ଆଦିବାସୀ, ଦଳିତ ଓ ପଛୁଆ ବର୍ଗ: ସାଂସ୍କୃତିକ ଐକତା
ଆଦିବାସୀ ଓ ଏହିସବୁ ମିତାନ ଗୋଷ୍ଠର ସ୍ୱତନ୍ତ୍ର ଜୀବନ ଧାରା ଅଛି, ଏକ ସ୍ୱତନ୍ତ୍ର ବିଚାରବୋଧ, ସଂସ୍କୃତିକ ମୂଲ୍ୟବୋଧ ଅଛି ଯାହା ଅଣଆଦିବାସୀଙ୍କ ସାଂସ୍କୃତିକ ଅବବୋଧଠାରୁ କୌଣସି ଗୁଣରେ ନ୍ୟୁନ ନୁହେଁ । ଆମେ ଯେତେ ଦଳିତ, ଆଦିବାସୀ, ପଛୁଆ ବର୍ଗ ଆମର ସଂସ୍କୃତିକୁ ଚିହ୍ନିବା, ଆମର ପରମ୍ପରାକୁ ଚିହ୍ନିବା ତଥା ଆମ ଭିତରେ ଥିବା ପାରସ୍ପରିକ ସହଭାଗିତା ଓ ଏକ୍ୟତାକୁ ବଜାୟ ରଖିବା ସହିତ ଆମେ ପରସ୍ପରକୁ ଘୃଣା କିମ୍ବା ନ୍ୟୁନ କରିବାର ସାମ୍ପ୍ରତିକ ରାଜନୀତିକ ଅପଧାରଣାରୁ ଦୂରରେ ରହିବାକୁ ଚେଷ୍ଟା କରିବା ।
ଓଡିଶାରେ ୬୨ ପ୍ରକାରର ଆଦିବାସୀ, ୯୫ ପ୍ରକାରର ଦଳିତ, ଓ ୨୦୦ ପ୍ରକାରର ପଛୁଆ ବର୍ଗର ଲୋକ ବସବାସ କରୁଛନ୍ତି । ଏମାନେ ଏକତ୍ର ପ୍ରାଚୀନ କାଳରୁ ସହବାସ୍ଥିତ ଗୋଷ୍ଠୀ ଭାବରେ ସହାବସ୍ଥିତ ଭାବେ ରହି ଆସୁଛନ୍ତି । ଆଦିବାସୀ, ଦଳିତ, ଓ ପଛୁଆ ବର୍ଗର ଲୋକମାନେ ପରସ୍ପରକୁ ମିତାନ୍ ଜାତି ଭାବରେ ଗ୍ରହଣ କରିଥାନ୍ତି । ଏମାନେ ପରସ୍ପରକୁ କୃଷି ତଥା ଦୈନନ୍ଦିନ ମୃତକର୍ମରେ ମଧ୍ୟ ପରସ୍ପରକୁ ଗୁଆଦେବା ବା ନିମନ୍ତ୍ରଣ କରିବାର ପ୍ରଥା ଅଛି ତଥା ଆନୁଷ୍ଠାନିକ ଭାବରେ ବିଭିନ୍ନ କର୍ମ ସମ୍ପାଦନ କରିବା ଦେଖିବାକୁ ମିଳେ ।
ଆଦିବାସୀ, ଦଳିତ ଓ ପଛୁଆ ବର୍ଗ ଆଦି ଆଧୁନିକ ସାମ୍ବିଧାନିକ ବର୍ଗୀକରଣ । ଏହା ପୂର୍ବରୁ ଭାରତୀୟ ଶାସ୍ତ୍ର ଓ ବିଦ୍ୱାନମାନେ ଆର୍ଯ୍ୟ, ଅନାର୍ଯ୍ୟ, ନିଷାଦ ଓ ଚତୁର୍ବର୍ଗ ଭାବରେ ବିଭିନ୍ନ ଗୋଷ୍ଠୀଙ୍କୁ ଉଲ୍ଲେଖ କରିଛନ୍ତି । ଏହି ସବୁ ଶାସ୍ତ୍ରରେ ଆଦିବାସୀମାନଙ୍କୁ ନିଷାଦ ତଥା କମାର, କୁମ୍ଭାର, ଗଉଡ଼, କୈବର୍ତ୍ତ, ସବର୍ଣ୍ରକାର ଆଦି ଅନେକ ଶ୍ରମଜୀବୀଙ୍କୁ ଶୂଦ୍ର ଭାବରେ ଉଲ୍ଲେଖ କରିବା ଦେଖାଯାଏ ଯାହା ବିଶଦ ଆଲୋଚନା ରାମ ଶରଣ ଶର୍ମାଙ୍କ Sudras in Ancient India: A History of Lower Order Down to Circa A.D. 600 (1965) ରେ ଦେଖୁବାକୁ ମିଳେ । ଅତଏବ, ଏହି ଗୋଷ୍ଠୀ ପ୍ରାଚୀନ କାଳରୁ ସହାବସ୍ଥିତ ଗୋଷ୍ଠୀ ଭାବେ ବସବାସ କରିଆସୁଛନ୍ତି ଏଣୁ, ଏମାନଙ୍କ ଜୀବନଧାରା ଓ ରୀତିନୀତିରେ ସହଭାଗିତା ଆଉ ସାମଞ୍ଜସ୍ୟ ଦେଖବାକୁ ମିଳେ ।
ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ସମସ୍ତଙ୍କ ସ୍ୱତନ୍ତ୍ର ଜୀବନଧାରା ଅଛି, ସଂସ୍କୃତି ଅଛି । କେବଳ ସେତିକି ନୁହେଁ ଗୋଟିଏ ଭୂଖଣ୍ଡରେ ରହୁଥିବାରୁ ସେମାନଙ୍କ ସଂସ୍କୃତିରେ ସାମଞ୍ଜସ୍ୟ ଓ ସହଭାଗିତା ମଧ୍ୟ ଦେଖ୍ଵବାକୁ ମିଳେ । ଅନେକ ଆଦିବାସୀ ଗୋଷ୍ଠୀର ସ୍ୱତନ୍ତ୍ର ଭାଷା ଅଛି । ଏଠାରେ ଉଲ୍ଲେଖନୀୟ ଯେ, ନିର୍ଦ୍ଦିଷ୍ଟ ଆଦିବାସୀ ଗୋଷ୍ଠୀ ତଥା ସହାବସ୍ଥିତ ସମ-ଭାଷିକ ଗୋଷ୍ଠୀର ସଂସ୍କୃତିରେ ଅନେକ ସମାନତା ଦେଖାଯାଉଥିଲେ ମଧ୍ୟ ଅଞ୍ଚଳ ତଥା ଗୋଷ୍ଠୀ ଭେଦରେ କିଛି ସ୍ୱତନ୍ତ୍ରତା ପରିଲକ୍ଷିତ ହୋଇଥାଏ । ସେହିପରି, ଆଦିବାସୀ ଗୋଷ୍ଠୀ ସହିତ ସହାବସ୍ଥିତ ଅନ୍ୟ ଜାତିର ସଂସ୍କୃତିରେ ମଧ୍ୟ ଅଳ୍ପ ବହୁତ ସମାନତା ଆମେ ଦେଖବାକୁ ପାଇଥାଉ, ଓ ଏମାନେ ସାମାଜିକ ସାଂସ୍କୃତିକ ଭାବରେ ପରସ୍ପର ପରିପୂରକ । ଏଇଥିପାଇଁ ଏହି ଗୋଷ୍ଠୀଙ୍କୁ ମିତାନ୍ ଜାତି କୁହାଯାଏ । ଅନୁରୂପ ଭାବରେ, ଉଭୟ ଗୋଷ୍ଠୀରେ ପୂଜିତ ଦେବଦେବୀ ଓ ସେମାନଙ୍କ ପୂଜାବିଧି ବି ଅନେକତ୍ର ସାମଞ୍ଜସ୍ୟ ରଖେ । ଆଦିବାସୀ ଓ ମିତାନ୍ ଗୋଷ୍ଠୀରେ ବିଭିନ୍ନ ବଂଶ ଅବଧାରଣାରେ ମଧ୍ୟ ସାମଞ୍ଜସ୍ୟ ଦେଖବାକୁ ମିଳେ । ଉଦାହରଣ ସ୍ୱରୂପ ବାଗ, ସିଂହ, ନାଗ, ହାତୀ, ନାଏକ, କଇଁଛ ଭଳି ଅନେକ ବଂଶର ଅବଧାରଣା କେବଳ ମିତାନ୍ ଗୋଷ୍ଠୀରେ ନୁହେଁ, ପେଣିଆ, ହଲବା, ଭତରା, ବଣ୍ଡା, ଭୂମିଆ, ଗାଦବା, ଦୁରୁଆ, ବିଞ୍ଚାଲ ଆଦି ଆଦିବାସୀ ଗୋଷ୍ଠୀରେ ବି ଦେଖୁବାକୁ ପାଇଥାଉଁ । ଏହି ବଂଶ ପରମ୍ପରା ସହିତ ଖର୍ସେଲ, ମାଝୀ (ମାଂଝି), ପ୍ରଧାନ, ଛତିଆ (ଛତର), ପାଣିଗିରି (ପାଣିଗ୍ରାହୀ) ଆଦି ସାଙ୍ଗିଆ ଉଭୟ ମିତାନ୍ ଓ ଆଦିବାସୀ ଗୋଷ୍ଠୀରେ ଦେଖାଯାଏ । ସେହିପରି, ଜନ୍ମ ମୃତ୍ୟୁ-ବିବାହ ସହିତ ସମସ୍ତ ସାମୂହିକ ପର୍ବପର୍ବାଣି ପାଳନ ଓ ପରିବେଷଣ ଦେବୀଦେବତାଙ୍କ ପୂଜା, ସାମାଜିକ ରୀତିନୀତିରେ ସାମଞ୍ଜସ୍ୟ ଓ ସମାନତା ଦେଖାଯାଏ । ପ୍ରତ୍ୟେକ ପୂଜା ପର୍ବ, ସାମାଜିକ, ସାଂସ୍କୃତିକ ଅନୁଷ୍ଠାନରେ ଗଉଡ ହାତର ଘିଅ, ଗୋରସ; ମାଳି ହାତର ଫୁଲ; କଣ୍ଡରା ବା ମାହାର ହାତର ବାଉଁଶ, ବାଉଁଶ ଚାଙ୍ଗୁଡି; କୁମ୍ଭାର ହାତର ରୁଖା, ଦୀପ, ମାଟି କଳସ; କେଉଟ ଆଉ ମାଳୀ ହାତର ଖଇ; ତେଲି ହାତର ତେଲ, ଝରା; ଲୋହରା ହାତର ଶିକୁଳି, ଶୁକୁନ: ଘାସି ହାତର ଗୋବର; ଗଣା ହାତର କପଟା (ବାଏନ), ବାଜା; ଜାନୀ, ଝାକର ହାତର ପୁଞ୍ଜି; ଧୋବା ହାତର ଚୁନା, ଗୁଣା ଆଦି ଆବଶ୍ୟକ ହୋଇଥାଏ । ଏସବୁ ଏକ ଭୌଗୋଳିକ ପରିବେଶରେ ସହାବସ୍ଥିତ ଗୋଷ୍ଠୀଗୁଡିକର ସାମୂହିକ ଜୀବନଧାରା ଓ ମୈତ୍ରୀ ଭାବନାର ପ୍ରକାଶକ ।
ଭାରତୀୟ ଜାତି ପରମ୍ପରାରେ ଆମେ ଯଦିଓ ଅସ୍ପୃଶ୍ୟତା ତଥା ଛୁଆ-ଅଛୁଆଁ ଭେଦଭାବ ଦେଖିଥାଉ ଓ ଏହାର ପ୍ରଭାବ ସମ୍ପ୍ରତି ମଧ୍ୟ ବଳବତ୍ତର, ତଥାପି ଏହି ମିତାନ୍ ଅଞ୍ଚଳଗୁଡିକରେ ଧର୍ମୀୟ ଉତ୍ସବ, ଜନ୍ମ-ବିବାହ-ମୃତ୍ୟୁ ଆଦି ସାମାଜିକ ସଂସ୍କାର, ବିଭିନ୍ନ କୃଷି ଆଧାରିତ ଓ ସାମୂହିକ ପର୍ବପର୍ବାଣିରେ ସମସ୍ତଙ୍କ ଅଂଶଗ୍ରହଣ ଦେଖ୍ଵବାକୁ ମିଳେ । ଏହା ବ୍ୟତୀତ, ଆଦିବାସୀ ଓ ମିତାନ୍ ଗୋଷ୍ଠୀ ଭିତରେ ପ୍ରଜାତିକ ସମ୍ପର୍କକୁ ନେଇ ମଧ୍ୟ ସ୍ୱତନ୍ତ୍ର ଅବଧାରଣା ଉଲ୍ଲେଖନୀୟ ଯେପରି, କନ୍ଧ ଓ ଗଣା ବା ଡମ୍, ଗଣ୍ଡ ଓ କନ୍ଧ ପରସ୍ସରକୁ ଦୁଦଭାଇ କହିଥାନ୍ତି । ସେହିପରି ଭୁଞ୍ଜିଆ, ପହରିଆ, ବୈଗା, ଭତରା, ପରଜା, ଅଗରିଆ ଆଦି ଗୋଟିଏ ଗୋଷ୍ଠୀରୁ ସୃଷ୍ଟି ହୋଇଥବା ବିଭିନ ପ୍ରଜାତିକ ଆଖ୍ୟାନ ଶୁଣାଯାଏ । ହୋ, ସାନ୍ତାଳ, ମୁଣ୍ଡା, ମୁଣ୍ଡାରୀ, ମାଙ୍କିଡିଆ, ବିରହୋର; କନ୍ଧ, ପରଜା, ବଣ୍ଡା, ଓ ଗାଦବା ଆଦି ଗୋଷ୍ଠୀ ମଧ ପରସ୍ପରର ପ୍ରଜାତିକ ଏକତା ସମ୍ପର୍କରେ ବ୍ୟାଖ୍ୟା କରନ୍ତି। ଏଠାରେ ଏହା ମଧ୍ୟ ଉଲ୍ଲେଖନୀୟ ଯେ ଗଣା ଓ ବିଞ୍ଜାଲ ଉଭୟଙ୍କ ପ୍ରଜାତିକ ଭାଟ ବିରଥିଆ ଭାବରେ ପରିଚିତ ।
ସଂସ୍କୃତି ପ୍ରତ୍ୟେକ ଗୋଷ୍ଠୀ ପାଇଁ ସେମାନଙ୍କ ପରିଚିତିର ସ୍ୱରୂପ । ସାଂସ୍କୃତିକ ଅଧ୍ୟୟନରୁ ଆମେ ସମ୍ପୃକ୍ତ ଗୋଷ୍ଠୀର ଜୀବନଧାରା, ରୀତିନୀତି, ବିଚାରବୋଧ, ବିଶ୍ୱଦୃଷ୍ଟି ସମ୍ପର୍କରେ ଅବଗତ ହୋଇଥାଉ । ବିଟିଶ୍ ଶାସନ କାଳରେ ଅନେକ ଆଦିବାସୀ ଓ ମିତାନ୍ ଗୋଷ୍ଠୀ (ସହାବସ୍ଥିତ ସମାନ ସାମାଜିକ-ସାଂସ୍କୃତିକ ଗୋଷ୍ଠୀ)ର ସଦସ୍ୟଙ୍କୁ କ୍ରିମିନାଲ୍ ଟ୍ରାଇବ୍ ଭାବରେ ଗଣନା କରାଯାଉଥଲା । ତେବେ, ସ୍ୱାଧୀନତାର ବହୁ ବର୍ଷ ପରେ ବି ଆଦିବାସୀ ଓ ମିତାନ୍ ଗୋଷ୍ଠୀଗୁଡିକୁ ନେଇ ପ୍ରସ୍ତୁତ ସାଂସ୍କୃତିକ ଆଖ୍ୟାନରେ ସେମାନଙ୍କୁ ମୂର୍ଖ, ଅସଭ୍ୟ, କୁସଂସ୍କାରଗ୍ରସ୍ତ, ଅନ୍ଧବିଶ୍ୱାସୀ ଭାବରେ ବର୍ଣ୍ଣନା କରାଯିବା ଦେଖ୍ଵବାକୁ ମିଳେ । ଏପରିକି ସେମାନଙ୍କ ଭାଷା ପାଇଁ ସେମାନଙ୍କଦ୍ୱାରା ବିକଶିତ ଲିପିକୁ ଅବୈଜ୍ଞାନିକ, ଉଦ୍ଭଟ, ଅବାସ୍ତବ କୁହାଯାଏ । ସ୍ୱାଧୀନତାର ଦୀର୍ଘ ଦିନ ପରେ ମଧ୍ୟ ଏହି ସବୁ ଗୋଷ୍ଠୀର ଅନେକ ସଦସ୍ୟ ଆନୁଷ୍ଠାନିକ ଓ ଆଧୁନିକ ଶିକ୍ଷାଠାରୁ ବହୂ ଦୂରରେ । ଆମ ଦେଶର ଅନେକ ଲୋକ (ବିଶେଷ କରି ଅନୁସୂଚିତ ଜାତି ଓ ଜନଜାତି)ଙ୍କ ପାଖରେ ନିମ୍ନତମ ଶିକ୍ଷା, ସ୍ୱାସ୍ଥ୍ୟ ଓ କର୍ମ ସଂସ୍ଥାନ ନାହିଁ । ଏବେ ମଧ୍ୟ ଚୁକଟିଆ ଭୁଞ୍ଜିଆ, ବିରହୋର, ବଣ୍ଡା, ଡିଡାୟୀ, ଡଙ୍ଗରିଆ କନ୍ଧ, ଜୁଆଙ୍ଗ, ଖଡିଆ, କୁଟିଆ କନ୍ଧ, ଲାଞ୍ଜିଆ ସଉରା, ସଉରା, ମାଙ୍କିର୍ଡିଆ, ପାହାଡି ଭୂୟାଁ ପ୍ରଭୂତି ଅନେକ ଆଦିବାସୀ ବିକାଶର ସର୍ବନିମ୍ନ ସ୍ତରରେ । ଆଉ ଆମ ପାଖରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ଥାଇ, ଆର୍ଥିକ ଭାବେ ସ୍ୱଚ୍ଛଳ ହୋଇ ମଧ୍ୟ ଗୁଣିଗାରେଡିରେ ବିଶ୍ୱାସ କରୁଛୁ ସେତେବେଳେ ଏ ସବୁରୁ ବଞ୍ଚିତ ଗୋଷ୍ଠୀର ସେହି ପ୍ରକାର ବିଶ୍ୱାସକୁ ଅନ୍ଧବିଶ୍ୱାସ ଭାବରେ ଆଲୋଚନା କରିଥାଉ, ଯାହା ଦୁର୍ଭାଗ୍ୟପୂର୍ଣ୍ଣ । ସମ୍ପ୍ରତି ବହୂ ଆଦିବାସୀ ଗୋଷ୍ଠୀର ଜୀବନଧାରା, ଭାଷା-ସଂସ୍କୃତି ସଙ୍କଟାପନ ଅବସ୍ଥାରେ । ବ୍ରିଟିଶ୍ ଶାସନକାଳରୁ ତଥା ଆନୁଷ୍ଠାନିକ ଶିକ୍ଷା ଓ ଗବେଷଣାର ପ୍ରାରମ୍ଭିକ ସମୟରୁ ଆଦିବାସୀଙ୍କ ବିଷୟରେ କେବଳ ସଂସ୍କୃତି ଗବେଷକ ନୁହନ୍ତି, ସମାଜତତ୍ତ୍ଵ, ଅର୍ଥତତ୍ତ୍ୱ, ନୃତତ୍ତ୍ୱ, ଭାଷାତତ୍ତ୍ୱର ବହୁ ଗବେଷକ ଅନେକ ଗବେଷଣା କରିସାରିଛନ୍ତି, କରିଚାଲିଛନ୍ତି ତଥାପି ସେମାନଙ୍କ ଭିତରୁ ଅନେକଙ୍କ ସ୍ଥିତି ବିପନ୍ନ, ଜୀବନଧାରଣର ମାନ ନିମ୍ନ; ଏହା ଆମ ଜ୍ଞାନ, ଗବେଷଣା, ସହାବସିତ ଅନ୍ୟ ଗୋଷ୍ଠୀ ପ୍ରତି ଅବଧାରଣା, ଓ ସାମଗ୍ରିକ ଜାତୀୟ ଅଗ୍ରଗତିରେ ଆମର ନକରାତ୍ମକ ଦିଗକୁ ପ୍ରକାଶ କରେ ।
ପାରମ୍ପରିକ ଜୀବନ ଧାରାରେ ଆଦିବାସୀ କି ମିତାନ୍ ଗୋଷ୍ଠୀର କୌଣସି ସଦସ୍ୟ କୌଣସି ଏକ ସ୍ଥାନକୁ ଯାଇ ଘର ଚିଆରି କରି ରହିଯାଉନଥିଲେ । ଏଥିପାଇଁ ଚୟନିତ ଅଞ୍ଚଳକୁ ପୂଜାପାଠ କରି ମାଟି ମାଆକୁ ଅଂଗ (ଆଶ୍ରୟ) ମାଗିବା ପରେ ହିଁ ବସବାସ କରୁଥିଲେ । ଏହି ପରମ୍ପରା “ମୁଡାଗାଡିବା” ବା “ଗାଁ ବସେଇବା” ଭାବରେ ପରିଚିତ । ଏହି ପରମ୍ପରା ବର୍ଭମାନ ମଧ୍ୟ ସମ୍ପୃକ୍ତ ପରିସରରେ ଦେଖିବାକୁ ମିଳେ । ଆଦିବାସୀ ଓ ମିତାନ ଗୋଷ୍ଠୀ ପାଇଁ ନିଜ ଗାଁ ମାଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ଗାଁ ମାଟିରେ ସେମାନଙ୍କ ପୂର୍ବପୁରୁଷ ଡୁମା ହୋଇଛନ୍ତି । ସେହିପରି, ପାରମ୍ପରିକ ଆଦିବାସୀ ଗୃହଗୁଡିକ ସେମାନଙ୍କ “ସାଂସ୍କୃତିକ ପରିଚିତି” ବହନ କରିଥାଏ । ଏହାର ଉଦାହରଣ ଭାବରେ ସଉରା ଓ ସାନ୍ତାଳ ଗୋଷ୍ଠୀର କାନ୍ଥ ଚିତ୍ର ତଥା ଗୃହ ନିର୍ମାଣ ଶୈଳୀକୁ ଗ୍ରହଣ କରାଯାଇପାରେ ।
ପ୍ରତ୍ୟେକ ଆଦିବାସୀ ତଥା ମିତାନ୍ ଗୋଷ୍ଠୀ ବସବାସ କରୁଥିବା ଗ୍ରାମରେ ପାରମ୍ପରିକ ଗ୍ରାମ୍ୟ ମୁଖ୍ୟଙ୍କ ସହିତ ପୂଜକ ରୂପରେ ଝାଙ୍କର, ଜାନୀ, ଦିଆରୀ, ଶିରା, ତଥା ଗୁରୁମାଇ ଆଦି ଥାଆନ୍ତି । ସମ୍ପ୍ରତି ଗଣତନ୍ତ୍ରର ପଞ୍ଚାୟତ ବ୍ୟବସ୍ଥାରେ ଶାସନଗତ ନହେଲେ ମଧ୍ୟ ସାମାଜିକ ରୀତିନୀତି କ୍ଷେତ୍ରରେ ଏମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଭିନ୍ନ ପର୍ବପର୍ବାଣି, ସାମାଜିକ ରୀତିନୀତି ପାଳନ ଓ ପରିବେଷଣରେ ଏମାନଙ୍କ ଭୂମିକା ପୂର୍ବ ଭଳି ଅତୁଟ ଏବଂ ସମସ୍ତ ସଦସ୍ୟ ଏହାକୁ ସ୍ୱୀକାର କରନ୍ତି । ପୂଜା ପର୍ବରେ ଚଥା ବିଶେଷ ଆୟୋଜନରେ ପାଲି, ପଁଚୁରାର ଲୋକମାନେ ମଧ୍ୟ ଏକତ୍ର ଅଂଶଗ୍ରହଣ କରିଥାନ୍ତି । ଉଦାହରଣ ସ୍ୱରୂପ, ଯଦି କୌଣସି ଏକ ଗ୍ରାମରେ ପୋଢବଳି ବା ମେରିଆ ପଡ଼ୁଛି ତେବେ, ଆଖପାଖର ସମ୍ପୃକ୍ତ ଗୋଷ୍ଠୀର ସଦସ୍ୟ ମଧ୍ୟ ସେଥ୍ରେ ଭାଗ ନେଇଥାନ୍ତି । ଅତଏବ, କେବଳ ଗ୍ରାମ ମଧ୍ୟରେ ନୁହେଁ, ବରଂ ପାଲି, ପଁଚୁରା ଭଳି ଆଖପାଖର ଅନେକ ଗ୍ରାମରେ ମଧ୍ୟ ପରସ୍ପର ଭିତରେ ସାଂସ୍କୃତିକ ତଥା ପ୍ରଜାତିକ ଏକତା ଦେଖାଯାଏ ।
ଆଦିବାସୀ ଓ ମିତାନ ଗୋଷ୍ଠୀରେ ମାଟି, ପାଣି, ପବନ, ଅନ, ଓ ଆଗି(ଅଗି)କୁ ନେଇ ସ୍ୱତନ୍ତ୍ର ଅବଧାରଣା ଏବେ ବି ଦେଖବାକୁ ମିଳେ । “ମଲାବେଳେ ମାଏଟ୍ ମୁଠେକ୍ ଆର୍ ଜୀବନ ଥଲା ବେଲେ ପାଏନ୍ ଢୋକେକ୍’, ଜୋଏଦିଆ ମାଏଟଦିଆ, “ପବନ ଖଣେକର ଜୀବନ”, “ମାଏଟ ମାଆ, “ପାଏନ ଆର୍ ପରାନ୍’ ଭଳି ପରିପକାଶରୁ ପ୍ରକୃତି ପ୍ରତି ଏହି ଗୋଷ୍ଠୀର ଅବଧାରଣା ଓ କୃତଜ୍ଞତା ଅନୁମେୟ । ଅତଏବ, ଏବେ ବି ଏହି ଗୋଷ୍ଠୀ ପ୍ରକୃତିକୁ ଉତଖାତ୍ ନକରି ଦିନରାତି କୃତଜ୍ଞତା ଜ୍ଞାପନ କରିବା ସହ ସହାବସ୍ଥିତ ଅନ୍ୟ ଗୋଷ୍ଠୀ, ଜାତି ସହ ଶୃଙ୍ଖଳିତ ଅବସ୍ଥାନ, ମୈତ୍ରୀବନ୍ଧନ, ଓ ସାମୂହିକ ଜୀବନ ଜୀଇଁ ନିଜନିଜର ସାଂସ୍କୃତିକ ପରିଚିତ ନିର୍ମାଣରେ ବିଶ୍ୱାସ କରି ଆସୁଛନ୍ତି । ସେହିପରି, ପ୍ରାୟ ଆଦିବାସୀ ତଥା ମିତାନ୍ ଗୋଷ୍ଠୀରେ ବସ୍ତ୍ର ବୟନର ପରମ୍ପରା ଅଛି, ଉଦାହରଣ ସ୍ୱରୂପ – ବଣ୍ଡା, ଗାଦବା, ସାନ୍ତାଳ, ଡମ୍, ଭୋଲିଆ, କୋଷ୍ଟା ପ୍ରଭୃତି ଆଦିବାସୀ ଓ ମିତାନ୍ ଗୋଷ୍ଠୀ ସେମାନଙ୍କ ବ୍ୟବହାର ପାଇଁ ସ୍ୱତନ୍ତ୍ର କପଡା ବୁଣିଥାନ୍ତି । ସମ୍ପ୍ରତି କିନ୍ତୁ ଏହି ପାରମ୍ପରିକ ବସ୍ତ୍ରର ବ୍ୟବହାର ଧୀରେଧୀରେ କମିବାରେ ଲାଗିଛି । ତେବେ, ଏସବୁର ସୌଖୀନ, ବ୍ୟବସାୟିକ ଉତ୍ପାଦନ, ଓ ସାଂସ୍କୃତିକ ପରିଚିତିର ସାମ୍ପ୍ରତିକ ଧାରା ଏସବୁର ପୁନଃ-ପ୍ରଚଳନକୁ ଫେରାଇ ଆଣୁଛି ବୋଲି କୁହାଯାଇପାରେ ।
ଆଦିବାସୀ ଓ ମିତାନ୍ ଗୋଷ୍ଠୀରେ ମଧ୍ୟ ଜନ୍ମ-ବିବାହ-ମୃତ୍ୟୁ ତଥା ଏହି ଅନୁଷ୍ଠାନର ପୂର୍ବପର ସମୟରେ ଅନେକ ସ୍ଵତନ୍ତ୍ର ରୀତିନୀତି ପାଳନ କରିବା ଦେଖାଯାଏ । ତେବେ ଏହି ରୀତିନୀତି ବ୍ରାହ୍ମଣ ପୁରୋହିତ ବଦଳରେ ସମ୍ପୃକ୍ତ ଗୋଷ୍ଠୀର ସାଂସ୍କୃତିକ ପ୍ରତିନିଧିଙ୍କଦ୍ୱାରା ହିଁ ଅନୁଷ୍ଠିତ ହୋଇଥାଏ । ଆଦିବାସୀମାନଙ୍କ ବିବାହ ପ୍ରଥା ମଧ୍ୟ ଅଞ୍ଚଳ ତଥା ଗୋଷ୍ଠୀ ଭେଦରେ ସ୍ୱତନ୍ତ୍ର । ପ୍ରତ୍ୟେକ ଆଦିବାସୀ ଗ୍ରାମରେ ସାଧାରଣତଃ ଯୁବକ ଯୁବତୀମାନଙ୍କ ପାଇଁ ଗୋଟିଏ ଗୋଟିଏ ଅଲଗା ଘର ଥାଏ ଯାହା ବିଭିନ୍ନ ଆଦିବାସୀ ଗୋଷ୍ଠୀରେ ଧାଙ୍ଗଡା ଧାଙ୍ଗିଡୀ ବସା “ଘୋତୁଲ”, “ସେଲାନିଡିଙ୍ଗୋ”, “ପୋଲାଡପା, ‘ଡିଆଁଶିବାସା”, ‘ଅଡୁବବାସା”, “ଅନବବାସା’, “ଧୁଗଲା” ଆଦି ଭାବରେ ପରିଚିତ । ଅବିବାହିତ ଯୁବକ ଯୁବତୀମାନେ ଏହି ସାମୂହିକ ଶୟନାଗାରରେ ଏକାଠି ନୃତ୍ୟ, ସଙ୍ଗୀତ ଓ ଗପସପ କରିବା ସହିତ ନିଜ ନିଜର ଜୀବନସାଥୀ ବାଛିବାର ସ୍ୱାଧୀନତା ପାଇଥାନ୍ତି । ସେହିପରି, ପ୍ରତ୍ୟେକ ଆଦିବାସୀ ଗୋଷ୍ଠୀରେ ବିଧବା ବିବାହ ପ୍ରଚଳିତ । ବିଧବାମାନେ ସାଧାରଣତଃ ସ୍ୱାମୀର ଭାଇ ସହିତ ବିବାହ କରିଥାନ୍ତି, ସ୍ୱାମୀର ଭାଇ କିମ୍ଵା ରକ୍ତ ସମ୍ପର୍କୀୟ ଅନ୍ୟ କୌଣସି ଭାଇ ନଥିଲେ ଅନ୍ୟତ୍ର ବିବାହ କରିବାକୁ ମଧ୍ୟ ନିୟମ ଜନିତ କୌଣସି ବାଧା ନଥାଏ । ଏଠାରେ ଏହା ଉଲ୍ଲେଖନୀୟ ଯେ, ଆଦିବାସୀ ସମାଜରେ ସ୍ୱାମୀ ନିକଟରେ ରହିବାକୁ ଚାହୁଁନାହିଁ ବୋଲି ଗ୍ରାମ ତଥା ଜାତି ପଞ୍ଚାୟତ ନିକଟରେ ସ୍ତ୍ରୀଟିଏ କହିଦେଲେ ଅନାୟାସରେ ତାକୁ ଛାଡପତ୍ର ପାଇଁ ଅନୁମତି ମିଳିଥାଏ ।
ଆଦିବାସୀ ସମାଜରେ ମହିଳାମାନେ ମଧ୍ୟ ପୁରୁଷମାନଙ୍କ ଭଳି ବ୍ୟକ୍ତି ସ୍ଵାଧୀନତା ଉପଭୋଗ କରିଥାନ୍ତି । ବିବାହ ପୂର୍ବରୁ ପୁରୁଷମାନଙ୍କ ସହିତ ମିଶି ଗୀତ ଓ ନାଚରେ ସହଯୋଗ କରିବା ପାଇଁ ସାମାଜିକ ଭାବରେ ସେମାନଙ୍କୁ ବାଧା ଦିଆଯାଏନାହିଁ । ବିବାହ ପରେ ବି ବିବାହ ଓ ଅନ୍ୟାନ୍ୟ ପର୍ବପର୍ବାଣି ପ୍ରଭୃତି ଉତ୍ସବ ଅନୁଷ୍ଠାନଗୁଡିକରେ ପୁରୁଷମାନଙ୍କ ସହ ମିଶି ମଦ୍ୟପାନ ସହ ଗୀତ ଓ ନାଚରେ ଯୋଗଦେବାକୁ ସେମାନଙ୍କୁ କେହି ବାରଣ କରିନଥାନ୍ତି ।
ଆଦିବାସୀ ତଥା ମିତାନ୍ ଗୋଷ୍ଠୀ ଅନେକ ଦେବଦେବୀଙ୍କୁ ପୂଜା କରିବା ଦେଖାଯାଏ । ପ୍ରତ୍ୟେକ ସମ୍ପ୍ରଦାୟ ମଧ୍ୟରେ ସେମାନଙ୍କ ଗୋଷ୍ଠୀ ପରିଚିତି ସ୍ୱରୂପ ବିଭିନ୍ନ ପ୍ରକାର ଧର୍ମ ବିଶ୍ୱାସ ରହିଥିଲେ ମଧ୍ୟ କେତେକ କ୍ଷେତ୍ରରେ ବିଶେଷ ପ୍ରଭେଦ ଥ୍ଵବାର ସୂଚନା ମିଳେନାହିଁ । ଏହି ସବୁ ବିଶ୍ୱାସ ତଥା ଅବଧାରଣା ସାଧାରଣତଃ ପୂର୍ବପୁରୁଷ, ପୁନର୍ଜନ୍ମ, ବହୂ ଦେବଦେବୀ ଉପରେ ପ୍ରତିଷ୍ଠିତ । ସେହିଭଳି ପ୍ରାୟ ସମସ୍ତ ଆଦିବାସୀ ଓ ମିତାନ୍ ଗୋଷ୍ଠୀରେ “ଜୀ” ବା ପୂର୍ବପୁରୁଷଙ୍କ ଡୁମାକୁ ପରିବାର ବା ବଂଶର ଆରାଧ୍ୟ ଦେବତା ସହିତ ପୂଜା କରିବା ଦେଖାଯାଏ । ପରିବାରରେ ଜଣେ ବ୍ୟକ୍ତିର ମୃତ୍ୟୁ ହେଲେ ସେ ବାରମ୍ବାର ପୁଅଝିଅ ନାତିନାତୁଣୀ ଘରେ ପୂନର୍ବାର ଜନ୍ମଗ୍ରହଣ କରିଥାଏ ବୋଲି ମଧ୍ୟ ପ୍ରତ୍ୟେକ ଆଦିବାସୀ ଓ ମିତାନ୍ ଗୋଷ୍ଠୀ ବିଶ୍ୱାସ କରନ୍ତି ।
ଆଦିବାସୀ ଓ ମିତାନ୍ ଗୋଷ୍ଠୀରେ ମୂଳଦେବତା ବା ମହାପ୍ରଭୁଙ୍କ ଅବଧାରଣା ଦେଖବାକୁ ମିଳେ । ପ୍ରତ୍ୟେକ ଗ୍ରାମରେ ଗ୍ରାମଦେବଦେବୀଙ୍କ ଅବଧାରଣା ଆମେ ଦେଖିଥାଉ । ସାଧାରଣତଃ ଗଛ ମୂଳରେ ପଥର ଖଣ୍ଡେ ରଖି ସେଥିରେ ସିନ୍ଦୂର ଦେଇ “ଠାକୁରାଣୀ” ନାମରେ ତାଙ୍କୁ ପୂଜା କରାଯାଏ । ଅନେକ ଗୋଷ୍ଠୀରେ ସୂର୍ଯ୍ୟଙ୍କୁ ଧର୍ମଦେବତା ଓ ଧରିତ୍ରୀଙ୍କୁ ମାଟି ଦେବତା ବା ଧାରନୀ ଦେବୀ ରୂପେ ପୂଜା କରନ୍ତି । ଏହା ବ୍ୟତୀତ, ପ୍ରତ୍ୟେକ ପରିବାରରେ ଜଣେଜଣେ କୁଳ ଦେବୀଦେବତା ଥାଆନ୍ତି । କେତେକ ଆଦିବାସୀ ଗ୍ରାମରେ ଏହି ଦେବୀଦେବତାମାନେ ଗ୍ରାମ ଠାକୁରାଣୀ, ବୁଢାରଜା ଆଦି ବ୍ୟତୀତ ଅନ୍ୟତମ ମୁଖ୍ୟ ଦେବୀଦେବତା ରୂପରେ ମଧ୍ୟ ପୂଜା ପାଇଥାଆନ୍ତି । ଗ୍ରାମ ମଧ୍ୟରେ ଥ୍ଲେ କୌଣସି ଏକ ଗୁଡି ବା ଝାଟିମାଟିର ଛୋଟ ଆସ୍ଥାନ ଘର, ପରିବାର ମଧ୍ୟରେ ଥିଲେ ଧାନଘର, ବା ରୋଷେଇ ଘରର କୌଣସି ଏକ କୋଣକୁ ଏହି ଦେବଦେବୀଙ୍କ ଆସ୍ଥାନ ଭାବରେ ଗ୍ରହଣ କରାଯାଏ ।
ମାଟି, ପାଣି, ଓ ବୃକ୍ଷ ପ୍ରକୃତି ଆଉ ଜୀବନଧାରଣର ମୂଳ ଆଧାର ଭାବରେ ପ୍ରତ୍ୟେକ ଆଦିବାସୀ ଓ ମିତାନ୍ ଗୋଷ୍ଠୀରେ ପୂଜିତ । ଧାରନୀ ଦେବୀ, ସିଂବୋଙ୍ଗା, କାମିନୀ ଦେବୀ ସହିତ ମହୁଲ ଗଛିଏନ, ମହୁଲଗୁଣି, ମାଣିଆ ରାନୀ, ସିନ୍ଧିବୁଟା, କରମା, ଡାଲଖାଇ, କୁରେଇ ପତର ଆଦି ଏ କ୍ଷେତ୍ରରେ ଉଲ୍ଲେଖନୀୟ । କୌଣସି କାଳ୍ପନିକ ଦେବଦେବୀଙ୍କ ଅବଧାରଣା ନୁହେଁ ବରଂ ଆଦିବାସୀ ଓ ମିତାନ୍ ଗୋଷ୍ଠୀ ସାଧାରଣତଃ ସେହି ବୃକ୍ଷକୁ ଦେବତା ତୁଲ୍ୟ ପୂଜା କରିଥାନ୍ତି ଯେଉଁ ବୃକ୍ଷରୁ ଖାଦ୍ୟ ଓ ପାନୀୟ ମିଳିଥାଏ, ସେମାନଙ୍କ ଜୀବନ ଓ ପ୍ରାଣକୁ ପରିପୁଷ୍ଟ କରିଥାଏ । ସେହିପରି ମାଟି, ପାଣି, ପବନର ପ୍ରକାରଭେଦ, ରଙ୍ଗ, ଉକୁଷ୍ଠଟତାକୁ ନେଇ ବିଭିନ୍ନ ପାରମ୍ପରିକ ଅବଧାରଣା ଦେଖବାକୁ ମିଳେ । ଏସବୁକୁ ମଧ୍ୟ ଦେବତା ଭାବରେ ଗ୍ରହଣ କରି ବର୍ଷର ବିଭିନ୍ନ ସମୟରେ ସେମାନଙ୍କର ପୂଜା କରିଥାନ୍ତି, ଓ ଉତ୍ତର ପିଢି ପାଇଁ ସୁରକ୍ଷିତ ରଖ୍ଵବାକୁ ଆପ୍ରାଣ ଚେଷ୍ଟା କରନ୍ତି । ସାଧାରଣ ପାରମ୍ପରିକ ଲୋକ ଜୀବନ ଭଳି ସହାବସ୍ଥିତ ବିଭିନ୍ନ ଗ୍ରାମକୁ ନେଇ ଯେଉଁ ପାଲି, ପଁଚୁରା ଗଠିତ ହୋଇଥାଏ ସେସବୁ ଅଞ୍ଚଳରେ ବିଭିନ୍ନ ଦେବୀଦେବତା ମଧ୍ୟରେ ବି କୌଟୁମ୍ବିକତା ଲକ୍ଷ୍ୟ କରାଯାଏ । ଏମାନଙ୍କର ବଂଶ, ବର୍ଗ, ଗୋତ୍ର, ବିବାହ ପରମ୍ପରା ଆଦି ଦେଖବାକୁ ମିଳେ । କେଉଁ ବଂଶର ଦେବୀ କେଉଁ ବଂଶର ଦେବତା ସହିତ ବିବାହ କରିପାରିବେ, କେଉଁ ଦେବୀ ସାତ ଉଭଣୀ ତ କେଉଁ ଦେବୀ ଷୋହଳ ଭଉଣୀ, କେଉଁ ଦେବତା ବାର ଭାଇ ତ କେଉଁ ଦେବତା ଆଠ ଭାଇ, ସେହିପରି କେଉଁ ଦେବତା କାହାର ମାମୁଁ, ଭାଇ, ଜ୍ୱାଇଁ ତ କେଉଁ ଦେବୀ ଆଉ କୋଉ ଦେବୀ ଦେବତାଙ୍କ ମାଉସୀ, ଭାଇବୋହୁ, ପତ୍ନୀ, ଝିଅ ଭାବରେ ପରିଚିତ ହୋଇଥାନ୍ତି । ଏପରିକି କେତେକ ଗୋଷ୍ଠୀରେ ବିଭିନ୍ନ ଦେବଦେବୀଙ୍କ ବିବାହ ଆୟୋଜନ ନିଜ ପୁଅ ଝିଅଙ୍କ ବିବାହ ଅନୁରୂପ କରିବା ଦେଖାଯାଏ । ଉଦାହରଣ ସ୍ୱରୂପ, ଦୁଲ୍ଲାଦେଓ ଓ ମିରଚୁକ୍ ହେଉଛନ୍ତି ସ୍ୱାମୀ ସ୍ତ୍ରୀ । ବୁଢାରଜା ହେଉଛନ୍ତି ଦ୍ୱାରସନୀ ଦେବୀଙ୍କର ବଡ ଭାଇ । ଦୁଲ୍ଲା ଦେବତା, ଭୀମା ଦେବତା ବାର ଭାଇ ବୋଲି ବିଶ୍ୱାସ କରାଯାଏ । ସେହିପରି, ଗଣାମାନଙ୍କର ଜ୍ୱାଇଁପୁଅ ହେଉଛନ୍ତି ପାଟଖଣ୍ଡା ଦେବତା । ଅନୁରୂପ ଭାବରେ, କେତେକ ସ୍ଥଳରେ ଦେବୀ ଦେବତାମାନଙ୍କୁ ଝିଅ ବିବାହ ବେଳେ ଯୌତୁକ ଆକାରରେ ଅଣାଯାଇଥିବା ବିଶ୍ୱାସ କରାଯାଏ ଯେପରି, ବାଗ ବଂଶରୁ ଦୁଲ୍ଲା ଓ ମିରଚୁକ୍ ଦେବତା ଜଗତ ବା ଖୁରା ବଂଶରେ ଯୌତୁକ ଭାବରେ ଆସିଛନ୍ତି । ଭୀମା ଦେବତାଙ୍କୁ ମଧ୍ୟ ପାଲାକା ବର୍ଗର କନ୍ଧ ଘରେ ଜ୍ୱାଇଁହୋଇ ରହିଥିଲେ ବୋଲି ବିଶ୍ୱାସ କରାଯାଏ । ଭୀମା ଦେବତାଙ୍କ ଉତ୍ପତ୍ତି ଗଣ୍ଡ ଉପଜାତିରେ ହୋଇଥିଲେ ବି ସେ କନ୍ଧ ରମଣୀଙ୍କ ସହିତ ପ୍ରେମ କରି ଶେଷରେ ଘରଜ୍ୱାଇଁ ଥିବାର ମିଥ୍ ଶୁଣିବାକୁ ମିଳେ । ଧନ ସମ୍ପଦର ବୃଦ୍ଧିକାରିଣୀ ପେଣ୍ଡରା ଗଡିଏନ୍ ଦେବୀଙ୍କ ସ୍ୱାମୀଙ୍କୁ ମଧ୍ୟ ଘରଜିଆ ଡୁମା ଭାବରେ ପୂଜା କରାଯାଏ । ଦେବୀଦେବତାମାନଙ୍କ ଭିତରେ ବି ବି ଜାତି, ବର୍ଗ ଅନୁସାରେ ବିବାହ ଆଦି ଅନୁଷ୍ଠିତ ହୋଇଥାଏ । ଯେମିତି, ତେଲି ସମାଜରେ ନିଜ ଘରେ ଦେବତାବିହା ଉତ୍ସବ ମଧ୍ୟ ପାଳନ କରନ୍ତି । ସାଧାରଣ ବିବାହ ପରି ଦେବଦେବୀଙ୍କ ମଧ୍ୟରେ ବିବାହ କରାଇ ନୃତ୍ୟଗୀତ କରନ୍ତି
ଅଣଆଦିବାସୀ ପରମ୍ପରାରେ ଯେପରି କାର୍ତ୍ତିକ ମାସ ପୁଣ୍ୟ ମାସ ଭାବରେ ପରିଗଣିତ ସେହିପରି ଆଦିବାସୀ ତଥା ମିତାନ୍ ଗୋଷ୍ଠୀରେ ମଧ୍ୟ “ଦିଏଲ ମାସ” ବା “ଦେବୀ ମାସ” ଭାବରେ ପରିଚିତ । ତେବେ, ଦଶରା, ଚଇତ ଆଦି ମାସ ମଧ୍ୟ ‹ଦେହେଲିଆ ମାସ ଭାବରେ ପରିଚିତ । ଦଶରା ମାସର ସପ୍ତମୀଠାରୁ ଦଶମୀ ପର୍ଯ୍ୟନ୍ତ ତଥା କେତେକ ସ୍ଥାନରେ ନବମୀ ଏବଂ ଦଶମୀ ଦୁଇ ଦିନ ପ୍ରାୟ ଦେବାଦେବୀ ଆସ୍ଥାନଗୁଡ଼ିକରେ ପୂଜା ଆରାଧନା ହୁଏ । ଆଦିବାସୀ ଓ ମିତାନ୍ ଗୋଷ୍ଠୀରେ ଦେବୀଦେବତାମାନେ ସର୍ବସାଧାରଣଙ୍କ ମଙ୍ଗଳାର୍ଥେ କେବଳ ଦାଣ୍ଡକୁ ଆସନ୍ତି ନାହିଁ ବରଂ, ପ୍ରତ୍ୟେକ ଆଶାୟୀଙ୍କ ଦୁଆର ମୁହଁକୁ ଯାଇଥାଆନ୍ତି । ଏଠାରେ ଉଲ୍ଲେଖନୀୟ ଯେ” ଆଦିବାସୀ ତଥା ମିତାନ୍ ଗୋଷ୍ଠୀର ସଦସ୍ୟମାନେ ସେମାନଙ୍କର ଦେବଦେବୀମାନଙ୍କୁ କେବଳ ନଡିଆ, କଦଳୀ ଆଦି ସାତ୍ତ୍ଵିକ ଭୋଗ ପ୍ରଦାନ କରିନଥାନ୍ତି ବରଂ, ସେମାନେ ଖାଉଥିବା ସମସ୍ତ ଖାଦ୍ୟ ପଦାର୍ଥ ଏପରିକି ମଦ, ଛେଳି, କୁକୁଡା, ଘୁଷୁରି ଆଦି ମଧ ବଳି ଦେଇଥାଆନି।
ଆଦିବାସୀ ଓ ମିତାନ୍ ଗୋଷ୍ଠୀରେ ବର୍ଷସାରା ବହୁ ପର୍ବପର୍ବାଣି ପାଳିତ ହୋଇଥାଏ, କୁହାଯାଏ, “ବାର ମାସେ ଅଠର ଯାତରା ।” ଏହି ପର୍ବପର୍ବାଣିଗୁଡିକୁରୁ କେତେକ କୃଷିଭିଭିକ, କେତେକ ଦେବଦେବୀଙ୍କ ସହିତ ସମ୍ପୃକ୍ତ ବା ଧର୍ମ ସମ୍ବନ୍ଧୀୟ । ବିଲରେ ବିହନ ବୁଣିବା, ଫସଲ କାଟିବା ଓ ନୂଆ ଫସଲ ଖାଇବାବେଳେ ମଧ୍ୟ ଉତ୍ସବମାନ ପାଳନ କରିଥାନ୍ତି । ଆମ୍ବ, ଶିମ୍ବ ପ୍ରଭୃତି ନୂଆ ଖାଦ୍ୟ ପଦାର୍ଥ ଖାଇଲାବେଳେ ଓ ମହୁଲ ଫୁଲ ଫୁଟିଲାବେଳେ ମଧ୍ୟ ପ୍ରାୟ ସମସ୍ତ ଆଦିବାସୀ ମିତାନ ଗୋଷ୍ଠୀରେ ନାନା ଉତ୍ସବ ପାଳିତ ହୋଇଥାଏ । ଅନୁରୂପ ଭାବରେ, ଶେମି ନୂଆ, ଆମ୍ବ ନୂଆ, ଚାଉଳ ଧୂଆ, କେନ୍ଦୁ ନୂଆ, ଏବଂ ସର୍ବସାଧାରଣ ନୂଆଖାଇ ପ୍ରଭୃତି ପର୍ବ ଏକ ଏକ ଉଲ୍ଲେଖନୀୟ ଉତ୍ସବ ।
ଆଦିବାସୀ ଓ ମିତାନ୍ ଗୋଷ୍ଠୀ ଅଧ୍ୟୁଷିତ ଗ୍ରାମରେ ଧାନ ବିହନ ବୁଣିବା ଅବସରରେ “ବିହନଛିନା ଯାତ୍ରା”, କ୍ଷେତରେ ପୋକଜୋକ ନଲାଗିବା ପାଇଁ “ଆଷାରଖେନା”, “ଡାଣସରା” ଆଦି ପର୍ବ ପାଳିତ ହୋଇଥାଏ । ଫସଲ ଅମଳ ପରେପରେ “ପୁଷପୁନି”, “ଚୋରୋଦିଆ” ଆଦି ପାଳନ କରାଯାଏ । ରୋଗବିପଦରୁ ରକ୍ଷା ପାଇବା ଭଳି ବିଶ୍ୱାସକୁ ଆଧାର କରି ମଧ୍ୟ ବର୍ଷର ବିଭିନ୍ନ ସମୟରେ “ରୋଗୀବହଲା’, “ହରାଲି ଉଆଁସ୍’, “ଘଣ୍ଟଯାତ୍ରା” ଆଦି ପାଳନ କରାଯାଏ । ସେହିପରି, ବର୍ଷା ହେଉନଥିଲେ ସମ୍ଭାବ୍ୟ ବର୍ଷା ପାଇଁ “ ବେଙ୍ଗବେଙ୍ଗୁଲୀ ବିବାହ”, “ବାଲିଯାତ୍ରା” ବା “ଭୀମା ବିବାହ ଉତ୍ସବ” ଆଦି ଆୟୋଜିତ ହୋଇଥାଏ । ଏହି ସମସ୍ତ ପର୍ବପର୍ବାଣିର ପାଳନ ଆଉ ପରିବେଷଣରେ ମଦ୍ୟପାନ ଓ ନୂତ୍ୟ ଗୀତର ଆୟୋଜନ ବହୁଳ ଭାବରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ।
ଆଦିବାସୀ ଓ ମିତାନ୍ ଗୋଷ୍ଠୀ ବସବାସ କରୁଥିବା ପାରମ୍ପରିକ ଗ୍ରାମରେ ସିଆନ୍, ଗଣା, ଝାଁକର, ଧଙ୍ଗଡାମାଂଝି, ଦିଆରୀ ଆଦି ଗୋଷ୍ଠୀ ମୁଖ୍ୟ, ସାମାଜିକ ସାଂସ୍କୃତିକ କର୍ମକର୍ତା ଦେଖିବାକୁ ମିଳନ୍ତି । ଏମାନେ ବଂଶାନୁକ୍ରମିକ ଭାବରେ ବିଭିନ୍ନ ସାମାଜିକ ରୀତିନୀତିରେ ପର୍ବପର୍ବାଣିର ପାଳନରେ ନିଜନିଜ ଭୂମିକା ତୁଳାଇଥାଆନ୍ତି । ଯେପରି, ଗାଁ ଦେବଦେବୀ ପୂଜାରେ କିଏ ପୂଜା କରିବ, କିଏ ପୂଜା ସାମଗ୍ରୀ ବଳି ଭୋଗ ଯୋଗାଡ କରିବ, ଅନ୍ୟ ସମସ୍ତଙ୍କୁ ପୂଜା ସମ୍ପର୍କରେ ଅବଗତ କରାଇବ ଏସବୁ କାର୍ଯ୍ୟ ନିଜନିଜ ଭିତରେ ବାଣ୍ଟି ନେଇଥାନ୍ତି, ଏବଂ ଆବଶ୍ୟକ ସମୟରେ ସୂଚାରୁ ରୂପେ ପାଳନ କରିଥାନ୍ତି ।
ପ୍ରତ୍ୟେକ ଆଦିବାସୀ ଗୋଷ୍ଠୀରେ ଘରକୁ ଅତିଥି ଆସିଲେ ସେମାନଙ୍କୁ ସ୍ୱତନ୍ତ୍ର ମାନ୍ୟତାଦେବା ସହ ଅତି ଆନନ୍ଦରେ ସ୍ୱାଗତ କରିବା ଦେଖବାକୁ ମିଳେ । ମୁଣ୍ଡା, ମୁଣ୍ଡାରୀ, ଖଡିଆ, ହୋ, ବିଞାଲ, ଭୁଞାଆ, ବଣ୍ଡା, ଭୂମିଜ ଆଦି ଆଦିବାସୀ ଗୋଷ୍ଠୀରେ ଅତିଥିଙ୍କୁ ଅନେକ ଗୁରୁତ୍ୱ ଦିଆଯାଏ । କୋଉ ଗୋଷ୍ଠୀରେ ତାଟିଆରେ ପାଣି ଆଣି ହାତ ଧୋଇ ଦିଅନ୍ତି, ତ କୋଉ ଗୋଷ୍ଠୀରେ ଘରର ଝିଅ, ମହିଳାମାନେ ଢାଳରେ ପାଣିଆଣି ପାଦ ପ୍ରକ୍ଷାଳନ କରିଥାନ୍ତି । ସାନ୍ତାଳ ଗୋଷ୍ଠୀରେ ଅତିଥୁ ବୟସରେ ସାନ ହୋଇଥ୍ଲେ ସୁଦ୍ଧା ତାଙ୍କୁ “ଜୋହାର” ହୋଇଥାନ୍ତି । ଅନୁରୂପ ଭାବରେ, ଭୁଞ୍ଜିଆ ଗୋଷ୍ଠୀରେ ଅତିଥିମାନଙ୍କ ପାଇଁ ସ୍ୱତନ୍ତ୍ର ଗୃହ ମଧ୍ୟ ନିର୍ମାଣ କରାଯାଇଥିବା ଦେଖ୍ଵବାକୁ ମିଳେ । ଏହା ବ୍ୟତୀତ, ଅତିଥିଙ୍କ ଆସିବା ଦିନଟି ଅନେକ ଆଦିବାସୀ ଗୋଷ୍ଠୀ ପାଇଁ ଏକ ଉତ୍ସବର ଦିନ ଭାବରେ ପରିଗଣିତ ହୋଇଥାଏ । ଅତିଥିକୁ ମଦ ଓ ମାଂସରେ ଆପ୍ୟାୟିତ କରିବା ସହିତ ରାତିରେ ନାଚଗୀତର ଆୟୋଜନ ମଧ୍ୟ କରିଥାନ୍ତି ।
ଆଦିବାସୀ ଓ ମିତାନ୍ ଗୋଷ୍ଠୀରେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଅବସରରେ ମିଥ୍, କଥାନି, ଗୀତ ଅନେକ ବାଚିକ ପରିପ୍ରକାଶ ଦେଖ୍ଵବାକୁ ମିଳେ । ସେହିପରି, ମନୋରଞ୍ଜନ ତଥା ସମୟ ଅତିବାହିତ କରିବା ପାଇଁ ମଧ୍ୟ ନୃତ୍ୟ ନାଟକର ପରିବେଷଣ ଦେଖାଯାଏ । ଆଦିବାସୀ ସମାଜରେ ଆମୋଦପ୍ରମୋଦ ଗୀତ ବ୍ୟତୀତ ଖେଳ ଗୀତ, କର୍ମ ଗୀତ, ପାରିବାରିକ ରୀତିନୀତିକାଳୀନ ଗୀତ (ଜନ୍ମ, ବିବାହ, ଶ୍ରାଦ୍ଧ, ତୁମା ଆବାହାନକାଳୀନ), ସାମାଜିକ ଧର୍ମାଚାରକାଳୀନ ଗୀତ, ଏବଂ ବିଭିନ ପାରମ୍ପରିକ କାବ୍ୟ, ଗାଥା, କିମ୍ବଦନ୍ତୀ ଆଦି ଆଖ୍ୟାୟିତ ହୋଇଥାଏ । ଧର୍ମାଚାରରେ ଗାନ କରାଯାଉଥିବା ଗୀତ, ବନ୍ଦନା, ବିନତିଗୁଡିକୁ ପବିତ୍ର ବୋଲି ଗ୍ରହଣ କରାଯାଏ । ଅତଏବ, କେବଳ ପର୍ବପର୍ବାଣି ଓ ଦେବଦେବୀ ବନ୍ଦନା ସମୟ ବ୍ୟତୀତ ଅନ୍ୟ ସମୟରେ ଏହାର ପରିବେଷଣକୁ ଉପେକ୍ଷା କରାଯିବା ବି ଦେଖାଯାଏ ସୃଷ୍ଟି ମିଥ୍, ତଥା ବଂଶର ଇତିହାସ ମୌଖିକ ଭାବରେ ଧର୍ମାଚାରମାନଙ୍କରେ ଆଖ୍ୟାନ ଭାବରେ ଶୁଣିବାକୁ ମିଳେ । ସେହିପରି, ପ୍ରଜାତିକ ଗାଥା ପରିବେଷଣ କରୁଥୁବା ଗୋଷ୍ଠୀ ବ୍ୟବସାୟିକ କିମ୍ଵା ମନୋରଞ୍ଜନ ଦୃଷ୍ଟିରୁ ତ ଦୂର ନିଜ ପ୍ରଜାତି ଭିନ୍ନ ଅନ୍ୟ କୌଣସି ଗୋଷ୍ଠୀର ସଦସ୍ୟଙ୍କ ପାଖରେ ଏହାର ପରିବେଷଣକୁ ସର୍ବଦା ଉପେକ୍ଷା କରନ୍ତି । ଏହା ସେମାନଙ୍କ ପ୍ରଜାତି ପ୍ରୀତି ଓ ସାଂସ୍କୃତିକ ଦାୟବଦ୍ଧତାକୁ ପ୍ରମାଣିତ କରେ ।
ପ୍ରତ୍ୟେକ ଆଦିବାସୀ ଗୋଷ୍ଠୀରେ ମୌଖିକ ଇତିହାସ ଅଛି । ଏହି ଇତିହାସ ତଥା ବଂଶର ସ୍ମରଣୀୟ ଘଟଣାବଳୀକୁ ନେଇ ଦୀର୍ଘ ଗୀତ ପରିବେଷିତ ହୋଇଥାଏ ଯାହାକୁ କାବ୍ୟ ଭାବରେ ପରିଚିତ କରାଯାଇପାରେ । ଏହି କାବ୍ୟଗୁଡିକ ବିଶ୍ୱର ସମସ୍ତ ପାରମ୍ପରିକ କାବ୍ୟ ଭଳି ଗୋଷ୍ଠୀ ପରିଚିତିକୁ ବଜାୟ ରଖ୍ଵବାପାଇଁ ଏକ ସଚେଚନ ପ୍ରୟାସ । ଏଥିରେ ନିଜନିଜ ଜାତିର ଆଦିପୁରୁଷଙ୍କ ଅଲୌକିକ ଗୌରବ, ଯୁଦ୍ଧ, ରାଜ୍ୟ ଜୟ, ଭୂଅଧିକାର, ରାଜକନ୍ୟା ବିବାହ, ଅସାଧ ସାଧନ, ଦେବୀ ଦେବତା, ଶସ୍ୟ, ବୃକ୍ଷଲତା ଆଦିର ଉତ୍ପତ୍ତି, ମହିମା, କରୁଣା ପ୍ରଭୃତିର ଚିତ୍ର ଦେଖବାକୁ ମିଳେ ।
ଆଦିବାସୀ ତଥା ମିତାନ୍ ଗୋଷ୍ଠୀର କାହାଣୀଗୁଡିକ ମୁଖ୍ୟତଃ ପ୍ରାକୃତିକ ପରିବେଶ ସହିତ ମାନବୀୟ ଆବେଗର ସମନ୍ଵିତ ପରିପ୍ରକାଶ । କାହାଣୀରେ ମଣିଷ, ପଶୁପକ୍ଷୀ, ବୃକ୍ଷଲତା, ଫଳମୂଳ ତଥା ଅନ୍ୟାନ୍ୟ କୃଷି ଉତ୍ପାଦ, ଖେତ, ଶସ୍ୟ, ପାହାଡ, ଝରଣା, ଅସୁର, ପରୀ, ରାଜକୁମାର, ରାଜକୁମାରୀ ଆଦି ସମସ୍ତ ଚରିତ୍ର ଆଖ୍ୟାନ ପ୍ରସଙ୍ଗରେ ଆସିଥାନ୍ତି । ସେହିପରି, ମଣିଷ ମୃତ୍ୟୁ ପରେ ବୃକ୍ଷହେବା ପଶୁପକ୍ଷୀ ମୂଷା, ବିଲେଇ, ଠେକୁଆ, ମାଙ୍କଡ, ଗଧ, ବିଲୁଆ ଭଳି ଦୁର୍ବଳ ପ୍ରାଣୀମାନେ ହାତୀ, ବାଘ, ସିଂହ ଆଦି ବଳବାନ ପ୍ରାଣୀମାନଙ୍କୁ କୌଶଳରେ ପରାଜିତ କରିବା, ପଶୁପକ୍ଷୀଙ୍କଦାରା ଏପରିକି ହିଂସ୍ର ପ୍ରାଣୀମାନଙ୍କଦ୍ୱାରା ମଧ୍ୟ ମଣିଷ ଶିଶୁ ଘଟଣାକ୍ରମରେ ପାଳିତ ହେବା, ବଣ ମଇଁଷି, ହାତୀ, ବାଘ, ତିତିର ପକ୍ଷୀ ଆଦି ପଶୁପକ୍ଷୀଙ୍କ ସହାୟତାରେ ଗାଈଆଳ ପିଲା ଭଳି ସାଧାରଣ ଚରିତ୍ରମାନେ ଅସାଧ୍ୟ ସାଧନ କରିବା, ସାମୟିକ ଭାବେ ମଣିଷ ବାଘ ପାଲଟିବା ଆଦି ଅସଂଖ୍ୟ ଘଟଣା ଆଦିବାସୀ ମାନସିକତାର ସାଂକେତିକ ପରିପ୍ରକାଶ ଭାବରେ ପ୍ରକାଶିତ ହୋଇଥାଏ । ଆଦିବାସୀ ସମାଜର ଏହି ବାଚିକ ପରିପ୍ରକାଶଗୁଡିକ ବିଭିନ୍ନ ସମୟରେ ପରିବେ ଷିତ ହୋଇଥାଏ । ଏହି କଥାନି, ଗୀତ, ଗାଥା, କିମ୍ବଦନ୍ତୀ ସବୁ ସମ୍ପର ସମାଜରେ କିନ୍ତୁ କଥାନି ଏବଂ ଗୀତ ଭାବରେ ହିଁ ଗୃହୀତ । ଏଠାରେ ଉଲ୍ଲେଖନୀୟ ଯେ, ଏହି ସବୁ ପରିପ୍ରକାଶର ସମାଲୋଚନାତ୍ମକ ପ୍ରତି-ପରିପ୍ରକାଶର ପରମ୍ପରା ମଧ୍ୟ ଦୁର୍ଲଭ ନୁହେଁ । ତେବେ, ଆଦିବାସୀ ଓ ମିତାନ୍ ଗୋଷ୍ଠୀରେ କେବଳ ବାଚିକ ପରିପ୍ରକାଶ ଦେଖବାକୁ ମିଳେନାହିଁ ବରଂ, ନୃତ୍ୟ ନାଟକ ଭଳି ଅନେକ ପାରମ୍ପରିକ ପରିବେଷଣ ବି ଦେଖୁବାକୁ ମିଳେ । ବିଭିନ୍ନ ଧର୍ମାଚାରରେ ଅର୍ଥାତ୍ ଦେବୀ ପୂଜା ସମୟରେ, ବାହାଘର, ନାମକରଣ, ପ୍ରାକ୍-ବିବାହ, ନୂଆଖାଇ, ଦଶରା, ଦାସାୟଁ, ଚଇତ୍ରା, ମାଗେ, ସାରହୁଲ, ବାହା ଆଦି ପର୍ବ, ସାମାଜିକ ସାଂସ୍କୃତିକ ଉତ୍ସବରେ ସମ୍ପୃକ୍ତ ଆଦିବାସୀ ଓ ମିତାନ୍ ଗୋଷ୍ଠୀର ସଦସ୍ୟମାନେ ବିଭିନ୍ନ ନୃତ୍ୟ ପରିବେଷଣ କରିଥାନ୍ତି । ସେହିପରି, ଅବସର ସମୟର ଅପନୋଦନ ପାଇଁ ମଧ୍ୟ ଧାଙ୍ଗଡାଧାଙ୍ଗଡୀ ବସାରେ, ଜହ୍ନରାତିରେ ଗାଁ ଦାଣ୍ଡରେ ସ୍ୱତନ୍ତ୍ର ଭାବରେ ବିଭିନ୍ନ ନୃତ୍ୟ ଗୀତର ଆୟୋଜନ କରାଯାଏ । ଏହିସବୁ ନୃତ୍ୟଗୀତ ପରିବେଷଣରେ ଗୋଷ୍ଠୀ ସଦସ୍ୟମାନଙ୍କଦ୍ୱାରା ପ୍ରସ୍ତୁତ ବାଦ୍ୟଯନ୍ତ୍ର ହିଁ ବାଦନ କରାଯାଇଥାଏ ।
ଓଡିଶାର ଆଦିବାସୀ ଓ ମିତାନ ଗୋଷ୍ଠୀ ଚିତ୍ରକଳା, ହସ୍ତଶିଳ୍ଥ, ବୟନକଳା, କାଠ, ବାଉଁଶ, ଲୁହା, ଏବଂ ମୃଣ୍ମୟ କଳା ଆଦି ବିଭିନ୍ନ କଳାତ୍ମକ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ଓଡିଶାର ସମଗ୍ର ଜିଲ୍ଲାରେ ପଥର, କାଠ, ବାଉଁଶ ଆଦିରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଗୃହପୋକରଣ ଦେଖିବାକୁ ମିଳେ ଯାହା ସାଧାରଣତଃ ଆଦିବାସୀ ଓ ମିତାନ୍ ଗୋଷ୍ଠୀର ସଦସ୍ୟଙ୍କଦ୍ୱାରା ହିଁ ପ୍ରସ୍ତୁତ ହୋଇଥାଏ । ଏହି ପାରମ୍ପରିକ କଳା ଓ ଶିଳ୍ପ ଓଡିଶାର ଶିଳ୍ପ ସୌନ୍ଦର୍ଯ୍ୟ ତଥା କଳାତ୍ମକ ସୃଜନଶୀଳତା ତଥା ସାମାଜିକ ସାଂସ୍କୃତିକ ଜୀବନର ଚିତ୍ରକୁ ପରିପ୍ରକାଶ କରିବା ସହିତ ଆମର ପାରମ୍ପରିକ ଏତିହ୍ୟର ଅବବୋଧ ପାଇଁ ଏକ ଅବଧାରଣା ସୃଷ୍ଟି କରିଥାଏ । ଏହି ସବୁ ଉତ୍ପାଦଗୁଡିକ ଆଜି ସମସ୍ତ ଅଣଆଦିବାସୀ ଗୋଷ୍ଠୀରେ ଜନପ୍ରିୟ, ସୌଖୀନ ବସ୍ତୁ ଭାବରେ ଗ୍ରହଣୀୟ ହୋଇପାରିଛି।
ସମ୍ପ୍ରତି ଆଧୁନିକ ଶିକ୍ଷା, ଗଣମାଧ୍ୟମ, ଓ ବହୁବିଧ କର୍ମଜୀବନର ପ୍ରଭାବ ଫଳରେ ଅନେକ ପରମ୍ପରାର ପରିବେଷଣ ଓ ପାଳନରେ ପରିବର୍ଭନ ଦେଖୁବାକୁ ମିଳୁଛି । ବିବାହ, ଜନ୍ମୋତ୍ସବ, ମୃତକର୍ମ ଆଦିରେ ବ୍ରାହ୍ମଣ ପୁରୋହିତଙ୍କୁ ଆମନ୍ତ୍ରଣ କରିବା, ନିଜ ଗୋଷ୍ଠୀ ଭିନ୍ନ ଅନ୍ୟ ଗୋଷ୍ଠୀର ଦେବଦେବୀଙ୍କୁ ପୂଜା କରିବା, ପାରମ୍ପରିକ ନାଚଗୀତରେ ଜନପ୍ରିୟ ସଂଗୀତ ଓ ନୃତ୍ୟର ସଂଯୋଜନା, ବିଧବା ବିବାହକୁ ଉପେକ୍ଷା କରିବା, ଧାଙ୍ଗଡାବସା ଧାଙ୍ଗଡୀବସା ଅପସୃୟମାନ ହେବା, ବା ନିଜକୁ ସେଠାରୁ ଦୂରେଇ ନେବା ଆଦି ଘଟଣା ଏ ପ୍ରସଙ୍ଗରେ ଉଲ୍ଲେଖନୀୟ । ସେହିପରି, ଆଦିବାସୀ ଓ ମିତାନ ଗୋଷ୍ଠୀର ଚିତାକୁଟା ସମ୍ପ୍ରତି “ଟାଟୁ” ରୂପରେ ଆଧୁନିକ ଯୁବକ ଯୁବତୀଙ୍କ ପାଖରେ ଏକ “ଜନପ୍ରିୟ ପରମ୍ପରା” ଭାବରେ ଦେଖୁବାକୁ ମିଳୁଛି ।
ଆମେ ଆଦିବାସୀ ଦଳିତ ଓ ପଛୁଆ ବର୍ଗଙ୍କ ଜୀବନଧାରା ଓ ସାମାଜିକ ସାଂସ୍କୃତିକ ମୂଲ୍ୟବୋଧର କେତୋଟି ଗୁରୁତ୍ୱପୂର୍ଣ୍ଣ ଦିଗକୁ ସଂକ୍ଷେପରେ ଏପରି ଭାବରେ ଉଲ୍ଲେଖ କରାଯାଇପାରେ ଯେ,
− ସାଧାରଣତଃ ଆଦିବାସୀ, ଦଳିତ ଓ ପଛୁଆ ବର୍ଗ ଅନ୍ୟ ସାମାଜିକ ଗୋଷ୍ଠୀର ଲୋକମାନଙ୍କ ପରି ନିଜର ଦୈନନ୍ଦିନ ଜୀବନକୁ ଶୃଙ୍ଖଳିତ ଭାବରେ ଜୀଇଁବାର ପ୍ରୟାସ କରିଥାନ୍ତି ।
− ଆଦିବାସୀ, ଦଳିତ ଓ ପଛୁଆ ସମାଜରେ ମଧ୍ୟ ସ୍ୱତନ୍ତ୍ର ଧାର୍ମିକ ବିଶ୍ୱାସ ତଥା ପ୍ରକୃତି ପ୍ରେମର ଅନନ୍ୟ ସମାବେଶ ଦେଖିବାକୁ ମିଳେ । ଏମାନେ ଜନ୍ମଭୂମି ତଥା ଜୀବନଧାରଣରେ ସହାୟକ ପ୍ରକୃତି ପ୍ରତି କୃତଜ୍ଞତା ସ୍ୱରୂପ ସେସବୁକୁ ଦେବୀଦେବତା ଭାବରେ ପୂଜା କରନ୍ତି ଯାହା ଅନ୍ୟ ଲୋକ ଗୋଷ୍ଠୀଠାରୁ ଏକ ଉଲ୍ଲେଖନୀୟ ଦିଗ ।
− ଆଦିବାସୀ, ଦଳିତ ଓ ପଛୁଆ ସାମାଜରେ ମଧ୍ୟ ଜନ୍ମ-ବିବାହ-ମୃତ୍ୟୁକୁ ନେଇ ବିଭିନ୍ନ ରୀତିନୀତି ପାଳିତ ହୋଇଥାଏ । ଏବଂ ଏହା ଅଣଆଦିବାସୀ ଲୋକ ଗୋଷ୍ଠୀଠାରୁ ସ୍ୱତନ୍ତ୍ର ତଥା ପ୍ରକୃତି ଏବଂ ପରିବେଶ-କୈନ୍ଦ୍ରିକ । ସେହିପରି, ପ୍ରାକ୍-ବିବାହ ପରମ୍ପରା (ଉଦାହରଣସ୍ୱରପ— କଣାବରି, ମୋଡାଗଡା, ଡାଳପୋତା ଆଦି ପରମ୍ପରା)ରେ ସ୍ୱ-ଗୋଷ୍ଠୀ ଅବଧାରଣା ସହିତ ବିଭିନ୍ନ ରୀତିନୀତି ପାଳନ କରାଯାଇଥାଏ, ତଥା ମୃତ୍ୟୁ-ପରବର୍ତ୍ତୀ ପରମ୍ପରାରେ ନିଜ ପୂର୍ବପୁରୁଷକୁ ସ୍ୱର୍ଗବାସୀ ନଭାବି ତାହାକୁ ଆବାହନକରି ନିଜର ଆରାଧ୍ୟ ଦେବତା ତଥା ରକ୍ଷାକର୍ତ୍ତାଭାବରେ ପୂଜା କରିବା ଏବଂ ଗୃହ ମଧ୍ୟରେ ସ୍ଥାପନା କରିବା ମଧ୍ୟ ଅନନ୍ୟ ସାଂସ୍କୃତିକ ଅବବୋଧ ଯାହା ଅନ୍ୟ ଲୋକ ଗୋଷ୍ଠୀରେ ପରିଦୃଷ୍ଟ ହୋଇନଥାଏ ।
− ସେହିପରି, ଅତିଥି ପରାୟଣତାର ପରମ୍ପରା ମଧ୍ୟ ପ୍ରଶଂସନୀୟ । ଆଲୋଚନାରେ ଉଲ୍ଲିଖିତ ମୁଣ୍ଡା, ଖଡିଆ, ବିଞ୍ଜିଆ ଆଦି ଜନଜାତିର ଏଭଳି ଅତିଥି ଚର୍ଚ୍ଚା ଅନ୍ୟ ଅଣ-ଆଦିବାସୀ ଲୋକ ଗୋଷ୍ଠୀରେ ଦୁର୍ଲ୍ଳଭ ।
− ଆଦିବାସୀ, ଦଳିତ ତଥା ପଛୁଆ ବର୍ଗର ନିଜନିଜ ପାରମ୍ପରିକ ଜୀବନଧାରା ପ୍ରତି ଅଙ୍ଗୀକାରବଦ୍ଧ । ଯେତେ ଆନୁଷ୍ଠାନିକ ଶିକ୍ଷା ତଥା ଉଚ୍ଚ ପଦପଦବୀରେ ସ୍ଥାନିତ ହୋଇ ଆଧୁନିକ ସହରୀ ଜୀବନ ଜୀଇଁଲେ ମଧ୍ୟ ନିଜ ପାରମ୍ପରିକ ସାଂସ୍କୃତି ପାଳନ ପରିବେଷଣରେ ଅବହେଳା କରିବା ଦେଖାଯାଏ ନାହିଁ । ତେବେ, କେଉଁକେଉଁଠି ତଥା ବ୍ୟକ୍ତି ବିଶେଷରେ ଯେଉଁ ବିଚ୍ୟୁତି ଦେଖିବାକୁ ମିଳୁଛି ସେମାନେ ଏସବୁ ଦିଗକୁ ଗୁରୁତ୍ୱ ଦେବାକୁ ପୁଣିଥରେ ପ୍ରୟାସ କରିବା ବି ଦେଖାଯାଉଛି ।
− ଚିତାକୁଟା ପରମ୍ପରା ଭଳି କେତୋଟି ପରମ୍ପରାକୁ ଅଣ-ଆଦିବାସୀ ଗୋଷ୍ଠୀର ସଦସ୍ୟମାନେ ଆଧୁନିକ ଫେଶନ୍ ଭାବରେ ମଧ୍ୟ ଗ୍ରହଣ କରିବା ଦେଖାଯାଉଛି ।
− ଅନୁରୂପ ଭାବରେ, ଆଦିବାସୀ ଚିତ୍ରକଳା, ହସ୍ତଶିଳ୍ପ ପ୍ରସ୍ତୁତ ସାମଗ୍ରୀ ଆଜି ଅନ୍ୟ ଲୋକ ଗୋଷ୍ଠୀର ସଦସ୍ୟଙ୍କଦ୍ୱାରା ମଧ୍ୟ ଆଦୃତ ତଥା ‘ଜନପ୍ରିୟ ସଂସ୍କୃତି’ ଭାବରେ, ସୌଖୀନବସ୍ତୁ ଭାବରେ ଗ୍ରହଣ କରିବା ଦେଖିବାକୁ ମିଳୁଛି ।
− ଏହି ସବୁ ସାମାଜିକ ଗୋଷ୍ଠୀର ମୌଖିତ ପରମ୍ପରା ସେମାନଙ୍କ ବାଚିକ ସୃଜନଶୀଳ ପରିପ୍ରକାଶର ସ୍ୱରୂପ । ଏହି ପରିପ୍ରକାଶରେ ସେମାନଙ୍କ ଗୋଷ୍ଠୀ ପରିଚିତି, ପ୍ରକୃତିପ୍ରାଣତା, ପରିବେଶପ୍ରୀତି, ପାରସ୍ପରିକ ଆଦାନ-ପ୍ରଦାନର ଚିତ୍ର ଦେଖିବାକୁ ମିଳେ ।
− ଅନେକ ବାଚିକ ପରିପ୍ରକାଶ ଏକଏକ ସାଂସ୍କୃତିକ ଆବଶ୍ୟକତା ଭାବରେ ବିଭିନ୍ନ ରୀତିନୀତି ତଥା ପୂଜାପର୍ବରେ ପରିବେଷିତ ହୋଇଥାଏ । ସେହିପରି, ନିଜକୁ କର୍ମ ଚଞ୍ଚଳ କରିବାକୁ କର୍ମକ୍ଷେତ୍ରରେ ମଧ୍ୟ ଅନେକ ଗୀତ କଥାନି ଆଦି ପରିବେଷିତ ହେବା ଦେଖିବାକୁ ମିଳେ ।
− କେବଳ ଗୀତ ବା କଥାନି ନୁହେଁ ନିଜନିଜର ପ୍ରଜାତିକ ମହିମା ପ୍ରଖ୍ୟାପନ ତଥା ଗୋଷ୍ଠୀ ସର୍ଜନା ସମ୍ପର୍କିତ ଦୀର୍ଘ କାବ୍ୟାତ୍ମକ ଆଖ୍ୟାନ ମଧ୍ୟ ପାରମ୍ପରିକ ଭାବରେ ପରିବେଷିତ ହୋଇଥାଏ । ଏହି ବାଚନିକ ଆଖ୍ୟାନଗୁଡିକର ପରିବେଷଣରେ ପାରମ୍ପରିକ ଭାବରେ ପ୍ରସ୍ତୁତ ବିଭିନ୍ନ ବାଦ୍ୟ ମଧ୍ୟ ପରିବେଷିତ ହୋଇଥାଏ ।
− ପ୍ରତ୍ୟେକ ଆଦିବାସୀ, ଦଳିତ ଓ ପଛୁଆ ବର୍ଗ ବର୍ଷର ଯେକୌଣସି ସମୟରେ କୌଣସି ବି ନୂଆ ଖାଦ୍ୟଶସ୍ୟ ବା ନୂଆ ଫଳମୂଳ ନିଜେ ଖାଇବା ଆଗରୁ ଯେଉଁ ମାଟିରୁ ଏହା ମିଳିଥାଏ ସେହି ମାଟି ମାଆ ତଥା ପ୍ରକୃତି ଏବଂ ନିଜ ପୂର୍ବପୁରୁଷଙ୍କୁ ଭେଟି ଦେଇ କୃତଜ୍ଞତା ଜଣାଇବାପାଇଁ ପୂଜା ଆରାଧନା କରିବା ପରେ ହିଁ ଗ୍ରହଣ କରିଥାନ୍ତି । ସେହିପରି—
− ଭଗବାନ, ଈଶ୍ୱର ତଥା ଦେବଦେବୀ ନାମରେ ପ୍ରକୃତିର ପୂଜା ସମସ୍ତ ଆଦିବାସୀ ଗୋଷ୍ଠୀର ଏକ ପ୍ରମୁଖ ଏବଂ ଉଲ୍ଲେଖନୀୟ ଦିଗ ।
− ଆଦିବାସୀ, ଦଳିତ ଓ ପଛୁଆ ଗୋଷ୍ଠୀରେ ଦେବୀଦେବତାମାନେ ସର୍ବସାଧାରଣଙ୍କ ମଙ୍ଗଳାର୍ଥେ କେବଳ ଦାଣ୍ଡକୁ ଆସନ୍ତି ନାହିଁ ବରଂ, ପ୍ରତ୍ୟେକ ଆଶାୟୀଙ୍କ ଘରର ଦୁଆର ମୁହଁକୁ ଯାଇଥାଆନ୍ତି ।
− ଆଦିବାସୀ, ଦଳିତ ଓ ପଛୁଆ ସେମାନଙ୍କର ଏହି ଦେବଦେବୀମାନଙ୍କୁ କେବଳ ନଡିଆ, କଦଳୀ ଆଦି ସାତ୍ତ୍ୱିକ ଭୋଗ ପ୍ରଦାନ କରିନଥାନ୍ତି ବରଂ, ସେମାନେ ଖାଉଥିବା ସମସ୍ତ ଖାଦ୍ୟ ପଦାର୍ଥ ଏପରିକି ମଦ, ଛେଳି, କୁକୁଡା, ଘୁଷୁରୀ ଆଦି ମଧ୍ୟ ବଳି ଦେଇଥାଆନ୍ତି ।
ଆଦିବାସୀ ଓ ଏହିସବୁ ମିତାନ ଗୋଷ୍ଠର ସ୍ୱତନ୍ତ୍ର ଜୀବନ ଧାରା ଅଛି, ଏକ ସ୍ୱତନ୍ତ୍ର ବିଚାରବୋଧ, ସାଂସ୍ତିକ ମୂଲ୍ୟବୋଧ ଅଛି ଯାହା ଅଣଆଦିବାସୀଙ୍କ ସାଂସ୍କୃତିକ ଅବବୋଧଠାରୁ କୌଣସି ଗୁଣରେ ନ୍ୟୁନ ନୁହେଁ । ଆମେ ଯେତେ ଦଳିତ, ଆଦିବାସୀ, ପଛୁଆ ବର୍ଗ ଆମର ସଂସ୍କୃତିକୁ ଚିହ୍ନିବା, ଆମର ପରମ୍ପରାକୁ ଚିହ୍ନିବା ତଥା ଆମ ଭିତରେ ଥିବା ପାରସ୍ପରିକ ସହଭାଗିତା ଓ ଏକ୍ୟତାକୁ ବଜାୟ ରଖ୍ଵବା ସହିତ ଆମେ ପରସ୍ପରକୁ ଘୃଣା କିମ୍ବା ନ୍ୟୁନ କରିବାର ସାମ୍ପ୍ରତିକ ରାଜନୀତିକ ଅପଧାରଣାରୁ ଦୂରରେ ରହିବାକୁ ଚେଷ୍ଟା କରିବା । ଆମେ ଆମର ଜୀବନଧାରାକୁ, ସାଂସ୍କୃତିକତାକୁ ସାମ୍ପ୍ରତିକ କର୍ମଜୀବନ, ସାମାଜ, ରାଜନୀତି ପରିପ୍ରେକ୍ଷୀରେ ପୁଣିଥରେ ମୂଲ୍ୟାୟନ କରିବା, ପୁନର୍ବ୍ୟାଖ୍ୟା କରିବା କାରଣ, ଏହା ହିଁ ଆମର ଐକତାକୁ ବଜାୟ ରଖିବାରେ ସହାୟକ ହେବା ସହିତ ଆମର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବ ।
(Sanjaya Kumar Bag is an writer and academic based in Odisha. He can be reached at sanjayakumarbag@gmail.com)
Leave a Reply