https://www.artlexing.com/ scam sites xnxx bokep indo bokep jepang child sex
ଖେତପୁରାଣ: ମାଟି ଓ ରାଜନୀତିର ପୌରାଣିକ ଆଖ୍ୟାନ - indigenousvoice.in

indigenousvoice.in

ଖେତପୁରାଣ: ମାଟି ଓ ରାଜନୀତିର ପୌରାଣିକ ଆଖ୍ୟାନ

ଖେତପୁରାଣ: ମାଟି ଓ ରାଜନୀତିର ପୌରାଣିକ ଆଖ୍ୟାନ

ଖେତପୁରାଣ (୨୦୨୧) କବି ଅଖିଳ ନାୟକଙ୍କ ଶେଷ କବିତା ସଂକଳନ । ଏହା ପୂର୍ବରୁ ତାଙ୍କର ଗାଧୁଆବେଳ (୧୯୯୩), ଗୁଲିଖଟି (୧୯୯୬), ଧୋବ ଫରଫର (୨୦୦୧), ଧିକ (୨୦୦୮) ଆଦି କବିତା ସଂକଳନ ତଥା ଭେଦ (୨୦୧୦), ଓ ଅବିଜା (୨୦୧୨ ପଶ୍ଚିମା ପୂଜା ସଂଖ୍ୟା) ଉପନ୍ୟାସ ପ୍ରକାଶିତ । ଭେଦ ଉପନ୍ୟାସ ୨୦୧୭ ମସିହାରେ ଇଂରାଜୀ ଅନୁବାଦ ହେବା ପରେ ଚର୍ଚ୍ଚିତ ହେବା ସହ ବହୁ ପ୍ରସାରିତ ମଧ୍ୟ ।

Sanjaya Kumar Bag
4th February 2025

ଖେତପୁରାଣ (୨୦୨୧) କବି ଅଖିଳ ନାୟକଙ୍କ ଶେଷ କବିତା ସଂକଳନ । ଏହା ପୂର୍ବରୁ ତାଙ୍କର ଗାଧୁଆବେଳ (୧୯୯୩), ଗୁଲିଖଟି (୧୯୯୬), ଧୋବ ଫରଫର (୨୦୦୧), ଧିକ (୨୦୦୮) ଆଦି କବିତା ସଂକଳନ ତଥା ଭେଦ (୨୦୧୦), ଓ ଅବିଜା (୨୦୧୨ ପଶ୍ଚିମା ପୂଜା ସଂଖ୍ୟା) ଉପନ୍ୟାସ ପ୍ରକାଶିତ । ଭେଦ ଉପନ୍ୟାସ ୨୦୧୭ ମସିହାରେ ଇଂରାଜୀ ଅନୁବାଦ ହେବା ପରେ ଚର୍ଚ୍ଚିତ ହେବା ସହ ବହୁ ପ୍ରସାରିତ ମଧ୍ୟ ।

ଭାରତୀୟ ଆଖ୍ୟାନ ପରମ୍ପରାରେ ପୁରାଣର ସ୍ଥାନ ପ୍ରମୁଖ । ସମସ୍ତ ପୁରାଣକୁ ହିନ୍ଦୁ ସଂସ୍କୃତିର ଧାର୍ମିକ ଗ୍ରନ୍ଥ ଭାବରେ ଗ୍ରହଣ କରାଯାଇଥାଏ, ଏପରିକି ଅନେକ ପୁରାଣକୁ ପବିତ୍ର ମଧ୍ୟ ମନେକରାଯାଏ । ବିବଦମାନ ହେଲେ ମଧ୍ୟ ଅନେକେ ଏଗୁଡିକୁ ଐତିହାସିକ ଗ୍ରନ୍ଥ ଭାବରେ ବି ଗ୍ରହଣ କରିଥାନ୍ତି । ବର୍ତ୍ତମାନ ପୁରାଣ ରଚନାର ପରମ୍ପରା ଆଉନାହିଁ । କିନ୍ତୁ, ଆମ ସମାଜରେ ପୁରାଣ ଅଛି ଆଉ ଏସବୁ ଆମ ଜୀବନଧାରାକୁ ବହୁଭାବରେ ପ୍ରଭାବିତ କରିଚାଲିଛି । ଏମିତି ଏକ ସମୟରେ ପ୍ରକାଶ ପାଏ ଖେତପୁରାଣ  । କିନ୍ତୁ, ଏହା ପୁରାଣ ନୁହେଁ, ବରଂ ଏକ କବିତା ସଂକଳନ । ଏଥିରେ ପୁରାଣ ପରି ଋଷି, ତୀର୍ଥ, ଦେବୀଦେବତା ତଥା ରାଜବଂଶ ବିଷୟରେ ବର୍ଣ୍ଣନା ନାହିଁ । ବର୍ଣ୍ଣନା ଅଛି ଖେତ ବା ମାଟିର କଥା, ଯାହା ପରୋକ୍ଷରେ ସେମାନଙ୍କ ଦେଶ ଓ ଦୁର୍ଦ୍ଦଶାର କଥା ।

ଖେତପୁରାଣ କବିତା ସଂକଳନରେ ମାତ୍ର ସାତଟି କବିତା ଅଛି – “ଅଣ୍ଡିରାଚଣ୍ଡୀ”, “ଆଜିର ବର୍ଣ୍ଣବୋଧ”, “ଖେତପୁରାଣ”, “ସତ୍ୟ-ବେପାର”, “ଦେଶଦ୍ରୋହୀ”, “ଜଙ୍ଗଲିଗୀତ”, ଓ “ରସନା” । ସବୁଠୁ ଦୀର୍ଘ କବିତା ହେଉଛି ଦେଶଦ୍ରୋହୀ, ତାପରେ ସତ୍ୟ-ବେପାର, ଓ ଖେତପୁରାଣ । “ଆଜିର ବର୍ଣ୍ଣବୋଧ” ଏହି ସଂକଳନସ୍ଥ ଏକ ଭିନ୍ନଶୈଳୀର ଅନ୍ୟତମ ଉଲ୍ଲେଖନୀୟ କବିତା । ସଂକଳନର ଦୁଇଟି ଉଲ୍ଲେଖନୀୟ ପ୍ରତୀକ ହେଉଛି ଦେଶ, ଓ ଖେତ । ଆମେ ସମସ୍ତେ ଜାଣୁ ଦେଶର ପରିକଳ୍ପନା ଅତୀତରେ ଅର୍ଥାତ୍ ପ୍ରାକ୍-ଐତିହାସିକ କାଳରେ ନଥିଲା ତେବେ, ସମୟକ୍ରମେ ମାନବ ସଭ୍ୟତାର ବିକାଶ ଓ ସଂଘର୍ଷ, ଏବଂ ଅଧିକାରବୋଧ ଦେଶକୁ ଜନ୍ମଦେଲା । The German Ideology (1846) ପୁସ୍ତକରେ ମାର୍କ୍ସ କହନ୍ତି, “…modern state is nothing but a committee for managing the common affairs of the whole bourgeoisie” । ସେହିପରି, ୱେବର (Maximilian Karl Emil Weber) ମଧ୍ୟ ତାଙ୍କର University of Munich ଛାତ୍ର ସଂସଦବର ଦେଇଥିବା “Politics as a Vocation” (1918) ବକ୍ତବ୍ୟରେ କହନ୍ତି “…a state is a human community that (successfully) claims the monopoly of the legitimate use of physical force within a given territory. …The state is considered the sole source of the right to use violence” । ମାର୍କ୍ସ ଓ ଓ୍ୱେବରଙ୍କ ବକ୍ତବ୍ୟର ପ୍ରସଙ୍ଗ ଏତେ ଗୁରୁତ୍ୱପୂର୍ଣ୍ଣ ମନେହୁଏ ନାହିଁ, ଯେତେବେଳେ ଆମ୍ବେଦକର All India Depressed Classes Congress, Nagpur (1930) ସମ୍ମେଳନରେ ବକ୍ତବ୍ୟ ଦେଲାବେଳେ କହନ୍ତି, “The fundamental principle of the modern democratic state is the recognition of the value of the individual, and the belief that as each individual has but one life, full opportunity should be accorded to each to attain his maximum development in that life” ।

ଆମ୍ବେଦକରଙ୍କ ବକ୍ତବ୍ୟ ଏଇଥି ପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଆମ ଗଣତନ୍ତ୍ରର ମୂଳଆଧାର “ସମ୍ବିଧାନ”ର ମୁଖ୍ୟ ନାୟକ ସିଏ । ଅତଏବ, ଯେତେବେଳେ ଲୋକଙ୍କଦ୍ୱାରା ନିର୍ବାଚିତ ଗଣତାନ୍ତ୍ରିକ ଦେଶ ନିଜର ଜନତା ଉପରେ ଏଭଳି ବ୍ୟବହାର କରେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ତେବେ, ଦେଶର ଗୋଟିଏ ରାଜନୀତି ଥାଏ ଯାହା ସମସ୍ତ ଜନତା ବୁଝିବାରେ ସକ୍ଷମ ହୋଇନଥାନ୍ତି । କାରଣ, ସବୁଦେଶର ସମସ୍ତ ଜନତାଙ୍କ ପାଖରେ ସମାନ ରାଜନୀତିକ ସଚେତନତା  ନଥାଏ ତଥା ସେଭଳି ହେବା ସମ୍ଭବ ହୁଏନାହିଁ । ସେଭଳି ଭୋଟ ଦେବାର ଅଧିକାର ଥିଲେ ମଧ୍ୟ ଦେଶ ବା ପ୍ରଶାସନ ନେଇଥିବା ରାଜନୀତିକ ନିଷ୍ପତ୍ତିକୁ ବଦଳାଇବାର ଭୂମିକା ସବୁଦେଶର ଜନତାଙ୍କ ପାଖରେ ନଥାଏ । ଅବଶ୍ୟ, ଏ ପ୍ରସଙ୍ଗରେ, ନିକଟ ଅତୀତରେ କୃଷିଆଇନର ପ୍ରତ୍ୟାହାର ଉଲ୍ଲେଖଯୋଗ୍ୟ ନିଶ୍ଚୟ । ଭାରତର ସାମ୍ପ୍ରତିକ ସାକ୍ଷରତା ହାର ସତୁରୀ ପ୍ରତିଶତରୁ କିଛି ଅଧିକ, ତା ସତ୍ତ୍ୱେ ଶିକ୍ଷା ଓ ସଚେତନତାର ମାନ ଅତ୍ୟନ୍ତ ନିମ୍ନ, ଏବଂ ଆଦିବାସୀ ପ୍ରସଙ୍ଗକୁ ଆସିଲାବେଳେ ଅତ୍ୟନ୍ତ ଚିନ୍ତାଜନକ । ଅତଏବ, ଏ ଦେଶର ଅନେକ ଅସଂଖ୍ୟ ଅନୁସୂଚୀତ ଜାତି, ଜନଜାତି ଓ ବହୁଜନ “ଦେଶ” କହିଲେ ସେମାନେ ବାସ କରୁଥିବା ସ୍ଥାନକୁ ହିଁ ବୁଝନ୍ତି । ସେଥିପାଇଁ କବି ଅଖିଳ ନାୟକ ଲେଖନ୍ତି– “ମାଟିଥିଲା / ଦେଶ ନଥିଲା / ପାଣିଥିଲା / ଦେଶ ନଥିଲା / ପବନ ଥିଲା / ଦେଶ ନଥିଲା /… ଦେଶ ନଥିଲା / ଆମର ବାପ-ଜେଜେଙ୍କ ଅର୍ଜନ କି ଉପାର୍ଜନରେ” (୩୬-୭) । ଦେଶ ସେମାନଙ୍କୁ ଏଯାଏ ବୁଝିବାକୁ ଚେଷ୍ଟା କରିନାହିଁ, ତଥା ସେମାନେ ଦେଶକୁ ବୁଝିବାକୁ ସକ୍ଷମ ହୋଇନାହାନ୍ତି ବୋଲି ତାଙ୍କୁ ଲାଗେ, ‘ଦେଶ ଗୋଟେ ବନ୍ଧୁକ’, ‘ଦେଶ ଗୋଟେ ଡୋଜର ମେସିନ୍, ଖଙ୍ଗାର’; ‘ଗୋଟେ ଧର୍ଷଣକାରୀ’, ‘ଜହ୍ଲାଦ, ଗୋଟେ ତସ୍କର’ । କିନ୍ତୁ ପ୍ରକୃତରେ ଦେଶର ଗୋଟିଏ ଗୋଷ୍ଠୀ ଚାହାନ୍ତି ନାହିଁ ଦେଶକୁ ବା ଦେଶର ଗଣତନ୍ତ୍ରକୁ ଆରଗୋଷ୍ଠୀ ବୁଝନ୍ତୁ ବା ଦେଶ ଏ ଉପେକ୍ଷିତ ଗୋଷ୍ଠୀର ବି ହିତକରୁ ।

ଦେଶର କୌଣସି ନିର୍ଦ୍ଦିଷ୍ଟ ରାଜନୀତିକ ସ୍ୱରୂପ ନଥାଏ, ଯଦିଥାଏ ତାହା ହେଉଛି ସାମ୍ବିଧାନିକ ବିଧିବ୍ୟବସ୍ଥା ଓ ଆମ ନିର୍ବାଚିତ ଜନପ୍ରତିନିଧିଙ୍କ ସେ ସମ୍ବିଧାନ ସହିତ କାର୍ଯ୍ୟକାରିତା । ତ, ଆମେ କେମିତି ଆମର ରାଜନୀତିକ ପ୍ରତିନିଧିତ୍ୱ କରିବା, ଆମର ଉପସ୍ଥିତିକୁ ଜାହିର କରିବା, ଆମର ପ୍ରତିନିଧିତ୍ୱକୁ ଗଣତାନ୍ତ୍ରିକ ଭାବେ ଉପସ୍ଥାପିତ କରିବା – ଏସବୁ ଆର ଗୋଷ୍ଠୀ ଚାହାନ୍ତି ନାହିଁ । ଦେଶର ବିକାଶରେ ସମସ୍ତଙ୍କର ଭାଗିଦାରୀ ଅବଶ୍ୟ ରହିବା କଥା । ତା ଅର୍ଥ ନୁହେଁ ଯେ ଗୋଟିଏ ଗାୋଷ୍ଠୀ ହିଁ ସେ ବିକାଶ ପ୍ରକ୍ରିୟାର ସମସ୍ତ ଭାର ଉଠେଇ ଚାଲିଥିବେ । ଆଉ, ଠିକ୍ ସେତିକିବେଳେ ଅନ୍ୟଗାଷ୍ଠୀର କିଛି ଲୋକ, ଯେଉଁମାନେ ସେଇ ପ୍ରାଚୀନ ପୂର୍ବାଗ୍ରହରେ ଗ୍ରସିତ, ସେମାନେ ଆସି ଦେଶକୁ ବୁଝିପାରୁନଥିବା ଲୋକଙ୍କୁ କହନ୍ତି, ‘ଦେଶ ତମର ହତ୍ୟାକାରୀ’ । ସେମାନେ କର୍ପୋରେଟ୍ ପଇସାରେ ଆସିକି କହନ୍ତି, ‘ଦେଶ ଏବେ କର୍ପୋରେଟ୍ ହାତରେ, ଓ ତମମାନଙ୍କ ବିନାଶ ପଛରେ’ । ନିଷ୍ଠୁର ଓ ଗୁରୁତ୍ୱପୂର୍ଣ୍ଣ ରାଜନୀତିକ ସତ୍ୟକୁ ସେମାନେ ଗୋଟେ କାଳ୍ପନିକ ଆତତାୟୀ ରୂପ ଦିଅନ୍ତି, ଏଇଥିପାଇଁ ଯେ’, ଏମାନେ ରାଜନୀତିକ ଭାବେ, ଗଣତାନ୍ତ୍ରିକ ଭାବେ ସଚେତନ, ତଥା ଉପସ୍ଥିତ ହୁଅନ୍ତୁ ତାହା ସେମାନେ ଚାହାନ୍ତି ନାହିଁ । ହଜାରେ ମୂଷା ଖାଇ ବିଲେଇ ହଜ୍ ଯାତ୍ରା କଲା ଭଳି ପଇତା ଛିଣ୍ଡେଇ ଦେଇ ବା ଆବଶ୍ୟକ ବେଳେ ଓହ୍ଲେଇ ଦେଇ ନିଜର ବେକାରୀପଣ (ଏମାନଙ୍କ ପାଇଁ ବେକାରୀ ଏକ ସମସ୍ୟା ନୁହେଁ କି ନଥିଲା), ଓ ସର୍ବନିମ୍ନ ଜ୍ଞାନର ହବନ ତଥା ମନୋରଞ୍ଜନ ପାଇଁ ନିଜେ ସେଇ ଗୋଷ୍ଠୀରୁ ଆସିକି ମଧ୍ୟ ‘ଉର୍ଚ୍ଚ ଜାତିର ସାଂସ୍କୃତିକ ଆଧିପତ୍ୟ’, ‘ରାଷ୍ଟ୍ର ଷଡ଼ଯନ୍ତ୍ର’, ‘ଶାସନତନ୍ତ୍ରର ଲୁଣ୍ଠନ’, ‘ବ୍ରାହ୍ମଣବାଦ’, ‘ପୁଞ୍ଜିବାଦ’ ଭଳି ମଧୁର ଆଉ ତାତ୍କାଳିକ ମାନସିକ-ଉପଶମକାରୀ-ଶବ୍ଦସବୁ ଉପେକ୍ଷିତ ଜନତା ପାଇଁ ତିଆରି କରି ଅସଲ ରାଜନୀତିକ ଉପସ୍ଥାପନକୁ ଭ୍ରମିତ କରିରଖନ୍ତି । ଦଳିତ, ଆଦିବାସୀ, ବହୁଜନ ତଥା ଉପେକ୍ଷିତ ଜନତାର ସାଥୀ ବୋଲି ନିଜକୁ ପରିଚିତ କରନ୍ତି, ଯଦିଓ ସମସ୍ତ ଷଡ଼ଯନ୍ତ୍ର, ବାଦ, ଓ ପୁଞ୍ଜି-ତତ୍ତ୍ୱ ପଛରେ ସେମାନେ ହିଁ ଥାଆନ୍ତି ପରୋକ୍ଷ ତଥା ପ୍ରତ୍ୟକ୍ଷ ଭାବରେ । ଦେଶ ତଥା ବିଦେଶ ଓ କର୍ପୋରେଟ୍‌ମାନଙ୍କଠାରୁ, ଅଣସରକାରୀ ସଂସ୍ଥା (NGO) ନାମରେ ଅର୍ଥ ଆଣି କର୍ପୋରେକୁ ବିରୋଧ କରିବାର ଛଳନାରେ ଦେଶ ବିରୋଧୀ ଆଖ୍ୟାନ ବାଣ୍ଟନ୍ତି ।

ସ୍ୱାଧୀନତା ପୂର୍ବରୁ କଳାକୌଶଳ ଅଲଗା ଥିଲା ବା ସେଭଳି କିଛି ବିଶେଷ ନଥିଲା, ଏଥିପାଇଁ ସେମାନଙ୍କୁ ଏତେ ଚତୁରତା ଦେଖାଇବା ଆବଶ୍ୟକ ନଥିଲା । ସ୍ୱାଧୀନତା ପରେପରେ ଯେତେବେଳେ ଗଣତାନ୍ତ୍ରିକ ଅଧିକାରରେ ସମସ୍ତଙ୍କ ଭାଗିଦାରୀ ଆରମ୍ଭ ହେବା ବା ହେବାର ଅବସର ଆସିଲା, ସେତେବେଳଠୁ ସେଇ ଚତୁର ଗୋଷ୍ଠୀ ଅନ୍ୟ ବୃହତ୍ ଗୋଷ୍ଠୀକୁ କିପରି ପୂର୍ବଭଳି ସମସ୍ତ ପ୍ରକାରର ସୁବିଧା ସୁଯୋଗରୁ ଦୂଖରେ ରଖିପାରିବେ ସେଇଥିପାଇଁ ନାନା ବୌଦ୍ଧିକ କୌଶଳ ଆପଣେଇଲେ । ଏହା କରିବା ପାଇଁ ମହାନ ସମାଜଶାସ୍ତ୍ରୀ, ରାଜନୀତିବିଦଙ୍କ ତତ୍ତ୍ୱ ଓ ସିଦ୍ଧାନ୍ତର ଭ୍ରମାତ୍ମକ ଉପସ୍ଥାପନା କଲେ ଯେମିତିକି ଯଦିବି ଉପେକ୍ଷିତ ଗୋଷ୍ଠୀର କେହି ସାମ୍ବିଧାନିକ ଅଧିକାର ଆଦି ବିଷୟରେ ସଚେତନ ହୁଅନ୍ତି ତେବେ ସେମାନେ କିପରି ଦ୍ୱନ୍ଦ୍ୱ ଭିତରେ ଛନ୍ଦି ହୋଇରହିବେ ସେଥିପାଇଁ ରୀତିମତ ପ୍ରୟାସ କରିଚାଲିଲେ । ଅତଏବ, ଯାହାକୁ ଲାଗୁଛି ‘ଦେଶ ଗୋଟେ ବନ୍ଧୁକ’, ‘ଦେଶ ଗୋଟେ ଡୋଜର ମେସିନ୍, ଖଙ୍ଗାର’; ‘ଗୋଟେ ଧର୍ଷଣକାରୀ’, ‘ଜହ୍ଲାଦ, ଗୋଟେ ତସ୍କର’ ସେ ନୁହେଁ; ବରଂ ଦେଶଦ୍ରୋହୀ ହେଉଛନ୍ତି ସେଇମାନେ, ଯେଉଁମାନେ ସେମାନଙ୍କ ବୌଦ୍ଧିକ-ଷଡଯନ୍ତ୍ରରେ ଅନ୍ୟକୁ ଭ୍ରମିତ କରିଚାଲିଛନ୍ତି । ସେମାନେ ଦେଶର ସଂଖ୍ୟାଧିକ ବହୁଜନଙ୍କ ସାମଗ୍ରିକ ମାନବିକ ବିକାଶକୁ ବିଭିନ୍ନ ଉପାୟରେ ରୋକିବାର ପ୍ରୟାସ କରିଆସୁଛନ୍ତି । କର୍ପୋରେଟ୍ ପ୍ରସ୍ତୁତ ଗାଡ଼ିଚଢ଼ି, କର୍ପୋରେଟ୍ ପ୍ରସ୍ତୁତ ମୋବାଇଲ, କମ୍ପ୍ୟୁଟରରେ ବାର୍ତ୍ତା ଲେଖି, ରାଷ୍ଟ୍ର ତଥା ଦେଶର ସମସ୍ତ ସୁବିଧାସୁଯୋଗ ହାସଲ କରି ଯେଉଁମାନେ ଏସବୁଠାରୁ ଦୂରରେ ସେମାନଙ୍କୁ ଦେଶ ଓ କର୍ପୋରେଟର କଳା-ଚିତ୍ର ଦେଖାଉଛନ୍ତି । ଗଣତାନ୍ତ୍ରିକ ରାଷ୍ଟ୍ରଟିଏ ଯେତେବେଳେ ଜନହିତକାରୀ ହେଉନାହିଁ, ତାହା କ’ଣ ପାଇଁ ଓ ତା ପଛରେ କେଉଁମାନେ ଅଛନ୍ତି, ତଥା ଗୋଟିଏ ଗଣତାନ୍ତ୍ରିକ ପ୍ରକ୍ରିୟା ଏପରିହେବା ପଛରେ ଥିବା କାରଣ, ଓ ଆମର ଭୂମିକା କ’ଣ, ସେ ବିଷୟରେ କେବେ କିଛି କହନ୍ତି ନାହିଁ । କାରଣ, ଏ ପ୍ରକାରର ରାଜନୀତିକ ସଚେତନତା ସେମାନଙ୍କ ଛଦ୍ମ-ବୌଦ୍ଧିକତା ଓ ଜନପକ୍ଷଧରତାକୁ ଅସାର କରିଦେବ । କବି ବୋଧେ ଚିହ୍ନିଥିଲେ ସେ ବୌଦ୍ଧିକ ଷଡ଼ଯନ୍ତ୍ରକାରୀ ମଲ୍ଲୀଫୁଲିଆ ବକମାନଙ୍କୁ – “କୁଆଡୁ ଗାଁକୁ ତୋ’ର ଉଡିଆସିଲା ଗୋଟେ ମଲ୍ଲୀଫୁଲିଆ ବକ, /…ଜିଭରୁ ଥିପୁଥିଲା ଲାଳସା, ଆଖିରେ ଜଳୁଥିଲା ଅହଂକାର, ଓଠରେ କିନ୍ତୁ ଝରୁଥିଲା କରୁଣା ଜରଜର ଶ୍ଳୋକ” । ଅତଏବ, ସେ କହନ୍ତି – “ମନ୍ଦିରର ଝାଡୁ ମାରିବାକୁ, କଫି ବାଗାନରେ କଫି ତୋଳିବାକୁ / କିଏ ବରଗିଛି ତୋତେ ? କାହିକି ? ପଚାର୍ / ଫାର୍ମ ହାଉସରେ ଅଇଁଠା ହାଡ଼, ମାଛକଣ୍ଟା ଓ କାଚ ଟୁକୁରା ଗୋଟାଇ ଗୋଟାଇ / କାହିଁକି ତୁ ହେବୁ ରକ୍ତ ସରସର ? ପଚାର୍” । ନିଶ୍ଚୟ, ବର୍ତ୍ତମାନ ଏ ମଲ୍ଲୀଫୁଲିଆ କ୍ଷଡଯନ୍ତ୍ରକୁ ବୁଝିବାର ବେଳ, ପ୍ରଶ୍ନ ପଚାରିବାର ବେଳ ।

“ଆଜିର ବର୍ଣ୍ଣବୋଧ” କବିତାର କେତୋଟି ପଙକ୍ତି ଉଲ୍ଲେଖନୀୟ ଏଠାରେ – “ଓଲେଇ ଗାଈ ମାରୁଚି ନାତ / ପୂରୁଚି ତେଣୁ ବାଛୁରି ପେଟ ।… ଛାରପୋକର ଦେଖ ଛଟକ / ରକତ ଶୋଷି ଭଦରଲୋକ ।… ପଣ କରିଛି ଦେଶ ସେବକ / ବିକିବ ଖଣି, କିଣିବ ଭୋକ । ପଣ୍ଡିତ ପୁଅ ବକିୁଚି ଜୋତା / ତଥାପି କିଆଁ ପିନ୍ଧେ ପଇତା ।” ଯେଉଁଠି ଗୋଟିଏ ବୃହତ୍ ଜନଗଣଙ୍କର ରାଜନୀତିକ ଅନୁପସ୍ଥିତି ତଥା ମଲ୍ଲୀଫୁଲିଆ ବକଙ୍କ ଷଡ଼ଯନ୍ତ୍ରର ସରଳ ଚିତ୍ର ଦେଖିବାକୁ ପାଇଥାଉ । ସଂକଳନସ୍ଥ “ସତ୍ୟ-ବେପାର” ଏକ ଚମତ୍କାର କବିତା । ଈଶ୍ୱରକୁ ଚିହ୍ନିବା ପରି ସତୟକୁ ଚିହ୍ନିବା, ଜାଣିବା ଭାରି କଠିନ । ଏଥିପାଇଁ ବୁଦ୍ଧ ସିଂହାସନ ତ୍ୟାଗ କରିଥିଲେ, ଯୀଶୁ କ୍ରୁସବିଦ୍ଧ ହୋଇଥିଲେ, ଭୀମଭୋଇ ଭଳି ମନିଷୀ ଓ ଆମ୍ବେଦକର ପରି ବିଦ୍ୱାନମାନେ କେତେ ଶ୍ରମ ଓ ପ୍ରୟାସ କରିଥିଲେ ତାହା ସହଜରେ କହିହେବ ନାହିଁ । ଯେପରି ମଣିଷ ଏକ ସାମାଜିକ ପ୍ରାଣୀ ମାତ୍ର ନୁହେଁ, ବରଂ ରାଜନୀତିକ ମଧ୍ୟ, ସେପରି – ସତ, ମିଛ, ଦେଶ, ଈଶ୍ୱର ସବୁଯାକ ଏକ ଏକ ରାଜନୀତିକ ଶବ୍ଦ  । “ସତ୍ୟ-ବେପାର”ରେ କବି ଚମକେଇ ଦିଅନ୍ତି – “ସାତଟିଦିନ ବି ଲାଗିଲା ନାହିଁ / ସେମାନେ ଗଢି ଥୋଇ ଦେଲେ ଈଶ୍ୱର !”(୨୭) “…ପଚପାଚ୍ ପାନପିକ ଥୁକିଥୁକି / ସେମାନେ ଗଢି ଥୋଇଦେଲେ ସତ୍ୟ, / ହସକୁରା, ସୁଠାମ, ସୁନ୍ଦର !”(୨୮) ନିୟମଗିରିର ଭଅଁରମାରି ଗଛମାନଙ୍କୁ କୁହାଗଲା “ଛାଡ, ବାଟ ଛାଡ ସତ୍ୟ ଆସୁଛନ୍ତି ବାଟ ଛାଡ । / ତମର ଏଇଠି / ତୋଳାହେବ ସତ୍ୟର ମନ୍ଦିର / ମନ୍ଦିର ବେଢାରେ ବସିବ ହାଟ / କିଣାବିକା ହେବ ପରମାନନ୍ଦ / ନାଁ ହେବ ଆନନ୍ଦ ବଜାର, / ଜାଗା ଖାଲିକର, ଜଙ୍ଗଲ ଖାଲିକର” (୨୯) । କବି କିନ୍ତୁ ସଚେତନ, ସେ ଜାଣନ୍ତି ଏହା ସତ୍ୟ ନୁହେଁ – “ତମେ ଯାହାକୁ ମୁଣ୍ଡରେ ଥୋଇ / ଭକ୍ତି ଭୋଳରେ ତାଥେଇ ତାଥେଇ / ତାକଥେଇଥେଇ ନାଚୁଛ, ଅସଲରେ ତାହା ସତ୍ୟ ନୁହେଁ, /…ଅସଲରେ ତାହା ଧାକାବାଜଙ୍କ ରକ୍ତରଙ୍କା ବେପାର” (୩୩) । ଆମକୁ ସେ ବେପାରୀଙ୍କୁ ଚହ୍ନିବାକୁ ପଡିବ, ସେମାନେ ଗାଉଥିବା କରୁଣା ଜରଜର ଶ୍ଳୋକକୁ ବୁଝିବାକୁ ହେବ, ନହେଲେ ମିଛ ବିକ୍ରି ହୋଇଯିବା ସହିତ ବିକ୍ରି ହୋଇଯିବ ଆମର ଦେଶ, ଆମର ସମସ୍ତ ସାମ୍ବିଧାନିକ ଅଧିକାର, ଯେମିତି ବିକ୍ରି ହୋଇ ଚାଲିଛେ ଆମେ – କେତେବେଳେ ଅପର ଗୋଷ୍ଠୀର ପଇସା ପାଖରେ ତ କେତେବେଳେ ସେମାନଙ୍କ ଛଦ୍ମକାରୁଣିକ ଶବ୍ଦ ପାଖରେ ।

“ଜଙ୍ଗଲିଗୀତ” ଅନ୍ୟତମ ଉଲ୍ଲେଖନୀୟ କବିତା । ଏହି “ଜଙ୍ଗଲି ଗୀତର ସୁରାକ୍ ପାଇଁ କନ୍ଦିବିକନ୍ଦି କୁକୁର ପରି ଶୁଙ୍ଘି ବୁଲୁଛନ୍ତି ଗୁପ୍ତଚର” । କାରଣ, “ସେ ଗୀତ ଏବେ ଗଛ ହୋଇଯାଇଛି ଯାହାକୁ କାଟପିାରୁନି କୁରାଢି କି କରତ, ଭାଙ୍ଗିପାରୁନ, ଉପାଡିପାରୁନି ଝଡ । ସେ ଗୀତ ଏବେ ପାହାଡ଼ । ସେ ଗୀତ ଏବେ ହୁତାଶନ, ଧାସରେ ତା’ର ପାଉଁଶ ହୋଇ ଝରିପଡୁଛି ବନ୍ଧୁକ ଉଞ୍ଚେଇଥିବା ହାତ । …ଛାନିଆରେ ଛେରି ପକାଉଛି ସାହୁକାର । ମନ୍ତ୍ରୀ, ଯନ୍ତ୍ରୀ, ଠିକାଦାର, ଖୁନୀ, ଖଣ୍ଟ, ଖଙ୍ଗାର ସମସ୍ତେ ଡାକୁଛନ୍ତି ରକ୍ଷାକର, ରକ୍ଷାକର” । କିନ୍ତୁ, ସେ ଗୀତର ପତ୍ତା ମିଳୁନି ଅନେକଙ୍କୁ । ସେ ଗୀତକୁ ଖୋଜବିାକୁ ପଡିବ ଆମକୁ । କେହି ଝରିପଡୁ କି ନପଡୁ, କେହି ତ୍ରାହିତ୍ରାହି ଡାକୁ କି ନଡାକୁ ଆମର ସାମ୍ବିଧାନିକ ଅଧିକାର ପାଇେଁ ସେ ଗୀତକୁ ଖୋଜିବାକୁ ପଡିବ । ସେ ଗୀତ ତାଳପତ୍ର ପୋଥିର ନୁହଁ, କି ସମ୍ଭ୍ରାନ୍ତ ପତ୍ରିକା, କି କୌଣସି କବି-ମହାକବିଙ୍କ ନୁହେଁ– ସେ ଗୀତ ଆମର, ସେ ଗୀତ ଭାରତୀୟ ସାମ୍ବିଧାନିକ ଅଧିକାରର ।

ଭାରତୀୟ ଅଷ୍ଟାଦଶ ପୁରାଣ ଭଳି ସର୍ଗ ବା ସଂସାର ସୃଷ୍ଟି, ପ୍ରତିସର୍ଗ ବା ମହାଜାଗତିକ ଆଖ୍ୟାନ, ବଂଶ ଅର୍ଥାତ୍ ଦେବତା, ଋଷି ଓ ରାଜବଂଶାବଳୀ କଥା ଏ କବିତା ସଂକଳନରେ ନାହିଁ । ତେବେ, ଯେଉଁ ସୃଷ୍ଟି କଥା ଅଛି ସେ ସୃଷ୍ଟିଏ ଭାରତବର୍ଷର ଉପେକ୍ଷିତ ମଣିଷର । କେମିତି ସେ ଜଙ୍ଗଲ ସହିତ ଜୁଝି, ପଥର ସହିତ ଜୁଝି, ମାଟି ତାଡି ନିମରେଇଥିଲା ଖେତ । ଏଠି ମହାଜାଗତିକ ଆଖ୍ୟାନ ନାହିଁ କିନ୍ତୁ – “ଧାନ-ମୁଗ-ସୁଆଁ-ମାଣ୍ଡିଆର କିସମ କିସମ କବିତା, ବାନିବାନିଗୀତ ଓ ଆଖ୍ୟାନ ଅଛି । ସେଇ ଜଙ୍ଗଲି ମଣିଷର, “ଖେତ ହିଁ ଥିଲା ତାର ପୋଥିପୁରାଣ, ଖେତ ହିଁ ଥିଲା ଭାଗବତ” । ଏଠି ବି ଅଛି ସେଇ ଉପେକ୍ଷିତ ମଣିଷର ଦେବୀଦେବତାଙ୍କ କଥା – “ଦାରନୀ ମାତା, ଭୀମା ବଦେତା, ଡଙ୍ଗର ବଦେତା”; ଅଛି ଯୁଦ୍ଧ, ଭୋକ-ଶୋଷର, ଡହ ଡହ ଖରା ଆଉ ହାଡଥରା ଶୀତରେ ଲଢୁଥିବା ଜୀବନର ଗାଥା । ଅଛି ଉପେକ୍ଷିତ ଜନତାର ସାଂସ୍କୃତିକ ଆଖ୍ୟାୟିକା । ଏଇ ଖେତ, ଡଙ୍ଗର, ଶସ୍ୟ ଉପରେ ଚିଲର ଆଖି କୋଉକାଳରୁ, ଅଖିଳ କହନ୍ତି, “ଏଠି ବହି ଯାଉଥିବା ପାହାଡ, ଝରଣା ଉପରେ ରାଜଧାନୀର ଜ୍ଞାନୀଗୁଣୀ ଛଂଚାଣର ଆଖି” । ଅତଏବ, ସେଇ ଛଂଚାଣର ତୀକ୍ଷ୍ଣ ଚଞ୍ଚୁକୁ ସାମ୍ନା କରିବା ପାଇଁ ଆମକୁ ଆଜିର ରାଜନୀତିକ ବର୍ଣ୍ଣବୋଧ ପଢିବାକୁ ହେବ, ଆମ ସାମ୍ବିଧାନିକ ତଥା ଗଣତାନ୍ତ୍ରିକ ଅଧିକାରକୁ ଜାଣିବାକୁ ହେବ । ନହେଲେ, ସିନ୍ଦ ସିକୋକା ଭଳିବ କ୍ରୋଧ-ଘୃଣାରେ ଫାଟିପଡିବା ଆଗରୁ ଶୁଭିବ– “କାଟ, କାଟ, ଜିଭ କାଟିଦିଅ ଶଳାର…” ଭଳି ଅମୋଘ ଆଦେଶ ।

ଅଖିଳଙ୍କ ଖେତପୁରାଣର ବିଭିନ୍ନ ଦିଗକୁ ବୁଝିବା ଏତିକିରେ ସରିଯାଏ ନାହିଁ । କାରଣ, ଏହା ଖେତର ତଥା ଉପେକ୍ଷିତ ମଣିଷର ମହାଆଖ୍ୟାନ । ଏହାକୁ ବୁଝିବା ପୂର୍ବରୁ ଖେତ, ପୋଖରୀ-ହୁଡାରେ ବସି ଜ୍ଞାନ ଦେଉଥିବା ମଲ୍ଲୀଫୁଲିଆ ବକମାନଙ୍କର ରାଜନୀତକୁ ବୁଝିବାକୁ ଆବଶ୍ୟକ । ଆମ୍ବେଦକର ସ୍ୱାଧୀନତାର ବହୁପୂର୍ବରୁ ଏମାନଙ୍କୁ ଚିହ୍ନିସାରିଥିଲେ ତେଣୁ ମହାରାଷ୍ଟ୍ରର Manmad ଜଙ୍କସନଠାରେ Great Indian Peninsula ରେଲଓ୍ୱେ କର୍ମଚାରୀଙ୍କୁ ଦେଇଥିବା ଭାଷଣ(୧୯୩୦)ରେ କହିଥିଲେ – “…I have no hesitation in saying that they are a misguided body of men and I go further and say that nobody brought greater ruination on the workers than these men” । ଏପରିକି ‘Scheduled Castes’ Emancipation: Draft Manifesto’ (1951)ରେ ସେ ସତର୍କ ବି କରାଇଥିଲେ ଯେ, “…will not have any alliance with a party… objects of which are to destroy individual freedom and Parliamentary Democracy and substitute in its place a dictatorship.”

ଏ ସଂକଳନଟି କେତେ ଜନାଦୃତ ହେବ ତାହା ଗୁରୁତ୍ୱପୂର୍ଣ୍ଣନୁହେଁ, ବରଂ ଆମର ରାଜନୀତିକ ଏକତା, ଉପସ୍ଥିତି, ଓ ଅନ୍ୟଗୋଷ୍ଠୀର ଭ୍ରମାତ୍ମକ ପ୍ରବଚନଠାରୁ ଆମେ ଆମକୁ କେତେଦୂର ବଞ୍ଚେଇପାରୁଛୁ ତାହା ଗୁରୁତ୍ୱପୂର୍ଣ୍ଣ; ଯାହା ଆମର ରାଜନୀତିକ ଅବଧାରଣା ଉପରେ ସମ୍ପୂର୍ଣ୍ଣ ନିର୍ଭରକରେ । ନହେଲେ, ଖେତ, ପୋଖରୀ, ଗାଡିଆ, ଆଉ ଝାରଜଙ୍ଗଲ ଭିତରେ ବସିବୁଲୁଥିବା ସେଇ ମଲ୍ଲୀଫୁଲିଆ ବକମାନେ ହିଁ ଏହି ମହାଗାଥାକୁ ସତକୁସତ ଏକ “ଭାଗବତ”ରେ ପରିଣତ କରିଦେବେ ଅନାୟାସରେ । ତାପରେ, କହିବା ବାହୁଲ୍ୟ ଯେ ସେତେବେଳେ ମଝିମଝିରେ ପାରାୟଣ ହେବ ମାତ୍ର, କିନ୍ତୁ ସାମ୍ବିଧାନିକ ସାମୂହିକ ବିକାଶର ପ୍ରବାହ ଜମାଟ ବାନ୍ଧିଯିବ ।

(Sanjaya Kumar Bag is an writer and academic based in Odisha. He can be reached at sanjayakumarbag@gmail.com)

Indigenous Voice

Comments

Leave a Reply

Your email address will not be published. Required fields are marked *