ୍ଦୀ, ଇଂରାଜୀ, ଇତ୍ୟାଦି ଭାଷାକୁ ଶିଖେଇବା ସହ ତାଙ୍କ ସମାଜର ମୌଳିକ ଭାଷାର ଉପକାରିତାକୁ ବୁଝେଇବାରେ ଅସଫଳ ରହିଲେ ।
ଠିକ ସେମିତି ଏଇ ଜାତି ଓ ଜନଜାତି ବର୍ଗଙ୍କ ମଧ୍ୟରୁ ଅନେକ ବ୍ୟକ୍ତି ବର୍ତ୍ତମାନ ଶିକ୍ଷିତ ହୋଇ ସାରିଛନ୍ତି ହେଲେ ସେମାନେ ମଧ୍ୟ ଏ ଦିଗକୁ ମନ ବଳେଇଲେ ନାହିଁ ।
‘ଜବ୍ ଜଗା, ତବ୍ ସବେରା’ ନ୍ୟାୟରେ ତଥାପି ବେଳ ଉଛୁର ହୋଇନାହିଁ । ଡମ ଭଷାରେ ଅନେକ କବିତା, କଥାନୀ, ଗୀତ ଲେଖାହୋଇ କିଛି କିଛି ବ୍ୟକ୍ତିଗତ ସ୍ତରରେ ପ୍ରକାଶିତ ବି ହୋଇଛି । ଏକ ସ୍ୱତନ୍ତ୍ର ଗବେଷଣା କେନ୍ଦ୍ର ପ୍ରତିଷ୍ଠା ସହ ଡମ ଭାଷାର ପୁନରୁଦ୍ଧାର, ସଂରକ୍ଷଣ ଓ ଉନ୍ନତି ପାଇଁ ବ୍ୟକ୍ତିଗତ, ଗୋଷ୍ଠୀଗତ, ବେସରକାରୀ, ସରକାରୀ ସ୍ତରରେ ବିଧିବଦ୍ଧ ଭାବରେ ଚେଷ୍ଟା କରିବା ଉଚିତ । ଏହା ନକଲେ ସଭ୍ୟ-ଶିକ୍ଷିତ ଲୋକଙ୍କ ବୌଦ୍ଧିକ ବୈଷମ୍ୟ ଓ ଅପାରଗତାକୁ ଇତିହାସ ଲିପିବଦ୍ଧ କରି ରଖିବ ଓ ଭବିଷ୍ୟତ ପିଢ଼ି କେବେ ବି କ୍ଷମା କରିପାରିବ ନାହିଁ ।
(Basudev Sunani is a renowned poet and public intellectual based in Odisha. He can be reached at sunanibasudev@gmail.com)
Leave a Reply