https://www.artlexing.com/ scam sites xnxx bokep indo bokep jepang child sex
ନାଥପୁର ହିଂସା - indigenousvoice.in

indigenousvoice.in

ନାଥପୁର ହିଂସା

ନାଥପୁର ହିଂସା

ବାବାସାହେବ ଆମ୍ୱେଦକର ସାମାଜିକ ବାସନ୍ଦକୁ ନେଇ ଆଜିଠାରୁ ପ୍ରାୟ ଅଶୀ ବର୍ଷ ତଳେ ଯାହା କହିଥିଲେ, ତାହାର ବାସ୍ତବତା ଆଜିର ଦିନରେ ମଧ୍ୟ ଏତେ କମ୍ ହୋଇନାହିଁ । ତାଙ୍କ ମତରେ ସାମାଜିକ ବାସନ୍ଦ ଜନିତ ଦଣ୍ଡବିଧାନ ଏପରି ପୀଡାଦାୟକ ଯେ ଏହା ମୃତ୍ୟୁ ସହିତ ସମାନ ହୋଇଥାଏ । ମଣିଷ ତା ଚାରିପାଖର ସମାଜଠାରୁ ବିଚ୍ଛିନ୍ନ ହୋଇ ଜୀବନଧାରଣ କରିବା ଖୁବ କଷ୍ଟକର । ମଣିଷର ଏହି ଅସହାୟତାର ସୁଯୋଗ ନେଇ ଜାତି ତାକୁ ନିଜର ଶୃଙ୍ଖଳା ଓ ବିଧାନକୁ ମାନିବାକୁ ବାଧ୍ୟ କରାଏ ।

Sujata Sahani
4th February 2025

ଶତାବ୍ଦୀ ଶତାବ୍ଦୀ ଧରି ଭାରତରେ ଜାତି ଆଧାରିତ ଉତ୍ପୀଡନ ଭିନ୍ନଭିନ୍ନ ରୂପରେ ସଂଘଟିତ ହୋଇଆସୁଛି । ଗତ ନଭେମ୍ୱର ମାସ ୭ ତାରିଖରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ନାଥପୁର ଗାଁରେ ୪୮ଟି ଦଳିତ ପରିବାର ଉପରେ ହୋଇଥିବା ଜାତିବାଦୀ ଆକ୍ରମଣ ଏହାର ସଦ୍ୟତମ ଉଦାହରଣ । ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶାର  ତଥ୍ୟାନୁସନ୍ଧାନ ରିପୋର୍ଟ ଅନୁଯାୟୀ ଘଟଣା ଦିନ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳର ୩୫ ମୌଜାର ପ୍ରାୟ ୪୭ଟି ଗାଁର ସବର୍ଣ୍ଣ ଲୋକ ବୋମାବନ୍ଧୁକ ଧରି ଜିଲ୍ଲା ପ୍ରଶାସନ ଓ ପୋଲିସ ଉପସ୍ଥିତିରେ ନାଥପୁରର ସରକାରୀ ଜମିରେ ଗତ କିଛି ମାସ ହେବ ଅସ୍ଥାୟୀ ଭାବେ ରହିଆସୁଥିବା ୪୮ ବାଉରୀ ପରିବାରର ୨୩ଟି ଘର ଜାଳି ପାଉଁଶ କରିଦେଲେ । ଏହି ମରଣାନ୍ତକ ଆକ୍ରମଣ ତଥା ଗୁଳିମାଡରେ ଜଣେ ବ୍ୟକ୍ତି ଗୁରୁତର ଆହତହେବା ସହ ଅନ୍ୟ ୧୦ଜଣ ଆହତ ହେଲେ । କିନ୍ତୁ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପୋଲିସ ଓ ଗଣମାଧ୍ୟମ ଏହିଭଳି ଏକ ସୁପରିକଳ୍ପିତ ଜାତିଗତ ଆକ୍ରମଣକୁ ଗୋଷ୍ଠୀ ସଂଘର୍ଷର ଆଖ୍ୟା ଦେଇ ଏହାକୁ ଗୁରୁତ୍ୱହୀନ କରିବାପାଇଁ ଚେଷ୍ଟା କଲେ । ଏପରିକି ଲୋକଙ୍କ ଉପରେ ଆକ୍ରମଣ ଓ ଘର ଜଳିଯିବା ପରେ ମଧ୍ୟ ପ୍ରଶାସନ ତରଫରୁ ପୀଡିତମାନଙ୍କୁ ଖାଦ୍ୟପାନୀୟ, ଆଶ୍ରୟ ଓ ଚିକିତ୍ସା ଆଦି ପରି ସର୍ବନିମ୍ନ ଆବଶ୍ୟକତା ମଧ୍ୟ ଦିଆଗଲା ନାହିଁ । ଅପରପକ୍ଷରେ ନିର୍ଯାତନା ଓ ଆକ୍ରମଣର ଶିକାର ହୋଇଥିବା ଦଳିତ ପରିବାରର ସଦସ୍ୟମାନଙ୍କୁ ଗିରଫ କରିବାପାଇଁ ଉଦ୍ୟମ କରାଗଲା । ଗିରଫ ଭୟରେ ପୀଡିତ ପରିବାରର ପୁରୁଷ ସଦସ୍ୟମାନେ ଅସ୍ଥାୟୀ ଗାଁ ଛାଡିବାକୁ ବାଧ୍ୟ ହେଲେ । ଏହିଭଳି ଏକ ଭୟଙ୍କର ବିପଦ ସମୟରେ ସେମାନେ ତାଙ୍କ ପରିବାରର ସଦସ୍ୟମାନଙ୍କ ସହିତ ମଧ୍ୟ ଛିଡା ହୋଇପାରିଲେ ନାହିଁ । ପ୍ରଶାସନର ଏହି କୌଶଳ ପଛରେ ଯେଉଁ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରହିଛି ତାହା ହେଉଛି ସେମାନଙ୍କୁ ମାନସିକଭାବେ ଦୁର୍ବଳ କରିଦେଇ ପ୍ରଶାସନ-ଉଚ୍ଚଜାତିର ନିର୍ଦ୍ଦେଶକୁ ମାନିବା ପାଇଁ ଏକ ପ୍ରକାର ବାଧ୍ୟ କରିବା । ପୁରୀ ଜିଲ୍ଲା ପ୍ରଶାସନର ଏହି ବିଧିବଦ୍ଧ ଷଡଯନ୍ତ୍ରମୂଳକ କାର୍ଯ୍ୟ ଯେତିକି ଲଜ୍ଜାଜନକ ସେତିକି ମାନବତାରହିତ ତଥା ସମ୍ବେଦନହୀନ ।

ସ୍ୱାଧୀନତାର ଦୀର୍ଘ ୭୪ ବର୍ଷ ପରେ ମଧ୍ୟ ଏ ଦେଶରେ ଦଳିତ ମଣିଷର ସର୍ବନିମ୍ନ ମୌଳିକ ଅଧିକାର ଓ ଆତ୍ମମର୍ଯାଦାର ସହ ବଞ୍ଚିବା ଏକ ସୁଦୂର ସ୍ୱପ୍ନ ହୋଇରହିଛି । ଏହି ୪୮ଟି ଦଳିତ ପରିବାରର ନିର୍ଯାତନା, ସଂଘର୍ଷ ଓ କ୍ରମିକ ବିସ୍ଥାପନର ଯାତ୍ରା ହିଁ ଉପରୋକ୍ତ ବକ୍ତବ୍ୟକୁ ଆଉ ଟିକେ ସ୍ପଷ୍ଟ କରିପାରିବ ବୋଲି ଆଶା । ପୁରୀ ଜିଲ୍ଲା ଚିଲିକା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକର ବରହମପୁର ଏକଦା ଏହି ୪୮ଟି ବାଉରୀ ପରିବାରର ଗାଁ ଥିଲା । ଗାଁରେ ସମୁଦାୟ ୩୫୦ ପରିବାର । ସେଥିମଧ୍ୟରେ ଅଶୀଭାଗରୁ ଉର୍ଦ୍ଧ୍ୱ ହେଉଛନ୍ତି ଅନୁସୂଚିତ ଜାତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଖଟିଆ(ମତ୍ସଜୀବୀ), ଧୋବା, ବାରିକ ଓ ବାଉରୀ । ଅବଶିଷ୍ଟ ୧୦ଘର ବ୍ରାହ୍ମଣ ଓ ମାଳି ବସବାସ କରନ୍ତି । ଗାଁରେ ସମସ୍ତଙ୍କର ଘରଡ଼ିହର ପଟ୍ଟା ଓ ଚାଷଜମି ରହିଛି । ୪୮ ବାଉରୀ ପରିବାର ମଧ୍ୟରୁ କେବଳ ୧୫ଜଣଙ୍କର ଘରଡ଼ିହର ପଟ୍ଟା ରହିଥିବା ବେଳେ ଅବଶିଷ୍ଟ ପରିବାର ଭୂମିହୀନ ଓ କାହାରି ମଧ୍ୟ ନିଜସ୍ୱ ଚାଷଜମି ନାହିଁ । ସେମାନେ ବସବାସ କରୁଥିବା ଏହି ଦ୍ୱୀପାଞ୍ଚଳକୁ ଚାରିପାଖରୁ ଘେରି ରହିଛି ଚିଲିକାର ବିଶାଳ ଜଳରାଶି । ଏହି ଜଳରାଶି ଉପରେ କଣ୍ଡରା, କେଉଟ, ଖଟିଆ ଆଦି ଦଳିତ ସଂପ୍ରଦାୟର ମାଛ ମାରିବାର ଆଇନଗତ ଅଧିକାର ରହିଛି । କିନ୍ତୁ ବାଉରୀ ସଂପ୍ରଦାୟ ଏହି ଅଧିକାରରୁ ବଞ୍ଚିତ । ଏମାନେ ବନିଶୀ ଓ ପୋଳୁହ (ମାଛ ଧରିବା ପାଇଁ ବ୍ୟବହୃତ ବାଉଁଶରେ ତିଆରି ଛୋଟ  ଯନ୍ତ୍ର) ସାହାଯ୍ୟରେ  ନିଜର ଖାଇବାପାଇଁ ମାଛ ମାରନ୍ତି ଓ କେବେକେବେ ସେଥିରୁ କିଛି ବିକ୍ରି କରି ଜୀବିକା ନିର୍ବାହ କରନ୍ତି । ଏକଦା ଉଚ୍ଚଜାତି ଲୋକଙ୍କର ପୂଜାପର୍ବ, ବିବାହ ଆଦି ଉତ୍ସବରେ ସବାରୀ ପାଲିଙ୍କି ଆଦି କାନ୍ଧେଇବା ଏମାନଙ୍କ ପାରମ୍ପରିକ ସେବା ଥିଲା । କିନ୍ତୁ ୨୦୦୫ ମସିହାରେ ଚିଲିକାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ବାଉରୀମାନଙ୍କୁ ନେଇ ଗଠିତ ସଂଗଠନ “ଦଶଦେଶ”  ଏହିଭଳି ଏକ  ଘୃଣ୍ୟ ପ୍ରଥାକୁ ନ ମାନିବାପାଇଁ ସାମୂହିକ ନିଷ୍ପତ୍ତି ନେଇଥଲା । ଫଳରେ ବରହମପୁର ସମେତ ଅନ୍ୟାନ୍ୟ ଅଞ୍ଚଳରେ ରହୁଥିବା ବାଉରୀମାନେ ଏହି ପ୍ରଥାକୁ ବିରୋଧ କଲେ ଓ ସବାରୀ ପାଲିଙ୍କି କାନ୍ଧେଇବା ବନ୍ଦ କରିଦେଲେ । ଏହିଭଳି ଜାତିବାଦୀ ପରମ୍ପରା ବିରୋଧରେ ଅତି ଶୁଦ୍ର ଲୋକମାନଙ୍କର ସଂଗଠିତ  ବିରୋଧ, ତଥାକଥିତ ଉଚ୍ଚଜାତିର ଅହଂକାର ଉପରେ ଏକ ଶକ୍ତ ଆଘାତ ଥିଲା । ବରହମପୁରର ଏହି ୪୮ ପରିବାର ଯେତେବେଳେ  ଏହି ସେବା କରିବାପାଇଁ ମନା କରିଦେଲେ, ସେତେବେଳେ ମତ୍ସ୍ୟଜୀବୀମାନେ ସେମାନଙ୍କୁ ଚିଲିକାରୁ ମାଛ ଧରିବାରେ ରୋକ ଲଗାଇଲେ ଓ ନାନା ପ୍ରତିବନ୍ଧକ ସୃଷ୍ଟି କଲେ । କେବଳ ପାଲିଙ୍କି କାନ୍ଧେଇବା ବିଷୟ ନୁହେଁ, ପରମ୍ପରା ନାଁରେ ଚାଲି ଆସିଥିବା ଏହିପରି ଆହୁରି ଅନେକ ଅମାନବୀୟ ସେବାକୁ ପାଳନ କରିବାପାଇଁ ଏହି ପରିବାରଗୁଡିକ ମନା କରିଦେଇଥିଲେ । ଆତ୍ମସମ୍ମାନର ସହ ବଞ୍ଚିବାପାଇଁ ସେମାନେ ନେଇଥିବା ଏହିଭଳି କିଛି ପଦକ୍ଷେପ, ତଥାକଥିତ ଉଚ୍ଚଜାତି ମଧ୍ୟରେ ଚିରାଚରିତ ଜାତିବିରୋଧୀ ଆକ୍ରୋଶ ସୃଷ୍ଟି କରିଥିଲା । ଯାହାର ଫଳସ୍ୱରୂପ ଦୀର୍ଘ ଦିନ ଧରି ଏହ ପରିବାରର ଲୋକମାନେ ତଥାକଥିତ ଉଚ୍ଚଜାତି ଦ୍ୱାରା ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହୋଇଆସୁଥିଲେ ।

Fact finding committee interacting with the victims

Fact finding committee interacting with the victims

ନାଥପୁର ନିଆଁର ବିସ୍ତୃତ ପୃଷ୍ଠଭୂମି

ଏଇ ୪୮ଟି ପରିବାର ଉପରେ ଦୀର୍ଘ ଦିନରୁ ଯେଉଁ ଆକ୍ରୋଶ ଓ ଘୃଣା ଦାନା ବାନ୍ଧୁଥିଲା ତାହା ବିସ୍ଫାରିତ ହେବାପାଇଁ ଉପଯୁକ୍ତ ପରିସ୍ଥିତି ଓ ପରିବେଶର ଅପେକ୍ଷା ଥିଲା । ଘଟଣା ଦିନ ଏହି ୪୮ ପରିବାରର ୧୭/୧୮ ବର୍ଷର ଜଣେ ଯୁବକ ବରହମପୁର ଗାଁକୁ ବିକ୍ରି ଆସିଥିବା ବମ୍ବେ ଲଡୁ କିଣିବାପାଇଁ ଅପେକ୍ଷା କରିଥିଲେ । ସେଇ ସମୟରେ କ୍ରିକେଟ ଖେଳରୁ ଫେରୁଥିବା ମତ୍ସଜୀବି ସଂପ୍ରଦାୟର କିଛି ଯୁବକ ମଧ୍ୟ ବମ୍ବେ ଲଡୁ ଖାଇବାପାଇଁ ସେହିଠାରେ ପହଞ୍ଚିଥିଲେ । ପଛରେ ଆସି ମଧ୍ୟ ସେମାନଙ୍କୁ ପ୍ରଥମେ ଦେବାପାଇଁ ଉକ୍ତ ଯୁବକମାନେ ଲଡୁବିକାଳିକୁ ବାଧ୍ୟ କରିଥିଲେ । କିନ୍ତୁ ପ୍ରଥମରୁ ଅପେକ୍ଷା କରିଥିବା ବାଉରୀ ପରିବାରର ଯୁବକ ଜଣକ ସେ ପ୍ରଥମରୁ ଆସିଛନ୍ତି ଓ ପ୍ରଥମେ ନେବେ ବୋଲି କହି ଲଡୁ ବିକାଳିକୁ ଦଶ ଟଙ୍କିଆ କଏନଟିଏ ବଢେଇଦେବା ସମୟରେ କଏନଟି ବମ୍ବେ ଲଡୁ ପ୍ରସ୍ତୁତ ହେଉଥିବା ଡବାରେ ପଡ଼ିଯାଇଥିଲା । ବାଉରୀ ପିଲାଟିର ହାତକୁ ଛୁଇଁଥିବା କଏନଟି ବମ୍ବେ ଲଡୁ ଡବାରେ ପଡି ସମସ୍ତ ଜିନିଷକୁ ଛୁଆଁ କରିଦେଲା ବୋଲି ମତ୍ସଜୀବୀ ସଂପ୍ରଦାୟର ଯୁବକମାନେ ଅଭିଯୋଗ କରିଥିଲେ । ଏହି ଛୁଆଁ ପ୍ରସଙ୍ଗକୁ ବାହାନା କରି ମତ୍ସଜୀବୀ ଯୁବକମାନେ ବାଉରୀ ଯୁବକ ଜଣକୁ ମାଡ ମାରିଥିଲେ । ଯୁବକଜଣକ ମାଡ ଖାଇ ସାହିର ଲୋକଙ୍କୁ ଜଣେଇବା ପରେ ସାହିର କିଛି ବ୍ୟକ୍ତି ମତ୍ସଜୀବୀ ସାହିକୁ ପଚାରିବା ପାଇଁ ଯାଇଥିବାବେଳେ ମତ୍ସଜୀବୀ ପରିବାରମାନେ ବାଉରୀ ସାହିର ଲୋକମାନଙ୍କୁ ଅଛୁଆଁ କହି ଟେକାପଥର ସହ ମାଡ କରିଥିଲେ । ଏହାପରେ ବାଉରୀସାହିର ଲୋକମାନେ କୃଷ୍ଣପ୍ରସାଦର ନୂଆପଡ଼ା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଆକ୍ରମଣକାରୀଙ୍କୁ ପ୍ରକାରାନ୍ତରେ ସୁରକ୍ଷା ଦେବାସହ ସେମାନଙ୍କ ଜାତିଆଣ ମନୋଭାବକୁ ପ୍ରୋତ୍ସାହନ ଦେଇଥିଲା । ପୋଲିସ ନିଷ୍କ୍ରିୟତାର ସୁଯୋଗ ନେଇ ୪୮ଟି ଦଳିତ ପରିବାରକୁ ଗାଁରେ ବାସନ୍ଦ କରିଦିଆଗଲା । ବାସନ୍ଦ ଲାଗୁହେବା ଯୋଗୁଁ ଏହି ୪୮ ପରିବାରକୁ ମଜୁରୀ ଲାଗିବାପାଇଁ କେହି ଡାକିନଥିଲେ । ଏପରିକି ପାଖ ଗାଁ ମହିଷାରେ ମଧ୍ୟ ଏହି ପରିବାରର ଲୋକମାନଙ୍କୁ କାମ ଦେବାପାଇଁ ବରହମପୁରର ମତ୍ସଜୀବୀମାନେ ମହିଷା ଗାଁ ଲୋକଙ୍କୁ ମନା କରିଦେଲେ । ଗାଁର ନଳକୂଅରୁ ପାଣି ନେବା ଓ ଦୋକାନରୁ ସଉଦା କିଣିବା ପାଇଁ ମଧ୍ୟ ରୋକ୍ ଲଗେଇ ଦେଇଥିଲେ । ସବୁଠୁ ଗୁରତ୍ୱପୂର୍ଣ୍ଣ କଥା ହେଉଛି ଚିଲିକା ମଧ୍ୟସ୍ଥ ଏହି ଦ୍ୱୀପରେ ଯାତାୟତର ଏକମାତ୍ର ମାଧ୍ୟମ ପଞ୍ଚାୟତ ଡଙ୍ଗା ମଧ୍ୟ ଏମାନଙ୍କୁ ବାରଣ କରାଯାଇଥିଲା । ଫଳରେ ସେମାନେ ଗାଁ ଭିତରେ ଏକ ପ୍ରକାର ବନ୍ଦୀ ଅବସ୍ଥାରେ ରହିଲେ । ସ୍ଥାନୀୟ ପୋଲିସ ଏହିଭଳି ଏକ ଅଗଣତାନ୍ତ୍ରିକ କାର୍ଯ୍ୟ ବିରୁଦ୍ଧରେ କୌଣସି ଆଇନଗତ ପଦକ୍ଷେପ ନେବା ପରିବର୍ତ୍ତେ ଉଭୟ ଗୋଷ୍ଠୀର କିଛି ଲୋକଙ୍କୁ ଥାନାକୁ ଡକାଇ ଆପୋଷ ବୁଝାମଣା ପାଇଁ ପ୍ରବର୍ତ୍ତାଇଥିଲେ । ଏଥିରେ ମତ୍ସଜୀବୀ ସମ୍ପ୍ରଦାୟର ମୁରବିମାନେ ବାଉରୀ ପରିବାରଙ୍କୁ ଗାଁରେ ରଖାଇଦେବା ପାଇଁ ତିନୋଟି ସର୍ତ୍ତ ରଖିଥିଲେ । ତାହା ହେଉଛି ପୂର୍ବପରି ସବାରୀପାଲିଙ୍କି କାନ୍ଧେଇବା, ଗାଁ ରାସ୍ତାରେ ନଚାଲି ବାଡି ପଛପଟକୁ ରାସ୍ତା ଭବାରେ ବ୍ୟବହାର କରିବା ଓ ବିନାଦ୍ୱିଧାରେ ସେମାନଙ୍କର ମୂଲମଜୁରୀ ଲାଗିବା । ଆତ୍ମସମ୍ମାନର ସହ ବଞ୍ଚିବାପାଇଁ ସଂଘର୍ଷ ଆରମ୍ଭ କରିଥିବା ଏହି ୪୮ ପରିବାର ସେମାନଙ୍କର କୌଣସି ବି ପ୍ରସ୍ତାବରେ ରାଜି ହେବାପାଇଁ ମନା କରିଦେଇଥିଲେ । ଫଳରେ ଗାଁରେ ରହିବା ଅସମ୍ଭବ ହୋଇପଡିଥିଲା ।

ବାବାସାହେବ ଆମ୍ୱେଦକର ସାମାଜିକ ବାସନ୍ଦକୁ ନେଇ ଆଜିଠାରୁ ପ୍ରାୟ ଅଶୀ ବର୍ଷ ତଳେ ଯାହା କହିଥିଲେ, ତାହାର ବାସ୍ତବତା ଆଜିର ଦିନରେ ମଧ୍ୟ ଏତେ କମ୍ ହୋଇନାହିଁ । ତାଙ୍କ ମତରେ ସାମାଜିକ ବାସନ୍ଦ ଜନିତ ଦଣ୍ଡବିଧାନ ଏପରି ପୀଡାଦାୟକ ଯେ ଏହା ମୃତ୍ୟୁ ସହିତ ସମାନ ହୋଇଥାଏ । ମଣିଷ ତା ଚାରିପାଖର ସମାଜଠାରୁ ବିଚ୍ଛିନ୍ନ ହୋଇ ଜୀବନଧାରଣ କରିବା ଖୁବ କଷ୍ଟକର । ମଣିଷର ଏହି ଅସହାୟତାର ସୁଯୋଗ ନେଇ ଜାତି ତାକୁ ନିଜର ଶୃଙ୍ଖଳା ଓ ବିଧାନକୁ ମାନିବାକୁ ବାଧ୍ୟ କରାଏ ।

କିନ୍ତୁ ଯୁଗଯୁଗ ଧରି ଜାତି ପାଖରେ ସମର୍ପଣ କରିଆସୁଥିବା ମଣିଷ ଯେତେବେଳେ ଆତ୍ମସ୍ୱାଭିମାନ ଓ ସ୍ୱତନ୍ତ୍ରତାକୁ ଜାହିର୍ କରେ ସେତେବେଳେ ଏହିଭଳି ମୂଲ୍ୟ ଦେବାକୁ ପଡେ । ବଞ୍ଚିବାର ସମସ୍ତ ରାସ୍ତା ବନ୍ଦ ହୋଇଯିବା ପରେ ଏହି ୪୮ଟି ପରିବାର ୨୦୨୧ମସିହା ଫେବୃୟାରୀ ମାସରେ ଗାଁ ଛାଡି ଚାଲି ଆସିବାପାଇଁ ବାଧ୍ୟ ହୋଇଥିଲେ । ଗାଁ ଛାଡି ମୁଣ୍ଡ ଗୁଞ୍ଜିବାପାଇଁ ଜାଗାଟିଏ ଖୋଜୁଥିବା ବେଳେ ଚିଲିକାର ଅପର କୂଳରେ ଥିବା କୃଷ୍ଣପ୍ରସାଦ ବ୍ଲକ ତଥା ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ନାଥପୁର ଗାଁର ଦଳିତ ଲୋକମାନେ ସେମାନଙ୍କୁ ନିଜ ଦଖଲରେ ଥିବା ଏକ ସରକାରୀ ଜମିରେ ଆଶ୍ରୟ ଦେଇଥିଲେ ।

ଗାଁ ଭୂଇଁ ଛାଡି ଉଦବାସ୍ତୁ ଜୀବନ ବିତାଉଥିବା ଏହି ପରିବାରର ସରକାରୀ ଜାଗାରେ ରହିବା ମଧ୍ୟ ସ୍ଥାନୀୟ ଉଚ୍ଚଜାତି ଓ ପ୍ରଶାସନ ପକ୍ଷରେ ଅସହନୀୟ ହୋଇଥିଲା । ଉଚ୍ଚଜାତିର ଅବଦମନକୁ ଅସ୍ୱୀକାର କରି ଦଳିତମାନେ ଏପରି ସ୍ୱୟଂସମ୍ପୂର୍ଣ ଭାବେ ମୁଣ୍ଡ ଉଠାଇ ଜୀବନ ଜୀଇଁଯିବା, ଉଚ୍ଚଜାତିମାନଙ୍କର ଜାତିବାଦୀ ଆଧିପତ୍ୟ ପାଇଁ ଏକ ସାମାନ୍ୟ ତଥା ସାଧାରଣ ବିଷୟ ନଥିଲା । ଏହି କାରଣରୁ ବ୍ରହ୍ମଗିରି ତହସିଲ ଅଞ୍ଚଳର ୩୫ ମୌଜା ଉଚ୍ଚଜାତିର ପ୍ରଭାବଶାଳୀ ବ୍ୟକ୍ତିମାନେ ଏହି ୪୮ ପରିବାରକୁ ସେ ଜାଗାରୁ ମଧ୍ୟ ବିତାଡିତ କରିବାପାଇଁ ଏକ ବିଧିବଦ୍ଧ ଷଡଯନ୍ତ୍ର ରଚନା କରିଥିଲେ । ଏହି ଷଡଯନ୍ତ୍ରକୁ ରୂପଦେବାପାଇଁ ସ୍ଥାନୀୟ ପୋଲିସ ଓ ଜିଲ୍ଲା ପ୍ରଶାସନର ପ୍ରଚ୍ଛନ୍ନ ସହଯୋଗ ରହିଥିଲା । କିଛି ଛୋଟ ଛୋଟ ଘଟଣାକୁ କେନ୍ଦ୍ର କରି ଉକ୍ତ ଅଞ୍ଚଳରେ ଏହି ୪୮ଟି ପରିବାର ବିରୁଦ୍ଧରେ ଏକ ଘୃଣାର ବାତାବରଣ ସୃଷ୍ଟି କରାଯାଇଥିଲା । ଗତ ୭ ମାସ ମଧ୍ୟରେ ବିଭିନ୍ନ ସମୟରେ ସେମାନଙ୍କୁ ନିଜ ଗାଁ ବରହମପୁରକୁ ଫେରିଯିବା ପାଇଁ ବାଧ୍ୟ କରାଯାଉଥିଲା ବା କୁହାଯାଇପାରେ ଏକପ୍ରକାର ଦୃଢ ନିର୍ଦ୍ଦେଶ ଦିଆଯାଉଥିଲା । ଅବମାନନା କଲେ ଅତୀତର ଇଚ୍ଛାପୁର ଭୋଇସାହି ଭଳି ଭୟଙ୍କର ପରିଣତି ଭୋଗିବା ପାଇଁ ଧମକ ଦିଆଯାଉଥିଲା । ମାତ୍ର ଦଳିତ ପରିବାରମାନେ ଗାଁକୁ ଫେରିବାପାଇଁ କିଛି ସର୍ତ୍ତ ରଖିଥିଲେ । ସେହି ସର୍ତ୍ତ ଥିଲା ଉଚ୍ଚଜାତିର ଲୋକଙ୍କ ଉପରେ ନିର୍ଭରଶୀଳ ନହୋଇ ସମ୍ମାନଜନକ ଭାବେ ଜୀବିକା ନିର୍ବାହ କରିବା । ସେଥିପାଇଁ ସେମାନେ ପ୍ରଶାସନ ନିକଟରେ ଚାଷଜମି ଯୋଗାଇଦେବା, ଓ ଚିଲିକାରେ ମାଛ ମାରିବାର ଆଇନଗତ ଅଧିକାରକୁ ସୁନିଶ୍ଚିତ କରିବାର ଦାବୀ କରିଥିଲେ । କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ସେମାନଙ୍କର ଦାବି ସ୍ୱାଧୀନ ଭାରତବର୍ଷରେ ଆଜି ମଧ୍ୟ ଏକ ଅସମ୍ଭବ ସ୍ୱପ୍ନ ହୋଇ ରହିଛି । ସେମାନେ ଭୂମିହୀନ, ଜମିହୀନ, ଗ୍ରାମହୀନ, ଜୀବିକାହୀନ ଓ ସର୍ବୋପରି ସମ୍ମାନହୀନ ହୋଇ ବଞ୍ଚିବା ହିଁ ଏ ଦେଶର ପ୍ରଚଳିତ ବ୍ୟବସ୍ଥା ନିର୍ଦ୍ଦଷ୍ଟ କରିଛି । ତେଣୁ ସେମାାନଙ୍କର ଏହି ଦାବି ପ୍ରଶାସନର କର୍ଣ୍ଣଗୋଚର ନହେବା ସ୍ୱାଭାବିକ । କୌଣସି ନିର୍ଭରଯୋଗ୍ୟ ପ୍ରତିଶୃତି ନପାଇବା ପର୍ଯ୍ୟନ୍ତ ସେମାନେ ଗାଁକୁ ଫେରି ପୁଣି ଥରେ ନିର୍ଯାତିତ ହେବେନାହିଁ ବୋଲି ମନା କରିଦେଇଥିଲେ । ସେମାନଙ୍କର ଏହି ଟାଣପଣ ସମାଜର ତଥାକଥିତ ଉଚ୍ଚଜାତିର ଅହଙ୍କାର ଉପରେ ଯେଉଁ ପ୍ରଚଣ୍ଡ ଆଘାତ ଦେଇଥିଲା, ତାହାର ପ୍ରତିକ୍ରିୟା ତଥା ପରିଣାମ ସ୍ୱରୂପ ନାଥପୁରରେ ସ୍ଥାପନା ହୋଇଥିବା ୪୮ଟି ପରିବାରର ଅସ୍ଥାୟୀ ବସତି ଜଳିପୋଡି ପାଉଁଶ ହୋଇଗଲା ।

ସ୍ଥାନୀୟ ଅଞ୍ଚଳରେ ଜାତିବାଦୀ ଉତ୍ପୀନର ଦୀର୍ଘ ଇତିହାସ 

ଯେଉଁ ଇଚ୍ଛାପୁର ଭୋଇସାହିର ନାଁ ନେଇ ୩୫ ମୌଜାର ଉଚ୍ଚଜାତିର ଲୋକମାନେ ଉଦବାସ୍ତୁ  ୪୮ ବାଉରୀ ପରିବାରକୁ ଧମକ ଦେଉଥିଲେ, ସେହି ଇଚ୍ଛାପୁରର ଘଟଣା ମଧ୍ୟ କମ୍ ହୃଦୟ ବିଦାରକ ନୁହେଁ । ଇଚ୍ଛାପୁର, ଘଟଣା ଘଟିଥିବା ନାଥପୁରଠାରୁ ମାତ୍ର ଏକ କିଲୋମିଟର ଦୂର, ଦଳିତମାନଙ୍କର ଏକ ପଡ଼ା ଗାଁ । ଇଚ୍ଛାପୁର ନିକଟସ୍ଥ ଏକ ସରକରୀ ଜମିରେ ଭୋଇସାହିର ପିଲାମାନଙ୍କ ପାଇଁ ଏକ ପାଠଶାଳା ନିର୍ମାଣକୁ କେନ୍ଦ୍ର କରି ଅତୀତରେ ବିବାଦ ଦେଖାଦେଇଥିଲା । ନୂଆଗାଁର ଉଚ୍ଚଜାତିର ପ୍ରଭାବଶାଳୀମାନେ ସେହି ଜମିରେ ପାଠଶାଳା ନିର୍ମାଣକୁ ବିରୋଧ କରିଥିଲେ । ମାତ୍ର ପିଲାମାନଙ୍କ ପାଠଶାଳାଟି ନିତାନ୍ତ ଆବଶ୍ୟକ ଥିବାରୁ ଭୋଇସାହିର ଲୋକମାନେ ସେମାନଙ୍କ ନିଷ୍ପତ୍ତିରୁ ହଟିନଥିଲେ । ପରିଣାମ ସ୍ୱରୂପ ୨୦୦୯ ମସିହା ମଇ ମାସରେ ନିକଟସ୍ଥ ନୂଆଗାଁର ଉଚ୍ଚଜାତିର ଲୋକମାନେ ନାଥପୁର ଭଳି ସମାନ ଢଙ୍ଗରେ ବୋମା ପକାଇ ଭୋଇସାହିକୁ ସଂପୂର୍ଣ୍ଣ ଜାଳି ଦେଇଥିଲେ । ଏହି ଆକ୍ରମଣରେ ୫ରୁ ଉର୍ଦ୍ଧ୍ୱ ପୁରୁଷମହିଳା ବୋମାମାଡରେ ଗୁରୁତର ଭାବେ ଆହତ ହୋଇ ମାସାଧିକ କାଳ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ମାତ୍ର ପରିତାପର ବିଷୟ ଯେ ପୀଡିତ ଲୋକଙ୍କର ଅଭିଯୋଗ ଓ ଦଳିତ ଭୂମିହୀନ ସଂଘର୍ଷ ସମିତି, ଗୋତିମୁକ୍ତି ଆନ୍ଦୋଳନ ଭଳି ଅନେକ ସଂଗଠନର ପ୍ରତିବାଦ ପରେ ମଧ୍ୟ ସେତେବେଳେ ଇଚ୍ଛାପୁର ଭୋଇସାହିର ଗୃହହରା ଦଳିତମାନେ ନ୍ୟାୟ ପାଇପାରିନଥିଲେ । ଏଭଳି ବର୍ବର କାଣ୍ଡ ଘଟାଇଥିବା ଆକ୍ରମଣକାରୀଙ୍କ ମଧ୍ୟରୁ ସ୍ଥାନୀୟ ପୋଲିସ କାହାରିକୁ ଗିରଫ କରିନଥିଲା ।

ସେହିପରି ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ନୂଆଗାଁର ଅଶୋକ ସେଠୀ, ସିନ୍ଧୁ ସେଠୀ, ଚରଣ ସେଠୀ ଓ ଭାବଗ୍ରାହୀ ସେଠୀ ନାମକ ଚାରି ଧୋବା ପରିବାରକୁ ପାରମ୍ପରିକ ସେବା କରିବାପାଇଁ ମନା କରିଦେବା କାରଣରୁ ୨୦୦୧ ମସିହାରେ ଗାଁରେ ବାସନ୍ଦ କରାଯାଇଥିଲା ଓ ଗାଁରୁ ବାହାରରିଯିବା ପାଇଁ ବାଧ୍ୟ କରାଯାଇଥିଲା । ପରେ ପୁରୀ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ସ୍ଥାନୀୟ ପୋଲିସ ଉକ୍ତ ଚାରି ପରିବାରଙ୍କୁ ନେଇ ଗାଁରେ ଛାଡିଥିଲେ । କିନ୍ତୁ ବାରମ୍ବାର ତାଙ୍କ ଘର ଭାଙ୍ଗିଦେବା ଓ ଅନ୍ୟାନ୍ୟ ଆକ୍ରୋଶମୂଳକ ଆକ୍ରମଣ କରିବାରୁ ସେହି ଚାରି ପରିବାର ୨୦୧୮ ମସିହା ଜୁଲାଇ ୨୩ ତାରିଖଦିନ ଗାଁ ଛାଡି ଚାଲିଆସି ଏପର୍ଯ୍ୟନ୍ତ ଯାଯାବର ଜୀବନ ବିତାଉଛନ୍ତି ।  

ନାଥପୁରର ପୀଡିତ ୪୮ଟି ଦଳିତ ପରିବାର ଛାଡି ଚାଲିଆସିଥିବା ଗାଁ ବରହମପୁରରେ ଆଜି ମଧ୍ୟ ଧୋବାମାନେ ମତ୍ସଜୀବୀମାନଙ୍କର ବିବାହ ଆଦି ଉତ୍ସବରେ ଦିହୁଡ଼ି ଦେଖାଇବାର ସେବା କରିଆସୁଛନ୍ତି । ଦୀର୍ଘ ପନ୍ଦରବର୍ଷ ତଳେ ଚାରୋଟି ଉଚ୍ଚଶିକ୍ଷିତ ତଥା ସରକାରୀ ଚାକିରୀ କରିଥିବା ଧୋବା ପରିବାର(ଅରୁ ସେଠୀ, ବଳଭଦ୍ର ସେଠୀ, ଜଗା ସେଠୀ, ପାଣ୍ଡବ ସେଠୀ) ଏହି ସେବା କରିବାକୁ ମନାକରିଦେବାରୁ ସେମାନଙ୍କୁ ଗାଁରେ ଅନେକ ନିର୍ଯ୍ୟାତନା ଦିଆଗଲା । ଯାହା ଫଳରେ ଉକ୍ତ ପରିବାର ସବୁଦିନ ପାଇଁ ସେମାନଙ୍କର ଭିଟାମାଟି ଛାଡି ଚାଲିଯିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ଉଚ୍ଚଶିକ୍ଷା ଓ ଜୀବିକାର ଅନ୍ୟ ପନ୍ଥା ନଥିବାରୁ  ଗାଁରେ ଥିବା ଅନ୍ୟାନ୍ୟ ସେବାକାରୀ ଦଳିତ ସଂପ୍ରଦାୟ ଆଜି ମଧ୍ୟ ତଥାକଥିତ ଉଚ୍ଚଜାତିର ଲୋକମାନଙ୍କ ସେବା ତଥା ନିର୍ଦ୍ଦଶ ମାନିବାପାଇଁ ବାଧ୍ୟ ହେଉଛନ୍ତି । ପାଟି ଖୋଲିଲେ ଏହି ୪୮ପରିବାର ପରି ଗାଁରୁ ବିତାଡିତ ହୋଇଯିବାର ଭୟ ସେମାନଙ୍କୁ ଜାତିଆଣ ଅତ୍ୟାଚାର ସହିବା ପାଇଁ ବାଧ୍ୟ କରୁଛି । ଏହା ବ୍ୟତୀତ ଉଚ୍ଚଜାତିର ଲୋକମାନଙ୍କ ବାହାଘରରେ ବର ଓ ବରଯାତ୍ରୀମାନଙ୍କର ଗୋଡ ଧୋଇବା ପରି  ଘୃଣ୍ୟ ସେବା କରିବାପାଇଁ ମନା କରିଦେବାରୁ ବ୍ରହ୍ମଗିରି ଅଞ୍ଚଳର ଅନେକ ଗାଁରେ ବାରିକ ଜାତିର ଲୋକମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଛି, ଗାଁରୁ ବିତାଡିତ କିରଦିଆଯାଇଛି ନଚେତ ଗାଁରେ ବାସନ୍ଦ କରି ରଖାଯାଉଛି ।  

ବ୍ରହ୍ମଗିରି ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଦଳିତ ଓ ପଛୁଆ ବର୍ଗ ଉପରେ ଏହିଭଳି ଅନେକ ନିର୍ଯ୍ୟାତନା ଓ ଆକ୍ରମଣ ଘଟିଚାଲିଛି । ସ୍ଥାନୀୟ ଅଞ୍ଚଳର ରାଜନୈତିକ ସଂଗଠନ ତଥା ବ୍ୟକ୍ତବିଶେଷମାନେ ଏହି ନିର୍ଯାତନାକୁ ରୋକିବା ପରିବର୍ତ୍ତେ ସେମାନଙ୍କ ରାଜନୀତିକ ସ୍ୱାର୍ଥସାଧନ ପାଇଁ ପ୍ରଚ୍ଛଦରେ ରହି ଏହିଭଳି ଜାତିଗତ ନିର୍ଯ୍ୟାତନାକୁ ଆହୁରି ତେଜୀୟାନ କରିଛନ୍ତି । ଉପରବର୍ଣ୍ଣିତ ପ୍ରାୟ ସମସ୍ତ ଘଟଣାରେ ପ୍ରଶାସନ, ସ୍ଥାନୀୟ ପୋଲିସ ନୀରବ ଦର୍ଶକର ଭୂମିକା ନିର୍ବାହ କରିଛନ୍ତି । ଏହାକୁ କେବଳ ପ୍ରଶାସନିକ ଅପାରଗତା କିମ୍ୱା ରାଜନୀତିକ ବିଫଳତା ବୋଲି ଭାବିନେବା ଯଥେଷ୍ଟ ହେବନାହିଁ ବରଂ ଜାତିବାଦୀମାନଙ୍କର ସରକାରୀ ପ୍ରତିନିଧିତ୍ୱ ବୋଲି ବୁଝିବାକୁ ହେବ । ଆମର ରାଜନୀତିକ-ପ୍ରଶାସନିକ ତଥା ନ୍ୟାୟିକ ବ୍ୟବସ୍ଥା ଉଚ୍ଚବର୍ଗଙ୍କଦ୍ୱାରା ସବୁକାଳେ ନିୟନ୍ତ୍ରିତ ଥିଲା ଏବଂ ଆଜି ମଧ୍ୟ ରହିଛି । ଜାତିଆଣ ଭେଦଭାବ ତଥା ହିଂସା ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବାର ଅର୍ଥ ସେମାନଙ୍କ ଆପଣା ସ୍ୱାର୍ଥକୁ ଆଘାତ କରିବା । ଏହାହିଁ ଏକମାତ୍ର କାରଣ ଯେଉଁଥିପାଇଁ ସେଠାକାର କିଛି ନିର୍ଦ୍ଦିଷ୍ଟ ଗାଁର ସବର୍ଣ୍ଣ ଲୋକ ବାରମ୍ବାର ଅସବର୍ଣ୍ଣ ଲୋକଙ୍କ ଉପରେ ଆକ୍ରମଣ କରିଆସୁଥବା ବେଳେ ପୋଲିସ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରୁନାହିଁ । ବରଂ ନୀରବତା ଅବଲମ୍ୱନ ପୂର୍ବକ ସେମାନଙ୍କ କାର୍ଯ୍ୟକୁ ଆହୁରି ପ୍ରୋତ୍ସାହିତ କରୁଛି । ନାଥପୁର, ଇଚ୍ଛାପୁର ପୋଡି, ଅଶୋକ ସେଠୀଙ୍କ ପରିବାରକୁ ନିର୍ଯ୍ୟାତନା ଓ ଗାଁରୁ ବହିଷ୍କାର ଘଟଣାରେ ନୂଆଗାଁର କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ସମ୍ପୃକ୍ତ । କିନ୍ତୁ ସେମାନଙ୍କ ନାଁରେ ବର୍ଷବର୍ଷ ଧରି ଏପରି ଅନେକ ଜାତିଆଣ ମାମଲା ରୁଜୁ ହୋଇଥିଲା ବେଳେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପୋଲିସ ପ୍ରଶାସନର ଜାତିବାଦୀ ମାନସିକତାକୁ ସ୍ପଷ୍ଟ କରୁଛି । ନିଜ ଜାତିର ପ୍ରତିଷ୍ଠା ଓ ଅହଙ୍କାରକୁ ସୁରକ୍ଷା ଦେବା ତଥା ଦୀର୍ଘସ୍ଥାୟୀ କରିବାପାଇଁ ସରକାରୀ ଅନୁଷ୍ଠାନକୁ ଅକ୍ତିଆର କରିଥିବା ତଥାକଥିତ ଉଚ୍ଚବର୍ଗୀୟ କର୍ମଚାରୀମାନଙ୍କଠାରୁ ଏହା ବ୍ୟତୀତ ଆଉ କଣ ବା ଆଶା କରାଯାଇପାରେ ? 

ସରକାର, ପ୍ରଶାସନ, ତଥା ନିର୍ବାଚନ କୈନ୍ଦ୍ରିକ ରାଜନୀତିକ ଗୋଷ୍ଠୀମାନଙ୍କଠାରୁ ଏହି ଘଟଣା ସମ୍ୱନ୍ଧରେ କୌଣସି ପ୍ରକାର ପ୍ରତିବାଦ କି ପ୍ରତିକ୍ରିୟା ଆଶା କରାଯିବା ବୃଥା । କାରଣ ସେମାନଙ୍କ ଜାତିବାଦୀ ଚରିତ୍ର ଖୁବ ସ୍ପଷ୍ଟ । ଏହି ସ୍ଥଳେ ବିଭିନ୍ନ ଜନବାଦୀ-ପ୍ରଗତିଶୀଳ ବ୍ୟକ୍ତି ଓ ସଂଗଠନ ତଥା ବୁଦ୍ଧିଜୀବୀମାନଙ୍କର ଭୂମିକା ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ମନେହୁଏ । କିନ୍ତୁ ଏଭଳି ଘୃଣ୍ୟ ତଥା ଅମାନବୀୟ ଜାତିଆଣ ହିଂସାକୁ ନେଇ ଓଡ଼ିଶାରେ ସେମାନଙ୍କ ପ୍ରତିବାଦର ସ୍ୱର ଯେତିକି ଦୃଢ ଭାବେ ଶୁଣାଯିବା କଥା ତାହା ଶୁଣାଗଲା ନାହିଁ । ଯଦିଓ ଜାତିଜନିତ ସମସ୍ୟାକୁ ନେଇ ତଥାକଥିତ ପ୍ରଗତିଶୀଳ ବୁଦ୍ଧିଜୀବୀ ଓ ଗଣ ସଂଗଠନଗୁଡିକର ଉଦାସୀନତା ଭାରତବର୍ଷରେ ନୂଆ କଥା ନୁହେଁ । ଅପରପକ୍ଷରେ ଏହାକୁ ଦଳିତ-ଦଳିତର ଲଢେଇ ବୋଲି ଉପର ଠାଉରିଆ ମନ୍ତବ୍ୟମାନ ପ୍ରଦାନ କରାଯାଉଛି । ଯାହା ଜାତିଆଣ ହିଂସା ପଛରେ ଥିବା ବ୍ୟବସ୍ଥାଗତ କାରଣକୁ ପ୍ରାୟୋଜିତ ଭାବେ ଲୁଚେଇ ଦେଇ ପ୍ରକାରାନ୍ତରେ ବ୍ରାହ୍ମଣବାଦୀ ବ୍ୟବସ୍ଥାକୁ ସୁରକ୍ଷିତ କରିବା ପରି ମନେହେଉଛି । ଏହି ସମ୍ୱେଦନହୀନତା ଆମ ତଥାକଥିତ ବୁଦ୍ଧିଜୀବୀ ଓ ସଂଗଠନମାନଙ୍କର ଲୋକ ପକ୍ଷଧରତାର ମୁଖା ତଳେ ଥିବା ବର୍ଗୀୟ ସ୍ୱାର୍ଥକୁ ପରଖିବା ନିମନ୍ତେ ଏକ ବିଶେଷ ସହଯୋଗ ।      

ଏହିଭଳି ଜାତିଗତ ଭେଦଭାବ ଜନିତ ହିଂସା ଭାରତବର୍ଷରେ ହଜାର ହଜାର ବର୍ଷ ଧରି ଘଟିଚାଲିଛି । ଦିନ ପ୍ରତିଦିନ ନାଥପୁର ଭଳି ଅନେକ ତଥାକଥିତ ଜାତି ପାହାଚର ସବା ତଳେ ଥିବା ମଣିଷମାନେ ଭେଦଭାବର ନିଆଁରେ ବଳି ପଡୁଛନ୍ତି । ଏହି ଜାତିବାଦୀ ନିର୍ମମତା ଲୋକଲୋଚନ ତଥା ଗଣମାଧ୍ୟମରେ କେବଳ ମାତ୍ର ଖବର ଭାବରେ ପରିବେଷିତ ହେଉଛି । କିନ୍ତୁ ଏହି ବିଭାଜନକାରୀ ଜାତି ବ୍ୟବସ୍ଥା କିଏ ଓ କେଉଁ ଉଦ୍ଦେଶ୍ୟ ନେଇ ତିଆରି କରିଥିଲା ଏବଂ ଆଜିର ଗଣତାନ୍ତ୍ରିକ ଦେଶରେ ଏହାର ଉପସ୍ଥିତି କାହିଁକି ପୂର୍ବପରି କାୟମ ରହିଛି; ସେ ସମ୍ପର୍କରେ ବିଶେଷ ଆଲୋଚନା ପରିଲକ୍ଷିତ ହୁଏନାହିଁ ।

ଭାରତର ସାମାଜିକ-ସାଂସ୍କୃତିକ-ଆର୍ଥନୀତିକ-ରାଜନୀତିକ ଆଦି ସକଳ ପ୍ରକାର ବ୍ୟବସ୍ଥା ଏହି ବର୍ଣବାଦୀ-ଜାତିବାଦୀ ମୂଳଦୁଆ ଉପରେ ଛିଡାହୋଇଛି । ଉତ୍ପାଦନର ସାଧନ ଓ ଉତ୍ସ ଉପରେ ନିଜର ଏକଚାଟିଆ ଅଧିକାରକୁ ଦୀର୍ଘସ୍ଥାୟୀ କରିବା ପାଇଁ ବ୍ରାହ୍ମଣମାନେ ଯେଉଁ ଜାତିବର୍ଣ୍ଣବାଦୀ ସମାଜ ବ୍ୟବସ୍ଥା ତିଆରି କରିଛନ୍ତି, ତାହାର ମୁଖ୍ୟ ଆଧାର ହେଉଛି ଭେଦଭାବ ଓ ଘୃଣା । ଏହା ଜାତିଜାତି ମଧ୍ୟରେ ଉଚ୍ଚନୀଚ୍ଚ, ଛୁଆଁ ଅଛୁଆଁର ଯେଉଁ ବିକୃତ ମାନସିକତା ତିଆରି କରିଛି, ସେଠି ମଣିଷ ପ୍ରତି ମଣିଷର ପ୍ରେମ ଅପେକ୍ଷା ଅମାନୁଷିକ ଆଚରଣ ବେଶୀ । ଏହି ଭେଦଭାବପୂର୍ଣ୍ଣ ଜାତି ବ୍ୟବସ୍ଥା ପିଢିପିଢି ଧରି ଦେଶର ସମସ୍ତ ସଂସାଧନ ଉପରେ ଉଚ୍ଚବର୍ଗର ଏକଚାଟିଆ ଅଧିକାରକୁ ସୁନିଶ୍ଚିତ କରିଛି । ବହୁଜନ (ଦଳିତ, ଆଦିବାସୀ ଓ ଅନ୍ୟାନ୍ୟ ପଛୁଆ ବର୍ଗ)ଙ୍କ ଶ୍ରମକୁ ଆପଣା ସ୍ୱାର୍ଥପୂର୍ତ୍ତି ଓ ବିଳାସବ୍ୟସନରେ ବ୍ୟବହାର କରିବା ନିମନ୍ତେ ଉଚ୍ଚବର୍ଗ ଜାତିପ୍ରଥାକୁ ସର୍ବଶ୍ରେଷ୍ଠ ମାଧ୍ୟମ ରୂପେ ବ୍ୟବହାର କରିଆସିଛି । ତଥାକଥିତ ତଳଜାତିର ମଣିଷମାନେ ଯେପରି ସଂଘବଦ୍ଧ ହେଇ ଏହି ବ୍ରାହ୍ମଣବାଦୀ ଶୋଷଣ ବ୍ୟବସ୍ଥାକୁ ଭାଙ୍ଗିରୁଜି ନଦେବେ; ସେଥିପାଇଁ ଛୁଆଁଅଛୁଆଁ, ଉଚ୍ଚନୀଚ୍ଚର ବିଦ୍ୱେଷପୂର୍ଣ୍ଣ ବାତାବରଣ ତିଆରି କରାଯାଇ ସେମାନଙ୍କୁ କାଳକାଳ ଧରି ଭାଗଭାଗ କରି ରଖାଯାଇଛି । ଏକ ବୃହତ ଅଂଶର ଶ୍ରମଜୀବୀ ସମୁଦାୟକୁ ଆପଣାଆପଣା ଭିତରେ ଘୃଣା ଓ ସଂଘର୍ଷରେ ଲିପ୍ତ କରିଦିଆଯାଇଛି। ଯେଉଁଥିପାଇଁ ଆଜି ଦେଶରେ ଯେତେ ଜାତିଆଣ ହିଂସା ସଂଘଟିତ ହେଉଛି ସେଥିରୁ ଅଧିକାଂଶ ବ୍ରାହ୍ମଣ କି ଅନ୍ୟ ଉଚ୍ଚବର୍ଗ ସହିତ ଶୁଦ୍ରର ନୁହେଁ ବରଂ ଶୁଦ୍ର-ଶୁଦ୍ର, ଶୁଦ୍ର-ଅତିଶୁଦ୍ର ଭିତରେ ହେଉଥିବା ଦେଖିବାକୁ ମିଳୁଛି । ବ୍ରାହ୍ମଣବାଦ ଦ୍ୱାରା ତିଆରି ଏହି ବିଭାଜନ କୌଶଳ ବରହମପୁରରେ ମତ୍ସ୍ୟଜୀବୀ ଓ ବାଉରୀ ସଂପ୍ରଦାୟ ମଧ୍ୟରେ ଘଟିଥିବା ଜାତିଆଣ ହିଂସାର ମୂଳବିନ୍ଦୁ ।

ଜାତି ବ୍ୟବସ୍ଥାର ତଳେ ଥିବା ଲୋକ ସମୁଦାୟ ମଧ୍ୟରେ କାହିଁକି ଏପରି ସଂଘର୍ଷ ସଂଘଟିତ ହେଉଛି, ତାହାର ସାମାଜିକ-ଆର୍ଥିକ-ରାଜନୀତିକ ଓ ମନସ୍ତାତ୍ତ୍ୱିକ ଦିଗ ଉପରେ ଗଭୀର ଅନୁଶୀଳନ କରି ସେମାନଙ୍କ ମଧ୍ୟରେ ଥିବା ଅନ୍ତର୍ବିଦ୍ୱେଷକୁ ଦୂର କରିବାର ପ୍ରାଥମିକ ଆବଶ୍ୟକତା ରହିଛି । ଜାତିପ୍ରଥା ଓ ଏହାର ମୂଳରେ ଥିବା ଧର୍ମାନ୍ଧତାର ବିନାଶ  ହିଁ ବହୁଜନଙ୍କ ମଧ୍ୟରେ ଏକତାର ଏକମାତ୍ର ରାସ୍ତା । ଆମ୍ୱେଦକରଙ୍କ ଭାଷାରେ ଜାତି ଏକ ମାନସିକତା, ଏକ ବିଚାର । ଜାତିପ୍ରଥାକୁ ଭାଙ୍ଗିବାକୁ ହେଲେ ପ୍ରଥମେ ଏହି ଭେଦଭାବପୂର୍ଣ୍ଣ ମାନସିକତା ଓ ବିଚାରରେ ପରିବର୍ତ୍ତନ କରିବାକୁ ହେବ । ଏହି ପରିବର୍ତ୍ତନ ଶିକ୍ଷା, ସଚେତନତା, ସଂଗଠନ ଓ ସଂଘର୍ଷ ମଧ୍ୟ ଦେଇ ସମ୍ଭବ ହୋଇପାରିବ । ଏହି କ୍ଷେତ୍ରରେ ବିଭିନ୍ନ ଆମ୍ୱେଦକର ବିଚାରବାଦୀ ସଙ୍ଗଠନ, ପ୍ରଗତିଶୀଳ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଲେଖକ ଓ ବିଭିନ୍ନ ବାମପନ୍ଥୀ ତଥା ପରିବର୍ତ୍ତନବାଦୀ ସଙ୍ଗଠନଗୁଡିକର ଭୂମିକା ସବୁଠୁ ବେଶୀ ଗୁରୁତ୍ୱ ବହନକରେ । ଏହି ଶକ୍ତିମାନଙ୍କର ମିଳିତ ଉଦ୍ୟମ ଓ କାର୍ଯ୍ୟଧାରା ବ୍ରାହ୍ମଣବାଦୀ-ମନୁବାଦୀ ବ୍ୟବସ୍ଥା ବିରୁଦ୍ଧରେ ଏକ ଦୃଢ ସାମାଜିକ-ସାଂସ୍କୃତିକ-ରାଜନୀତିକ ଲଢେଇ ପ୍ରସ୍ତୁତ କରିପାରିବ ।

ବହୁଜନ ସମାଜର ବିଭାଜନ, ପରସ୍ପର ପ୍ରତି ବିଦ୍ୱେଷ ଓ ହିଂସା ପଛରେ ଜାତି ବ୍ୟବସ୍ଥା ସହିତ ଆହୁରି କିଛି ସାମ୍ପ୍ରତିକ କାରଣଗୁଡିକୁ ଅଣଦେଖା କରାଯାଇନପାରେ । ଜଗତୀକରଣ ଯୁଗରେ କ୍ରମଶଃ ବୃଦ୍ଧି ପାଉଥିବା ଆର୍ଥିକ ବିଷମତା, କୃଷି କ୍ଷେତ୍ରରେ ସଙ୍କଟ, କ୍ରମବର୍ଦ୍ଧିଷ୍ଣୁ ବେରୋଜଗାରୀ ଓ ଗ୍ରାମୀଣ ଅର୍ଥନୀତିର ଦୂରାବସ୍ଥା ଆଦି ଜାତିଭିତ୍ତିରେ ବିଭାଜିତ ଆମ ଜନସମୁଦାୟ ମଧ୍ୟରେ ଏକ ଭୟଙ୍କର ଅସ୍ତିତ୍ୱଗତ ସଙ୍କଟ ଓ ଅନିଶ୍ଚିତତା ସୃଷ୍ଟି କରିଛି । ଏପରି ସ୍ଥଳେ ଶ୍ରମଜୀବୀ ସମୁଦାୟ ମଧ୍ୟରେ ଜାତି-ଶ୍ରେଣୀଜନିତ ବୈଷମ୍ୟ ଓ ଅସମାନତାର କାରଣଗୁଡିକୁ ବ୍ୟାପକ ଭାବେ ଆଲୋଚନା କରି  ଜାତିବାଦ, ସାମନ୍ତବାଦ ଓ ପୁଞ୍ଜିବାଦ ବିରୁଦ୍ଧରେ ଐକ୍ୟ ଗଢି ତୋଳିବାକୁ ହେବ । ଭୂମି ସମେତ ସମସ୍ତ ସଂସାଧନ ଉପରେ ବହୁଜନର ଅଧିକାର, ସାମାଜିକ ନ୍ୟାୟ ଓ ସର୍ବୋପରି ଏକ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବଞ୍ଚିବାର ଅଧିକାର ଆଦି ଜାତି ବିରୁଦ୍ଧରେ ହେଉଥିବା ବୃହତ୍ତର ସଂଘର୍ଷର ଏକ ଏକ ଅଂଶ । ଏହାରି ମଧ୍ୟ ଦେଇ ଆମେ ଏକ ଜାତି-ଶ୍ରେଣୀବିହୀନ, ସମତାଭିତ୍ତିକ ସମାଜବ୍ୟବସ୍ଥା ଗଢିତୋଳିବା ଦିଗରେ ଆଗେଇ ଯାଇପାରିବା ।

(Sujata Sahani is an academic and poet based in Odisha. She can be reached at sahanisujata907@gmail.com)

Indigenous Voice

Comments

Leave a Reply

Your email address will not be published. Required fields are marked *