https://www.artlexing.com/ scam sites xnxx bokep indo bokep jepang child sex
ବିର୍ସାମୁଣ୍ଡାଙ୍କ ସାମାଜିକ ଆନ୍ଦୋଳନ ଓ ରାଜନୀତିକ ଦର୍ଶନ : ଅବୁଆ ଦିଶୁମ୍ ଅବୁଆ ରାଜ - indigenousvoice.in

indigenousvoice.in

ବିର୍ସାମୁଣ୍ଡାଙ୍କ ସାମାଜିକ ଆନ୍ଦୋଳନ ଓ ରାଜନୀତିକ ଦର୍ଶନ : ଅବୁଆ ଦିଶୁମ୍ ଅବୁଆ ରାଜ

ବିର୍ସାମୁଣ୍ଡାଙ୍କ ସାମାଜିକ ଆନ୍ଦୋଳନ ଓ ରାଜନୀତିକ ଦର୍ଶନ : ଅବୁଆ ଦିଶୁମ୍ ଅବୁଆ ରାଜ

ଧରତୀ ଆବା ବିର୍ସା ଯେଉଁ ନୂତନଧର୍ମ ପ୍ରତିଷ୍ଠା କଲେ ତାହା ସଂପୂର୍ଣ୍ଣ ରୂପେ ପ୍ରକୃତି ଆଧାରିତ ମାନବତାବାଦୀ ସତ୍ୟ, ନ୍ୟାୟ ଆଧାରିତ ବୈଜ୍ଞାନିକଧର୍ମ ଥିଲା । ହଜାରହଜାର ସଂଖ୍ୟାରେ ଆଦିବାସୀମାନେ ବିର୍ସାଙ୍କ ଧର୍ମରେ ଦୀକ୍ଷିତ ଓ ପ୍ରଶିକ୍ଷତ ହେଲେ । ନବଯୁବକ ଯୁବତୀମାନେ ବିର୍ସାଙ୍କଦ୍ୱାରା ପ୍ରଭାବିତ ହୋଇ ଢୋଲମାଦଳ ବଜାଇ ମୂଳନିବାସୀ ମୁକ୍ତି ଓ କ୍ରାନ୍ତିର ଗୀତ ଗାଇବା ଆରମ୍ଭ କଲେ । ସମସ୍ତଙ୍କ ତୁଣ୍ଡରେ ଗୋଟିଏ କଥା – ଉଲ୍‌ଗୁଲାନ୍ ର କେବେ ଅନ୍ତ ନାହିଁ କି ଧରତୀଆବା କେବେ ମୃତ୍ୟୁ ନାହିଁ ।

Dhiman Joydeep
4th February 2025

ସମଗ୍ର ବିଶ୍ୱର କୋଣଅନୁକୋଣର ଇତିହାସକୁ ଅଧ୍ୟୟନ କଲେ ଜଣାପଡେ ଯେ ଅନେକ ଥର ବିଦେଶୀ ଓ ମୂଳନିବାସୀମାନଙ୍କ ମଧ୍ୟରେ ସଂଗ୍ରାମ ଘଟିଛି । ଶୋଷଣକାରୀ ବିଦେଶୀ ଆକ୍ରମଣକାରୀ ସାମ୍ରାଜ୍ୟବାଦୀମାନଙ୍କ ବିରୁଦ୍ଧରେ ମୂଳନିବାସୀମାନେ ସର୍ବଦା ବିଦ୍ରୋହ କରିଆସିଛନ୍ତି । ପ୍ରାଚୀନ ବୈଦିକ ଯୁଗରୁ ଆରମ୍ଭ କରି ଆଧୁନିକ ବ୍ରିଟିଶ ଶାସିତ ଭାରତବର୍ଷରେ ବିଦେଶୀ ଆର୍ଯ୍ୟ, ମୋଗଲ ଓ ଇଂରେଜମାନେ ଆଦିବାସୀ ଜନଜାତିଙ୍କ ଜଳ-ଜଙ୍ଗଲ-ଜମି ଉପରେ ସର୍ବଦା ଅନ୍ୟାୟୋଚିତ ମାଲିକାନା ସାବ୍ୟସ୍ତ କରି ଆସୁଥିଲେ । ବିଦ୍ରୋହର ଇତିହାସ କୁହେ ଯେ ମାନବମୁକ୍ତିର କ୍ରାନ୍ତିକାରୀ ସଂଗ୍ରାମରେ ସର୍ବପ୍ରଥମେ ଅଜ୍ଞାତ ଆଦିବାସୀ ସର୍ଦ୍ଦାରମାନେ ପ୍ରାଣବଳୀ ଦେଇଥିଲେ । ସେହି ମୂଳନିବାସୀ ସ୍ୱାଧିନଚେତା ସଂଗ୍ରାମୀମାନଙ୍କ ମଧ୍ୟରେ ଧରତୀ ଆବା ବିର୍ସାମୁଣ୍ଡା ହେଉଛନ୍ତି ଅନ୍ୟତମ ।

୧୭୫୭ ମସିହାରେ ପଲାସୀ ଯୁଦ୍ଧରେ ବିଜୟୀ ବ୍ରିଟିଶ ଇଷ୍ଟଇଣ୍ଡିଆ କମ୍ପାନୀ ଭାରତରେ ଇଂରେଜ ସାମ୍ରାଜ୍ୟବାଦର ମୂଳଦୁଆ ସ୍ଥାପନ କଲା । ୧୭୬୫ ମସିହାରେ ଇଂରେଜମାନେ ବଙ୍ଗଳା ଓ ବିହାର ରାଜ୍ୟରେ “ଦିୱାନୀ” ଖଜଣା ଆଦାୟ କରିବା ପାଇଁ ଘୋଷଣା କଲେ । ରେଳପଥ, ସଡକପଥ ନିର୍ମାଣ କରିବା ପାଇଁ ଷଡଯନ୍ତ୍ର କରି ବଳପୂର୍ବକ ଇଂରେଜ ସରକାର ଆଦିବାସୀମାନଙ୍କ ଜଙ୍ଗଲ-ଜମି ସବୁକୁ ଅକ୍ତିଆର କରିନେଲେ । ଚାବୁକମାଡ ଓ ବନ୍ଧୁକମୂନର ଭୟ ଦେଖାଇ ବଳପୂର୍ବକ ଆଦିବାସୀ ମାନଙ୍କୁ ବେଠି ଖଟାଇଲେ । ବିଦେଶୀ ଆର୍ଯ୍ୟ ଜମିଦାର, ରାଜା ଓ ଇଂରେଜ ଫୌଜ ମିଳିମିଶି ଆଦିବାସୀ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଓ ଶୋଷଣ ଆରମ୍ଭ କରିଦେଲେ । ସେମାନେ ମୂଳନିବାସୀଙ୍କ କଷ୍ଟ ଉପାର୍ଜିତ ଖାଦ୍ୟଶସ୍ୟ, ଧନରତ୍ନ ଲୁଟ୍ କରିବା ସହ ମା-ଭଉଣୀଙ୍କ ଉପରେ ଅଧିକ ଅତ୍ୟାଚାର ଚଳାଇଲେ । ସାମନ୍ତବାଦୀ ଆର୍ଯ୍ୟ ରାଜା ଜମିଦାର ଓ ସାମ୍ରାଜ୍ୟବାଦୀ ଅତ୍ୟାଚାରୀ ଇଂରେଜମାନଙ୍କ ବିରୁଦ୍ଧରେ ଆଦିବାସୀ ସର୍ଦ୍ଦାରମାନେ ସଶସ୍ତ୍ର ବିଦ୍ରୋହ କରିବା ଆରମ୍ଭ କରିଦେଲେ । ସର୍ବପ୍ରଥମେ ସାନ୍ତାଳୀ ସର୍ଦ୍ଦାର ତିଲ୍‌କା ମାଝୀ ୧୭୭୨ ମସିହାରେ ସାନ୍ତାଳ ବିଦ୍ରୋହର ଘୋଷଣା କଲେ । ସେ ମୂଳନିବାସୀ ଆଦିବାସୀମାନଙ୍କୁ ଚାଷଜମି ଓ ଜଙ୍ଗଲଜାତ ଦ୍ରବ୍ୟ ପାଇଁ ଇଂରେଜମାନଙ୍କୁ କୌଣସି ପ୍ରକାର ଖଜଣା ଦେବା ପାଇଁ ସ୍ପଷ୍ଟ ମନା କରିଦେଲେ । ତାଙ୍କ ନେତୃତ୍ୱରେ ଆଦିବାସୀମାନେ ଜଙ୍ଗଲରେ ଲୁଚିଛପି ଗରିଲା ଯୁଦ୍ଧକଲେ । ସର୍ଦ୍ଦାର ତିଲ୍‌କା ମାଝୀଙ୍କ ଧନୁତୀରରେ ଇଂରେଜ କମିଶନର୍ କ୍ଲିବଲାଣ୍ଡ ନିହତ ହେଲେ । ସଂଗ୍ରାମୀ ଆଦିବାସୀ ସର୍ଦ୍ଦାର ତିଲ୍‌କା ମାଝୀଙ୍କୁ ଆଧୁନିକ ଭାରତ ଇତିହାସରେ “ଆଦିବିଦ୍ରୋହୀ” ଉପାଧିରେ ଭୂଷିତ କରାଯାଇଛି । ୧୭୮୫ ମସିହାରେ ଗୁପ୍ତଚର ବାହିନୀ ଲଗାଇ ଇଂରେଜ ସରକାର ତିଲ୍‌କା ମାଝୀଙ୍କୁ ତିଲକପୁର ଜଙ୍ଗଲରୁ ଗିରଫ୍ କଲେ । ସାନ୍ତାଳ ବିଦ୍ରୋହକୁ ଦମନ କରିବାପାଇଁ ବହୁ ଇଂରେଜ ସେନା ଗରିଲାଯୁଦ୍ଧରେ ମୃତ୍ୟୁବରଣ କରିଥିଲେ । ମୁକ୍ତି ବାହିନୀ ସର୍ଦ୍ଦାର ତିଲ୍‌କା ମାଝୀ ଓ ତାଙ୍କ ସାଥିମାନଙ୍କୁ ୧୭୮୫ ମସିହାରେ ସର୍ବସମ୍ମୁଖରେ ଫାଶୀ ଦିଆଗଲା ।  ସେ ଆଦିବାସୀ ମୂଳନିବାସୀମାନଙ୍କ ମନ ହୃଦୟରେ ଯେଉଁ ବିଦ୍ରୋହର ଅଗ୍ନିଶିଖା ପ୍ରଜ୍ଜଳନ କରିଯାଇଥିଲେ, ତାହା ସମୟକ୍ରମେ ୧୭୯୫ରେ ଢମାଡ୍ ବିଦ୍ରୋହ, ୧୭୯୮ରେ ଚୁଆଡ ବିଦ୍ରୋହ, ୧୭୯୯ରେ ଭୂମିଜ ବିଦ୍ରୋହ, ୧୮୦୦ରେ ଚେରୋ ବିଦ୍ରୋହ, ୧୮୩୧ରେ କୋହ୍ଲ ବିଦ୍ରୋହ ଓ ୧୮୫୫ରେ ହୁଲ୍ ବିଦ୍ରୋହ ବିଦ୍ରୋହର ଧାରାକୁ ବଳବତ୍ତର କରି ଏକ ନୂତନ ଶୃଙ୍ଖଳା ସୃଷ୍ଟି କଲା । ଏହି ବିଦ୍ରୋହର ଶୃଙ୍ଖଳାରେ ମୂଳ ନିବାସୀ ଆଦିବାସୀମାନେ ପୁଞ୍ଜିବାଦୀ ଓ ସାମ୍ରାଜ୍ୟବାଦୀ ଜମିଦାର ଓ ଇଂରେଜମାନଙ୍କ ବିରୁଦ୍ଧରେ ଲଢେଇ କରି ଦେଶମାତୃକା, ମାଆମାଟି ପାଇଁ ପ୍ରାଣବଳୀ ଦେଇଥିଲେ, ତାହାହିଁ ଥିଲା ଭାରତୀୟ ସ୍ୱାଧିନତା ସଂଗ୍ରାମର ମୂଳଦୁଆ । ଇତିହାସକାର ରାମଦୟାଲ ମୁଣ୍ଡାଙ୍କ ମତରେ ୧୮୫୫ ମସିହାରେ ଗଢି ଉଠିଥିବା ଆଦିବାସୀ ବିଦ୍ରୋହ – ‘ହୁଲ’ ହେଉଛି ସାମନ୍ତବାଦ ଓ ସାମ୍ରାଜ୍ୟବାଦ ବିରୁଦ୍ଧରେ ଭାରତୀୟ ସ୍ୱାଧିନତା ସଂଗ୍ରାମର ପ୍ରକୃତ ଅୟମାରମ୍ଭ ।”

ଲର୍ଡ କର୍ଣ୍ଣୱାଲିସ୍‌ଙ୍କ ସ୍ଥାୟୀ ଜମିଦାରୀପ୍ରଥାକୁ ବିରୋଧ କରି ଏହି ସାନ୍ତାଳ – ‘ହୁଲ’ ବିଦ୍ରୋହ ଗଢି ଉଠିଥିଲା । ଏହି ଯୁଦ୍ଧରେ ମୂଳନିବାସୀ ସର୍ଦ୍ଦାର ସିଦ୍ଧୁ ଓ କାହ୍ନୁଙ୍କ ସମେତ ୩୦୦୦୦ ସଂଗ୍ରାମୀ ମୂଳନିବାସୀ ସହିଦ ହୋଇଥିଲା । ସେହି ସହିଦ ଦିବସକୁ ସ୍ମରଣ କରି ପରବର୍ତ୍ତୀ ସମୟରେ ୧୮୯୯ ମସିହାରେ ପ୍ରବଳ ପ୍ରତାପୀ କ୍ରାନ୍ତିକାରୀ ବିର୍ସାମୁଣ୍ଡାଙ୍କ ନେତୃତ୍ୱରେ ‘ଉଲ୍‌ଗୁଲାନ୍‌’ – ମୂଳନିବାସୀ କ୍ରାନ୍ତି ଗଢିଉଠିଥିଲା । ସମଗ୍ର ଛୋଟନାଗ୍‌ପୁର ମାଳଭୂମି ଅଞ୍ଚଳରେ ବିଶେଷତଃ ମୁଳନିବାସୀ ନାଗବଂଶୀ ମୁଣ୍ଡାମାନେ ଅଧିକ ସଂଖ୍ୟାରେ ବସବାସ କରୁଥିଲେ । ବିର୍ସାମୁଣ୍ଡାଙ୍କ ପୂର୍ବଜ ଏକ ଶକ୍ତିଶାଳୀ ଜନଜାତି ଥିଲେ । ଭାରତ ସରକାରଙ୍କ ରେକର୍ଡ ଅନୁଯାୟୀ ଜନସଂଖ୍ୟା ଦୃଷ୍ଟିରୁ ମୁଣ୍ଡା ଜନଜାତି ଝାରଖଣ୍ଡ, ବିହାର, ଓଡିଶା, ଛତିଶଗଡ, ମଧ୍ୟପ୍ରଦେଶ, ଆସାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଆଦି ସ୍ଥାନରେ ବସବାସ କରୁଥିବା ଜଣାଯାଏ । ଆଦିବୁଦ୍ଧ ସିଂବୋଗାଙ୍କୁ, ପ୍ରକୃତ ପାହାଡ ଦେବତାରୂପେ ଆଜି ମଧ୍ୟ ମୁଣ୍ଡା ଆଦିବାସୀମାନେ ଶ୍ରଦ୍ଧାରସହ ପୂଜାକରି ଆସୁଛନ୍ତି ।

୧୮୭୫ ମସିହା ନଭେମ୍ବର ୧୫ ତାରିଖ ଦିନ ବିହାର ରାଜ୍ୟ ରାଞ୍ଚି ନିକଟସ୍ଥ ଚାଲକଦା ଗ୍ରାମରେ ବିର୍ସାମୁଣ୍ଡାଙ୍କ ଜନ୍ମ । ତାଙ୍କ ପିତା ସୁଗୁନା ମୁଣ୍ଡା ଓ ମାତା କରମୀ ମୁଣ୍ଡା । ଆଦିବାସୀ ମୁଣ୍ଡା ପରିବାରରେ ଜନ୍ମଗ୍ରହଣ କରିଥିବାରୁ ବିର୍ସାଙ୍କର ବାଲ୍ୟଜୀବନ ବହୁ ଅଭାବ ଅନଟନ ମଧ୍ୟରେ କଟିଥିଲା । ସେ ନିଜ ପିତାମାତାଙ୍କଠାରୁ ପରିଶ୍ରମୀ ଓ ସ୍ୱାବଲମ୍ବୀ ହେବା ଶିକ୍ଷା ବାଲ୍ୟ ବୟସରୁ ଶିଖିଥିଲେ । ମୁଣ୍ଡା ସମାଜର ବୟୋଜ୍ୟେଷ୍ଠଙ୍କଠାରୁ ଆଦିବାସୀ, ମୂଳନିବାସୀମାନଙ୍କ ଗୌରବପୂର୍ଣ୍ଣ ଇତିହାସ ବିଷୟରେ ସେ ଅନେକ କାହାଣୀ ଶୁଣିଥିଲେ । ଯାହା ଫଳରେ ବାଳକ ବିର୍ସାର ମନ ପ୍ରାଣରେ ଅଦମ୍ୟ ସାହସ ଓ ମୁକ୍ତିଚେତନା ର ବିକାଶ ହୋଇ ପାରିଥିଲା । ବାଳକ ବିର୍ସାର ପାଠପଢା ପ୍ରତି ଆଗ୍ରହ ଦେଖି ପାଖ ଗାଁଠାରେ ଥିବା ଚାଟଶାଳୀରେ ବିର୍ସାର ନାମ ତାଙ୍କ ମାଉସୀ ଲେଖାଇ ଦେଇଥିଲେ । ଜୟପାଲ ନାଗ ନାମକ ଜଣେ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଏହି ଚାଟଶାଳୀଟି ଚାଲୁଥିଲା । ଅଳ୍ପ କିଛି ମାସ ମଧ୍ୟରେ ବିର୍ସା ଅକ୍ଷର ଲେଖିବା, ବର୍ଣ୍ଣବୋଧ ପଢିବା ସବୁ ଶିଖି ସାରିଥିଲେ । ଦୃଢ ସଂକଳ୍ପ ଓ ଏକାଗ୍ରତା ଦେଖି ବିର୍ସାକୁ ଶିକ୍ଷକ ଜୟପାଲ ନାଗ ଉଚ୍ଚ ପ୍ରଶଂସା କରୁଥିଲେ । ସାଲଗାଁ ଚାଟଶାଳୀର ପ୍ରତିଭାବାନ ଶିଶୁ ବିଦ୍ୟାର୍ଥୀ ରୂପେ ବିର୍ସାର ସୁନାମ ହେଲା । ଆଠବର୍ଷ ବୟସରେ ବିର୍ସା ଅନୁଭବ କରି ପାରିଥିଲେ ଯେ ଦିକୁ (ବିଦେଶୀ)ମାନଙ୍କଠାରୁ ନିଜ ଅଧିକାର ଜଳ-ଜଙ୍ଗଲ-ଜମି ଛଡେଇ ଆଣିବାକୁ ହେଲେ ଉଚ୍ଚ ଶିକ୍ଷିତ ହେବା ଆବଶ୍ୟକ । ମାତ୍ର ଉଚ୍ଚଶିକ୍ଷା ଲାଭ କରିବା ବିର୍ସା ପାଇଁ କଷ୍ଟସାଧ୍ୟ ବ୍ୟାପାର ଥିଲା । ଅବଶେଷରେ ବଡଭାଇ କୋମ୍‌ତା ବିର୍ସାକୁ ନେଇ ବୁରୁଜୁରେ ଥିବା ଜର୍ମାନ ମିଶ୍‌ନାରୀ ସ୍କୁଲରେ ନାମ ଲେଖାଇ ଦେଇଥିଲା । ମିଶନ୍ ସ୍କୁଲର ଶୃଙ୍ଖଳିତ ଜୀବନ ଶୈଳୀ ଓ ଉଚ୍ଚମାନର ଶିକ୍ଷାଦାନ ପ୍ରତିଭାଶାଳୀ ବିଦ୍ୟାର୍ଥୀ ବିର୍ସାକୁ ଅଧିକ ପ୍ରତିଭାବାନ କରିପାରି ଥିଲା ।

ଧରତୀଆବା ବିର୍ସାମୁଣ୍ଡାଙ୍କ ନୂତନ ସାମାଜିକ ଓ ଧାର୍ମିକଶିକ୍ଷା ସମସ୍ତ ଆଦିବାସୀମାନଙ୍କ ମନରେ ଏକ ନବଚେତନା ଭରିଦେଲା । ଜଳ-ଜଙ୍ଗଲ-ଜମିର ସୁରକ୍ଷା ଓ ଅରଣ୍ୟର ଅଧିକାର ପାଇଁ ସୁସଂଗଠିତ ହୋଇ ଦିକୁମାନଙ୍କ ବିରୁଦ୍ଧରେ ଯୋଜନାବଦ୍ଧ ସଂଗ୍ରାମ କରିବା ପାଇଁ ଧରତୀଆବା ସମସ୍ତଙ୍କୁ ଉପଯୁକ୍ତ ପ୍ରେରଣା ଓ ପ୍ରଶିକ୍ଷଣ ଦେବାକୁ ଲାଗିଲେ ତତ୍‌ସଙ୍ଗେ ସମସ୍ତ ମୁଣ୍ଡା ଆଦିବାସୀମାନଙ୍କ ମନରେ ମୂଳନିବାସୀ ଇତିହାସର ପୂର୍ବଗୌରବକୁ ସ୍ମରଣ କରାଇ ଦେଲେ । ଧରତୀଆବା କହିଲେ – “ମନ୍ତ୍ର, ତନ୍ତ୍ର ଓ ଗୁଣିଆଙ୍କ କଥା ଶୁଣନାହିଁ, ଜମିଦାର ରାଜାମାନଙ୍କୁ ଖଜଣା ଦେବା ବନ୍ଦକର, ତାଡି, ହାଣ୍ଡିଆ ଓ ମଦଭଳି ଦ୍ରବ୍ୟଗୁଡିକ ସେବନକରିବା ବନ୍ଦକର । ନିଜ ଘର, ଅଗଣା ଚର୍ତୁପାଶ୍ୱର୍କୁ ସଫାସୁତୁରା ରଖି ସୁସ୍ଥ ଜୀବନଯାପନ କର । ଭୂତ, ପ୍ରେତ, ଡାହାଣୀ ଭଳି ଅନ୍ଧବିଶ୍ୱାସକୁ ଖଣ୍ଡନ କରି ନିର୍ଭୀକ ହୁଅ । ପରସ୍ପର ମଧ୍ୟରେ କଳିଝଗଡା ନକରି ଭାତୃଭାବର ବିକାଶ କର । ମହୁମାଛିମାନଙ୍କ ପରି ପରିଶ୍ରମୀ ଓ ସିଂହପରି ସାହସୀ ହୁଅ । ହିନ୍ଦୁ ବ୍ରାହ୍ମଣବାଦୀ ମାନଙ୍କ ଜମିଦାରୀ ଶୋଷଣ ନୀତି ଓ ମିଶ୍‌ନାରୀମାନଙ୍କ ସ୍ୱର୍ଗପ୍ରାପ୍ତି ସ୍ୱପ୍ନକୁ ଜମାରୁ ବିଶ୍ୱାସ କର ନାହିଁ ।” ବିର୍ସାଙ୍କ ଏହି ନୂତନ ଧର୍ମବାଣୀ ସମସ୍ତ ଆଦିବାସୀଙ୍କ ମନରେ ଅପୂର୍ବ ଶିହରଣ ଓ ଉନ୍ମାଦନା ଭରିଦେଲା । ପ୍ରତ୍ୟେକ ଦିନ ଶହଶହ ଆଦିବାସୀ ଧରତୀଆବାଙ୍କଠାରୁ ନୂତନ ଜ୍ଞାନ ପାଇବା ପାଇଁ ଚାଲ୍‌କଦା ଗ୍ରାମକୁ ଆସିଲେ । ବିର୍ସାଙ୍କ ପ୍ରଚାରିତ ମାନବବାଦୀ ସତ୍ୟ, ନ୍ୟାୟ ଓ ଅଧିକାର ସଚେତନତା ପ୍ରକୃତିଧର୍ମ ପ୍ରତି ଆକୃଷ୍ଟ ହୋଇ ମିଶନ୍‌ରେ ଆଦିବାସୀଙ୍କ ସଂଖ୍ୟା ଧୀରେଧୀରେ ହ୍ରାସ ହେବାକୁ ଲାଗିଲା । ଜମିଦାର, ମହାଜନ ଓ ଇଂରେଜ ଅଫିସରମାନଙ୍କୁ ସେମାନେ ପୂର୍ବପରି ଭୟକଲେ ନାହିଁ । ମାତ୍ର ୨୧ ବର୍ଷର ମୁଣ୍ଡାଯୁବକ ନିଜକୁ ଧରତୀ ଆବା-ଭଗବାନ ଘୋଷଣାକରି ଅରଣ୍ୟବାସୀ ମୂଳନିବାସୀଙ୍କ ହୃଦୟରେ ଯେଉଁ ନବଜାଗରଣ ସୃଷ୍ଟିକଲେ ତାହା ଆଗାମୀ ନିକଟ ଭବିଷ୍ୟତରେ ଉଲ୍‌ଗୁଲାନ୍ (ମୂଳନିବାସୀ ରାଜ୍ୟ ପ୍ରତିଷ୍ଠା ପାଇଁ ସଂଘବଦ୍ଧ ଆନ୍ଦୋଳନ)ର ରୂପନେବ ବୋଲି ବ୍ରାହ୍ମଣ, ପୁରୋହିତ, ଖ୍ରୀଷ୍ଟିୟାନ ପ୍ରଚାରକ, ଜମିଦାର, ମହାଜନ, ରାଜା ଓ ପୋଲିସ ଅଫିସର୍‌ମାନେ ଭୟଭୀତ ହେବାକୁ ଲାଗିଲେ । ସେମାନେ କୁଚକ୍ରାନ୍ତ କରି ବିର୍ସାକୁ ବଦନାମ କରିବା ପାଇଁ ବିଭିନ୍ନ ପ୍ରକାର ଷଡଯନ୍ତ୍ର କଲେ ।  

ଧରତୀ ଆବା ବିର୍ସା ଯେଉଁ ନୂତନଧର୍ମ ପ୍ରତିଷ୍ଠା କଲେ ତାହା ସଂପୂର୍ଣ୍ଣ ରୂପେ ପ୍ରକୃତି ଆଧାରିତ ମାନବତାବାଦୀ ସତ୍ୟ, ନ୍ୟାୟ ଆଧାରିତ ବୈଜ୍ଞାନିକଧର୍ମ ଥିଲା । ହଜାରହଜାର ସଂଖ୍ୟାରେ ଆଦିବାସୀମାନେ ବିର୍ସାଙ୍କ ଧର୍ମରେ ଦୀକ୍ଷିତ ଓ ପ୍ରଶିକ୍ଷତ ହେଲୋ ନବଯୁବକ ଯୁବତୀମାନେ ବିର୍ସାଙ୍କଦ୍ୱାରା ପ୍ରଭାବିତ ହୋଇ ଢୋଲମାଦଳ ବଜାଇ ମୂଳନିବାସୀ ମୁକ୍ତି ଓ କ୍ରାନ୍ତିର ଗୀତ ଗାଇବା ଆରମ୍ଭ କଲେ । ସମସ୍ତଙ୍କ ତୁଣ୍ଡରେ ଗୋଟିଏ କଥା – “ଉଲ୍‌ଗୁଲାନ୍ (ମୂଳନିବାସୀ କ୍ରାନ୍ତି)”ର କେବେ ଅନ୍ତ ନାହିଁ କି ଧରତୀଆବା (କ୍ରାନ୍ତିକାରୀ)ର କେବେ ମୃତ୍ୟୁ ନାହିଁ । ସମସ୍ତବୃଦ୍ଧ ଓ ଯୁବକମୁଣ୍ଡା ସର୍ଦ୍ଦାରମାନେ ଧରତୀଆବାଙ୍କ କ୍ରାନ୍ତିକାରୀ ନେତୃତ୍ୱକୁ ଦୃଢ ବିଶ୍ୱାସର ସହିତ ସ୍ୱୀକାର କଲେ । ସମସ୍ତ ଦିକୁ (ବିଦେଶୀ)ମାନଙ୍କୁ ବିତାଡିତ କରିବା ପାଇଁ “ଅବୁଆ ଦିସୁମ୍‌ ଅବୁଆରାଜ୍‌” ନାମରେ ବିର୍ସା ଯୁବକଯୁବତୀମାନଙ୍କୁ ସ୍ୱତନ୍ତ୍ର ଗୁପ୍ତ ପ୍ରଶିକ୍ଷଣ ଦେବା ଆରମ୍ଭ କଲେ । ସେହି ସ୍ୱାଧିନ ମୂଳନିବାସୀ ରାଜ୍ୟଗଠନ ନିମନ୍ତେ କୌଣସି ଆଦିବାସୀ ଜମିଦାର ଓ ଠିକାଦାରମାନଙ୍କ ନିକଟରେ ବେଠି ଖଟିବେ ନାହିଁ ଓ ଇଂରେଜମାନଙ୍କୁ ଜମି-ଜଙ୍ଗଲ ପାଇଁ ଖଜଣା ଦେବେ ନାହିଁ ବୋଲି ନିଷ୍ପତ୍ତି ନିଆଗଲା । ଫଳରେ ପୁରୋହିତ, ମିଶ୍‌ନାରୀ, ଧର୍ମଯାଜକ, ଜମିଦାର, ଠିକାଦାରମାନଙ୍କ ଆଧିପତ୍ୟ ବହୁ ପରିମାଣରେ କମିଗଲା । ସେମାନେ ଅନ୍ୟାୟ, ଶୋଷଣକରି ଧନସଂପତ୍ତି ସଂଗ୍ରହ କରି ପାରିଲେନାହିଁ । ସେମାନଙ୍କ ଘରେ କିମ୍ବା କ୍ଷେତବାଡିରେ କାମ କରିବା ପାଇଁ ଲୋକ ମିଳିଲେ ନାହିଁ ।

ଠିକାଦାରମାନେ ମିଳିତଭାବେ ସ୍ୱାକ୍ଷର କରି ଧରତୀଆବା ବିର୍ସାଙ୍କ ବିରୁଦ୍ଧରେ ଇଂରେଜ ସରକାରଙ୍କ ନିକଟରେ ଅଭିଯୋଗ କଲେ । ସିଂହଭୁମ୍‌ର ତତ୍କାଳୀନ ଏସ.ପି. ଥିଲେ ମିଅର୍ସ ସାହେବ । ସେ ବିର୍ସାକୁ ବନ୍ଦୀ କରିବା ପାଇଁ ଢାମଡ ଥାନାକୁ ଖବର ପଠାଇଲେ । ଥାନାରେ ପୋଲିସ ଅଧିକାରୀ ଦୁଇ କନେଷ୍ଟବଲଙ୍କୁ ସାଙ୍ଗରେ ନେଇ ଚାଲକଦା ଅଭିମୁଖେ ଯାତ୍ରା କଲେ । ଚାଲକଦା ଗ୍ରାମରେ ପହଞ୍ଚି ପୋଲିସମାନେ ଦେଖିଲେ ହଜାରହଜାର ସଂଖ୍ୟାରେ ବିର୍ସାଙ୍କ ସମର୍ଥକ ସଭା କରୁଛନ୍ତି । ସେହି ସୁସଂଗଠିତ ଲୋକସଭାକୁ ଦେଖି ପୋଲିସମାନେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ବନ୍ଦଗାଁର ଆତ୍ୟାଚାରୀ ଜମିଦାର ଜଗମୋହନ ସିଂ ସମସ୍ତ ମହାଜନ, ଠିକାଦାରମାନଙ୍କ ସହ ମିଶି ବିର୍ସା ସଶସ୍ତ୍ର ବିଦ୍ରୋହ କରିବା ପାଇଁ ଯୋଜନା କରୁଛି ବୋଲି ଇଂରେଜସରକାରଙ୍କ ନିକଟରେ ଅଭିଯୋଗ କଲେ । ଫାଦର୍ ହଫମ୍ୟାନ ଜମିଦାର ଓ ଠିକାଦାରଙ୍କ ଠାରୁ ଲାଞ୍ଚ ନେଇ ରାଞ୍ଚିର ଡେପୁଟି କମିଶନରଙ୍କ ନିକଟରେ ବିର୍ସା ମିଶ୍‌ନାରୀମାନଙ୍କୁ ହତ୍ୟା ଷଡଯନ୍ତ୍ର କରୁଥିବା ମିଥ୍ୟା ଅଭିଯୋଗ କରିଥିଲେ । ଉପରୋକ୍ତ ଅଭିଯୋଗକୁ ଆଧାର କରି କମିଶନର୍ ସାହେବ ବିର୍ସାକୁ ବନ୍ଦୀ କରିବା ପାଇଁ ୱାରେଣ୍ଟ ଜାରି କଲେ । ମିୟର୍ସ ସାହେବ ଏକ ବିରାଟ ପୋଲିସବାହିନୀ ନେଇ ବିର୍ସାକୁ ବନ୍ଦୀ କରିବା ପାଇଁ ଚାଲକଦା ଅଭିମୂଖେ ଯାତ୍ରାକଲେ । ସାଙ୍ଗରେ ବନ୍ଦଗାଁର ଜମିଦାର ଜଗମୋହନ ସିଂ ଓ ମିଶ୍‌ନାରୀ ଲାସ୍‌ଟି ସାହେବ ମଧ୍ୟ ହାତୀପିଠିରେ ଚଢି ସେମାନଙ୍କ ସହିତ ଯାତ୍ରା କଲେ । ସମସ୍ତ ପୁଲିସବାହିନୀ ପାଖରେ ଯଥେଷ୍ଟ ହାତହତିଆର ଓ ବନ୍ଧୁକ ଥିଲା । ମିୟର୍ସ ସାହେବ ଘନ ଅନ୍ଧକାର ରାତ୍ରିରେ ବିର୍ସାକୁ ବହୁ ସଂଖ୍ୟକ ପୁଲିସ ସହାୟତାରେ ଗିରଫ କଲେ । ବିର୍ସାଙ୍କ ସହିତ ସେଠାରେ ମାତ୍ର ୧୨ ଜଣ ସହଯୋଗୀ ଥିଲେ ।

ଧରତୀ ଆବାଙ୍କୁ ବନ୍ଦୀ କରାଯାଇଥିବା ସମ୍ବାଦ ପାଇ ବହୁ ସଂଖ୍ୟକ ଆଦିବାସୀ ଓ ମୁଣ୍ଡା ସର୍ଦ୍ଦାରମାନେ ଅନ୍ଧାରରାତ୍ରିକୁ ଭୃକ୍ଷେପ ନକରି ହଜାରହଜାର ସଂଖ୍ୟାରେ ଆସି ରୁଣ୍ଡ ହେଲେ । ଧରତୀ ଆବାଙ୍କୁ ସମ୍ମାନ ଜଣାଇ ହଜାର ହଜାର ଆଦିବାସୀ ମାନେ ‘ଧରତୀ ଆବା କି ଜୟ’ ଜୟଧ୍ୱନୀ ଦେବା ଆରମ୍ଭ କଲେ । ବିର୍ସା ନିଜ ଅନୁଗାମୀମାନଙ୍କୁ ମୁଣ୍ଡା ଭାଷାରେ ଉତ୍ତେଜିତ ନହେବା ପାଇଁ ନିର୍ଦ୍ଦେଶ ଦେଇ କହିଲେ – “ଏହା ଆମ ଆନ୍ଦୋଳନର ଏକ ପରୀକ୍ଷା ମାତ୍ର, ଏହି ବିଦେଶୀ ଇଂରେଜ ସରକାର ଆମ ଆନ୍ଦୋଳନକୁ ଶତଚେଷ୍ଟା କଲେ ମଧ୍ୟ ଦମନ କରିପାରିବ ନାହିଁ, ମୁଁ ଅତିଶୀଘ୍ର ତୁମ୍ଭମାନଙ୍କ ନିକଟକୁ ଫେରି ଆସିବି, ସମସ୍ତେ ଧୈର୍ଯ୍ୟଧର ଓ ସଂଘବଦ୍ଧ ହୋଇ ଉଲ୍‌ଗୁଲାନର କାର୍ଯ୍ୟକ୍ରମକୁ ଜାରି ରଖ ।” ଇଂରେଜ ସରକାର ଶହଶହ ସଂଖ୍ୟାରେ ପୋଲିସ ବାହିନୀ ନିଯୁକ୍ତକରି ସେହି ଅଣାୟତ୍ତ ପରିସ୍ଥିତିକୁ ଆୟତ୍ତ କଲା । ରାଞ୍ଚିର ଡେପୁଟି କମିଶନର୍ ଫୌଜଦାରୀ ଆଇନ ଧାରା ୩୫୩ ଓ ୫୦୫ ବଳରେ ବିର୍ସାଙ୍କୁ ଦଣ୍ଡିତ କରି ଜେଲଦଣ୍ଡ ଦେଲେ । ଧରତୀଆବା ବିର୍ସାଙ୍କ ଅଦମ୍ୟ ସାହସ, ଆତ୍ମବିଶ୍ୱାସ ଓ ସ୍ଥିରମନୋଭାବ ଦେଖି ବଡବଡ ଇଂରେଜ ଅଫିସର୍‌ମାନେ ଚିନ୍ତାଗ୍ରସ୍ତ ହେଲେ । ମିୟର୍ସ ସାହେବ ତାଙ୍କ ରିପୋର୍ଟରେ କହିଥିଲେ – “ପ୍ରଭୁ ଯୀଶୁ, ମହମ୍ମଦ ଓ ଶଙ୍କରାଚାର୍ଯ୍ୟଙ୍କ ଠାରୁ ମଧ୍ୟ ବିର୍ସା ଅଧିକ ଆଲୌକିକ ଶକ୍ତିର ଅଧିକାରୀ, ସେ ବଣଜଙ୍ଗଲରେ ପଶୁପରି ଘୂରି ବୁଲୁଥିବା ଅଜ୍ଞାନୀ ମୂଳନିବାସୀ ମାନଙ୍କୁ ଆତ୍ମବିଶ୍ୱାସୀ, ସାହସୀ ଓ ଆନ୍ଦୋଳନକାରୀ ହେବା ପାଇଁ ପ୍ରଶିକ୍ଷଣ ଦେଉଅଛି । ବିର୍ସା ପ୍ରତି ସମସ୍ତ ଆଦିବାସୀ ମୁଣ୍ଡା ମାନଙ୍କ ଯେଉଁ ଦୃଢ ଆସ୍ଥା ଓ ବଶ୍ୱାସ ରହିଛି ତାହାକୁ ସ୍ୱଚକ୍ଷୁରେ ଦେଖି  ମୁଁ ବିସ୍ମିତ ହୋଇପଡିଲି ।”

ଦୁଇବର୍ଷକାଳ ବିର୍ସା ହଜାରୀବାଗ ଜେଲରେ ବନ୍ଦୀ ଜୀବନ ଅତିବାହିତ କଲେ । ବିଶାଳ ବିଦ୍ରୋହ ହେବା ପୂର୍ବରୁ ଆଦିବାସୀ ନେତା ବିର୍ସାଙ୍କୁ ବନ୍ଦୀ କରି ଇଂରେଜ ସରକାର ଭୟହୀନ ହୋଇ ରହିଲେ । ଦୁର୍ଭିକ୍ଷ ହେବା ଯୋଗୁଁ ସମଗ୍ର ମୂଳନିବାସୀ ଜନତା ଖାଇବାକୁ ନପାଇ ହାହାକାର କଲେ । ସର୍ଦ୍ଦାରମାନଙ୍କ ନେତୃତ୍ୱରେ ସେମାନେ ମହାଜନ, ଜମିଦାର ମାନଙ୍କ ଗୋଦାମଘର ଗୁଡିକରୁ ଧାନ, ଚାଉଳ ସବୁ ଲୁଟି ନେଲେ । ଅନାହାର ଓ ଦୁର୍ଭିକ୍ଷରେ ପୀଡିତ ଜନତାଙ୍କୁ ସରକାର ଯଥେଷ୍ଟ ରିଲିଫ୍ ବ୍ୟବସ୍ଥା ଯୋଗାଇ ପାରିଲେ ନାହିଁ । ପେଟ ବିକଳରେ ଆଦିବାସୀମାନେ ବଣଜଙ୍ଗଲର ଗଛପତ୍ର ଖାଇ ନିଜ କ୍ଷୁଧାନିବାରଣ କଲେ । ବିର୍ସାଙ୍କ ଅନୁଗାମୀମାନଙ୍କ ମନୋବଳ ଧୀରେଧୀରେ ଦୁର୍ବଳ ହେବାକୁ ଲାଗିଲା । ତଥାପି ସେମାନେ ଧରତୀଆବାଙ୍କୁ ଧୈର୍ଯ୍ୟର ସହିତ ଅପେକ୍ଷା କରିଥିଲେ । ସେମାନେ ସମସ୍ତେ ବିର୍ସାଙ୍କ ବନ୍ଧୁ ଗିଡିୟାନ ଓ ପ୍ରଭୁଦୟାଳଙ୍କ ନେତୃତ୍ୱରେ ପ୍ରଶିକ୍ଷଣ ଜାରି ରଖିଥିଲେ । ୧୮୯୭ ମସିହା ନଭେମ୍ବର ୩୦ ତାରିଖ ଦିନ ଇଂରେଜ ସରକାର ବିର୍ସାଙ୍କୁ ଜେଲରୁ ମୁକ୍ତ କରିଦେଲେ । ସରକାରଙ୍କ ବିରୁଦ୍ଧରେ କୌଣସି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ନକରିବା ପାଇଁ ବିର୍ସାଙ୍କୁ ଚେତାବନୀ ଦିଆଯାଇଥିଲା । ଜେଲରୁ ଫେରିବା ପରେ ଧରତୀଆବା ବିର୍ସାମୁଣ୍ଡାଙ୍କ ସାମ୍ନାରେ ଅଦିବାସୀ ସର୍ଦ୍ଦାରମାନେ ଦୁର୍ଭିକ୍ଷ ସମ୍ବନ୍ଧୀୟ ଯନ୍ତ୍ରଣା ଓ ଶହଶହ ଆଦିବାସୀ ଆବାଳ ବୃଦ୍ଧବନିତା ମୃତ୍ୟୁବରଣ କରିଥିବା ବିଷୟ ବର୍ଣ୍ଣନା କଲେ । ଦୁର୍ଭିକ୍ଷର ଉପଯୁକ୍ତ ପ୍ରତିକାର ପାଇଁ ଇଂରେଜ ସରକାରଙ୍କ ତରଫରୁ ଜରୁରୀ ରିଲିଫ୍ ବ୍ୟବସ୍ଥା କରାଯାଇ ନଥିବା କଥାଶୁଣି ବିର୍ସା ସର୍ଦ୍ଦାରମାନଙ୍କୁ କହିଲେ- “ଇଂରେଜ ସରକାର କେବଳ ଜମିଦାର ଓ ମହାଜନଙ୍କ ସୁରକ୍ଷାପାଇଁ ସହଯୋଗର ହାତ ବଢାଇଥାଏ । “ଆଦିବାସୀଙ୍କ ଜୀବନର ମୂଲ୍ୟ ତାଙ୍କ ପାଇଁ କିଛି ନୁହେଁ ।” ବିର୍ସା ତାଙ୍କ ଅନୁଗାମୀମାନଙ୍କୁ ବୁଝାଇ କହିଲେ – “କେବଳ ଇଂରେଜ ସରକାର ତାଙ୍କ ଶତ୍ରୁ ନୁହଁନ୍ତି ଲାଭଖୋର, ସୁଧଖୋର୍ ମହାଜନ ଓ ଅତ୍ୟାଚାରୀ ଜମିଦାର ମାନେ ମଧ୍ୟ ଆମର ଶତ୍ରୁ । ତେଣୁ ଆମକୁ ସ୍ୱାଧିନ ମୂଳନିବାସୀ ମୁଣ୍ଡା ରାଜ୍ୟ ପ୍ରତିଷ୍ଠା କରିବା ଅତ୍ୟନ୍ତ ଆବଶ୍ୟକ । ଏହି ସ୍ୱତନ୍ତ୍ରରାଜ୍ୟ ପ୍ରତିଷ୍ଠା ନିମନ୍ତେ ଆମକୁ ଜମିଦାର ଏବଂ ଇଂରେଜମାନଙ୍କ ବିରୁଦ୍ଧରେ ସଂଘବଦ୍ଧ ହୋଇ ସଶସ୍ତ୍ର ସଂଗ୍ରାମ କରିବାକୁ ପଡିବ ।” ସମସ୍ତ ସଦସ୍ୟ ଧରତୀଆବାଙ୍କ ଆହ୍ୱାନକୁ ପୂର୍ଣ୍ଣ ସମର୍ଥନ ଜଣାଇ ‘ଉଲ୍‌ଗୁଲାନ୍‌’ ‘ହୁଲ୍‌ଜୁହାର୍‌’ କହି ଜୟଧ୍ୱନୀ ଦେଲେ ।

ଅର୍ଦ୍ଧରାତ୍ରିରେ ବିର୍ସା ସମସ୍ତ ଆଦିବାସୀ ସର୍ଦ୍ଦାରମାନଙ୍କୁ ଏକତ୍ର କରି ଦୃଢକଣ୍ଠରେ ଘୋଷଣା କଲେ – “ଆମ୍ଭେମାନେ ସମସ୍ତେ ମୂଳନିବାସୀ, ଜଳ-ଜଙ୍ଗଲ-ଜମିର ସଂପୂର୍ଣ୍ଣ ଅଧିକାରୀ । ମୁଁ ଜେଲରେ ଦୁଇବର୍ଷ ଅତିବାହିତ କଲାବେଳେ ବିଦେଶୀ ବ୍ରାହ୍ମଣ ଜମିଦାର ଓ ଇଂରେଜମାନଙ୍କଠାରୁ କିପରି ଆମରାଜ୍ୟକୁ ସ୍ୱାଧିନ କରିବା ତାହାର ଯୋଜନା କରୁଥିଲି । ସେହି ସୁନିୟୋଜିତ ମୁକ୍ତିସଂଗ୍ରାମ ଯୋଜନା ହେଉଛି ‘ଉଲ୍‌ଗୁଲାନ୍‌’ ।” ସେହି ଦିନଠାରୁ ସମସ୍ତେ ଶପଥ ନେଲେ । “ଉଲ୍‌ଗୁଲାନ୍‌” ପାଇଁ ବଞ୍ଚିବେ ଓ ପ୍ରାଣବଳି ଦେବେ । ଧରତୀ ଆବା ବିର୍ସା କହିଲେ – “ତିନୋଟି ପର୍ଯ୍ୟାୟରେ ‘ଉଲ୍‌ଗୁଲାନ୍‌’କୁ କାର୍ଯ୍ୟକାରି କରାଯିବ ।” ପ୍ରଥମ ପର୍ଯ୍ୟାୟରେ ଛୋଟନାଗପୁର ଓ ସିଂହଭୂମି ଅଞ୍ଚଳରେ ଛୋଟଛୋଟ ମହାଜନ ଓ ଜମିଦାର, ଯେଉଁମାନେ ଇଂରେଜ ସାହେବଙ୍କ ସହ ମିଶି ଆଦିବାସୀମାନଙ୍କ କଷ୍ଟ ଉପାର୍ଜିତ ଖାଦ୍ୟଶସ୍ୟ, ଛେଳି, କୁକୁଡା, ଘୁଷୁରି, ଗାଈ ପ୍ରଭୃତି ଦ୍ରବ୍ୟଗୁଡିକ ସହିତ ଧନ ସମ୍ପତ୍ତି ଲୁଟି ନେଉଛନ୍ତି । ସେମାନଙ୍କୁ ଉଚିତ ଜବାବ ଦିଆଯିବ । ତତ୍‌ସହିତ ନବରତନଗଡରେ ଥିବା ମାତୃମନ୍ଦିରକୁ ଜମିଦାର ଓ ମହାଜନଙ୍କ କବଳରୁ ଉଦ୍ଧାର କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଅତ୍ୟାଚାରୀ ପୋଲିସ ଓ ଅଫିସରମାନଙ୍କୁ ଯୋଜନା ମୁତାବକ ଆକ୍ରମଣ କରି ପୋଲିସଥାନା ଓ କ୍ୟାମ୍ପଗୁଡିକୁ ଜାଳିପୋଡି ଛାରଖାର କରି ଦିଆଯିବ । ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଜଙ୍ଗଲ ପାହାଡରେ ନିର୍ମିତ ଘାଟିଗୁଡିକରେ ଲୁଚିଛପି ଇଂରେଜ ସରକାରଙ୍କ ସହ ସଶସ୍ତ୍ର ସଂଗ୍ରାମ କରାଯିବ । ଯାହା ସ୍ୱାଧିନତା ସଂଗ୍ରାମ ପାଇଁ ମୂଳଦୁଆ ପକାଇବ ବୋଲି ଧରତା ଆବା ସମସ୍ତଙ୍କୁ ବୁଝାଇ କହିଲେ । ସମସ୍ତ ଆଦିବାସୀ ମୂଳନିବାସୀ ଯୁବକଯୁବତୀ ବିର୍ସାଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ସଂଗଠନ କାର୍ଯ୍ୟରେ ଲାଗିପଡିଲେ । ୧୮୯୮ ମସିହା ଜାନୁୟାରୀ ମାସରୁ ଆରମ୍ଭ ହେଲା ‘ଉଲ୍‌ଗୁଲାନ୍‌’ର ପ୍ରସ୍ତୁତି ପର୍ବ । ଏହି କାର୍ଯ୍ୟଟି ନଭେମ୍ବର ମାସ ପର୍ଯ୍ୟନ୍ତ ଚାଲିଲା । ବିର୍ସାଙ୍କ ପ୍ରଚାରିତ ଧର୍ମର ପ୍ରଚାରପ୍ରସାର ନିମନ୍ତେ ସଂଗ୍ରାମୀ ଆଦିବାସୀ ଯୁବକଯୁବତୀ ଅନେକ ଗୀତ ରଚନା କଲେ । ସଂଗଠନକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସଭାଗୁଡିକରେ କ୍ରାନ୍ତି ଗୀତ ଓ ମୁକ୍ତି ସଙ୍ଗୀତ ଗାନ କରାଗଲା । ସେହି ଗୀତଗୁଡିକ ମୂଳନିବାସୀ ସମାଜର ପ୍ରତ୍ୟେକ ମା’ଭଉଣୀ, ଯୁବକଯୁବତୀ ତଥା ପ୍ରବୀଣ ଓ ତରୁଣ ମୁଣ୍ଡା ସର୍ଦ୍ଦାରମାନଙ୍କ ମନପ୍ରାଣରେ ଉତ୍ସାହ ଓ ପ୍ରେରଣା ଭରିଦେଲା । ସମସ୍ତଙ୍କ ମନରେ ‘ଉଲ୍‌ଗୁଲାନ୍‌’ ପ୍ରତି  ତ୍ୟାଗ ଓ ବଳିଦାନର ଭାବନା ଜାଗିଉଠିଲା । ଆଦିବାସୀ ମାଭଉଣୀ, ନବଯୁବକଯୁବତୀମାନଙ୍କୁ ନିଜ ପୂର୍ବପୁରୁଷଙ୍କ ଦ୍ୱାରା ପ୍ରତିଷ୍ଠିତ ମାନବତାବାଦୀ, ଶୁଦ୍ଧ ପ୍ରକୃତିବାଦୀ ଆଦିବୁଦ୍ଧଙ୍କ ଦର୍ଶନ କରାଇବାରେ ସେ ସଫଳ ହେଲେ । ବିର୍ସାଙ୍କ ଆୟୋଜିତ ସେହି ଧର୍ମଯାତ୍ରାକୁ ‘ସରନା’ ପର୍ବ ରୂପେ ଆଜି ମଧ୍ୟ ବହୁ ଉତ୍ସାହ ସହକାରେ ସମଗ୍ର ମୂଳନିବାସୀ ସମାଜ ପାଳନ କରିଥାଏ ।

୧୮୯୮ ମସିହା ଡିସେମ୍ବର ମାସ ସୁଦ୍ଧା ସମଗ୍ର ଛୋଟନାଗପୁର ଅଞ୍ଚଳରେ ଉଲ୍‌ଗୁଲାନ୍ର ସଂବାଦ ବ୍ୟାପିଗଲା । ସମ୍ବାଦ ପାଇବା ମାତ୍ରେ ସିଂହଭୂମ, ରାଞ୍ଚି, ଚାଇଁବାସା, ଖୁଣ୍ଟି, ବନ୍ଦଗାଁ ଅଞ୍ଚଳର ସମସ୍ତ ଆଦିବାସୀ, ସାନ୍ତାଳ, ହୋ, ଓରାଓଁ, ଖଡିଆ ଓ ଗଣ୍ଡମାନେ ନିଜ ନିଜ ସମର୍ଥନ ଜଣାଇଲେ । ପ୍ରତ୍ୟେକ ପାହାଡ ଅଞ୍ଚଳରେ ରାତ୍ରିରେ ନିଆଁଜାଳି ଆଦିବାସୀମାନେ ଧରତୀ ଆବାଙ୍କ ଉଲ୍‌ଗୁଲାନ୍‌ରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କଲେ । ଫଳରେ ଅନ୍ୟାୟ, ଅତ୍ୟାଚାର କରୁଥିବା ଜମିଦାର ଓ ମହାଜନମାନେ ଭୟଭୀତ ହେବାକୁ ଲାଗିଲେ କାରଣ ସେମାନେ ପୂର୍ବରୁ ଆଦିବାସୀମାନଙ୍କ ସରଳତା ଓ ନିରୀହ ପ୍ରକୃତିର ସୁଯୋଗ ନେଇ ସେମାନଙ୍କୁ ବେଠି ଖଟାଉ ଥିଲେ । ସେହି ସମୟରେ ନିରୀହ ଆଦିବାସୀଙ୍କ ପାଇଁ ଧୋତି, ପଗଡି, ଜାମା, ଜୋତା ପିନ୍ଧିବା ସହ ମୂଲ୍ୟବାନ କଂସା, ପିତ୍ତଳ ଆଦି ବାସନକୁସନ ବ୍ୟବହାର କରିବା ନିଷେଧ କରିଥିଲେ । ମୂଳନିବାସୀମାନଙ୍କ ପିତୃପୁରୁଷ ପ୍ରତିଷ୍ଠିତ ପୂଜାସ୍ଥଳଗୁଡିକୁ ବ୍ରାହ୍ମଣ ମାନେ ନିଜ ଆୟତ୍ତକରି ବହୁ ଅର୍ଥ ଓ ଜମିର ମାଲିକ ହୋଇଥିଲେ । ଅନେକ ସମୟରେ ଆଦିବାସୀ ମାଆଭଉଣୀମାନଙ୍କୁ ଦୁଷ୍କର୍ମ କରି ମହାଜନ, ଜମିଦାର ମାନେ ନିଜ ସାମାଜିକ ଆଭିଜାତ୍ୟ ଓ ଉଚ୍ଚବର୍ଗୀୟ ପରିଚୟକୁ ନେଇ ବୃଥା ବାହାସ୍ଫୋଟ ମାରୁଥିଲେ । ମାତ୍ର ବିର୍ସାଇତ ଆଦିବାସୀମାନଙ୍କ ସଂଗଠିତ ସଭା ଓ ମୁକ୍ତିଗୀତ ଗାଇବା ଦେଖି ମହାଜନ, ଜମିଦାର ଓ ଠିକାଦାରମାନେ ଥରିବାକୁ ଲାଗିଲେ । ଧନୁତୀର, ଟାଙ୍ଗିଆ, ଫାର୍ସା, ବର୍ଚ୍ଛା ଧରି ସେମାନେ ମହାଜନ ଓ ଜମିଦାରମାନଙ୍କୁ ବିରୋଧ କରିବା ଆରମ୍ଭ କଲେ । ଜମିଦାରମାନଙ୍କୁ ସମସ୍ତ ପ୍ରକାର ଖଜଣା ଦେବା ସେମାନେ ବନ୍ଦ କରିଦେଲେ । ସମଗ୍ର ଛୋଟନାଗପୁର ଅଞ୍ଚଳରେ ଶହେଟି ସ୍ଥାନରେ ଗୋପନ ଜନସଭା ଆୟୋଜନ କରି ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଧରତୀଆବା ବିର୍ସା ଦିଗଦର୍ଶନ ଦେଲେ ।

ଉଲ୍‌ଗୁଲାନ୍‌ର ଘୋଷଣାକ୍ରମେ ସମଗ୍ର ଛୋଟନାଗପୁର ଅଞ୍ଚଳର ପୋଲିସଥାନାଗୁଡିକୁ ବିର୍ସାଙ୍କ ସମର୍ଥକମାନେ ଆକ୍ରମଣ କରି ପୋଡି ଦେଉଥିଲେ । ନିର୍ଭୟ ଓ ନିଃସଙ୍କୋଚରେ ଜମିଦାର ଓ ପୋଲିସମାନଙ୍କୁ ହତ୍ୟା କରି ଆଦିବାସୀ ସର୍ଦ୍ଦାରମାନେ ବିଜୟସଭା ଆୟୋଜନ କଲେ । ସିଂହଭୂମ, ଚକ୍ରଧରପୁର ଓ ରାଞ୍ôଚ ନିକଟସ୍ଥ ଛଅଟି ମୁଖ୍ୟ ପୋଲିସଥାନାରେ ଅଗ୍ନିସଂଯୋଗ କରି ବିର୍ସା ସମର୍ଥକମାନେ ଇଂରେଜମାନଙ୍କୁ ଖୋଲା ଆହ୍ୱାନ ଦେଲେ । ଡେପୁଟି କମିଶନର୍ ଷ୍ଟିଟ ଫିଲଡ୍ ଓ କ୍ୟାପଟେନ୍ ରୋଷ ଉଲ୍‌ଗୁଲାନ୍ କୁ ଦମନ କରିବାପାଇଁ ସମଗ୍ର ରାଞ୍ôଚ ଓ ସିଂହଭୂମ ଅଞ୍ଚଳକୁ ପୋଲିସ ଛାଉଣୀରେ ପରିଣତ କରିଦେଲେ । ମାତ୍ର ଇଂରେଜ ସରକାରଙ୍କ ପୋଲିସ୍ ଛାଉଣୀକୁ ଭ୍ରୁକ୍ଷେପ ନକରି ବିର୍ସାଇତମାନେ ରେଭେରେଣ୍ଡ ଲାସ୍‌ଟି, ରେଭେରେଣ୍ଡ କାର୍‌ବୋରି ଏବଂ ରେଭେରେଣ୍ଡ ହଫ୍‌ମ୍ୟାନଙ୍କୁ ଧନୁତୀରରେ ଆକ୍ରମଣ କଲେ । ସମଗ୍ର ଛୋଟନାଗପୁର ଅଞ୍ଚଳରେ ବିର୍ସାଇତମାନେ ସ୍ଲୋଗାନ ଦେଇ ବିଦ୍ରୋହ କଲେ । ସେମାନଙ୍କ ମୁଖ୍ୟ ସ୍ଲୋଗାନ ଥିଲା –

“ହେନ୍ଦେ ରାନବ୍ରା କେଚେ କେଚେ, ପୁନ୍‌ଡି ରାନାବ୍ରା କେଚେ କେଚେ ।”

ଯାହାର ଅର୍ଥ ହେଉଛି – “ଦିକୁ କଳା ମହାଜନ ଜମିଦାରମାନଙ୍କୁ ହତ୍ୟାକର, ବିଦେଶୀ ଗୋରା ଖ୍ରୀଷ୍ଟିୟାନମାନଙ୍କୁ ହତ୍ୟାକର ।”

୧୯୦୦ ମସିହାରେ ଧରତୀଆବା ବିର୍ସାଙ୍କ ନେତୃତ୍ୱରେ ଯେଉଁ ଉଲ୍‌ଗୁଲାନ୍ ମୂଳନିବାସୀ କ୍ରାନ୍ତିର ଅଗ୍ନିଶିଖା ସମଗ୍ର ଛୋଟନାଗପୁର ଅଞ୍ଚଳରେ ହୁହୁହୋଇ ଜଳି ଉଠିଲା ତାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦିକୁ ବିଦେଶୀ ଜମିଦାର ଓ ଇଂରେଜମାନଙ୍କୁ ବିତାଡିତ କରି ସ୍ୱାଧିନ ମୂଳନିବାସୀ ମୁଣ୍ଡାରାଜ୍ୟ ପ୍ରତିଷ୍ଠା କରିବା । ଡେପୁଟି କମିଶନର ଷ୍ଟିଟ୍ ଫିଲଡ୍ ଓ କ୍ୟାପଟେନ ରୋଷ ଧରତୀ ଆବା ବିର୍ସାକୁ ଗିରଫ କରି ଉଲ୍‌ଗୁଲାନ୍ ମୂଳନିବାସୀ ବିଦ୍ରୋହକୁ ଦମନ କରିବା ପାଇଁ ପ୍ରାଣପଣେ ଚେଷ୍ଟା କଲେ । ବହୁ ଚେଷ୍ଟା ଓ ଷଡଯନ୍ତ୍ର କରି ମଧ୍ୟ କ୍ରାନ୍ତିବୀର ବିର୍ସାଙ୍କ ଅନୁସନ୍ଧାନ ପାଇ ପାରିଲେ ନାହିଁ । ୧୯୦୦ ମସିହା ଜାନୁୟାରୀ ୬ ତାରିଖ ଦିନ ଉଲ୍‌ଗୁଲାନ୍ ସଂଗ୍ରାମୀମାନେ ଏକ ଜଙ୍ଗଲ ଠିକାଦାର ଓ ତା ସହଯୋଗୀ ଜଣେ ମହାଜନଙ୍କୁ ହତ୍ୟା କରି ଇଂରେଜସରକାରଙ୍କ ନିକଟକୁ ସଂବାଦ ପଠାଇଲେ । ସଂବାଦଟି ହେଲା – “ଯେ କେହି ଜଙ୍ଗଲନଷ୍ଟ କରିବା ପାଇଁ, ବୃକ୍ଷ କାଟିବା ପାଇଁ ଅରଣ୍ୟ ଭିତରକୁ ପଶିବ, ତାହାକୁ କେବଳ ମୃତ୍ୟୁଦଣ୍ଡ ହିଁ ମିଳିବ ।” ଏକ ବିରାଟ ସଶସ୍ତ୍ର ପୋଲିସ୍‌ବାହିନୀ ଧରି କମିଶନର ଷ୍ଟ୍ରିଟ୍‌ଫିଲଡ୍ ବନ୍ଦଗାଁ ନିକଟସ୍ଥ ଗୟାମୁଣ୍ଡାର ଗ୍ରାମ ଏତ୍‌କେଦିକୁ ଚତୁର୍ଦ୍ଦିଗରୁ ଘେରିଗଲେ । ପ୍ରତ୍ୟେକ ମୁଣ୍ଡା ଆଦିବାସୀ ଗ୍ରାମଗୁଡିକରେ ସଶସ୍ତ୍ର ପୋଲିସବାହିନୀ ନିଯୁକ୍ତି କରାଗଲା । ସେମାନେ ଛାଉଣୀ ପକାଇ ସ୍ତ୍ରୀ, ପୁରୁଷ ଓ ଛୋଟ ଶିଶୁ ନିର୍ବିଶେଷରେ ସମସ୍ତ ଆଦିବାସୀମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଲେ । ଆଦିବାସୀ ଗାଁଗୁଡିକ ରକ୍ତରଞ୍ଜିତ ହୋଇଗଲା । ଅନେକ ଝିଅ, ବୋହୂମାନଙ୍କୁ ପୋଲିସମାନେ ଧର୍ଷଣ ଓ ହତ୍ୟା କଲେ ।

୧୯୦୦ ମସିହା ଜାନୁୟାରୀ ମାସ ନଅ ତାରିଖ ଦିନ ଡୋମବାରୀ ପାହାଡ ମଧ୍ୟଦେଶରେ ନିଜ ଅନୁଗାମୀ ମାନଙ୍କ ସହ ଏକତ୍ରିତ ହୋଇ ଇଂରେଜମାନଙ୍କ ସହ ସମ୍ମୁଖଯୁଦ୍ଧ କରିବା ପାଇଁ ଧରତୀଆବା ଆହ୍ୱାନ ଦେଲେ । କମିଶନର ଷ୍ଟ୍ରିଟ୍‌ଫିଲଡ୍‌ଙ୍କ ନେତୃତ୍ୱରେ ସମଗ୍ର ଡୋମବାରୀ ପାହାଡକୁ ଚତୁର୍ଦ୍ଦିଗରୁ ଇଂରେଜ ପୋଲିସ ବାହିନୀ ଘେରିଗଲେ । ସେଦିନ ରାତ୍ରିରେ ଭୀଷଣସଂଗ୍ରାମ ଆରମ୍ଭ ହେଲା । ଗୋଟିଏ ପଟରୁ ବିଷାକ୍ତ ଧନୁତୀର ଓ ଅନ୍ୟପଟରୁ ବନ୍ଧୁକରଗୁଳି ଛୁଟି ଆସିଲା । ଧନୁତୀର ବନାମ ବନ୍ଧୁକଗୁଳିର ସଂଗ୍ରାମରେ ଇଂରେଜମାନେ ବିଜୟ ଲାଭ କଲେ । ଅନେକ ମୂଳନିବାସୀ ଯୋଦ୍ଧା, ବିର୍ସାଇତ ଯୁବକଯୁବତୀ ସେଦିନ ପୋଲିସ ଗୁଳିରେ କ୍ଷତବିକ୍ଷତ ହେଲେ । ଅଧିକାଂଶ ବିର୍ସାଇତମାନଙ୍କୁ ପୋଲିସ ବନ୍ଦୀକରି ରାଞ୍ଚି ଓ ହଜାରୀବାଗ୍ ଜେଲକୁ ନେଇଗଲା । କିଛି ଦିନ ଘନଜଙ୍ଗଲରେ ବିର୍ସା ଆତ୍ମଗୋପନ କରି ରହିଲେ । ତାଙ୍କ ସହଯୋଗୀ ୪୮୨ ଜଣ ଆଦିବାସୀଙ୍କୁ ବନ୍ଦୀ କରି ଇଂରେଜ ସରକାର ଅନେକ ନିର୍ଯ୍ୟାତନା ଦେଲା । ବିର୍ସାମୁଣ୍ଡାଙ୍କୁ ଧରାଇଦେବା ପାଇଁ ସରକାରଙ୍କ ତରଫରୁ ୩୦୦ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ମାଝିତା ମାରିୟାଙ୍କଠାରୁ ଗୁପ୍ତ ସୂଚନା ପାଇ ଇଂରେଜ ସରକାର ସେନେତ୍ରା ଜଙ୍ଗଲରୁ ବିର୍ସାଙ୍କୁ ବନ୍ଦୀ କଲେ । ତାଙ୍କ ଦୁଇସାଥି ସାଲି ଓ ପରମୀ ଦୁଇମୁଣ୍ଡା ଯୁବତୀଙ୍କୁ ମଧ୍ୟ ପୋଲିସ ବନ୍ଦୀ କରି ଜେଲଦଣ୍ଡରେ ଦଣ୍ଡିତ କଲେ । ରାଞ୍ଚି କାରଗାରାରେ ଦୀର୍ଘ ଛଅମାସ ବିର୍ସାମୁଣ୍ଡାଙ୍କୁ ଲୁହା ଶିକୁଳିରେ ବନ୍ଦୀକରି ଅନେକ ନିର୍ଯ୍ୟାତନା ଦିଆଗଲା । ୧୯୦୦ ମସିହା ଜୁନ ୯ ତାରିଖ ଦିନ ଧରତୀ ଆବା ବିର୍ସା ଭଗବାନଙ୍କୁ ହତ୍ୟାକରି କଲେରା ରୋଗ ଜନିତ ମୃତ୍ୟୁ ବୋଲି ଇଂରେଜ ସରକାର ଘୋଷଣା କଲା । ମହାନ ସଂଗ୍ରାମୀ କ୍ରାନ୍ତିକାରୀ ଧରତୀଆବା ବିର୍ସାମୁଣ୍ଡା ଥିଲେ ସତ୍ୟ, ନ୍ୟାୟ ଓ ପ୍ରକୃତିର ଉପାସକ ଆଦି ମୂଳନିବାସୀ ଧର୍ମର ପ୍ରଚାରକ । ମାତ୍ର ୨୫ ବର୍ଷ ବୟସର କ୍ଷୁଦ୍ର ଜୀବନକାଳ ମଧ୍ୟରେ ସେ ମୂଳନିବାସୀ କ୍ରାନ୍ତିର ନୂଆ ଇତିହାସ ରଚିଗଲେ । ତଥାଗତ ଗୌତମବୁଦ୍ଧଙ୍କ ପରି ସେ ସମାଜର ସମସ୍ତ ପ୍ରକାର ଅନ୍ୟାୟ, ଅସମାନତା ଓ ଅତ୍ୟାଚାର ଗୁଡିକୁ ସମୂଳେ ଧ୍ୱଂସ କରିଦେବା ପାଇଁ ସାରାଜୀବନ ସଂଗ୍ରାମ କରିଥିଲେ ।

ବର୍ତ୍ତମାନର ପରିପ୍ରେକ୍ଷୀରେ ବୋଧିସତ୍ତ୍ୱ ବିର୍ସାଙ୍କ ଉଲ୍‌ଗୁଲାନ୍ – ମୂଳନିବାସୀ କ୍ରାନ୍ତିର ଆବଶ୍ୟକତା ଅଧିକ ବଢିଯାଇଅଛି । ପ୍ରତିଦିନ ଆଦିବାସୀ ମୂଳନିବାସୀ ଶ୍ରମିକମାନଙ୍କ ଶୋଷଣ, ହତ୍ୟା ହେଉଅଛି । ମହିଳାମାନଙ୍କୁ ଧର୍ଷଣ ଓ ଅତ୍ୟାଚାର କରି ପୁଞ୍ଜିବାଦୀ, ଜାତିବାଦୀ ସରକାରଙ୍କ ପ୍ରତିନିଧିମାନେ ସମ୍ବିଧାନର ଖୋଲା ଉଲ୍ଲଙ୍ଘନକରି ବାହାସ୍ଫୋଟ ମାରୁଛନ୍ତି । ଘରୋଇକରଣ ଓ ଉଦାରୀକରଣ ମାଧ୍ୟମରେ ମୂଳନିବାସୀ ଆଦିବାସୀମାନଙ୍କୁ ଜୀବନ ଜୀବିକା ଓ ମୌଳିକ ଅଧିକାରରୁ ବଞ୍ଚିତ କରି ରଖାଯାଉଅଛି । ସେଥିପାଇଁ ଆଜିର ସଙ୍କଟମୟ ପରିସ୍ଥିତିରେ ବୋଧିସତ୍ତ୍ୱ ବିର୍ସାମୁଣ୍ଡାଙ୍କ ପ୍ରଦର୍ଶିତ ଉଚ୍ଚଆଦର୍ଶକୁ ଅନୁସରଣ କରିବା ଅନିବାର୍ଯ୍ୟ ଅଟେ । ଶୋଷଣ, ଆତ୍ୟାଚାର ଓ ଅସମାନତାର ମୂଳୋତ୍ପାଟନ କରି ସମତା, ନ୍ୟାୟ ଓ ଭାତୃତ୍ୱଭାବର ରାଜ୍ୟ ଗଠନକରିବା ପାଇଁ ବୋଧିସତ୍ତ୍ୱ ବିର୍ସାଙ୍କ ଉଲ୍‌ଗୁଲାନ୍‌ର ପୁନରାବୃତ୍ତି କରିବା ପାଇଁ ସମସ୍ତ ମୂଳନିବାସୀମାନଙ୍କୁ ଆହ୍ୱାନ କରାଯାଉଅଛି ।

(Dhiman Joydeep is a Buddhist Scholar and Social Activist based in Odisha. He can be reached at joydeepboudh@gmail.com)

Indigenous Voice

Comments

Leave a Reply

Your email address will not be published. Required fields are marked *