https://www.artlexing.com/ scam sites xnxx bokep indo bokep jepang child sex
କୁଦଲା କାହାଣୀ - indigenousvoice.in

indigenousvoice.in

କୁଦଲା କାହାଣୀ

କୁଦଲା କାହାଣୀ

ଏତଦୃଶ ସଚେତନତା କି ପ୍ରତିରୋଧ କୁଦଲା ଘଟଣାରେ ଦେଖାଗଲା ନାହିଁ । ପ୍ରକାରାନ୍ତେ କୁହାଗଲା ଦଳିତ ପାଇଁ ସ୍ୱର ଦଳିତ ସଙ୍ଗଠନ ଉଠେଇବ । ଯେପରି ଦଳିତ ନିର୍ଯ୍ୟାତନାର ସ୍ୱର କଥିତ ମୁଖ୍ୟଧାରାର ସମାଜ ଉଠେଇବା ପରମ୍ପରା ବିରୋଧି ।ଓଡ଼ିଶାର ନାରୀବାଦୀମାନେ ତଥା ନାରୀବାଦୀ ସଙ୍ଗଠନଗୁଡିକ ଆଶ୍ଚର୍ଯ୍ୟ ଧରଣର ନିରବତା ଅବଲମ୍ବନ କଲେ । ଅନ୍ୟ ଅନେକ ଘଟଣାମାନଙ୍କ ପରି ମୁଖର ନଥିଲେ । ହୁଏତ ଓଡ଼ିଶାର ନାରୀବାଦ ଦଳିତ ନାରୀର ସ୍ଥାନ ବର୍ତ୍ତମାନ ପର୍ଯ୍ୟନ୍ତ ନିରୂପଣ କରି ପାରିନାହିଁ ।

Rajib Sagaria
4th February 2025

ଗୋଟିଏ ଛୋଟ ଗାଁ କୁଦଲା । ସାଧାରଣ ଗାଁଟିଏ । ଓଡ଼ିଶାର ଯେକୌଣସି ଗାଁର ଚିତ୍ର ଯେପରି ଠିକ ସେହିଭଳି କୁଦଲା । ୨୦୧୧ ଜନଗଣନା ଅନୁସାରେ ୨୭୩ ଜନସଂଖ୍ୟା ବିଶିଷ୍ଟ ଗାଁଟିରେ ଦଳିତଙ୍କ ସଂଖ୍ୟା ୪୨ । ଚଳନ୍ତି ସମୟରେ ଦଳିତଙ୍କ ସଂଖ୍ୟା ୪୫ ଥିବାବେଳେ ଗାଁର ଜନସଂଖ୍ୟା ୩୦୦ରୁ ସାମାନ୍ୟ ଅଧିକ । ସରକାରୀ ପରିସଂଖ୍ୟାନ କହେ ଗାଁର ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ ଚାଷ ଉପରେ ନିର୍ଭର କରିଥାଏ । ଗୋଟିଏ ପ୍ରାଥମିକ ବିଦ୍ୟାଳୟ ସହ ଗାଁକୁ ସରକାରୀ ପ୍ରତିନିଧି ଆସୁଥିବା କିଛି କିଛି ଚିହ୍ନ ସ୍ୱାସ୍ଥ୍ୟ ବିଭାଗ ଓ ପଞ୍ଚାୟତିରାଜ ବିଭାଗଦ୍ୱାରା କାନ୍ଥମାନଙ୍କରେ ଲେଖା ହୋଇଥିବା ଦେଖିବାକୁ ମିଳେ ।

ଦିନେ ଗୋଟିଏ ଘଟଣା ଘଟିଲା ଗାଁରେ । ଦଳିତ ବସ୍ତିର ଜଣେ ବିବାହିତଙ୍କୁ ଗାଁ ସଭାରେ ଅପମାନ କରାଗଲା । ଯୁବକ ଜଣକ ଦୁଇପୁଅ ଓ ସ୍ତ୍ରୀଙ୍କୁ ଏକା କରି ଚାଲିଗଲେ । ସେ ଆତ୍ମହତ୍ୟା କରିଥିଲେ । ଘଟଣା ୨୦୦୭ ମସିହାର । ଗାଁ ଲୋକେ ପଞ୍ଚ ବସିଲେ ଗାଁରେ । ସାମାନ୍ୟ ହାତ ଗଣତି ଦଳିତ ବସ୍ତିର ଜଣେ ଯୁବକ ପାଇଁ ନିସାପ ହେଉଥିଲା । ସଭାରେ କୁହାଗଲା ଯେ ସେ ଦଳିତ ହୋଇଥିବା କାରଣରୁ ତାର ବଞ୍ଚିବା ଓ ବ୍ୟବହାରର ସୀମିତତା ଅଛି । ତାକୁ ଉଲ୍ଲଘଂନ କରିବା ଘୋର ଅପରାଧ । ସଭା ପରେପରେ ଯୁବକ ଜଣକଙ୍କ ନିକଟରେ ଦୁଇଟି ପର୍ଯ୍ୟାୟ ରହିଲା । ଆତ୍ମସମ୍ମାନ ଓ ଜୀବନ । ସେ ଆତ୍ମସମ୍ମାନକୁ ବାଛିଲେ । କାରଣ ପଞ୍ଚ ପରମେଶ୍ୱର ଯେଉଁ କାରଣ ଯୋଗୁଁ ତାଙ୍କୁ ଅପରାଧି କରିଥିଲେ ସେ କାରଣର ଭିତ୍ତି ହିଁ ନଥିଲା । ଗୋଟିଏ ମିଛ ଅପବାଦ ହିଁ ଥିଲା ।

ତାଙ୍କ ଆତ୍ମହତ୍ୟା କାରଣରୁ ଗାଁର କି ପୃଥିବୀର କୌଣସି ବି ପରିବର୍ତ୍ତନ ହେଲା ନାହିଁ; ସୂର୍ଯ୍ୟ ପୂର୍ବବତ ଉଇଁଲା ଓ ଲୋକେ ସବୁକୁ ଭୁଲିଗଲେ । ତାଙ୍କ ଆତ୍ମହତ୍ୟା ସମୂହ କି ବ୍ୟକ୍ତିଗତ କିଛି ପରିତାପ କି ପ୍ରାୟଶ୍ଚିତ କରିଥିବା ଉଦାହରଣ ନାହିଁ । କାରଣ ତାଙ୍କ ବଂଶ ଇତିହାସ ନାହିଁ ଯେପରି କୌଣସି ଦଳିତ ପରିବାରର ବଂଶ ଇତିହାସ ନଥାଏ ବୋଲି ଅନେକେ ମନେକରିଥାନ୍ତି ।

ସଦ୍ୟ ବିଧବା ସ୍ତ୍ରୀଙ୍କ ନିକଟରେ ବଞ୍ଚିବା ହିଁ ଏକ ବାଦୀ ଥିଲା । ବାଦୀରେ ସେ ଜିତିବ କି ହାରିବ । ତାର ହାରଜିତର କୌଣସି ମୂଲ୍ୟ ନଥିଲା । କିନ୍ତୁ ବିଧବା ଜଣକ ସଂଘର୍ଷ କଲା । ଛଅ ଓ ଦୁଇ ବର୍ଷର ଦୁଇଟି ପୁଅଙ୍କୁ ନେଇ ଦାଦନ ଗଲା । ଲାଗ ଲାଗ ବାରବର୍ଷର ତପସ୍ୟା ପରେ ପୁଅ ଦୁଇଜଣ ଆଖି ଦୃଶିଆ ହେଲେ । ଦାଦନର ରୋଜଗାରରେ ବନ୍ଧକ ଜମି ମୁକୁଳାଇଲେ ଓ ଛେଳି କେତୋଟି କିଣିଲେ । ସରକାର ସଦୟ ହୋଇ ଆବାସ ଗୃହ ଗୋଟିଏ ଦେଲେ ।

ଦାଦନ ଦୁଃଖ କଣ ମାଁ ଜାଣିଥିଲେ । ପୁଅ ଟ୍ରାକ୍ଟରରେ କାମକଲା । ବର୍ଷେ ଉତାରୁ ସେ ଟ୍ରାକ୍ଟର ଚଳେଇବା ଶିଖିଲା । ଯାହାର ଟ୍ରାକ୍ଟରରେ ହେଲପରି କରୁଥିଲା ପୁଅର ଟ୍ରାକ୍ଟର ଚଳେଇବା ଦେଖି ତାକୁ ଡ୍ରାଇଭର କରିଦେଲେ । ମାଁ ଛେଳି ଚରେଇ ଯାଆନ୍ତି, ଛୋଟପୁଅ ଅଷ୍ଟମ ପଢେ ଓ ସେ ଟ୍ରାକ୍ଟର ଚଲାଏ । ପରିବାର ଧୀରେଧୀରେ ସମ୍ପନ୍ନ ହେଉଥାଏ । ଘରକୁ ପୁରୁଣା ଟିଭି ଆସେ, କିଛିଦିନ ପରେ ପୁରୁଣା ମୋଟର ସାଇକେଲର ବି ମାଲିକ ହୋଇଯାଏ ପୁଅଟି ।

ବଡପୁଅ ବାହା ହେବାର ବୟସ ହୋଇଗଲା । ତା ପାଇଁ ଝିଅ ଖୋଜିଲେ । ଝିଅ ଠିକ ହେଲା । ବିବାହ ସମୟକୁ ଦୁଇମାସରୁ ସାମାନ୍ୟ ଅଧିକ ଥାଏ ଘଟଣାଟିଏ ଘଟିଲା । ପୁଅ ଜଣକ ଗାଁର ଜଣେ ଝିଅକୁ ଭଲପାଏ । ସେମାନେ ମିଳାମିଶା କରନ୍ତି କେଉଁ ଅଜଣା ଜାଗାରେ । ଛୋଟ ଗାଁଟିର କିଛି ଆଖିର ଉହାଡରେ ରହି ପାରେନାହିଁ ତାଙ୍କ ମିଳାମିଶା । ମୋବାଇଲ କ୍ୟାମେରାରେ କଏଦ ହୁଏ ତାଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତ । ମୋବାଇଲରୁ ମୋବାଇଲକୁ ବିସ୍ତରି ଯାଏ ତାଙ୍କ ପ୍ରେମକଥା । ଘରଲୋକ ବି ଜାଣନ୍ତି ଏ ଘଟଣା । ଏକେତ ଦଳିତ ତା ପରେ ନିଜ ମାଲିକର ଝିଅ ସହ ପ୍ରେମ କରିବା ଏକ ଅପରାଧ ଥିଲା ।

ଏହି ଅପରାଧ ଅବଧାରିତ । ଅବଧାରିତ ଏଇଥିପାଇଁ ଯେ ଏହାକୁ ଧର୍ମ ସଂଘର୍ଷର ଦୁଇ ହଜାର ବର୍ଷର କାହାଣୀ ମାନବୀୟ ନିୟମ କରିସାରିଛି । ଦେଶରେ ପ୍ରତି ଛଅ ଘଣ୍ଟାରେ ଜଣେ ଦଳିତ ନିର୍ଯ୍ୟାତିତ ହେଉଛି । ଏଇ ଛଅ ଘଣ୍ଟାର ଗଣିତରେ ଆତ୍ମହତ୍ୟା କରିଥିବା ଉପର ବର୍ଣ୍ଣିତ ଯୁବକର ହିସାବ ନାହିଁ । ଏହି ହିସାବ ନଥିବା ଯୁବକର ପରିବାରକୁ ନେଇ ଆମର କଥା । ତା’ର ପୁଅ ପ୍ରେମକରେ, ନିଜ ମାଲିକର ଝିଅକୁ । ବାପାର ଅପରାଧ ପୁନରାବୃତ୍ତି ହେଉଛି । ଘଟଣା ସାଧାରଣ ନଥିଲା । ପ୍ରେମିକର ମାଆ ଡକାହୁଏ ପ୍ରେମିକା ପରିବାରର ପୌଢଙ୍କଦ୍ୱାରା ଦେଢଶୂରଙ୍କୁ ନେଇ ଅନତି ଦୂରରୁ ଅବଧାବନ କରି ମାଁ ଜଣକ ବୁଢା ସାହୁକାର ସମ୍ମୁଖରେ ସମ୍ଭ୍ରମରେ ଠିଆ ହୁଏ ।

 କକା !

 ସାହୁକାର ଚୁପ ବସିଥାନ୍ତି ।

 କକା ! ଏ କକା ! ଡକେଇଛୁ ପରେ ଆରୁ ମୋର ଡାକ କାଏଁ ଜେ ନାଇ ଶୁନବାର ?

 କାଣା କେ ତୋର ଡାକ ଶୁନମି ? ତୋର ପୋ’ ଇଟା ଭଲ କାମ କରୁଛେ ?

ବିଧବା ମାଁ ଜଣକ ଘରକୁ ଆସି ପୁଅକୁ ବହେ ଶୋଧିଲା । ପୁଅ ବି ଜବାବ ଦେଲା । ସେଦିନ ରାତିରେ ମାଁ ପୁଅ କେହି ଖାଇଲେନି ।

ରଥଯାତ୍ରା ଦିନ ସକାଳୁ ପ୍ରେମିକା ସହ ଫେରାର ହେଲେ । ଦୁହିଙ୍କ ହେତୁ ଅଛି ସେମାନେ କଣ କରିଛନ୍ତି ଓ କଣ ହେବ ? ସହରକୁ ଆଇନ ଓ ଆଧୁନିକତା ଶୀଘ୍ର ଆସେ ବୋଲି ଲୋକଙ୍କ ଧାରଣା । ତେଣୁ ସହରରେ ଏପରି ବିବାହ ସେତେ ମାରାତ୍ମକ ନୁହେଁ । କିନ୍ତୁ ଗାଁରେ ଦଳିତ ହଲିଆ ପିଲା ସହ ସାହୁକାରର ନାତୁଣୀ ଭାଗିଯିବା ଭଲି ଘଟଣା ଘୋର ଅପରାଧ । ଦଣ୍ଡ ମଧ୍ୟ ତଦୃପ । ୧୧ ଅଗଷ୍ଟ, ୨୦୨୧ ସଂଧ୍ୟାରେ ସାନପୁଅ ଛେଳି ନେଇ ଫେରିଲା । କୋଭିଡ ଯୋଗୁଁ ସ୍କୁଲ ବନ୍ଦ ଅଛି । ତେଣୁ ମାଁର କାମ ଥିଲେ ଛେଳି ଚରେଇବା ପାଇଁ ଯାଏ । ଘରେ ରହିଲେ ପାଠ ତ ପଢିବନି ଓଲଟା ଝାରଝିକରା ବୁଲିବ । ସେ ଖାଇବା ପାଇଁ ମାଗିଲା । ମାଁ ତାକୁ ଖାଇବାକୁ ଦେଲେ । ପୁଅ ଖାଇସାରି ପଡୋଶୀ ବଡବାପାଙ୍କ ଘରକୁ ଯାଇଛି ହଠାତ ଆକ୍ରମଣ ହେଲା ପୀଡିତାଙ୍କ ଘର ଉପରେ । ତିନିଘଣ୍ଟାର ଦମନ ଭିତରେ ପୌଢା ମାଆ ଜଣକ ଗଣଦୁଷ୍କର୍ମର ଶିକାର ହୋଇ ସାରିଥାନ୍ତି । ଭାରତରେ ଦୈନିକ ଛଅଜଣ ଦଳିତ ମହିଳା ଗଣଦୁଷ୍କର୍ମର ଶିକାର ହୁଅନ୍ତି ସେଦିନର ଷଷ୍ଠତମ ନାମଟି ବିଧବା ମାଆ ଜଣଙ୍କର ଲେଖାହେଲା ।

ଝିଅ ଦଳିତ ପୁଅ ସଙ୍ଗେ ଭାଗିଥିବାରୁ ସାହୁକାର ଭାଇ ବଂଶ ଜାତିରୁ ବାସନ୍ଦ ହେଲେ । ସେହିଦିନ ଜାତିଭାଇଙ୍କୁ ଡାକି ସାହୁକାର ସପରିବାର ଦୁବ-ଦୁଧ ହୋଇ ନିଜ ଜାତିକୁ ଫେରିଲେ । ଜାତି ସିଆନ ବୁଢା ସାହୁକାରଙ୍କୁ ପଚାରିଲେ, “ଏବେ ସାହୁକାର ତୋର ଅପମାନ ଜାତିର ଅପମାନ ହେଲା । ଜାତି ଏବେ ତା’ର କାମ କରବା” ଜାତି ତାର କାମ କଲା । ଗାଁର ସବର୍ଣ୍ଣ ପୁରୁଷ ଓ ମହିଳା ଦୁଇ ପଣ୍ଡିତ ପରିବାରର ମୂଖ୍ୟ ଦୁଇଜଣଙ୍କ ନିର୍ଦ୍ଦେଶରେ ଆକ୍ରମଣ କଲେ । ପଣ୍ଡିତ ଦ୍ୱୟ ବୟସ ଓ ଲିଙ୍ଗ ଅନୁକ୍ରମରେ ଆଦେଶ ଦେଉଥାନ୍ତି । ମହିଳାମାନଙ୍କୁ ଘର ଲୁଟିବା କାମରେ । ବୟସ୍କମାନଙ୍କୁ ଜଳାପୋଡ଼ା ଆଦି ଓ ଦଳିତ ବସ୍ତି ଅବରୋଧ କାମରେ । ଭେଣ୍ଡିଆମାନଙ୍କୁ ବିଧବା ମହିଳାମାନଙ୍କୁ ଆକ୍ରମଣ ଓ ଧର୍ଷଣ କାମରେ ନିୟୋଜିତ କରି ରଖିଥାନ୍ତି । ଯୁବକମାନଙ୍କୁ ଆଇନରୁ ବଞ୍ଚେଇବା ପାଇଁ କଣ୍ଡୋମ ବ୍ୟବହାର କରିବା ଉପଦେଶ ମଧ୍ୟ ଦେଉଥାନ୍ତି । ପୈଶାଚିକ ଆକ୍ରମଣ ଦୀର୍ଘ ତିନିଘଣ୍ଟା କାଳ ଚାଲିଲା ।

ପୋଲିସ ଆସିଲା ବେଳକୁ ଧର୍ଷିତା ମାଆ ଜଣକର ଚେତା ଫେରି ନଥାଏ । ସ୍ଥାନୀୟ ଡାକ୍ତରଙ୍କ ଅସହଯୋଗ ସତ୍ତ୍ୱେ ପୀଡିତା ଜଣଙ୍କୁ ବୁର୍ଲା ବଡ ଡାକ୍ତରଖାନାକୁ ନିଆଗଲା । ଲୋକେ ସ୍ତବ୍ଧ ହୋଇ ଯାଇଥାନ୍ତି । ଯେତିକି ପୀଡିତାଙ୍କ ପ୍ରତି ସହାନୁଭୁତିରେ ନୁହେଁ ତା’ଠାରୁ ଅଧିକ ଆଗକୁ କଣ ହେବ ଦେଖିବା ପାଇଁ । ନିଜକୁ ସାଧାରଣ ଘଟଣାରୁ ସୁରକ୍ଷିତ ଦୂରତାରେ ରଖିନେଲେ । ତଥାପି ବି ଏପରି ହେବାର ନଥିଲା । ଗାଁର କୌଣସି ଅବିବାହିତ କି ବଦମାସ ଯୁବକ ସହ ରାତି ବିତେଇବା ଦଣ୍ଡ ବ୍ୟତୀତ ସାମୁହିକ ବଲାତ୍କାର ଭଳି ଦଣ୍ଡ ଦେବାର ନଥିଲା । ଏହା ଥିଲା ସବର୍ଣ୍ଣଙ୍କ ବିଚାର ଘଟଣାକୁ ନେଇ ।

ସମାଜ ଓ ଶାସନରୁ ପୀଡିତ ଜାତି ନିକଟରେ ବଞ୍ଚିବାର ଅଧିକାର ଅଛି । କିନ୍ତୁ ଦଳିତଙ୍କୁ ନିସ୍ୱ କରି ରଖିଲେ ହିଁ ତାଙ୍କୁ ନିୟୋଜିତ କରିହେବ ଏଥି ପାଇଁ ପ୍ରତିବର୍ଷ ଦଳିତ ବସ୍ତିରେ ନିଆ ଲଗାଯାଉଥିଲା । ତେଣୁ ଲାଠୋର ଦଳିତ ବସ୍ତି ପୋଡି ଘଟଣା ସେତେଟା ସାମାଜିକ ପ୍ରଭାବ ପକାଇ ପାରିନଥିଲା ଅଞ୍ଚଳର ଜନମାନସରେ । ପୀଡିତଙ୍କ ସଂଘର୍ଷ ହିଁ ତାଙ୍କୁ କ୍ଷତିପୂରଣ ପାଇବାରେ ସହାୟ ହେଲା । ବିଡମ୍ବନା ଏହା ଯେ ତଥାକଥିତ ସାଧାରଣ ବର୍ଗ କି ସାଧାରଣ ସମାଜ ଲାଠୋର ଘରପୋଡି ପାଇଁ ସାମାଜିକ ଅନୁକମ୍ପା ତିଆରି କରିପାରିଲେ ନାହିଁ । କ୍ଷତିପୂରଣ ପାଇବା ପାଇଁ ଯେଉଁ ଜାତିକୁ ଆଜି ବି ସଂଘର୍ଷ କି ସଂଗ୍ରାମ କରିବାକୁ ପଡୁଛି ସେ ଜାତି ସାମାଜିକ ନ୍ୟାୟରୁ କିପରି ବଞ୍ଚିତ ହେଉଥିବେ ତାହା ସହଜରେ ଅନୁମେୟ ।

ଏହି ଜାତିର ଜଣେ ଯୁବକ ସାମାଜିକ ପ୍ରତିବନ୍ଧକୁ ଡେଇଁ ସଭ୍ୟ ସମାଜର ଜଣେ ଝିଅକୁ ହରଣ କରିବ ? ଏହା ଘୋର ଅପରାଧ । ଏହାର ଦଣ୍ଡ ଦିଆଯିବ, ଦିଆଯାଇ ଆସୁଛି କାହିଁ କେଉଁ କାଳରୁ । ସଭା ମଧ୍ୟରେ ବିବସ୍ତ୍ର କରିବା ଏକ ସାଧାରଣ ଘଟଣା । ଛୋଟ ଛୋଟ ଗାଁମାନଙ୍କରେ ଏହା କେତେବେଳେ ଯେ ନହେବ କି ନହୁଏ ଏହା କହିବା କଠିନ ।

ଘଟଣାର ପରପାର୍ଶ୍ୱ ଆହୁରି ଭୟଙ୍କର । କାରଣ ଯେଉଁ ଗାଁରେ ଘଟଣା ଘଟିଲା ସେ ଗାଁଟି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ । ଦୁଇଟି ନିର୍ବାଚନ ମଣ୍ଡଳୀରୁ ଜିତିଥିବା ମୁଖ୍ୟମନ୍ତ୍ରୀ ନିୟମତଃ ବିଜେପୁର ଆସନରୁ ଇସ୍ତାଫା ଦେବାପରେ କ୍ରମାଗତ ତିନିଥର ବିଧାୟକ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ ଶ୍ରୀ ସୁବଲ ସାହୁଙ୍କ ଧର୍ମପତ୍ନୀ ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଦଳରୁ ନିର୍ବାଚିତ ହୋଇଛନ୍ତି । ଶ୍ରୀ ସାହୁଙ୍କ ନିଧନ ପରେ ତାଙ୍କ ଧର୍ମପତ୍ନୀଙ୍କୁ ବିଜଦ ଟିକେଟ ଦେଇ ନିର୍ବାଚନ ମଣ୍ଡଳୀ ପାଇଁ ହଜାର ହଜାର କୋଟିର ପ୍ରକଳ୍ପ ଘୋଷଣା କରିବା ସହ ଶ୍ରୀମତୀ ସାହୁଙ୍କୁ ବିଜୟୀ କରାଇଥିଲେ । ପରବର୍ତ୍ତି ସମୟରେ ନିଜେ ଶ୍ରୀ ନବୀନ ପଟ୍ଟନାୟକ ବିଧାୟକ ପ୍ରତିଦ୍ୱନ୍ଦିତା କଲେ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପୁର ନିର୍ବାଚନ ମଣ୍ଡଳୀ ଯୋଡି ହୋଇରହିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ କୌଣସି ଅପ୍ରିତିକର ଘଟଣାର ଖବର ନଯାଉ ସେଥିପାଇଁ ପ୍ରଶାସନ ସଜାଗ ରହିଲା । ଫଳସ୍ୱରୂପ ସେପ୍ଟେମ୍ବର ୧ ତାରିଖ ୨୦୨୧ ଦିନ କୁଦଲା ଘଟଣାକୁ ବିରୋଧ କରି ପଦଯାତ୍ରା ପାଇଁ ପ୍ରସ୍ତୁତ ହେଲେ ଗାଇସିଲେଟ ବ୍ଲକର କେତେଜଣ ଦଳିତ ଯୁବକ । ଯାହାଙ୍କୁ ଅନେକ ଅନୁଷ୍ଠାନର ସହଯୋଗ ରହିଲା ।

ଏହିଦିନ ଯେଉଁ ଘଟଣା ଘଟିଲା ତାହାର ପ୍ରକାରାନ୍ତରରେ କଣ କଣ ସବୁ ଘଟଣା ଘଟିଥିବ ତହା ଅନୁମାନ କରିହେଲା । ପଦଯାତ୍ରୀ ଦଳଙ୍କୁ ସୁରକ୍ଷା ଦେବାପାଇଁ ଅଥବା କୌଣସି ଅପ୍ରୀତିକର ପରିସ୍ଥିତିର ନିୟନ୍ତ୍ରଣ ପାଇଁ ପୋଲିସ ଆସିଥିଲେ । ସେମାନେ ପଦଯାତ୍ରା ଆରମ୍ଭ ହେବା ପୂର୍ବରୁ ଫେରିଗଲେ । କାରଣ କଣ ହୋଇଥିବ । ପଦଯାତ୍ରା ଦଳକୁ ସମର୍ଥନ କରୁଥିବା ଲୋକଙ୍କୁ କୌଣସି ପ୍ରକାରେ କ୍ଷାନ୍ତ କରାଯାଇଥିଲା କି ? ପ୍ରଶ୍ନର କାରଣ ଏଇଥିପାଇଁ ଯେ ନିର୍ଦ୍ଧାରିତ ସମୟରେ ସମର୍ଥକଙ୍କ ଉପସ୍ଥିତି ନଥିଲା । ନୂଆପଡ଼ା ଜିଲ୍ଲାରୁ ଯାଇଥିବା ଦଳିତ ଅଧିକାର ମଞ୍ଚର କର୍ମକର୍ତ୍ତା ଓ ବହୁଜନ ସମାଜ ପାର୍ଟିର ନେତା ନାରାୟଣ ଭେସ୍ରା ତଥା ଗାଁର ଯୁବକଙ୍କୁ ନେଇ ପ୍ରାୟ ସଂଧ୍ୟାରେ ପଦଯାତ୍ରା ଆରମ୍ଭ ହେଲା । ୧୨ ରୁ ୧୫ ଜଣ ପଦଯାତ୍ରୀ ବାହାରିଲେ । ବାଟରେ ପାଞ୍ଚଜଣ ଚାଲିଲେ । ତା ପରଦିନ କୋଡିଏରୁ ଅଧିକ ଲୋକ ଯୋଗଦେଲେ । ରାସ୍ତାରେ ପଡୁଥିବା ଗାଁମାନଙ୍କରେ ପଦଯାତ୍ରୀ ଦଳଙ୍କୁ ଦଳିତ ସମାଜର ମାଆମାନେ ଫୁଲମାଳ ଓ ଉପଢୌକନ ଦେଇ ଅଭିବାଦନ ଜଣାଇଲେ । ଏ ଘଟଣା ସବୁ ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ନିକଟକୁ ପହଞ୍ଚିଲା । ଅନେକ ମାନବବାଦୀ ଅନୁଷ୍ଠାନ ସହ ଦଳିତ ଅନୁଷ୍ଠାନ ତଥା ଗାଁ ଗାଁରୁ ଦଳିତ ସମାଜର ଲୋକେ ସେପ୍ଟେମ୍ବର ୧ ରୁ ୩ ତାରିଖ ପର୍ଯ୍ୟନ୍ତ ଚାଲିଥିବା ପଦଯାତ୍ରା ପାଞ୍ଚ ହଜାର ଲୋକଙ୍କ ଏକ ପଟୁଆର ହୋଇ ବରଗଡ଼ ଏସ.ପି. ଅଫିସକୁ ପହଞ୍ଚିଲା । ଏଥିରେ ଦୁଇହଜାର ପାଖାପାଖି ଦଳିତ ମହିଳା ଥିଲେ ।

ବରଗଡ଼ ଏସ.ପି. ପାଞ୍ଚ ହଜାରର ପଟୁଆର ସମ୍ମୁଖକୁ ଆସିଲେ ନାହିଁ । କାରଣ ପୂର୍ବଦିନ ଭୀମ ଆର୍ମିକୁ ଉପେକ୍ଷା କରିଥିବା ହେତୁ ଏସ.ପି. ଭୀମ ଆର୍ମିର କାର୍ଯ୍ୟକର୍ତ୍ତାଙ୍କଦ୍ୱାରା ଅପଦସ୍ତ ହୋଇଥିଲେ । ଏହା ଏକ ବହାନା ମାତ୍ର ଥିଲା ଯେ ଏସ.ପି. ପ୍ରତିନିଧିଙ୍କୁ ଡକାଇଲେ । ପ୍ରତିନିଧି ଗଲେ ସାତଦିନ ଏସ.ପି. ସମୟ ମାଗିଲେ । ଅଭିଯୁକ୍ତଙ୍କ ମଧ୍ୟରୁ ସାତଜଣଙ୍କୁ ଗିରଫ କରାଯାଇଛି, ଅନ୍ୟମାନଙ୍କୁ ଗିରଫ କରାଯିବ । ପଟୁଆର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲା । ସେଠାକାର ଅବସ୍ଥା ମଧ୍ୟ ତଦୃପ । ଦୁଇ ଜିଲ୍ଲାମୁଖ୍ୟଙ୍କ ବ୍ୟବହାରର ନିନ୍ଦା କୌଣସି ସଙ୍ଗଠନ କଲେ ନାହିଁ ।

ଏପର୍ଯ୍ୟନ୍ତ କଥିତ ମୁଖ୍ୟଧାରା କୁଦଲା ଘଟଣା ଉପରେ ନିଜର ମନ୍ତବ୍ୟ ଦେଇନଥାଏ । ସେପ୍ଟେମ୍ବର ୮ ଓ ୧୫ ତାରିଖ  ଦିନ ଭୁବନେଶ୍ୱରରେ ପ୍ରତିବାଦ ହେଲା । ତାପରେ ଘଟଣା ଅନାଲୋଚିତ ହୋଇଗଲା । ଯେଉଁ ପ୍ରତିକ୍ରିୟା ଗାଇସିଲେଟ ବ୍ଲକରେ ତଥାକଥିତ ସଭ୍ୟ ସମାଜ ନିକଟରେ ଦେଖାଗଲା ତଦୃପ ରାଜ୍ୟରେ ମଧ୍ୟ ଦେଖାଗଲା । କିଛିଦିନ ପରେ ତାମିଲନାଡୁରୁ ପୋଲିସ ପ୍ରେମୀଯୁଗଳଙ୍କୁ ଉଦ୍ଧାର କଲା । ସାହୁକାରର ଝିଅ ଅଳ୍ପ ବୟସର ହୋଇଥିବା ହେତୁ ପୋସ୍କୋ ଆଇନ ବଳରେ ପ୍ରେମିକ ଗିରଫ ହେଲା । କାହାଣୀର ପ୍ରଥମ ଚରଣ ଏତିକିରେ ସରିଗଲା । କୁଦଲା ଘଟଣା ଅନାଲୋଚିତ ହୋଇଗଲା । ସମସ୍ତ ଦଳିତ ସଂଗଠନଗୁଡିକୁଅବାଞ୍ଛିତ ଓ ଅଲୋଡା ବୋଲି ପରୋକ୍ଷରେ ଘୋଷିତ ହେଲା ।

୨୫ ସେପ୍ଟେମ୍ବର ୨୦୨୧ ଦିନ ବରଗଡ଼ ନିକଟସ୍ଥ ତୋରା ଗାଁର ଗୋବିନ୍ଦ କୁମ୍ଭାର ନାମକ ଜଣେ ଯୁବକର ହାଜତ ମୃତ୍ୟୁ ହୁଏ । ଏହାର ପ୍ରତିବାଦ ମଧ୍ୟ ଦଳିତ ସଙ୍ଗଠନମାନଙ୍କ ଭିତରେ ସୀମିତ ରହିଲା । କିନ୍ତୁ ପ୍ରଶାସନିକ ଓ ରାଜନୀତିକ ତତ୍ପରତା ଅନ୍ୟ ଏକ ଘଟଣାରେ ଦେଖିବାକୁ ମିଲିଲା । ଘଟଣାଟି ଥିଲା ଜଣେ ଅଣ ଦଳିତ ଝିଅ ଯିଏକି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ମହାଲିଙ୍ଗ ଗାଁରେ ଥିବା ସନସାଇନ ନାମକ ଏକ ଘରୋଇ ବିଦ୍ୟାଳୟର ଅଧ୍ୟକ୍ଷା ଥିଲେ । ଅଧ୍ୟକ୍ଷା ଜଣକ ସ୍କୁଲର ଏକ ବୌଠକରେ ଯୋଗଦେବା ପାଇଁ ନିଜ ଗାଁ ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ଅନ୍ତର୍ଗତ ଝରନୀ ଗାଁରୁ ମହାଲିଙ୍ଗ ଯିବା ବାଟରେ ବେଖବର ହୋଇଗଲେ । ଦୁଇଦିନ ପରେ କଳାହାଣ୍ଡି ଜିଲ୍ଲାର ସୀମାକୁ ଲାଗିଥିବା ବଲାଙ୍ଗିର ଜିଲ୍ଲାର ସିନ୍ଧେକେଲା ଥାନାରେ ଅଧ୍ୟକ୍ଷାଙ୍କ ପରିବାର ଏତଲା ଦେଲେ । ଏହା ପୂର୍ବରୁ ମହାଲିଙ୍ଗ ଗାଁ ଥାନା ସୀମାରେ ଆସୁଥିବା କେଗାଁ ଥାନାରେ ଏତଲା ଗୃହୀତ ହୋଇ ନଥାଏ । ବିଦ୍ୟାଳୟର ମାଲିକଙ୍କୁ ଅକ୍ଟୋବର ୧୨ ତାରିଖ ଦିନ ଗିରଫ କରାଗଲା । ସେ ୧୭ ତାରିଖ ଦିନ ଟିଟିଲାଗଡ଼ ଉପଖଣ୍ଡସ୍ତରୀୟ ଥାନାରୁ ଫେରାର ହେଲେ । ଦିନକ ପରେ ଅଭିଯୋଗ ହୋଇଥିବା ସିନ୍ଧେକେଲା ଥାନାରୁ ପାଞ୍ଚ କିଲୋମିଟର ଦୂର ବୁଢ଼ୀପଦର ଗାଁରୁ ଗିରଫ ହେଲେ । ଗିରଫ ପରେ ସନସାଇନ ବିଦ୍ୟାଳୟର ମାଲିକ ସ୍ୱୀକାର କଲେ ଯେ ସେ ଅଧ୍ୟକ୍ଷାଙ୍କୁ ହତ୍ୟା କରିଛନ୍ତି । ସମସ୍ତ ଗଣମାଧ୍ୟମ ଦିନରାତି ଖବର ପ୍ରସାର କଲେ । ଘଟଣା ସ୍କୁଲ ଅଧ୍ୟକ୍ଷାଙ୍କ ଗଣମାଧ୍ୟମର ଦୃଷ୍ଟି ସ୍କୁଲର ମାଲିକ ନିଜ ଅଘୋଷିତ ମାଲିକାନାରେ ରଖିଥିବା କଲେଜ ଓ ଗୃହମନ୍ତ୍ରୀଙ୍କୁ କେନ୍ଦ୍ରକରି ଖବର ପ୍ରଚାର କଲେ । ଶାସକ ବ୍ୟତୀତ ପ୍ରାୟ ପ୍ରତ୍ୟେକ ଦଳ ରାଜ୍ୟସାରା ଚହଳ ସୃଷ୍ଟି କଲେ ଯେ ସରକାର ଅପାରଗ ।

Democratic and Human Rights Organisations organised a protest against Kudula caste atrocity in Bhubaneswar.

ଏତଦୃଶ ସଚେତନତା କି ପ୍ରତିରୋଧ କୁଦଲା ଘଟଣାରେ ଦେଖାଗଲା ନାହିଁ । ପ୍ରକାରାନ୍ତେ କୁହାଗଲା ଦଳିତ ପାଇଁ ସ୍ୱର ଦଳିତ ସଙ୍ଗଠନ ଉଠେଇବ । ଯେପରି ଦଳିତ ନିର୍ଯ୍ୟାତନାର ସ୍ୱର କଥିତ ମୁଖ୍ୟଧାରାର ସମାଜ ଉଠେଇବା ପରମ୍ପରା ବିରୋଧି । ଦଳିତଙ୍କ ପାଇଁ ଦଳିତ ସଙ୍ଗଠନ ଅଛି । ଅଧ୍ୟକ୍ଷାଙ୍କ ପାଇଁ କିଏ ଅଛି ? ତେଣୁ ସମସ୍ତ ରାଜ୍ୟ ତାର ଦାୟିତ୍ୱ ନେଲା । ଏହା ହେଲା ଦଳିତଙ୍କ ପ୍ରତି ରାଜନୀତିକ ବିବେଚନା । ସୁତରାଂ ଦଳିତଙ୍କୁ ନେଇ ରାଜନୀତିକ ମାନସିକତା ସାମାଜିକ ମାନସିକତା ତୁଲ୍ୟ ବୋଲି ପ୍ରମାଣ ହୋଇଗଲା ଏକ ପ୍ରକାର ।

ଓଡ଼ିଶାର ନାରୀବାଦୀମାନେ ତଥା ନାରୀବାଦୀ ସଙ୍ଗଠନଗୁଡିକ ଆଶ୍ଚର୍ଯ୍ୟ ଧରଣର ନିରବତା ଅବଲମ୍ବନ କଲେ । ଅନ୍ୟ ଅନେକ ଘଟଣାମାନଙ୍କ ପରି ମୁଖର ନଥିଲେ । ହୁଏତ ଓଡ଼ିଶାର ନାରୀବାଦ ଦଳିତ ନାରୀର ସ୍ଥାନ ବର୍ତ୍ତମାନ ପର୍ଯ୍ୟନ୍ତ ନିରୂପଣ କରି ପାରିନାହିଁ । ଯେଉଁମାନେ ବି ସ୍ୱର ଉତ୍ତୋଳନ କଲେ ସେମାନଙ୍କୁ ଶୁଣାଗଲା ନାହିଁ । ଆର.ଏସ.ଏସ.ର ଏକ ପ୍ରତିନିଧି ଦଳ କୁଦଲା ପୀଡିତାଙ୍କ ନିକଟକୁ ଯାଇଥିଲେ । କିନ୍ତୁ ଅନ୍ୟ ମୁଖ୍ୟଧାରାର ରାଜନୀତିକ ଦଳ ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖିଲେ ନାହିଁ ।

ଅବିଭାଜ୍ୟ ସମ୍ବଲପୁର ଜିଲ୍ଲାରେ କୁଦଲା ଆସିଥାଏ । ଏହି ଜିଲ୍ଲାକୁ ସ୍ୱାଧିନତା ପୂର୍ବରୁ ମହାତ୍ମା ଗାନ୍ଧୀ ଆସିଥିଲେ । ଝାରସୁଗୁଡ଼ାର ଦଳିତ ସ୍ୱାଧିନତା ସଂଗ୍ରାମୀ ବିହାରୀଲାଲ ତନ୍ତି ଯାହାଙ୍କ ମାଆ ତୁଳସୀବାଇ ତନ୍ତି ମଧ୍ୟ ସ୍ୱାଧିନତା ସଂଗ୍ରାମରେ ଜେଲ ଦଣ୍ଡ ଭୋଗିଥିଲେ, ତାଙ୍କ ଘରେ ରାତ୍ରୀ ଯାପନ ବି କରିଥିଲେ । ତନ୍ତିଙ୍କ ସେ ଘର ଏବେ ମଧ୍ୟ ଅଛି ଯେଉଁ ଘରେ ମହାତ୍ମା ଗାନ୍ଧୀ ରାତ୍ରୀ ଯାପନ କରିଥିଲେ । ଗାନ୍ଧୀତ୍ୱର ଜୟବାନା ଉଡାଇଥିବା ତନ୍ତି ପରିବାରର ଜାତିକୁ ପ୍ରତିନିଧିତ୍ୱ କରନ୍ତି ପୀଡିତା ବିଧବା ମହିଳା । ସ୍ୱାଧିନତାର ସାତଟି ଦଶକ ପରେ ସେହି ଜାତିର ମହିଳା ଅପାଙକ୍ତେୟ ହୋଇଗଲେ । ଯେପରି ସମାଜ ଗୋଟିଏ ରାଜନୀତିକ ସ୍ୱାଧିନତା ପାଇଁ ତାର ଦୀର୍ଘ ଇତିହାସ ରଚନା କଲା । ପରେ ପରେ ତାର ପୂର୍ବାଗ୍ରହର ଶରଣକୁ ଚାଲିଗଲା । ନହେଲେ ଏତେ ଆଇନ କାନୁନ ସତ୍ତ୍ୱେ; ବିକାଶର ପ୍ରଚଣ୍ଡ ଦୌଡ ସତ୍ତ୍ୱେ ଶହେ ବର୍ଷ ତଳର ସାମାଜିକ ଦଣ୍ଡବିଧାନକୁ ବ୍ୟବସ୍ଥା ସହିଗଲା କିପରି ? ଏସ.ପି. ମହୋଦୟ ନ୍ୟାୟ ଦେବାକୁ ପ୍ରତିନିଧି ଦଳଙ୍କୁ ସାତ ଦିନ ସମୟ ମାଗିଲେ । ପ୍ରତିନିଧି ଦଳ ଉଦାର ହୋଇ ଏସ.ପି.ଙ୍କୁ ସମୟ ଦେଲେ କିନ୍ତୁ ସାତଦିନ ପରେ ଏସ.ପି.ଙ୍କୁ ପ୍ରଶ୍ନ କରିପାରିଲେ ନାହିଁ ଯେ ସେ ସାତ ଦିନ କୁଆଡ଼େ ଗଲା ?

ଏ ପର୍ଯ୍ୟନ୍ତ ଦଳିତ ସଙ୍ଗଠନ ବୁଝିଯିବା ଉଚିତ ଥିଲା ଯେ ତାଙ୍କ ପାଇଁ ବ୍ୟବସ୍ଥା କୌଣସି ଦାୟ ରଖେନାହିଁ । ଯଦି ବା ଏହାକୁ ସମସ୍ତ ଦଳିତ ସଙ୍ଗଠନ ବୁଝିସାରିଥିଲେ ତାହାହେଲେ ତାଙ୍କ ନିରବ ରହିବା ଘଟଣା ସବୁଠାରୁ ବିପଦପୂର୍ଣ୍ଣ । କୁଦଲା ଘଟଣା ନେଇ ଏହା ହିଁ ହୋଇଛି । ସଂଖ୍ୟାରେ ଅଧିକ ଦଳିତ ସଙ୍ଗଠନମାନେ ସାଧାରଣଙ୍କ ଭିତରେ କୁଦଲା ପୀଡିତାଙ୍କ ପ୍ରତି ଅନୁକମ୍ପାଟିଏ ତିଆରି କରିପାରିଲେ ନାହିଁ କାହିଁକି ? ସେମାନଙ୍କ ଆତ୍ମ ସମୀକ୍ଷାର ସମୟ ଏହା । ବିଚ୍ୟୁତ ନୁହେଁ ସମାନତା ହିଁ ସମାଧାନ ତାଙ୍କ ସଂଗ୍ରାମର । କାହାର ଚିନ୍ତାଧାରର ପରିବର୍ତ୍ତନ ଆବଶ୍ୟକ ସମାଜର ନା ନିଜର କି ସମସ୍ତଙ୍କର ଚିନ୍ତାଧାରାର ? ଏତିକି ହୋହାଲ୍ଲା ପରେ ପୀଡିତା ବିଧବା ଜଣଙ୍କ ଅବସ୍ଥା ବୁଝିବାକୁ କେହି ଯାଇନାହାନ୍ତି । ପୁଅ ଏବେ ଜେଲରେ । ଗଣଦୁଷ୍କର୍ମର ଶିକାର ଜଣେ ମହିଳାର ଗ୍ରାମ୍ୟ ଜୀବନ କିପରି ଦୁର୍ବିସହ ଥିବ କେହି ଚିନ୍ତା କରୁନାହାନ୍ତି । ଗାଧୁଆ ତୁଠରେ ଗାଁ ଦାଣ୍ଡରେ କି ଛେଳି ଚରେଇଗଲା ବେଳେ ତାଙ୍କର ଆତ୍ମସମ୍ମାନ ତାଙ୍କୁ କେଉଁ ତାଡନା ଦେଉଥିବ କେହି ପଚାରିବାକୁ ନାହିଁ ।

ପୀଡିତା ତାଙ୍କ ଗାଁରେ ଅଛନ୍ତି ଓ ବଞ୍ଚିଛନ୍ତି ଏହା ହିଁ ବଡକଥା । ସ୍ୱାମୀ ଅତୀତରେ ନେଇଥିବା ନିର୍ଣ୍ଣୟକୁ ସେ ଉଚିତ ବୋଲି ବିଚାର କରି ନାହାନ୍ତି ଏହା ହିଁ ସମସ୍ତ ଦଳିତ ଉଦ୍ଧାରଙ୍କ ପ୍ରତି ଆଶୀର୍ବାଦ ହୋଇଛି ଯେପରି । ଏହିପରି ଘଟଣାକୁ କୋରାପୁଟ କୁନ୍ଦଲାର ଦଳିତ ଝିଅ ବରଦାସ୍ତ କରି ପାରିନଥିଲା । ସେପ୍ଟେମ୍ବର ୩ ତାରିଖ ଦିନର ପାଞ୍ଚ ହଜାରର ପଟୁଆର ଭିତରକୁ ପୀଡିତାଙ୍କ ଅପହଞ୍ଚ ଚିନ୍ତା କେବେ ଯଦି ପ୍ରଶ୍ନ କରେ; ପଟୁଆର ନ୍ୟାୟ ପାଇଁ ଥିଲା ନା ନିଜକୁ ବିଜ୍ଞାପିତ କରିବା ପାଇଁ ? ଏହା ଏଯାଏଁ ଅବୁଝା ହୋଇ ରହିଗଲା ।

(Rajib Sagaria is a freelance journalist, columnist and researcher. He can be reached at rajibs68@gmail.com)

Indigenous Voice

Comments

Leave a Reply

Your email address will not be published. Required fields are marked *